ଅଷ୍ଟାଦଶ ଅଧ୍ୟାୟ: ମୋକ୍ଷ ସନ୍ୟାସ ଯୋଗ

ମୋକ୍ଷ ସନ୍ୟାସ ଯୋଗ

ଭଗବଦ୍‌ଗୀତାର ଏହି ଅନ୍ତିମ ଅଧ୍ୟାୟଟି ଅନ୍ୟ ସବୁ ଅଧ୍ୟାୟଠାରୁ ଦୀର୍ଘତମ ଅଟେ ଏବଂ ଏଥିରେ ଅନେକ ବିଷୟ ଅନ୍ତର୍ଭୁକ୍ତ କରାଯାଇଛି । ସଂସ୍କୃତ ଭାଷାରେ ବହୁ ପ୍ରଚଳିତ ଦୁଇଟି ଶବ୍ଦ ସନ୍ୟାସ (କର୍ମ ତ୍ୟାଗ)ଏବଂ ତ୍ୟାଗ (କାମନା ତ୍ୟାଗ)ସମ୍ବନ୍ଧରେ ପ୍ରଶ୍ନ କରି ଅର୍ଜୁନ ତ୍ୟାଗ ବିଷୟରେ ଆଲୋଚନା ପ୍ରାରମ୍ଭ କରିଛନ୍ତି । ଉଭୟ ଶବ୍ଦର ଉତ୍ପତ୍ତି ମୂଳ ଶବ୍ଦ “ପରିତ୍ୟାଗ”ରୁ ହୋଇଛି । ଜଣେ ସନ୍ୟାସୀ ଗୃହସ୍ଥ ଜୀବନ ଅତିବାହିତ ନ କରି ନିଜକୁ ସଂସାରଠାରୁ ଦୂରେଇ ନେଇ ସାଧନାରେ ଲିପ୍ତ ରୁହନ୍ତି । ଜଣେ ତ୍ୟାଗୀ କର୍ମ କରିଥାନ୍ତି, କିନ୍ତୁ ତାର ଫଳ ଭୋଗ କରିବାର ସ୍ୱାର୍ଥପର ମନୋଭାବ ତ୍ୟାଗ କରିଥାନ୍ତି । (ଏହା ଗୀତା ଅନୁଯାୟୀ ତ୍ୟାଗ ଶବ୍ଦର ଅର୍ଥ ଅଟେ) । ଶ୍ରୀକୃଷ୍ଣ ଏହି ଦ୍ୱିତୀୟ ପ୍ରକାରର ତ୍ୟାଗକୁ ଅନୁମୋଦନ କରିଛନ୍ତି । ସେ ଉପଦେଶ ଦେଇଛନ୍ତି ଯେ ଯଜ୍ଞ, ଦାନ, ତପ ଏବଂ ଅନ୍ୟ କର୍ତ୍ତବ୍ୟ କର୍ମକୁ ତ୍ୟାଗ କରିବା ଉଚିତ ନୁହେଁ, କାରଣ ଏହା ବିଜ୍ଞ ବ୍ୟକ୍ତିମାନଙ୍କୁ ମଧ୍ୟ ଶୁଦ୍ଧ କରିଥାଏ । ବରଂ କୌଣସି ପ୍ରତିଫଳର ଆଶା ନ ରଖି ସେହି ସବୁ କର୍ମ କର୍ତ୍ତବ୍ୟ ଦୃଷ୍ଟିରୁ ସମ୍ପାଦନ କରିବା ଉଚିତ କାରଣ ତାହା କରଣୀୟ ।

ତାପରେ ଶ୍ରୀକୃଷ୍ଣ କର୍ମକୁ ପ୍ରେରିତ କରୁଥିବା ତିନୋଟି ଉଦ୍ଦେଶ୍ୟ, କର୍ମର ତିନୋଟି ଉପାଦାନ ଏବଂ କର୍ମଫଳ ସୃଷ୍ଟି କରୁଥିବା ପାଞ୍ଚଟି ପ୍ରକ୍ରିୟାର   ବିସ୍ତୃତ ବିଶ୍ଳେଷଣ କରିଛନ୍ତି । ପ୍ରତ୍ୟେକର ବର୍ଣ୍ଣନା ସେ ତିନି ଗୁଣର ଅଧାରରେ କରିଛନ୍ତି । ସେ ପ୍ରତିପାଦିତ କରିଛନ୍ତି ଯେ ସ୍ୱଳ୍ପ ବୁଦ୍ଧି ସମ୍ପନ୍ନ ବ୍ୟକ୍ତି ନିଜକୁ ତାଙ୍କ କର୍ମର ଏକମାତ୍ର କାରଣ ମନେ କରିଥାନ୍ତି । କିନ୍ତୁ ଶୁଦ୍ଧ ବୁଦ୍ଧିଯୁକ୍ତ ଜ୍ଞାନୀମାନେ ନିଜକୁ ତାଙ୍କ କର୍ମର କର୍ତ୍ତା କିମ୍ବା ଭୋକ୍ତା ମନେ କରନ୍ତି ନାହିଁ । ଫଳାସକ୍ତି ରହିତ ହୋଇଥିବା କାରଣରୁ ସେମାନେ କର୍ମ ବନ୍ଧନରେ ଆବଦ୍ଧ ହୁଅନ୍ତି ନାହିଁ । ତାପରେ ଏହି ଅଧ୍ୟାୟରେ ଲୋକମାନଙ୍କର ପ୍ରବୃତ୍ତି ଏବଂ କର୍ମ କାହିଁକି ଭିନ୍ନ ଭିନ୍ନ ହୋଇଥାଏ, ତାହାର ବର୍ଣ୍ଣନା କରାଯାଇଛି । ମାୟାର ତିନି ଗୁଣ ଅନୁସାରେ ବିଭିନ୍ନ ପ୍ରକାରର ଜ୍ଞାନ, କର୍ମ ଏବଂ କର୍ତ୍ତାମାନଙ୍କର ଶ୍ରେଣୀବିଭାଗ ବର୍ଣ୍ଣନା କରାଯାଇଛି । ତାପରେ ବୁଦ୍ଧି, ସଂକଳ୍ପ ଏବଂ ସୁଖର ମଧ୍ୟ ଏତାଦୃଶ ବିଶ୍ଳେଷଣ କରାଯାଇଛି । ଏହି ଅଧ୍ୟାୟଟି ଆଧ୍ୟାତ୍ମିକ ଜୀବନରେ ସିଦ୍ଧିଲାଭ କରି ବ୍ରହ୍ମାନୁଭୂତିରେ ସ୍ଥିତ ମହାତ୍ମାମାନଙ୍କର ଏକ ପ୍ରତିଛବି ଅଙ୍କନ । ଏହା ପୁଣି କହିଛି ଯେ ସେହି ସିଦ୍ଧ ଯୋଗୀମାନେ ମଧ୍ୟ ତାଙ୍କ ଅନୁଭୂତିର ପୂର୍ଣ୍ଣତା ପାଇଁ ଭକ୍ତି ଆଚରଣ କରିଥାନ୍ତି । ସୁତରାଂ, କେବଳ ପ୍ରେମମୟୀ ଭକ୍ତି ଦ୍ୱାରା ର୍ହି ପରମ ପୁରୁଷ ଭଗବାନଙ୍କର ରହସ୍ୟ ଜାଣିହେବ ।

ତାପରେ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ମନେ ପକାଇ ଦେଉଛନ୍ତି ଯେ ସମସ୍ତ ପ୍ରାଣୀଙ୍କ ହୃଦୟରେ ଭଗବାନ ପରମାତ୍ମା ରୂପରେ ନିବାସ କରନ୍ତି ଏବଂ କର୍ମ ଅନୁସାରେ ସଂସାର ଚକ୍ରରେ ସେମାନଙ୍କର ଭ୍ରମଣକୁ ନିର୍ଦ୍ଦେଶିତ କରିଥାନ୍ତି । ତାଙ୍କର ସ୍ମରଣ କରି ଆମେ ଯଦି ନିଜର ସମସ୍ତ କର୍ମ ତାଙ୍କୁ ଅର୍ପଣ କରିବା, ତାଙ୍କର ଶରଣାଗତ ହେବା ଏବଂ ତାଙ୍କୁ ଆମର ଚରମ ଲକ୍ଷ୍ୟ ମନେ କରିବା, ତାହେଲେ ତାଙ୍କ କୃପାରୁ ଆମେ ସମସ୍ତ ବାଧାବିଘ୍ନ ଅତିକ୍ରମ କରିପାରିବା । କିନ୍ତୁ ଯଦି ଆମେ ଅହଂକାରଯୁକ୍ତ ହୋଇ ଆମ ମନ ମୁତାବକ କର୍ମ କରିବା, ତେବେ ଆମେ ସଫଳତା ପ୍ରାପ୍ତ କରିବା ନାହିଁ । ସର୍ବଶେଷରେ ଶ୍ରୀକୃଷ୍ଣ ପ୍ରକାଶ କରିଛନ୍ତି ଯେ ସମସ୍ତ ଧର୍ମ-କର୍ମ ତ୍ୟାଗ କରି କେବଳ ଭଗବାନଙ୍କର ଶରଣାଗତ ହେବା, ଜ୍ଞାନର ଗୁଢ଼ତମ ରହସ୍ୟ ଅଟେ । କିନ୍ତୁ ଯେଉଁମାନେ ସଂଯମୀ କିମ୍ବା ଭକ୍ତ ନୁହଁନ୍ତି, ସେମାନଙ୍କୁ ଏହି ଜ୍ଞାନ ପ୍ରଦାନ କରିବା ଉଚିତ ନୁହେଁ  କାରଣ ସେମାନେ ଏହାର ଭୁଲ ବ୍ୟାଖ୍ୟା କରିବେ ଏବଂ ଦାୟୀତ୍ୱହୀନ ଭାବରେ କର୍ମ ତ୍ୟାଗ କରି ଏହାର ଅପବ୍ୟବହାର କରିବେ । ଅଥଚ ଯଦି ଆମେ ଏହି ଗୁପ୍ତ ଜ୍ଞାନକୁ ଅଧିକାରୀ ଜୀବକୁ ପ୍ରଦାନ କରିବା, ତେବେ ତାହା ଭକ୍ତିର ସର୍ବଶ୍ରେଷ୍ଠ ନିଦର୍ଶନ ହେବ, ଯାହା ଭଗବାନଙ୍କର  ଅତି ପ୍ରିୟ ଅଟେ ।

ତାପରେ ଅର୍ଜୁନ ଶ୍ରୀକୃଷ୍ଣଙ୍କୁ ଜଣାଇଛନ୍ତି ଯେ ତାଙ୍କର ଭ୍ରମ ଦୂର ହୋଇଛି ଏବଂ ସେ ତାଙ୍କ ନିର୍ଦ୍ଦେଶ ଅନୁସାରେ କାର୍ଯ୍ୟ କରିବାକୁ ପ୍ରସ୍ତୁତ ଅଛନ୍ତି ।  ଶେଷରେ ସଞ୍ଜୟ, ଯିଏ ରାଜା ଧୃତରାଷ୍ଟ୍ରଙ୍କ ସମ୍ମୁଖରେ ଏହି ବାର୍ତ୍ତାଳାପର ବର୍ଣ୍ଣନା କରୁଥିଲେ, ମନ୍ତବ୍ୟ ଦେଇଛନ୍ତି ଯେ ଏହି ଦିବ୍ୟ ବାର୍ତ୍ତାଳାପ ଶୁଣି ସେ ଆଶ୍ଚର୍ଯ୍ୟଚକିତ ଏବଂ ସ୍ତମ୍ଭିଭୂତ ହୋଇଯାଇଛନ୍ତି । ସେହି ପବିତ୍ର କଥୋପକଥନ ଏବଂ ବିଶ୍ୱରୂପକୁ ମନେ ପକାଇ, ରୋମାଞ୍ଚରେ ତାଙ୍କ ଲୋମମୂଳ ଟାଙ୍କୁରି ଉଠୁଛି । ସେ ଦୃଢ଼ତାର ସହ ଘୋଷଣା କରିଛନ୍ତି ଯେ ଭଗବାନ ଏବଂ ତାଙ୍କ ଭକ୍ତଙ୍କର ସର୍ବଦା ଜୟ ହେବା ସହିତ ସତ୍ୟ, ମହନୀୟତା ଏବଂ ଐଶ୍ୱର୍ଯ୍ୟର ମଧ୍ୟ ଜୟ ହେବ କାରଣ ଶାଶ୍ୱତ ସତ୍ୟର ଆଲୋକ ଦ୍ୱାରା ଅସତ୍ୟର ଅନ୍ଧକାର ସର୍ବଦା ପରାଭୂତ ହୋଇଥାଏ ।

ଅର୍ଜୁନ କହିଲେ: ହେ ମହାବାହୁ ଶ୍ରୀକୃଷ୍ଣ ! ମୁଁ ସନ୍ୟାସ (କର୍ମ ତ୍ୟାଗ) ଏବଂ ତ୍ୟାଗର (କର୍ମଫଳ ପ୍ରତି କାମନା ତ୍ୟାଗ) ଗୁଣ ସମ୍ବନ୍ଧରେ ବୁଝିବାକୁ ଚାହୁଁଛି । ହେ ହୃଷୀକେଶ ! ହେ କେଶିନିଷୂଦନ ! ମୁଁ ଏହି ଦୁଇଟି ମଧ୍ୟରେ ପାର୍ଥକ୍ୟ ଜାଣିବାକୁ ଚାହୁଁଛି ।

ଶ୍ରୀଭଗବାନ କହିଲେ: କାମନା ଦ୍ୱାରା ପ୍ରେରିତ କର୍ମ ତ୍ୟାଗ କରିବାକୁ ବିଜ୍ଞ ପୁରୁଷମାନେ ସନ୍ୟାସ ଭାବରେ ବିବେଚନା କରନ୍ତି । ସମସ୍ତ କର୍ମର ଫଳକୁ ପରିତ୍ୟାଗ କରିବାକୁ ଜ୍ଞାନୀ ବ୍ୟକ୍ତିମାନେ ତ୍ୟାଗ ଭାବରେ ଅଭିହିତ କରନ୍ତି ।

ଅନେକ ଜ୍ଞାନୀ ବ୍ୟକ୍ତି ମତ ଦିଅନ୍ତି ଯେ ସମସ୍ତ କର୍ମକୁ ପାପ ମନେକରି ତ୍ୟାଗ କରିବା ଉଚିତ, କିନ୍ତୁ ଅନ୍ୟମାନେ ମତ ଦିଅନ୍ତି ଯେ ଯଜ୍ଞ, ଦାନ ଏବଂ ତପଶ୍ଚର୍ଯ୍ୟା ଆଦି କର୍ମ ତ୍ୟାଗ କରିବା ଉଚିତ ନୁହେଁ ।

ହେ ମନୁଷ୍ୟଙ୍କ ମଧ୍ୟରେ ବ୍ୟାଘ୍ର ! ଏବେ ତ୍ୟାଗ ସମ୍ବନ୍ଧରେ ମୋର ଅନ୍ତିମ ନିର୍ଣ୍ଣୟ ଶୁଣ, ଯାହା ତିନି ପ୍ରକାରର ଅଟେ ।

ଯଜ୍ଞ, ଦାନ ଏବଂ ତପଶ୍ଚର୍ଯ୍ୟା ଉପରେ ଆଧାରିତ କର୍ମ କଦାପି ତ୍ୟାଗ କରାଯିବା ଉଚିତ ନୁହେଁ, ସେଗୁଡ଼ିକୁ ନିଶ୍ଚିତ ଭାବେ ପାଳନ କରାଯିବା ଉଚିତ । ବାସ୍ତବରେ, ଯଜ୍ଞ, ଦାନ ଏବଂ ତପଶ୍ଚର୍ଯ୍ୟା ବିଜ୍ଞବ୍ୟକ୍ତି ମାନଙ୍କ ପାଇଁ ମଧ୍ୟ ଶୁଦ୍ଧକାରକ ଅଟେ ।

ଏହିସବୁ କର୍ମ ଆସକ୍ତିରହିତ ହୋଇ ଏବଂ ଫଳ ପ୍ରତି ଆଶା ନ ରଖି କରାଯିବା ଉଚିତ । ହେ ଅର୍ଜୁନ ! ଏହା ମୋର ସ୍ପଷ୍ଟ ଏବଂ ଚରମ ମତ ଅଟେ ।

ବିହିତ କର୍ମ କେବେହେଲେ ତ୍ୟାଗ କରାଯିବା ଉଚିତ ନୁହେଁ । ଏହିପରି ଭ୍ରମାତ୍ମକ ତ୍ୟାଗକୁ ତମୋଗୁଣଯୁକ୍ତ କୁହାଯାଏ ।

ଅସୁବିଧାଜନକ କିମ୍ବା ଶାରୀରିକ ଦୃଷ୍ଟିରୁ କଷ୍ଟଦାୟକ ହୋଇଥିବା ଯୋଗୁଁ ବିହିତ କର୍ମକୁ ତ୍ୟାଗ କରିବା, ରାଜସିକ ତ୍ୟାଗ ଅଟେ । ଏହିପରି ତ୍ୟାଗ ଲାଭଦାୟକ ହୋଇ ନ ଥାଏ କିମ୍ବା ବ୍ୟକ୍ତିକୁ ଉଚ୍ଚସ୍ତରକୁ ନେଇ ନ ଥାଏ ।

ହେ ଅର୍ଜୁନ ! ଯେତେବେଳେ କର୍ତ୍ତବ୍ୟର ଆହ୍ୱାନରେ କର୍ମ କରାଯାଇଥାଏ ଏବଂ କର୍ମଫଳ କାମନା ତ୍ୟାଗ କରାଯାଇଥାଏ, ତାହାକୁ ସତ୍ତ୍ୱଗୁଣ ବିଶିଷ୍ଟ ତ୍ୟାଗ କୁହାଯାଏ ।

ଯେଉଁମାନେ ଅପ୍ରୀତିକର କାର୍ଯ୍ୟ ତ୍ୟାଗ କରନ୍ତି ନାହିଁ କିମ୍ବା ସୁଖକର ହୋଇଥିବା ଯୋଗୁଁ ତା ପ୍ରତି ଆଗ୍ରହ ପ୍ରକାଶ କରନ୍ତି ନାହିଁ, ସେମାନେ ପ୍ରକୃତ ତ୍ୟାଗୀ ଅଟନ୍ତି । ସେମାନେ ସତ୍ତ୍ୱ ଗୁଣ ସମ୍ପନ୍ନ, ବୁଦ୍ଧିମାନ ଏବଂ ତାଙ୍କର ସଂଶୟହୀନ ହୋଇଥାଆନ୍ତି ।

ଶରୀରଧାରୀ କୌଣସି ମନୁଷ୍ୟ ସମ୍ପୂର୍ଣ୍ଣରୂପେ କର୍ମତ୍ୟାଗ କରିବା ଅସମ୍ଭବ ଅଟେ । କିନ୍ତୁ ଯେଉଁମାନେ କର୍ମଫଳ ତ୍ୟାଗ କରନ୍ତି, ସେମାନେ ହିଁ ପ୍ରକୃତ ତ୍ୟାଗୀ ଅଟନ୍ତି ।

ଫଳ ପ୍ରତି ଆସକ୍ତ ବ୍ୟକ୍ତିମାନଙ୍କୁ ମୃତ୍ୟୁ ପରେ ମଧ୍ୟ କର୍ମର ତିନିପ୍ରକାର ଫଳ -ସୁଖକର, ଦୁଃଖଦାୟକ ଏବଂ ମିଶ୍ରିତ- ପ୍ରାପ୍ତ ହୋଇଥାଏ । କିନ୍ତୁ ଯେଉଁମାନେ ତାଙ୍କର କର୍ମଫଳ ତ୍ୟାଗ କରିଥାଆନ୍ତି, ତାଙ୍କୁ ଏ ଜନ୍ମରେ କିମ୍ବା ପର ଜନ୍ମରେ ସେପରି ଫଳ ମିଳି ନ ଥାଏ ।

ହେ ଅର୍ଜୁନ ! କର୍ମରେ ସିଦ୍ଧି ଲାଭ ପାଇଁ ସାଂଖ୍ୟ ଦର୍ଶନ ଦ୍ୱାରା ପ୍ରଦତ୍ତ ପାଞ୍ଚଗୋଟି କାରଣ ସମ୍ବନ୍ଧରେ, ମୋ ଠାରୁ ଶୁଣ, ଯାହା କର୍ମଫଳ ସମାପ୍ତ କରିବାର ଉପାୟ ବର୍ଣ୍ଣନା କରିଥାଏ ।

ଶରୀର, ଆତ୍ମା, ବିଭିନ୍ନ ଇନ୍ଦ୍ରିୟ, ବିବିଧ ପ୍ରକାର ଉଦ୍ୟମ ଏବଂ ବିଧିର ବିଧାନ - ଏହି ପାଞ୍ଚଗୋଟି କର୍ମର ଉପାଦାନ ଅଟନ୍ତି ।

ଶରୀର, ବାଣୀ ଓ ମନଦ୍ୱାରା ସମ୍ପାଦିତ ହେଉଥିବା, ସତ୍‌-କର୍ମ ଅଥବା ଅସତ୍‌କର୍ମ, ଯେକୌଣସି କାର୍ଯ୍ୟ ପାଇଁ ଏହି ପାଞ୍ଚଗୋଟି ଉପାଦାନର ଯୋଗଦାନ ରହିଅଛି । ଏହି ତଥ୍ୟକୁ ବୁଝିନଥିବା ବ୍ୟକ୍ତିମାନେ, କେବଳ ଆତ୍ମାକୁ ହିଁ କର୍ତ୍ତା ମନେ କରିଥାନ୍ତି । ସେମାନଙ୍କର ଅଶୁଦ୍ଧ ବୁଦ୍ଧିରେ ସେମାନେ ବାସ୍ତବିକତା ଯେପରି ତାହାକୁ ସେପରି ଭାବରେ ଦେଖିପାରନ୍ତି ନାହିଁ ।

ଯେଉଁମାନେ ଆସକ୍ତି ରହିତ, ସେମାନେ ପ୍ରାଣୀଙ୍କୁ ହତ୍ୟା କଲେ ମଧ୍ୟ ହତ୍ୟା କରନ୍ତି ନାହିଁ କିମ୍ବା କର୍ମଦ୍ୱାରା ବାନ୍ଧି ହୁଅନ୍ତି ନାହିଁ ।

ଜ୍ଞାନ, ଜେ୍ଞୟ ଏବଂ ଜ୍ଞାତା- ଏହି ତିନୋଟି କାରକ କର୍ମକୁ ପ୍ରେରିତ କରନ୍ତି । କର୍ମର ସାଧନ, ସ୍ୱୟଂ କର୍ମ ଏବଂ କର୍ତ୍ତା- ଏହି ତିନୋଟି କର୍ମର ଉପାଦାନ ଅଟେ ।

ସାଂଖ୍ୟ ଦର୍ଶନରେ, ଭୌତିକ ପ୍ରକୃତିର ତିନିଗୁଣ ଅନୁଯାୟୀ: ଜ୍ଞାନ, କର୍ମ ଏବଂ କର୍ତ୍ତାକୁ ତିନି ପ୍ରକାରର କୁହାଯାଇଛି । ମୁଁ ସେଗୁଡ଼ିକର ପାର୍ଥକ୍ୟ ବର୍ଣ୍ଣନା କରିବାକୁ ଯାଉଛି, ତାହା ତୁମେ ଶ୍ରବଣ କର ।

ଏହା ଜାଣ ଯେ ସେହି ଜ୍ଞାନ ସାତ୍ତ୍ୱିକ ଗୁଣଯୁକ୍ତ ଅଟେ, ଯାହାଦ୍ୱାରା ଜଣେ ବ୍ୟକ୍ତି ଏକ, ଅଭିନ୍ନ, ଅବିନଶ୍ୱର ସତ୍ୟକୁ ବିବିଧ ପ୍ରକାରରେ ସମସ୍ତ ଜୀବଙ୍କ ଠାରେ ଦେଖିପାରେ ।

ଯେଉଁ ଜ୍ଞାନ ଦ୍ୱାରା ବ୍ୟକ୍ତି ପୃଥକ୍ ପୃଥକ୍ ଶରୀରରେ ଭିନ୍ନ ଭିନ୍ନ ଜୀବଙ୍କୁ ଦେଖିଥାଏ ଏବଂ ସେମାନଙ୍କୁ ପରସ୍ପର ଠାରୁ ପୃଥକ୍ ମନେ କରିଥାଏ, ସେହି ଜ୍ଞାନ ରାଜସିକ ଗୁଣ ଭାବରେ ପରିଗଣିତ ହୁଏ ।

ଯେଉଁ ଜ୍ଞାନଦ୍ୱାରା ବ୍ୟକ୍ତି ଏକ ଆଂଶିକ ପ୍ରତ୍ୟୟକୁ ପୂର୍ଣ୍ଣ ଧାରଣା ମନେ କରି ତଲ୍ଲୀନ ରହିଥାଏ ଏବଂ ଯାହା ତର୍କ ବା ସତ୍ୟ ଉପରେ ପ୍ରତିଷ୍ଠିତ ନୁହେଁ, ତାହାକୁ ତାମସିକ ଜ୍ଞାନ ବିବେଚିତ କରାଯାଏ ।

ଶାସ୍ତ୍ର ଅନୁମୋଦିତ କର୍ମ, ଯାହା ରାଗ-ଦ୍ୱେଷ ରହିତ ତଥା ଫଳ କାମନା ରହିତ ହୋଇ କରାଯାଇଥାଏ, ତାହା ସତ୍ତ୍ୱଗୁଣଯୁକ୍ତ ଅଟେ ।

ଯେଉଁ କର୍ମ ସ୍ୱାର୍ଥଯୁକ୍ତ କାମନା ଦ୍ୱାରା ପ୍ରେରିତ, ଅହଂକାରଯୁକ୍ତ ହୋଇ କରାଯାଏ ଏବଂ ମାନସିକ ଚାପ ପୂର୍ଣ୍ଣ ହୋଇଥାଏ, ତାହା ରାଜସିକ ଗୁଣଯୁକ୍ତ କର୍ମ ଅଟେ ।

ଯେଉଁ କର୍ମ ଭ୍ରମରୁ ଜାତ ହୁଏ ତଥା ନିଜ ସାମର୍ଥ୍ୟର ବିଚାର ନ କରି, ପରିଣାମ, ହାନି ଏବଂ ଅନ୍ୟମାନଙ୍କର କ୍ଷତିକୁ ଉପେକ୍ଷା କରି କରାଯାଇଥାଏ, ତାହା ତମୋଗୁଣୀ କର୍ମ ଅଟେ ।

ଯେତେବେଳେ କର୍ତ୍ତା ଅହଂକାର ଏବଂ ଆସକ୍ତି ରହିତ ତଥା ଉତ୍ସାହ ଓ ଦୃଢ଼ସଂକଳ୍ପଯୁକ୍ତ ହୋଇଥାନ୍ତି, ସେତେବେଳେ ତାଙ୍କୁ ସତ୍ତ୍ୱଗୁଣ ସ୍ୱଭାବଯୁକ୍ତ କୁହାଯାଏ ।

ଯେତେବେଳେ କର୍ତ୍ତା, କର୍ମଫଳ ପ୍ରତି ଲାଳାୟୀତ ହୋଇ, ଈର୍ଷା ପରାୟଣ, ହିଂସ୍ର ସ୍ୱଭାବଯୁକ୍ତ, ଅଶୁଦ୍ଧ ଏବଂ ହର୍ଷ-ବିଷାଦରେ ମୋହିତ ହୋଇଥାନ୍ତି, ସେ ରାଜସିକ ଗୁଣଯୁକ୍ତ ବିବେଚିତ ହୁଅନ୍ତି ।

ସେହି କର୍ତ୍ତାଙ୍କୁ ତାମସିକ ଗୁଣଯୁକ୍ତ କୁହାଯାଏ ଯିଏ ଉଚ୍ଛୃଙ୍ଖଳ, ଅଭଦ୍ର, ଜିଦ୍‌ଖୋର, କପଟି, ଆଳସ୍ୟପୂର୍ଣ୍ଣ, ବିଷାଦଗ୍ରସ୍ତ ଏବଂ ଉଦ୍ୟମରେ ଅବହେଳାଯୁକ୍ତ ହୋଇଥାନ୍ତି ।

ହେ ଅର୍ଜୁନ ! ତିନୋଟି ଭୌତିକ ଗୁଣ ଅନୁସାରେ, ବୁଦ୍ଧି ଏବଂ ସଂକଳ୍ପର ପ୍ରଭେଦକୁ ମୁଁ ବିସ୍ତୃତ ଭାବରେ ବର୍ଣ୍ଣନା କରୁଛି, ତାହା ତୁମେ ଶ୍ରବଣ କର ।

ହେ ପାର୍ଥ ! କର୍ମ ବିଷୟରେ ଉଚିତ୍‌-ଅନୁଚିତ୍‌, କର୍ତ୍ତବ୍ୟ-ଅକର୍ତ୍ତବ୍ୟ, କାହାକୁ ଭୟ କରିବା ଉଚିତ୍ ଏବଂ କାହାକୁ ଭୟ କରିବା ଉଚିତ ନୁହେଁ, କିଏ ବନ୍ଧନ କାରକ ଏବଂ ମୁକ୍ତି ଦାୟିନୀ - ଏସବୁର ବିଚାର ଯେଉଁ ବୁଦ୍ଧି କରିପାରେ, ତାହା ସତ୍ତ୍ୱଗୁଣୀ ବୁଦ୍ଧି ଅଟେ ।

ଯେତେବେଳେ ବୁଦ୍ଧି ଧର୍ମ ଓ ଅଧର୍ମକୁ ନେଇ ବିଭ୍ରାନ୍ତ ହୋଇଯାଏ ଏବଂ ଠିକ୍ ଓ ଭୁଲ ଆଚରଣ ମଧ୍ୟରେ ନିର୍ଣ୍ଣୟ କରିପାରେ ନାହିଁ, ସେତେବେଳେ ଏହା ରାଜସିକ ଗୁଣଯୁକ୍ତ ବିବେଚିତ ହୁଏ ।

ଯେଉଁ ବୁଦ୍ଧି ଅନ୍ଧକାରାଚ୍ଛନ୍ନ ହୋଇ ଅଧର୍ମକୁ ଧର୍ମ ବୋଲି ବିଶ୍ୱାସ କରେ, ଅସତ୍ୟକୁ ସତ୍ୟ ଭାବରେ ଗ୍ରହଣ କରେ, ତାହା ତାମସିକ ଗୁଣଯୁକ୍ତ ଅଟେ ।

ଯୋଗ ଦ୍ୱାରା ବିକସିତ ଦୃଢ଼ ସଂକଳ୍ପ ଯାହା ମନ, ପ୍ରାଣ ଓ ଇନ୍ଦ୍ରିୟର କ୍ରିୟାକୁ ପୁଷ୍ଟ କରିଥାଏ, ତାହା ସତ୍ତ୍ୱଗୁଣଯୁକ୍ତ ସଂକଳ୍ପ ଅଟେ ।

ଆସକ୍ତିବଶତଃ ଫଳପ୍ରାପ୍ତି ଉଦ୍ଦେଶ୍ୟରେ କର୍ତ୍ତବ୍ୟ, ସୁଖ ଏବଂ ସମ୍ପଦ ପ୍ରତି ଯେଉଁ ଦୃଢ଼ ଇଚ୍ଛାଶକ୍ତି ଧାରଣ କରାଯାଏ, ତାହା ରାଜସିକ ସଂକଳ୍ପ ଅଟେ ।

ଯେଉଁ ବୁଦ୍ଧିହୀନ ସଂକଳ୍ପ ଦ୍ୱାରା ବ୍ୟକ୍ତି ଅବାସ୍ତବ କଳ୍ପନା କରିବା, ଭୟଭୀତ ହେବା, ଶୋକାକୁଳ ହେବା, ଅଶାନ୍ତ ରହିବା, ବିଷାଦ ଏବଂ କପଟକୁ ତ୍ୟାଗ କରି ପାରେ ନାହିଁ , ତାହାକୁ ତାମସିକ ସଂକଳ୍ପ କୁହାଯାଏ ।

ହେ ଅର୍ଜୁନ ! ଶରୀରଧାରୀ ଆତ୍ମା ଉପଭୋଗ କରୁଥିବା ତିନି ପ୍ରକାରର ସୁଖ, ଯାହା ସକଳ ଦୁଃଖର ଅନ୍ତ ମଧ୍ୟ କରିଥାଏ, ସେହି ବିଷୟରେ ଏବେ ମୋ’ଠାରୁ ଶୁଣ ।

ପ୍ରାରମ୍ଭରେ ଯାହା ବିଷତୁଲ୍ୟ ପ୍ରତୀତ ହୋଇଥାଏ, କିନ୍ତୁ ଶେଷରେ ଏହାର ସ୍ୱାଦ ଅମୃତ ତୁଲ୍ୟ ହୋଇଥାଏ, ସେହି ଆନନ୍ଦକୁ ସାତ୍ତ୍ୱିକ ଗୁଣଯୁକ୍ତ କୁହାଯାଇଥାଏ । ଏହା ଆତ୍ମଜ୍ଞାନରେ ସ୍ଥିତ ବିଶୁଦ୍ଧ ବୁଦ୍ଧି ଦ୍ୱାରା ଉତ୍ପନ୍ନ ହୋଇଥାଏ ।

ଇନ୍ଦ୍ରିୟଭୋଗ୍ୟ ବସ୍ତୁଗୁଡ଼ିକରୁ ଉପଲବ୍ଧ ହେଉଥିବା ସୁଖକୁ ରାଜସିକ ଗୁଣଯୁକ୍ତ କୁହାଯାଏ । ଏହିପରି ସୁଖ ପ୍ରାରମ୍ଭରେ ଅମୃତମୟ ମନେ ହେଉଥିଲେ ସୁଦ୍ଧା ପରିଣାମ ବିଷମୟ ହୋଇଥାଏ ।

ଯେଉଁ ସୁଖ ଆତ୍ମାର ସ୍ୱରୂପକୁ ଆଦିରୁ ଅନ୍ତ ଯାଏଁ ଆବୃତ କରି ରଖିଥାଏ ଏବଂ ଯାହା ନିଦ୍ରା, ଆଳସ୍ୟ ଓ ଅବହେଳାରୁ ଜାତ ହୋଇଥାଏ, ତାହାକୁ ତାମସିକ ସୁଖ କୁହାଯାଏ ।

ମାୟିକ ଜଗତ ଅନ୍ତର୍ଗତ, ଧରାପୃଷ୍ଠର କିମ୍ବା ଉଚ୍ଚତର ସ୍ୱର୍ଗଲୋକର କୌଣସି ଜୀବ, ପ୍ରକୃତିର ଏହି ତିନିଗୁଣର ପ୍ରଭାବରୁ ମୁକ୍ତ ନୁହଁନ୍ତି ।

ବ୍ରାହ୍ମଣ, କ୍ଷତ୍ରୀୟ, ବୈଶ୍ୟ ଏବଂ ଶୁଦ୍ରମାନଙ୍କର କର୍ମର ବିଭାଜନ ସେମାନଙ୍କର ସ୍ୱଭାବ ଜାତ ଗୁଣର ଅନୁସାରେ ହୋଇଥାଏ (ଜନ୍ମ ଅନୁସାରେ ନୁହେଁ) ।

ଶାନ୍ତ, ସଂଯମ, ତପସ୍ୟା, ପବିତ୍ରତା, ଧୈର୍ଯ୍ୟ, ସାଧୁତା, ଜ୍ଞାନ, ପ୍ରଜ୍ଞା ଏବଂ ପରଜନ୍ମରେ ବିଶ୍ୱାସ- ଏହିସବୁ ବ୍ରାହ୍ମଣମାନଙ୍କ କର୍ମର ଅନ୍ତର୍ନିହିତ ଗୁଣ ଅଟେ ।

ବୀରତ୍ୱ, ବଳବାନ, ଦୃଢ଼ମନା, ଅସ୍ତ୍ରବିଦ୍ୟାରେ ନିପୁଣ, ଯୁଦ୍ଧକ୍ଷେତ୍ରରୁ ପଳାୟନ ନ କରିବାକୁ ସଂକଳ୍ପବଦ୍ଧ; ଦାନ ପାଇଁ ଉଦାର ହୃଦୟ, ନେତୃତ୍ୱର କ୍ଷମତା, ଏହି ସବୁ କ୍ଷତ୍ରିୟମାନଙ୍କର ସ୍ୱାଭାବିକ ଗୁଣ ଅଟେ ।

କୃଷିକାର୍ଯ୍ୟ, ଗୋପାଳନ ଏବଂ ବାଣିଜ୍ୟ ବୈଶ୍ୟମାନଙ୍କର ସ୍ୱାଭାବିକ କାର୍ଯ୍ୟ ଥିଲା । ଶୁଦ୍ରମାନଙ୍କର ଶ୍ରମଦ୍ୱାରା ସେବା କରିବା ସ୍ୱାଭାବିକ କର୍ତ୍ତବ୍ୟ ଥିଲା ।

ନିଜ ସହଜାତ ଗୁଣରୁ ଉତ୍ପନ୍ନ କର୍ତ୍ତବ୍ୟ ପାଳନ କରି ମନୁଷ୍ୟ ସିଦ୍ଧି ଲାଭ କରିଥାଏ । ନିଜ ନିଜର ବିହିତ କର୍ମ କରି ଜଣେ କିପରି ସିଦ୍ଧି ଲାଭ କରିଥାଏ, ଏବେ ତାହା ମୋ ଠାରୁ ଶୁଣ ।

ନିଜର ସ୍ୱାଭାବିକ ବୃତ୍ତି ମାଧ୍ୟମରେ ଯିଏ ସମସ୍ତ ପ୍ରାଣୀଙ୍କର ଉଦ୍ଭବ ସ୍ଥଳ ଏବଂ ବିଶ୍ୱରେ ସର୍ବତ୍ର ବ୍ୟାପ୍ତ ସୃଷ୍ଟିକର୍ତ୍ତାଙ୍କର ଉପାସନା କରିଥାଏ, ସେହି କର୍ମ ସମ୍ପାଦନ କରି ସେ ସହଜରେ ସିଦ୍ଧି ଲାଭ କରିଥାଏ ।

ଅନ୍ୟର କର୍ମକୁ ସଠିକ ରୂପରେ କରିବା ଅପେକ୍ଷା ତୃଟିପୂର୍ଣ୍ଣ ଭାବରେ ହେଲେ ମଧ୍ୟ ନିଜ ପାଇଁ ଉଦ୍ଦିଷ୍ଟ କର୍ମ କରିବା ଉତ୍ତମ ଅଟେ । ନିଜର ସହଜାତ କର୍ମ କରିବା ଦ୍ୱାରା ଜଣେ ପାପ ଅର୍ଜନ କରେନାହିଁ ।

ହେ କୁନ୍ତୀ ପୁତ୍ର ! ନିଜ ସ୍ୱଭାବଜାତ କର୍ମ, ଦୋଷାବହ ପ୍ରତୀତ ହେଲେ ମଧ୍ୟ, ତ୍ୟାଗ କରିବା ଉଚିତ ନୁହେଁ । ବାସ୍ତବରେ, ଅଗ୍ନି ଧୂଆଁ ଦ୍ୱାରା ଆଚ୍ଛାଦିତ ହେବା ପରି ପ୍ରତ୍ୟେକ କର୍ମରେ କିଛି ନା କିଛି ଦୋଷ ରହିଥାଏ ।

ଯେଉଁମାନଙ୍କର ବୁଦ୍ଧି ପୂର୍ଣ୍ଣତଃ ନିର୍ଲିପ୍ତ, ଯେଉଁମାନେ ମନକୁ ବଶ କରିଥାନ୍ତି ଏବଂ ବୈରାଗ୍ୟର ଅଭ୍ୟାସ ଦ୍ୱାରା କାମନାମୁକ୍ତ ହୋଇଥାନ୍ତି ସେମାନେ କର୍ମରୁ ମୁକ୍ତ ହୋଇ ସର୍ବୋଚ୍ଚ ସିଦ୍ଧି ପ୍ରାପ୍ତ କରନ୍ତି ।

ହେ ଅର୍ଜୁନ ! ମୁଁ ଏବେ ସଂକ୍ଷେପରେ ବର୍ଣ୍ଣନା କରିବାକୁ ଯାଉଛି କିପରି ଜଣେ ସିଦ୍ଧି ପ୍ରାପ୍ତ (କର୍ମରୁ ବିରତି) କରିଥିବା ବ୍ୟକ୍ତି, ତାଙ୍କର ଅଲୌକିକ ଜ୍ଞାନରେ ଦୃଢ଼ ନିଶ୍ଚୟ ରହି ବ୍ରହ୍ମଙ୍କୁ ପ୍ରାପ୍ତ କରିପାରନ୍ତି, ତାହା ତୁମେ ଶ୍ରବଣ କର ।

ବ୍ରହ୍ମ ପ୍ରାପ୍ତି କରିବା ପାଇଁ ଜଣେ ବ୍ୟକ୍ତି ସେତେବେଳେ ଯୋଗ୍ୟ ହୁଅନ୍ତି, ଯେତେବେଳେ ସେ ବିଶୁଦ୍ଧ ବୁଦ୍ଧିଯୁକ୍ତ ହୋଇ, ଶବ୍ଦ ଓ ଅନ୍ୟାନ୍ୟ ଇନ୍ଦ୍ରିୟ ଭୋଗ ବସ୍ତୁଗୁଡ଼ିକର ଦୂରରେ ରହନ୍ତି ତଥା ଆସକ୍ତି ଓ ବିରକ୍ତି ପରିତ୍ୟାଗ କରିଥାନ୍ତି । ଏପରି ବ୍ୟକ୍ତି ଏକାନ୍ତ ପସନ୍ଦ କରନ୍ତି, ସ୍ୱଳ୍ପାହାରୀ ହୋଇ, ଶରୀର, ମନ ଓ ବାଣୀକୁ ସଂଯମ କରି ସର୍ବଦା ଧ୍ୟାନସ୍ଥ ରହନ୍ତି ତଥା ବୈରାଗ୍ୟ ଭାବର ଅଭ୍ୟାସ କରନ୍ତି । ଅହଂକାର, ହିଂସା, ଦର୍ପ, କାମନା, ସମ୍ପତ୍ତି ସଂଗ୍ରହ ଏବଂ ସ୍ୱାର୍ଥପରତାରୁ ମୁକ୍ତ ହୋଇଥିବା ବ୍ୟକ୍ତି ପ୍ରଶାନ୍ତ ଚିତ୍ତରେ ବ୍ରହ୍ମଙ୍କ ସହିତ ମିଳିତ ହେବାପାଇଁ (ଅର୍ଥାତ୍ ପରମ ସତ୍ୟକୁ ବ୍ରହ୍ମ ଭାବରେ ଅନୁଭବ କରିବା) ଯୋଗ୍ୟ ହୋଇଥାନ୍ତି ।

ଦିବ୍ୟ ବ୍ରହ୍ମାନୁଭୂତିରେ ସ୍ଥିତ ପ୍ରଶାନ୍ତମନା ସେହି ବ୍ୟକ୍ତି ଶୋକ କରନ୍ତି ନାହିଁ ବା କାମନାଯୁକ୍ତ ହୁଅନ୍ତି ନାହିଁ । ସମସ୍ତ ପ୍ରାଣୀଙ୍କ ପ୍ରତି ସମଭାବାପନ୍ନ ସେହି ଯୋଗୀ ମୋର ସର୍ବୋଚ୍ଚ ଭକ୍ତି ପ୍ରାପ୍ତ କରନ୍ତି ।

ମନୁଷ୍ୟ କେବଳ ପ୍ରେମଯୁକ୍ତ ଭକ୍ତି ଦ୍ୱାରା ହିଁ ମୋତେ ଯଥାର୍ଥ ଭାବରେ ଜାଣିପାରିବ । ମୋତେ ଜାଣିବା ପରେ, ମୋର ଭକ୍ତ ପୂର୍ଣ୍ଣତଃ ଭଗବତ୍ ଚେତନାଯୁକ୍ତ ହୋଇଯିବ ।

ମୋର ଭକ୍ତମାନେ, ସମସ୍ତ ପ୍ରକାର କର୍ମ କରୁଥିଲେ ମଧ୍ୟ, ମୋର ପୂର୍ଣ୍ଣ ଶରଣାଗତ ହୋଇଥାନ୍ତି । ମୋର କୃପା ଦ୍ୱାରା ସେମାନେ ଶାଶ୍ୱତ ଏବଂ ଅବିନଶ୍ୱର ଲୋକ ପ୍ରାପ୍ତ କରନ୍ତି ।

ମୋତେ ତୁମର ଚରମ ଲକ୍ଷ୍ୟ ଭାବରେ ଗ୍ରହଣ କରି ସମସ୍ତ କର୍ମକୁ ମୋ ପ୍ରତି ଉତ୍ସର୍ଗ କର । ବୁଦ୍ଧିଯୋଗର ଆଶ୍ରୟ ନେଇ, ସର୍ବଦା ତୁମର ଚେତନାକୁ ମୋ ଠାରେ ନିମଗ୍ନ୍ କର ।

ତୁମେ ଯଦି ସର୍ବଦା ମୋର ସ୍ମରଣ କରିବ, ମୋ କୃପାରୁ ତୁମେ ସମସ୍ତ ବାଧାବିଘ୍ନ ଅତିକ୍ରମ କରିପାରିବ । କିନ୍ତୁ ଯଦି ଅହଂକାର ବଶତଃ ତୁମେ ମୋର ଉପଦେଶ ଗ୍ରହଣ କରିବ ନାହିଁ, ତୁମର ସର୍ବନାଶ ହେବ ।

ଅହଂକାର ଦ୍ୱାରା ପ୍ରେରିତ ହୋଇ ତୁମେ ଯଦି ଚିନ୍ତା କରିବ, “ମୁଁ ଯୁଦ୍ଧ କରିବି ନାହିଁ”, ତୁମର ନିର୍ଣ୍ଣୟ ବୃଥା ହେବ । ତୁମର ଭୌତିକ (କ୍ଷତ୍ରିୟ) ସ୍ୱଭାବ ତୁମକୁ ଯୁଦ୍ଧ କରିବା ପାଇଁ ବାଧ୍ୟ କରିବ ।

ହେ ଅର୍ଜୁନ ! ଭ୍ରମବଶତଃ ତୁମେ ଯେଉଁ କର୍ମ କରିବାକୁ ଇଚ୍ଛା କରୁନାହଁ, ଭୌତିକ ଗୁଣରୁ ଜାତ ତୁମର ନିଜସ୍ୱ ପ୍ରବୃତ୍ତି ତାହା କରିବା ପାଇଁ ତୁମକୁ ପ୍ରେରିତ କରିବ ।

ହେ ଅର୍ଜୁନ ! ପରମାତ୍ମା ସମସ୍ତଙ୍କ ହୃଦୟରେ ନିବାସ କରନ୍ତି । ଜୀବର କର୍ମ ଅନୁସାରେ, ମାୟାଶକ୍ତି ଦ୍ୱାରା ନିର୍ମିତ ଏକ ଯନ୍ତ୍ରରେ ବସାଇ, ସେ ତା’ର ଇତସ୍ତତଃ ଭ୍ରମଣକୁ ନିର୍ଦ୍ଦେଶିତ କରିଥାଆନ୍ତି ।

ହେ ଭାରତ ! ସର୍ବତୋ ଭାବରେ ତାଙ୍କର ଅନନ୍ୟ ଶରଣାଗତ ହୁଅ । ତାଙ୍କ କୃପାରୁ ତୁମେ ପରମ ଶାନ୍ତି ଏବଂ ନିତ୍ୟ ଧାମ ପ୍ରାପ୍ତ କରିବ ।

ଏହିପରି ଭାବରେ, ମୁଁ ଗୁପ୍ତ ଠାରୁ ମଧ୍ୟ ଅଧିକ ଗୁପ୍ତ ଜ୍ଞାନ ତୁମ ନିକଟରେ ପ୍ରକାଶ କଲି । ଏହି ବିଷୟକୁ ଗଭୀର ଭାବେ ଅନୁଧ୍ୟାନ କର ଏବଂ ତା’ପରେ ନିଜ ଇଚ୍ଛା ଅନୁସାରେ କାର୍ଯ୍ୟ କର ।

ସର୍ବାଧିକ ଗୁପ୍ତଜ୍ଞାନ ଭାବରେ ଶ୍ରେଷ୍ଠ ଉପଦେଶ ପୁନର୍ବାର ମୋ ଠାରୁ ଶୁଣ । ତୁମର ମଙ୍ଗଳ ପାଇଁ ମୁଁ ଏହାର ଉନ୍ମୋଚନ ତୁମ ସମ୍ମୁଖରେ କରୁଛି, କାରଣ ତୁମେ ମୋର ଅତ୍ୟନ୍ତ ପ୍ରିୟ ଅଟ ।

ସର୍ବଦା ମୋର ସ୍ମରଣ କର, ମୋର ଭକ୍ତି କର, ମୋର ଉପାସନା କର ଏବଂ ମୋତେ ପ୍ରଣାମ କର । ଏହିପରି କରିବା ଦ୍ୱାରା ତୁମେ ନିଶ୍ଚିତ ଭାବରେ ମୋ ପାଖକୁ ଆସିବ । ଏହା ମୋର ପ୍ରତିଜ୍ଞା ଅଟେ, କାରଣ ତୁମେ ମୋର ଅତି ପ୍ରିୟ ଅଟ ।

ସମସ୍ତ ପ୍ରକାର ଧର୍ମ ପରିତ୍ୟାଗ କରି, କେବଳ ମୋର ଶରଣାଗତ ହୁଅ । ମୁଁ ତୁମକୁ ସମସ୍ତ ପାପରୁ ମୁକ୍ତ କରିଦେବି, ଭୟ କରନାହିଁ ।

ଏହିସବୁ ନିର୍ଦ୍ଦେଶ ଯିଏ ତପସ୍ୱୀ ନୁହଁନ୍ତି ଏବଂ ଯିଏ ଭକ୍ତ ନୁହଁନ୍ତି, ସେମାନଙ୍କୁ ଦେବା ଉଚିତ୍ ନୁହେଁ । ଯେଉଁମାନେ ଶୁଣିବାକୁ (ଆଧ୍ୟାତ୍ମିକ ବିଷୟ) ଅନିଚ୍ଛୁକ, ସେପରି ବ୍ୟକ୍ତିଙ୍କୁ ମଧ୍ୟ ଏହା କହିବା ଉଚିତ ନୁହେଁ, ବିଶେଷ କରି ଯେଉଁମାନେ ମୋତେ ଈର୍ଷା କରନ୍ତି ।

ଯେଉଁମାନେ ଏହି ଗୁଢ଼ତମ ଜ୍ଞାନ ମୋର ଭକ୍ତମାନଙ୍କୁ ପ୍ରଦାନ କରିଥାନ୍ତି, ସେମାନେ ମୋର ସର୍ବୋଚ୍ଚ ଭକ୍ତି କରନ୍ତି । ନିଃସନ୍ଦେହ ଭାବରେ ସେମାନେ ମୋ ପାଖକୁ ଆସିବେ ।

ମୋର ପ୍ରେମଯୁକ୍ତ ସେବା ସେମାନଙ୍କ ଠାରୁ ଅଧିକ ଅନ୍ୟ କୌଣସି ମନୁଷ୍ୟ କରନ୍ତି ନାହିଁ; କିମ୍ବା ପୃଥିବୀରେ ସେମାନଙ୍କ ଠାରୁ ଅଧିକ ପ୍ରିୟ ମୋର କେହି ବି ହେବେ ନାହିଁ ।

ମୁଁ ଘୋଷଣା କରୁଛି ଯେ ଯେଉଁମାନେ ଆମ ଦୁଇ ଜଣଙ୍କର ଏହି ପବିତ୍ର ବାର୍ତ୍ତାଳାପକୁ ଅଧ୍ୟୟନ କରିବେ, ସେମାନେ ଜ୍ଞାନ ଯଜ୍ଞ ଦ୍ୱାରା ମୋର ଉପାସନା କରିବେ (ତାଙ୍କ ବୁଦ୍ଧିଦ୍ୱାରା) । ଏହା ମୋର ମତ ଅଟେ ।

ଏପରିକି ଯେଉଁମାନେ କେବଳ ଶ୍ରଦ୍ଧାଯୁକ୍ତ ଏବଂ ଦ୍ୱେଷ ରହିତ ହୋଇ ଏହି ଜ୍ଞାନକୁ ଶ୍ରବଣ କରନ୍ତି, ସେମାନେ ମଧ୍ୟ ପାପମୁକ୍ତ ହୋଇ ସେହି ପବିତ୍ର ଲୋକକୁ ଗମନ କରିବେ ଯେଉଁଠାରେ ଧର୍ମାତ୍ମାମାନେ ବାସ କରନ୍ତି ।

ହେ ଅର୍ଜୁନ ! ତୁମେ ଏକାଗ୍ର ଚିତ୍ତରେ ମୋର ଉପଦେଶ ଶ୍ରବଣ କଲ କି ? ତୁମର ଅଜ୍ଞାନ ଏବଂ ଭ୍ରମ ଦୂର ହେଲା କି ?

ଅର୍ଜୁନ କହିଲେ: ହେ ଅଚ୍ୟୁତ ! ଆପଣଙ୍କ କୃପାରୁ ମୋର ଭ୍ରମ ଦୂର ହୋଇଗଲା ଏବଂ ମୋର ଜ୍ଞାନୋଦୟ ହେଲା । ମୁଁ ଏବେ ଦ୍ୱନ୍ଦ୍ୱ ମୁକ୍ତ ହୋଇ ଆପଣଙ୍କ ନିର୍ଦ୍ଦେଶ ଅନୁସାରେ କର୍ମ କରିବାକୁ ପ୍ରସ୍ତୁତ ।

ସଞ୍ଜୟ କହିଲେ: ଏହିପରି ଭାବରେ ମୁଁ ବାସୁଦେବ ପୁତ୍ର ଶ୍ରୀକୃଷ୍ଣ ଏବଂ ପୁଣ୍ୟାତ୍ମା ପୃଥାପୁତ୍ର ଅର୍ଜୁନଙ୍କର ଅଦ୍ଭୁତ ବାର୍ତ୍ତାଳାପ ଶୁଣିଲି । ଏହି ସନ୍ଦେଶ ଏତେ ରୋମାଞ୍ଚକର ଯେ ମୋର ଲୋମମୂଳ ଟାଙ୍କୁରି ଉଠୁଛି ।

ମହର୍ଷି ବେଦବ୍ୟାସଙ୍କ କୃପାରୁ ଯୋଗର ଏହି ସର୍ବୋଚ୍ଚ ଏବଂ ଗୁଢ଼ ଜ୍ଞାନ, ମୁଁ ଯୋଗେଶ୍ୱର ସ୍ୱୟଂ ଶ୍ରୀକୃଷ୍ଣଙ୍କ ଠାରୁ ଶୁଣିବାକୁ ପାଇଲି ।

ହେ ରାଜନ୍ ! ପରମାତ୍ମା ଶ୍ରୀକୃଷ୍ଣ ଏବଂ ଅର୍ଜୁନଙ୍କର ଅତି ଉତ୍କୃଷ୍ଟ ଓ ଅଦ୍ଭୁତ ବାର୍ତ୍ତାଳାପର ସ୍ମୃତିଚାରଣ କରି, ମୁଁ ବାରମ୍ବାର ବିଭୋର ହୋଇଯାଉଛି ।

ଭଗବାନ ଶ୍ରୀକୃଷ୍ଣଙ୍କର ସେହି ବିସ୍ମୟକର ଏବଂ ଅଲୌକିକ ବିଶ୍ୱରୂପକୁ ସ୍ମରଣ କରି, ମୋର ଆଶ୍ଚର୍ଯ୍ୟର ସୀମା ରହୁନାହିଁ ତଥା ମୁଁ ବାରମ୍ବାର ଆନନ୍ଦରେ ଶିହରିତ ହୋଇ ଉଠୁଛି ।

ଯେଉଁଠାରେ ସମସ୍ତ ଯୋଗର ଅଧୀଶ୍ୱର ଶ୍ରୀକୃଷ୍ଣ ଅଛନ୍ତି ଏବଂ ଯେଉଁଠାରେ ଧନୁର୍ଦ୍ଧର ଅର୍ଜୁନ ଅଛନ୍ତି, ସେଠାରେ ଅଫୁରନ୍ତ ଐଶ୍ୱର୍ଯ୍ୟ, ବିଜୟ, ସମୃଦ୍ଧି ଏବଂ ଧର୍ମ ନିଶ୍ଚିତରୂପେ ବିରାଜମାନ କରିବ । ମୁଁ ଏଥିରେ ଦୃଢ଼ ନିଶ୍ଚିତ ।