Bhagavad Gita: Chapter 18, Verse 13

ପଞ୍ଚୈତାନି ମହାବାହୋ କାରଣାନି ନିବୋଧ ମେ ।
ସାଂଖ୍ୟେ କୃତାନ୍ତେ ପ୍ରୋକ୍ତାନି ସିଦ୍ଧୟେ ସର୍ବକର୍ମଣାମ୍ ।।୧୩।।

ପଞ୍ଚ-ପାଞ୍ଚ; ଏତାନି -ଏହିସବୁ; ମହାବାହୋ -ହେ ମହାବାହୁ; କାରଣାନି -କାରଣ; ନିବୋଧ -ଶୁଣ; ମେ -ମୋଠାରୁ; ସାଂଖ୍ୟେ-ସାଂଖ୍ୟ ଦର୍ଶନର; କୃତାନ୍ତେ -କର୍ମଫଳ ସମାପ୍ତ କରିବା; ପ୍ରୋକ୍ତାନି -କୁହାଯାଇଛି; ସିଦ୍ଧୟେ -ସିଦ୍ଧିପ୍ରାପ୍ତି ନିମନ୍ତେ; ସର୍ବ-ସମସ୍ତ; କର୍ମଣାଂ-କର୍ମର ।

Translation

BG 18.13: ହେ ଅର୍ଜୁନ ! କର୍ମରେ ସିଦ୍ଧି ଲାଭ ପାଇଁ ସାଂଖ୍ୟ ଦର୍ଶନ ଦ୍ୱାରା ପ୍ରଦତ୍ତ ପାଞ୍ଚଗୋଟି କାରଣ ସମ୍ବନ୍ଧରେ, ମୋ ଠାରୁ ଶୁଣ, ଯାହା କର୍ମଫଳ ସମାପ୍ତ କରିବାର ଉପାୟ ବର୍ଣ୍ଣନା କରିଥାଏ ।

Commentary

ଫଳାସକ୍ତି ରହିତ ହୋଇ କର୍ମ କରାଯାଇପାରିବ, ଏହା ଜାଣିବା ପରେ ଏକ ସ୍ୱାଭାବିକ ପ୍ରଶ୍ନ ମନରେ ଉଠେ: “କର୍ମ ଉପାଦାନ କ’ଣ?” ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହୁଛନ୍ତି ଯେ, ସେ ବର୍ତ୍ତମାନ ଏହି ପ୍ରଶ୍ନର ଉତ୍ତର ଦେବାକୁ ଯାଉଛନ୍ତି । ଏହା କର୍ମଫଳ ପ୍ରତି ବୈରାଗ୍ୟ ଉତ୍ପନ୍ନ କରିବାରେ ସାହାଯ୍ୟ କରିବ । ତାହା ସହିତ ସେ ସ୍ପଷ୍ଟ କରୁଛନ୍ତି ଯେ ଏଠାରେ ବର୍ଣ୍ଣନା କରାଯାଉଥିବା କର୍ମର ପାଞ୍ଚ ଅଙ୍ଗର ବିଶ୍ଳେଷଣ ନୂତନ ନୁହେଁ, ଏହା ସାଂଖ୍ୟ ଦର୍ଶନରେ ପୂର୍ବରୁ ମଧ୍ୟ ବର୍ଣ୍ଣିତ ହୋଇଅଛି । ସାଂଖ୍ୟ ଦର୍ଶନ ମହର୍ଷି କପିଳଙ୍କ ଦ୍ୱାରା ପ୍ରଣୀତ, ଯିଏ ଭଗବାନଙ୍କର ଅବତାର ଥିଲେ ଏବଂ ପୃଥିବୀ ପୃଷ୍ଠରେ କର୍ଦ୍ଦମମୁନି ଏବଂ ଦେବହୁତିଙ୍କର ସନ୍ତାନ ରୂପରେ ଆବିର୍ଭାବ ହୋଇଥିଲେ । ସେ ପ୍ରଣୟନ କରିଥିବା ସାଂଖ୍ୟ ଦର୍ଶନ ବିଶ୍ଳେଷଣାତ୍ମକ ତର୍କ ଉପରେ ଆଧାରିତ । ଏହା ଶରୀର ତଥା ପୃଥିବୀର ଉପାଦାନର ବିଶ୍ଳେଷଣ ଦ୍ୱାରା ଆତ୍ମାକୁ ଜାଣିବାର ଜ୍ଞାନ ବୃଦ୍ଧି କରେ । ଏହା କର୍ମର ଉପାଦାନଗୁଡ଼ିକର ବିଶ୍ଳେଷଣ କରି କାର୍ଯ୍ୟ ଓ କାରଣର ସ୍ୱରୂପ ନିର୍ଣ୍ଣୟ କରେ ।