Bhagavad Gita: Chapter 18, Verse 22

ଯତ୍ତୁ କୃତ୍ସ୍ନବଦେକସ୍ମିନ୍ କାର୍ଯ୍ୟେ ସକ୍ତମହୈତୁକମ୍ ।
ଅତତ୍ତ୍ୱାର୍ଥବଦଳ୍ପଂ ଚ ତତ୍ତାମସମୁଦାହୃତମ୍ ।।୨୨।।

ଯତ୍‌-ଯାହା; ତୁ- କିନ୍ତୁ; କୃତ୍ସ୍ନବତ୍ -ପୂର୍ଣ୍ଣାଙ୍ଗ; ଏକସ୍ମିନ୍ -ଏକ; କାର୍ଯ୍ୟେ-କାର୍ଯ୍ୟରେ; ସକ୍ତଂ -ଆସକ୍ତ; ଅହୈତୁକମ୍‌- ବିନା କାରଣରେ; ଅତତ୍ତ୍ୱ-ଅର୍ଥବତ୍‌- ସତ୍ୟ ଉପରେ ଆଧାରିତ; ଅଳ୍ପଂ-ଆଂଶିକ; ଚ-ଏବଂ; ତତ୍‌-ତାହା; ତାମସଂ-ତମୋଗୁଣୀ; ଉଦାହୃତମ୍‌-କୁହାଯାଏ ।

Translation

BG 18.22: ଯେଉଁ ଜ୍ଞାନଦ୍ୱାରା ବ୍ୟକ୍ତି ଏକ ଆଂଶିକ ପ୍ରତ୍ୟୟକୁ ପୂର୍ଣ୍ଣ ଧାରଣା ମନେ କରି ତଲ୍ଲୀନ ରହିଥାଏ ଏବଂ ଯାହା ତର୍କ ବା ସତ୍ୟ ଉପରେ ପ୍ରତିଷ୍ଠିତ ନୁହେଁ, ତାହାକୁ ତାମସିକ ଜ୍ଞାନ ବିବେଚିତ କରାଯାଏ ।

Commentary

ତମୋଗୁଣ ପ୍ରଭାବରେ ବୁଦ୍ଧି ଯେତେବେଳେ ଶିଥିଳ ହୋଇଯାଏ, ବ୍ୟକ୍ତି ଏକ ଆଂଶିକ ପ୍ରତ୍ୟୟକୁ ପୂର୍ଣ୍ଣ ସତ୍ୟ ମନେକରି ଜାବୋଡି ଧରିଥାଏ । ଏପରି ମତ ପୋଷଣ କରୁଥିବା ବ୍ୟକ୍ତିମାନେ ପରମ ସତ୍ୟ ସମ୍ବନ୍ଧରେ ସେମାନଙ୍କର ନିଜସ୍ୱ ଧାରଣାକୁ ନେଇ ଖୁବ୍ ବେଶୀ ପକ୍ଷପାତୀ ହୋଇଥାଆନ୍ତି । ସେମାନଙ୍କର ବିଚାର ତର୍କସଙ୍ଗତ, ଶାସ୍ତ୍ରସମ୍ମତ କିମ୍ବା ବାସ୍ତବିକତା ଉପରେ ଆଧାରିତ ହୋଇ ନ ଥିଲେ ମଧ୍ୟ ସେମାନେ ତାହାକୁ ଜୋର ଜବରଦସ୍ତୀ ଅନ୍ୟମାନଙ୍କ ଉପରେ ଲଦିଦେବାକୁ ଚେଷ୍ଟା କରିଥାନ୍ତି । ମାନବ ଇତିହାସରେ ଏହିପରି ଉଗ୍ର ଧାର୍ମିକ ମତାବଲମ୍ବୀ ମାନଙ୍କର ବାରମ୍ବାର ଆବିର୍ଭାବ ଘଟିଛି, ଯେଉଁମାନେ ନିଜେ ନିଜକୁ ଭଗବାନଙ୍କର ଦୂତ ଏବଂ ଧର୍ମର ରକ୍ଷକ ମନେ କରିଥାନ୍ତି । ସେମାନେ ଉନ୍ମାଦ ଭାବରେ ଧର୍ମପ୍ରଚାର କରି ଏବଂ ତାଦୃଶ ବୁଦ୍ଧିଯୁକ୍ତ କେତେକ ବ୍ୟକ୍ତିଙ୍କୁ ନିଜର ଅନୁଗାମୀ କରି, ଜଣେ ଅନ୍ଧ ଅନ୍ୟ ଜଣେ ଅନ୍ଧକୁ ମାର୍ଗ ଦର୍ଶନ କରାଇବା ପରି ଏକ ପ୍ରଣାଳୀ ସୃଷ୍ଟି କରିଥାନ୍ତି । ଭଗବାନଙ୍କର ସେବା ନାମରେ, ସେମାନେ ସମାଜରେ ବିଶୃଙ୍ଖଳା ସୃଷ୍ଟି କରନ୍ତି ଏବଂ ତା’ର ସୁସଂଗତ ବିକାଶରେ ବାଧା ଉତ୍ପନ୍ନ କରନ୍ତି ।