Bhagavad Gita: Chapter 18, Verse 40

ନ ତଦସ୍ତି ପୃଥିବ୍ୟାଂ ବା ଦିବି ଦେବେଷୁ ବା ପୁନଃ ।
ସତ୍ତ୍ୱଂ ପ୍ରକୃତିଜୈର୍ମୁକ୍ତଂ ଯଦେଭିଃ ସ୍ୟାତ୍‌ତ୍ରିଭିର୍ଗୁଣୈଃ ।।୪୦।।

ନ-ନୁହେଁ; ତତ୍‌-ତାହା; ଅସ୍ତି-ଅଛି; ପୃଥିବ୍ୟାଂ- ପୃଥିବୀରେ; ବା-କିମ୍ବା; ଦିବି-ଉଚ୍ଚ ଲୋକରେ; ଦେବେଷୁ-ଦେବତାମାନଙ୍କ ମଧ୍ୟରେ; ବା-କିମ୍ବା; ପୁନଃ-ପୁନଶ୍ଚ; ସତ୍ତ୍ୱଂ-ସ୍ଥିତି; ପ୍ରକୃତିଜୈଃ-ପ୍ରକୃତିରୁ ଜାତ; ମୁକ୍ତଂ-ମୁକ୍ତ; ଯତ୍‌-ଯାହା; ଏଭିଃ-ଏହା ଦ୍ୱାରା; ସ୍ୟାତ୍ -ହୁଏ; ତ୍ରିଭିଃ-ତିନୋଟି; ଗୁଣୈଃ -ଭୌତିକ ଗୁଣ ଦ୍ୱାରା ।

Translation

BG 18.40: ମାୟିକ ଜଗତ ଅନ୍ତର୍ଗତ, ଧରାପୃଷ୍ଠର କିମ୍ବା ଉଚ୍ଚତର ସ୍ୱର୍ଗଲୋକର କୌଣସି ଜୀବ, ପ୍ରକୃତିର ଏହି ତିନିଗୁଣର ପ୍ରଭାବରୁ ମୁକ୍ତ ନୁହଁନ୍ତି ।

Commentary

ଶ୍ୱେତାଶ୍ୱତର ଉପନିଷଦ କହେ, ଭୌତିକ ଶକ୍ତି ମାୟା ତ୍ରିରଙ୍ଗ ବିଶିଷ୍ଟ ଅଟେ:

ଅଜାମେକାଂ ଲୋହିତ-ଶୁକ୍ଳ-କୃଷ୍ଣଂ ବହ୍ୱୀଃ ପ୍ରଜାଃ ସୃଜମାନାଂ ସ-ରୂପାଃ
ଅଜୋ ହ୍ୟ ଏକୋ ଯୁଷମାଣୋଽନୁଶେତେ ଜହାତେନାଂ ଭୁକ୍ତ-ଭୋଗାମ୍ ଅଜୋଽନ୍ୟଃ (୪.୫)

“ମାୟା ତିନି ରଙ୍ଗ ବିଶିଷ୍ଟ - ଶ୍ୱେତ, ଲୋହିତ ଏବଂ କୃଷ୍ଣ, ଅର୍ଥାତ୍ ଏହା ତ୍ରିଗୁଣାତ୍ମିକା ଅଟେ - ସାତ୍ତ୍ୱିକ, ରାଜସିକ ଏବଂ ତାମସିକ । ଏହା ବିଶ୍ୱର ଅସଂଖ୍ୟ ଜୀବଙ୍କର ମାତୃ-ଗର୍ଭ ସଦୃଶ ଅଟେ । ଏହାର ସ୍ରଷ୍ଟା ଏବଂ ଆଧାର ସେହି ଜଣେ ଅଜନ୍ମା ସର୍ବଜ୍ଞ ଭଗବାନ ଅଟନ୍ତି । କିନ୍ତୁ ଭଗବାନ ମାୟା ଦ୍ୱାରା ଜଡ଼ିତ ହୁଅନ୍ତି ନାହିଁ । ସେ ସ୍ୱତନ୍ତ୍ରଭାବେ ତାଙ୍କ ଦିବ୍ୟ ଲୀଳା ଉପଭୋଗ କରୁଥାନ୍ତି । ଅଥଚ ଜୀବଗଣ ମାୟାକୁ ଉପଭୋଗ କରି ତା’ର କବଳିତ ହୋଇଯାଆନ୍ତି ।

ମାୟାର ବଳୟ ନର୍କଲୋକ ଠାରୁ ସ୍ୱର୍ଗର ବ୍ରହ୍ମଲୋକ ପର୍ଯ୍ୟନ୍ତ ବିସ୍ତୃତ । ସତ୍ତ୍ୱ, ରଜ ଓ ତମ - ମାୟାର ତିନୋଟି ଅନ୍ତର୍ନିହିତ ଗୁଣ ହୋଇଥିବା ଦୃଷ୍ଟିରୁ, ଭୌତିକ ଜଗତର ସମସ୍ତ ଲୋକରେ ରହିଥାଆନ୍ତି । ତେଣୁ ମନୁଷ୍ୟ ହୁଅନ୍ତୁ ଅଥବା ଦେବତା ହୁଅନ୍ତୁ, ଏହିସବୁ ଲୋକରେ ବାସ କରୁଥିବା ସମସ୍ତ ଜୀବ ଏହି ତ୍ରିଗୁଣର ଅଧୀନସ୍ତ ଅଟନ୍ତି । ସେମାନଙ୍କ ମଧ୍ୟରେ ପାର୍ଥକ୍ୟ କେବଳ ଗୁଣମାନଙ୍କର ଅନୁପାତକୁ ନେଇ ରହିଥାଏ । ନିମ୍ନଲୋକରେ ବାସ କରୁଥିବା ଜୀବ ତମୋଗୁଣ ପ୍ରଧାନ ହୋଇଥିବା ବେଳେ, ପୃଥିବୀବାସୀ ରଜୋଗୁଣ ପ୍ରଧାନ ଏବଂ ସ୍ୱର୍ଗର ନିର୍ବାସୀ ମାନେ ସତ୍ତ୍ୱଗୁଣ ପ୍ରଧାନ ହୋଇଥାନ୍ତି । ଶ୍ରୀକୃଷ୍ଣ ବର୍ତ୍ତମାନ ଏହି ତିନୋଟି ପରିବର୍ତ୍ତନଶୀଳ ଗୁଣର ଆଧାରରେ ମନୁଷ୍ୟମାନଙ୍କର ସ୍ୱଭାବ  କାହିଁକି ଭିନ୍ନ ଭିନ୍ନ ହୋଇଥାଏ, ତାହାର ବର୍ଣ୍ଣନା କରୁଛନ୍ତି ।