Bhagavad Gita: Chapter 18, Verse 41

ବ୍ରାହ୍ମଣକ୍ଷତ୍ରିୟବିଶାଂ ଶୂଦ୍ରାଣାଂ ଚ ପରନ୍ତପ ।
କର୍ମାଣି ପ୍ରବିଭକ୍ତାନି ସ୍ୱଭାବପ୍ରଭବୈର୍ଗୁଣୈଃ ।।୪୧।।

ବ୍ରାହ୍ମଣ- ବ୍ରାହ୍ମଣ ମାନଙ୍କର; କ୍ଷତ୍ରିୟ-କ୍ଷତ୍ରିୟମାନଙ୍କର; ବିଶାଂ-ବୈଶ୍ୟମାନଙ୍କର; ଶୂଦ୍ରାଣାଂ-ଶୂଦ୍ର ମାନଙ୍କର; ଚ-ଏବଂ; ପରନ୍ତପ- ହେ ଶତ୍ରୁ ଦମନକାରୀ; କର୍ମାଣି-କର୍ମସମୂହ; ପ୍ରବିଭକ୍ତାନି-ବିଭକ୍ତ ହୋଇଛି; ସ୍ୱଭାବ-ପ୍ରଭବୈଃ-ଗୁଣୈଃ- ନିଜ ସ୍ୱଭାବ ଓ ଗୁଣ ଅନୁଯାୟୀ କର୍ମ ।

Translation

BG 18.41: ବ୍ରାହ୍ମଣ, କ୍ଷତ୍ରୀୟ, ବୈଶ୍ୟ ଏବଂ ଶୁଦ୍ରମାନଙ୍କର କର୍ମର ବିଭାଜନ ସେମାନଙ୍କର ସ୍ୱଭାବ ଜାତ ଗୁଣର ଅନୁସାରେ ହୋଇଥାଏ (ଜନ୍ମ ଅନୁସାରେ ନୁହେଁ) ।

Commentary

କେହି ଜଣେ ଯଥାର୍ଥରେ କହିଥିଲେ ଯେ ଏକ ଉପଯୁକ୍ତ ବୃତ୍ତି ଖୋଜି ପାଇବା, ଜଣେ ଉପଯୁକ୍ତ ଜୀବନ ସାଥୀ ଖୋଜି ପାଇବା ପରି ଅଟେ । କିନ୍ତୁ ନିଜ ପାଇଁ ଏକ ଉପଯୁକ୍ତ କର୍ମ ଆମେ ଖୋଜିବା କିପରି ? ଶ୍ରୀକୃଷ୍ଣ ଏଠାରେ ସ୍ପଷ୍ଟ କରିଛନ୍ତି ଯେ ମନୁଷ୍ୟ ବ୍ୟକ୍ତିତ୍ୱରେ ଗୁଣର ପ୍ରାଧାନ୍ୟ ଅନୁଯାୟୀ, ସେମାନଙ୍କର ସ୍ୱଭାବ ଭିନ୍ନ ଭିନ୍ନ ହୋଇଥାଏ, ତଦନୁଯାୟୀ ସେମାନଙ୍କ ପାଇଁ ନିର୍ଦ୍ଧାରିତ ବୃତ୍ତି ମଧ୍ୟ ଭିନ୍ନ ଭିନ୍ନ ହୋଇଥାଏ । ସ୍ୱଭାବ-ପ୍ରଭାବୈର୍ ଗୁଣୈଃ (ମନୁଷ୍ୟର ଗୁଣ ଓ ସ୍ୱଭାବ ଉପରେ ଆଧାରିତ କାର୍ଯ୍ୟ) ଅନୁଯାୟୀ, ବର୍ଣ୍ଣାଶ୍ରମ ଧର୍ମ ପ୍ରଣାଳୀ, ସମାଜ ଗଠନର ଏକ ବୈଜ୍ଞାନିକ ପଦ୍ଧତିି ଥିଲା । ଏହି ବିଭକ୍ତିକରଣ ପ୍ରଣାଳୀରେ ଚାରୋଟି ଆଶ୍ରମ (ଜୀବନ ସୋପାନ) ଏବଂ ଚାରୋଟି ବର୍ଣ୍ଣ (ବୃତ୍ତିଗତ ଶ୍ରେଣୀ) ଥିଲା । ଜୀବନର ସୋପାନ ଗୁଡ଼ିକ ହେଲା: ୧. ବ୍ରହ୍ମଚର୍ଯ୍ୟ ଆଶ୍ରମ (ଛାତ୍ର ଜୀବନ), ଯାହାର ଅବଧି ଜନ୍ମଠାରୁ ୨୫ ବର୍ଷ ବୟସ ୨. ଗୃହସ୍ଥ ଆଶ୍ରମ (ପାରିବାରିକ ଜୀବନ) ଏହା ୨୫ ଠାରୁ ୫୦ ବର୍ଷ ପର୍ଯ୍ୟନ୍ତ ସାଧାରଣ ବୈବାହିକ ଜୀବନ । ୩. ବାନପ୍ରସ୍ଥ ଆଶ୍ରମ (ଅର୍ଦ୍ଧ ସନ୍ୟାସ ଜୀବନ), ଏହାର ଅବଧି ୫୦ ରୁ ୭୫ ବର୍ଷ ପର୍ଯ୍ୟନ୍ତ । ଏହି ସୋପାନରେ ବ୍ୟକ୍ତି ପରିବାରରେ ରହି ତ୍ୟାଗର ଆଚରଣ କରିଥାଏ । ୪. ସନ୍ୟାସ ଆଶ୍ରମ (ପୂର୍ଣ୍ଣତ୍ୟାଗ) ଏହା ୭୫ ବର୍ଷ ବୟସରୁ ଆଗକୁ ହୋଇଥାଏ । ଏହି ଆଶ୍ରମରେ ବ୍ୟକ୍ତି ସମସ୍ତ ପାରିବାରିକ କର୍ମ ତ୍ୟାଗ କରି ଏକ ପବିତ୍ର ଧାମରେ ବାସ କରିବା ସହିତ ଭଗବାନଙ୍କ ଠାରେ ମନୋନିବେଶ କରିଥାଏ ।

ଚାରି ବର୍ଣ୍ଣ (ବୃତ୍ତିଗତ ଶ୍ରେଣୀ) ଗୁଡ଼ିକ ହେଲା, ବ୍ରାହ୍ମଣ (ପୂଜକ ଶ୍ରେଣୀ), କ୍ଷତ୍ରିୟ (ଯୋଦ୍ଧା ଏବଂ ଶାସକ ଶ୍ରେଣୀ) ବୈଶ୍ୟ (ବ୍ୟବସାୟୀ ଏବଂ କୃଷକ ଶ୍ରେଣୀ) ଏବଂ ଶୂଦ୍ର (ଶ୍ରମିକ ଶ୍ରେଣୀ) । ବର୍ଣ୍ଣାଶ୍ରମ ଧର୍ମରେ କୌଣସି ବର୍ଣ୍ଣକୁ ଉଚ୍ଚ ବା ନୀଚ ବିଚାର କରାଯାଉ ନ ଥିଲା । ସମାଜର କେନ୍ଦ୍ର ଭଗବାନ ଥିଲେ, ପ୍ରତ୍ୟେକ ବ୍ୟକ୍ତି ଗୁଣ ଅନୁସାରେ କର୍ମ କରି ନିଜର ତଥା ସମାଜର ପୋଷଣ କରିବା ସହିତ ଭଗବତ୍ ପ୍ରାପ୍ତି ଦିଗରେ ଅଗ୍ରସର ହୋଇ ନିଜ ଜୀବନକୁ ସଫଳ କରୁଥିଲେ । ଅତଏବ, ବର୍ଣ୍ଣାଶ୍ରମ ପ୍ରଣାଳୀର ବିବିଧତାରେ ଏକତା ଥିଲା ।

ବିବିଧତା ସ୍ୱାଭାବିକ ଅଟେ, ଯାହାକୁ ଦୂର କରାଯାଇ ପାରିବ ନାହିଁ । ଆମ ଶରୀରରେ ବିଭିନ୍ନ ପ୍ରକାରର ଅଙ୍ଗ ରହିଛି ଏବଂ ସେମାନେ ସମସ୍ତେ ଭିନ୍ନ ଭିନ୍ନ କାର୍ଯ୍ୟ ତୁଲାଇଥାନ୍ତି । ସମସ୍ତ ଅଙ୍ଗ ଠାରୁ ଏକ ପ୍ରକାର କାର୍ଯ୍ୟର ଆଶା କରିବା ବୃଥା ଅଟେ । ସେମାନଙ୍କୁ ପରସ୍ପର ଠାରୁ ଭିନ୍ନ ଭାବରେ ଦେଖିବା ଅଜ୍ଞାନତାର ସୂଚକ ନୁହେଁ, ବରଂ ତାଙ୍କ ଉପଯୋଗିତାର ଯଥାର୍ଥ ଜ୍ଞାନ ଅଟେ । ସେହିପରି ମନୁଷ୍ୟମାନଙ୍କ ମଧ୍ୟରେ ରହିଥିବା ବିବିଧତାକୁ ଉପେକ୍ଷା କରାଯାଇ ପାରିବ ନାହିଁ । ଏପରିକି କମ୍ୟୁନିଷ୍ଟ ରାଷ୍ଟ୍ରଗୁଡ଼ିକରେ ମଧ୍ୟ, ଯେଉଁଠାରେ ସାମ୍ୟବାଦ ପ୍ରମୁଖ ନିୟମ ଅଟେ, ସେଠାରେ ମଧ୍ୟ ଦଳୀୟ ନେତୃବୃନ୍ଦ ନୀତି ପ୍ରଣୟନ କରିଥାନ୍ତି, ଅସ୍ତ୍ର-ଶସ୍ତ୍ରରେ ସଜ୍ଜିତ ସୈନିକ ରାଷ୍ଟ୍ରକୁ ସୁରକ୍ଷା ପ୍ରଦାନ କରନ୍ତି, କୃଷକ ଜମି ଚାଷ କରନ୍ତି ଏବଂ ଶିଳ୍ପ ଶ୍ରମିକମାନେ ଯାନ୍ତ୍ରିକ ବୃତ୍ତିରେ ନିଯୁକ୍ତ ଥାଆନ୍ତି । ସମାନତା ପ୍ରଦାନ କରିବାର ସମସ୍ତ ଉଦ୍ୟମ ସତ୍ତ୍ୱେ ସେଠାରେ ମଧ୍ୟ ଚାରିପ୍ରକାର ବୃତ୍ତି ରହିଅଛି । ବର୍ଣ୍ଣାଶ୍ରମ ପ୍ରଣାଳୀ, ମନୁଷ୍ୟମାନଙ୍କର ସ୍ୱଭାବରେ ଥିବା ବିବିଧତାକୁ ବିଚାର କରି, ସେମାନଙ୍କ ପାଇଁ କର୍ତ୍ତବ୍ୟ ଓ ବୃତ୍ତିର ନିର୍ଦ୍ଧାରଣ କରିଥାଏ ।

କିନ୍ତୁ ସମୟକ୍ରମେ ବର୍ଣ୍ଣାଶ୍ରମ ପ୍ରଣାଳୀର ଅବକ୍ଷୟ ଘଟିଥିଲା ଏବଂ ବର୍ଣ୍ଣର ନିର୍ଣ୍ଣୟ ସ୍ୱଭାବ ଅନୁଯାୟୀ ହେବା ପରିବର୍ତ୍ତେ ଜନ୍ମ ଅନୁଯାୟୀ କରାଗଲା । ବ୍ରାହ୍ମଣମାନଙ୍କର ସନ୍ତାନମାନେ, ତାଙ୍କର ସ୍ୱଭାବ ବ୍ରାହ୍ମଣୋଚିତ ହେଉ ବା ନ ହେଉ, ନିଜକୁ ବ୍ରାହ୍ମଣ ଭାବରେ ପରିଚିତ କଲେ । ମନୁଷ୍ୟ ମଧ୍ୟରେ ଉଚ୍ଚ ଓ ନୀଚ ଜାତିର ପରିକଳ୍ପନା କରାଗଲା ଏବଂ ଉଚ୍ଚଜାତିର ବ୍ୟକ୍ତି ନୀଚ ଜାତିର ବ୍ୟକ୍ତିଙ୍କୁ ହେୟ ଦୃଷ୍ଟିରେ ଦେଖିବାକୁ ଲାଗିଲେ । ଏହି ପ୍ରଣାଳୀ କଠୋର ଏବଂ ଜନ୍ମ-ଗତ ହୋଇଯିବା ଦ୍ୱାରା, ଏହା ନିଷ୍କ୍ରିୟ ହୋଇଗଲା । ସମୟକ୍ରମେ, ଏହା ଏକ ସାମାଜିକ ଦୋଷର ରୂପ ନେଲା, ଯାହା ମୂଳ ବର୍ଣ୍ଣାଶ୍ରମ ପ୍ରଣାଳୀର ଲକ୍ଷ୍ୟ ନ ଥିଲା । ପରବର୍ତ୍ତୀ କେତୋଟି ଶ୍ଳୋକରେ, ଏହି ପ୍ରଣାଳୀର ମୂଳ ବିଭକ୍ତିକରଣ ଅନୁଯାୟୀ, ଶ୍ରୀକୃଷ୍ଣ ମନୁଷ୍ୟମାନଙ୍କର ଗୁଣ ଅନୁସାରେ କର୍ମର ସ୍ୱାଭାବିକ ନକ୍‌ସା ପ୍ରସ୍ତୁତ କରିଛନ୍ତି ।