Bhagavad Gita: Chapter 18, Verse 48

ସହଜଂ କର୍ମ କୌନ୍ତେୟ ସଦୋଷମପି ନ ତ୍ୟଜେତ୍ ।
ସର୍ବାରମ୍ଭା ହି ଦୋଷେଣ ଧୂମେନାଗ୍ନିରିବାବୃତାଃ ।।୪୮।।

ସହଜଂ- ସହଜାତ; କର୍ମ-କର୍ମ; କୌନ୍ତେୟ-ହେ କୁନ୍ତୀ ପୁତ୍ର; ସଦୋଷଂ-ଦୋଷଯୁକ୍ତ; ଅପି-ଯଦିଓ; ନ ତ୍ୟଜେତ୍‌-ତ୍ୟାଗ କରିବା ଉଚିତ୍ ନୁହେଁ; ସର୍ବ-ଆରମ୍ଭାଃ-ସମସ୍ତ ପ୍ରଚେଷ୍ଟା; ହି-ନିଶ୍ଚିତ ଭାବେ; ଦୋଷେଣ-ଦୋଷଯୁକ୍ତ; ଧୂମେନ-ଧୂମ୍ରଯୁକ୍ତ; ଅଗ୍ନିଃ-ଅଗ୍ନି; ଇବ-ଯେପରି; ଆବୃତାଃ- ଆଚ୍ଛାଦିତ ।

Translation

BG 18.48: ହେ କୁନ୍ତୀ ପୁତ୍ର ! ନିଜ ସ୍ୱଭାବଜାତ କର୍ମ, ଦୋଷାବହ ପ୍ରତୀତ ହେଲେ ମଧ୍ୟ, ତ୍ୟାଗ କରିବା ଉଚିତ ନୁହେଁ । ବାସ୍ତବରେ, ଅଗ୍ନି ଧୂଆଁ ଦ୍ୱାରା ଆଚ୍ଛାଦିତ ହେବା ପରି ପ୍ରତ୍ୟେକ କର୍ମରେ କିଛି ନା କିଛି ଦୋଷ ରହିଥାଏ ।

Commentary

ବେଳେ ବେଳେ ବ୍ୟକ୍ତି ନିଜ କର୍ତ୍ତବ୍ୟରେ ଦୋଷ ଦର୍ଶନ କରି ସେଥିରୁ ଓହରି ଯାଇଥାଏ । ଶ୍ରୀକୃଷ୍ଣ ଏଠାରେ କହୁଛନ୍ତି, ଅଗ୍ନିର ଉପରିସ୍ଥ ଭାଗ ଧୂଆଁ ଦ୍ୱାରା ଆଚ୍ଛାଦିତ ହେବା ପରି ପ୍ରତ୍ୟେକ କର୍ମରେ କିଛି ନା କିଛି ଦୋଷ ରହିଥାଏ । ଉଦାହରଣ ସ୍ୱରୂପ, ଆମେ ଲକ୍ଷ ଲକ୍ଷ ଜୀବାଣୁ ହତ୍ୟା ନ କରି ଶ୍ୱାସ ଗ୍ରହଣ କରି ପାରିବା ନାହିଁ । ଜମି ଚାଷ କଲେ, ଅସଂଖ୍ୟ କ୍ଷୁଦ୍ର ଜୀବ ନଷ୍ଟ ହୋଇଥାନ୍ତି । ଆମେ ବାଣିଜ୍ୟରେ ସଫଳ ହେଲେ, ଅନ୍ୟମାନଙ୍କୁ ଧନପ୍ରାପ୍ତିରୁ ବଞ୍ôଚତ କରୁ । ଆମେ ଖାଦ୍ୟ ଖାଇଲେ, ଅନ୍ୟଜଣଙ୍କୁ ଖାଦ୍ୟରୁ ବଞ୍ôଚତ କରୁ । ସ୍ୱ-ଧର୍ମ ପାଳନ କରିବାକୁ ଯାଇ ଯେହେତୁ କର୍ମ କରିବାକୁ ପଡିଥାଏ, ଏହା ପୂର୍ଣ୍ଣତଃ ଦୋଷରହିତ ହୋଇପାରିବ ନାହିଁ ।

କିନ୍ତୁ ଦୋଷ ଅପେକ୍ଷା ସ୍ୱ-ଧର୍ମର ଉପକାରିତା ଯଥେଷ୍ଟ ଅଧିକ । ଏହାର ସର୍ବଶ୍ରେଷ୍ଠ ଉପକାର ହେଉଛି, ନିଜର ଶୁଦ୍ଧିକରଣ ଏବଂ ଉତ୍‌ଥାନ ନିମନ୍ତେ ଏହା ଏକ ସୁଗମ ଏବଂ ସ୍ୱାଭାବିକ ମାର୍ଗ ପ୍ରସ୍ତୁତ କରେ । ହାବାର୍ଡ଼ ବିଜିନେସ୍ ସ୍କୁଲ୍‌ର ଜଣେ ପ୍ରଫେସର, ମାର୍କ ଆଲବିଅନ୍‌, ତାଙ୍କ “ଜୀବନ ଗଢ଼ିବା ଓ ଜୀବିକା ଅର୍ଜନ କରିବା” (ଗବଳସଦ୍ଭଶ ବ ଖସଲର, ଗବଳସଦ୍ଭଶ ବ ଖସଙ୍ଖସଦ୍ଭଶ) ପୁସ୍ତକରେ ଏକ ଅଧ୍ୟୟନ ସମ୍ମିଳିତ କରିଛନ୍ତି । ସେଥିରେ ସେ ବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ହୋଇଥିବା ୧୫୦୦ ସ୍ନାତକଙ୍କର ଆଜୀବିକାକୁ ୧୯୬୦ ରୁ ୧୯୮୦ ପର୍ଯ୍ୟନ୍ତ ପର୍ଯ୍ୟବେକ୍ଷଣ କରିଥିଲେ । ଆରମ୍ଭରୁ ସେମାନଙ୍କୁ ଦୁଇଟି ଦଳରେ ବିଭକ୍ତ କରାଯାଇଥିଲା । ‘କ’ ଦଳରେ ସେହି ଛାତ୍ରମାନେ ଥିଲେ, ଯେଉଁମାନେ ଅର୍ଥ ଉପାର୍ଜନକୁ ପ୍ରାଧାନ୍ୟ ଦେଉଥିଲେ ଯଦ୍ୱାରା ସେମାନେ ନିଜର ସମସ୍ତ ଇଚ୍ଛା ପୂର୍ଣ୍ଣ କରିପାରିବେ । ୮୩ ପ୍ରତିଶତ ସ୍ନାତକ ଏହି ଦଳରେ ଥିଲେ । ‘ଖ’ ଦଳ ଜୀବିକା ଚୟନରେ ନିଜର ରୁଚିକୁ ଅଗ୍ରାଧିକାର ଦେଉଥିଲେ ଏବଂ ଅର୍ଥ ଉପାର୍ଜନକୁ ନେଇ ନିଶ୍ଚିନ୍ତ ଥିଲେ । ୧୭ ପ୍ରତିଶତ ସ୍ନାତକ ଏହି ଦଳର ଅନ୍ତର୍ଭୁକ୍ତ ଥିଲେ । କୋଡିଏ ବର୍ଷ ପରେ ଦୁଇ ଦଳ ମଧ୍ୟରୁ ଯେଉଁ ୧୦୧ ଜଣ କୋଟିପତି ହୋଇଥିଲେ, ସେଥିରେ ‘କ’ ଦଳର ଜଣେ (ଯେଉଁମାନେ ଅର୍ଥ ଉପାର୍ଜନକୁ ପ୍ରଧାନ୍ୟ ଦେଉଥିଲେ), ‘ଖ’ ଦଳର ଶହେଜଣ (ଯେଉଁମାନେ ନିଜ ରୁଚିକୁ ଅଗ୍ରାଧିକାର ଦେଉଥିଲେ) ଥିଲେ ।  ମାର୍କ ଆଲବିଅନ୍ ଶେଷରେ ଏହି ମନ୍ତବ୍ୟ ଦେଇଥିଲେ ଯେ କାର୍ଯ୍ୟ ଏବଂ ଖେଳ ମଧ୍ୟରେ ବିଶେଷ ପାର୍ଥକ୍ୟ ନାହିଁ । କାର୍ଯ୍ୟ ଯେତେବେଳେ ରୁଚି ମୁତାବକ ହୋଇଥାଏ, ସେତେବେଳେ କାର୍ଯ୍ୟ ଖେଳ ହୋଇଯାଏ ଏବଂ ବ୍ୟକ୍ତିକୁ ଜୀବନରେ ଗୋଟିଏ ଦିନ ମଧ୍ୟ କାର୍ଯ୍ୟ କରିବାକୁ ପଡ଼େ ନାହିଁ । ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ତାହା ହିଁ କହୁଛନ୍ତି - ଦୋଷଯୁକ୍ତ ହୋଇଥିଲେ ମଧ୍ୟ ନିଜର ସ୍ୱଭାବ ଅନୁରୂପ କର୍ମକୁ ତ୍ୟାଗ କରିବା ଉଚିତ୍ ନୁହେଁ; ନିଜର ସ୍ୱାଭାବିକ ଅଭିରୁଚି ଅନୁଯାୟୀ କାର୍ଯ୍ୟ କରିବା ଉଚିତ୍ । କିନ୍ତୁ କାର୍ଯ୍ୟ ଉତ୍‌ଥାନକାରୀ ହେବାପାଇଁ  ତାହା ଉପଯୁକ୍ତ ଚେତନାରେ କରାଯିବା ଆବଶ୍ୟକ । ପରବର୍ତ୍ତୀ ଶ୍ଳୋକରେ ଏହାର ବର୍ଣ୍ଣନା କରାଯାଇଛି ।