Bhagavad Gita: Chapter 18, Verse 50

ସିଦ୍ଧିଂ ପ୍ରାପ୍ତୋ ଯଥା ବ୍ରହ୍ମ ତଥାପ୍ନୋତି ନିବୋଧ ମେ ।
ସମାସେନୈବ କୌନ୍ତେୟ ନିଷ୍ଠା ଜ୍ଞାନସ୍ୟ ଯା ପରା ।।୫୦।।

ସିଦ୍ଧିଂ-ପରିପୂର୍ଣ୍ଣତା; ପ୍ରାପ୍ତଃ-ପ୍ରାପ୍ତ ହୋଇ ; ଯଥା-ଯେପରି; ବ୍ରହ୍ମ -ବ୍ରହ୍ମ; ତଥା-ସେହିପରି; ଆପ୍ନୋତି-ପ୍ରାପ୍ତ ହୁଏ; ନିବୋଧ-ବୁଝିବାକୁ ଚେଷ୍ଟା କର; ମେ-ମୋ’ଠାରୁ; ସମାସେନ-ସଂକ୍ଷେପରେ; ଏବ-ନିଶ୍ଚିତଭାବେ; କୌନ୍ତେୟ- ହେ କୁନ୍ତୀ ପୁତ୍ର; ନିଷ୍ଠା-ଐକାନ୍ତିକ ଭାବ; ଜ୍ଞାନସ୍ୟ -ଜ୍ଞାନର; ଯା -ଯାହା; ପରା -ଦିବ୍ୟ ।

Translation

BG 18.50: ହେ ଅର୍ଜୁନ ! ମୁଁ ଏବେ ସଂକ୍ଷେପରେ ବର୍ଣ୍ଣନା କରିବାକୁ ଯାଉଛି କିପରି ଜଣେ ସିଦ୍ଧି ପ୍ରାପ୍ତ (କର୍ମରୁ ବିରତି) କରିଥିବା ବ୍ୟକ୍ତି, ତାଙ୍କର ଅଲୌକିକ ଜ୍ଞାନରେ ଦୃଢ଼ ନିଶ୍ଚୟ ରହି ବ୍ରହ୍ମଙ୍କୁ ପ୍ରାପ୍ତ କରିପାରନ୍ତି, ତାହା ତୁମେ ଶ୍ରବଣ କର ।

Commentary

କୌଣସି ବିଷୟର ଶାବ୍ଦିକ ଜ୍ଞାନ ତାହାର ବ୍ୟବହାରିକ ଅନୁଭବ ଠାରୁ ଭିନ୍ନ ଅଟେ । ଏପରି କୁହାଯାଏ ଯେ, ଉତ୍ତମ ବିଚାର ଅତ୍ୟନ୍ତ ମୂଲ୍ୟବାନ ଅଟେ, କିନ୍ତୁ କାର୍ଯ୍ୟରେ ନ ଲଗାଇଲେ ତାର ମୂଲ୍ୟ ପଇସାକର ଅଟେ । ଶ୍ରୋତ୍ରିୟ ପଣ୍ଡିତଙ୍କ ମୁଣ୍ଡରେ ସବୁ ଶାସ୍ତ୍ରର ଜ୍ଞାନ ଥାଇପାରେ, କିନ୍ତୁ  ସେମାନଙ୍କର ଉପଲବ୍‌ଧି ନ ଥାଏ । ଅନ୍ୟପକ୍ଷରେ, କର୍ମଯୋଗୀମାନେ ଦିବାରାତ୍ରୀ ଶାସ୍ତ୍ରଗୁଡ଼ିକର ସତ୍ୟକୁ ଉପଲବ୍ôଧ କରିବା ପାଇର୍ ଅଭ୍ୟାସ କରିଥାନ୍ତି । ନିରବଚ୍ଛିନ୍ନ ଭାବରେ କର୍ମଯୋଗରେ ନିୟୋଜିତ ରହିବାର ପରିଣାମ ସ୍ୱରୂପ ସେହି ଆଧ୍ୟାତ୍ମିକ ଜ୍ଞାନର ଉପଲବ୍‌ଧି ହୋଇଥାଏ । ତାପରେ ଯେତେବେଳେ ବ୍ୟକ୍ତି କର୍ମଯୋଗରେ ପରିପୂର୍ଣ୍ଣତା ପ୍ରାପ୍ତ କରି ନୈଷ୍କର୍ମ୍ୟ-ସିଦ୍ଧି ବା ଅକର୍ମ ଅବସ୍ଥାରେ ଉପନୀତ ହୋଇଯାଏ, ସେହି ଦିବ୍ୟ ଜ୍ଞାନ ଅନୁଭବାତ୍ମକ ହୋଇଥାଏ । ସେହି ଜ୍ଞାନରେ ସ୍ଥିତ ହୋଇ କର୍ମଯୋଗୀମାନେ ଭଗବତ୍ ପ୍ରାପ୍ତିରୂପକ ସର୍ବୋଚ୍ଚ ସିଦ୍ଧି ହାସଲ କରନ୍ତି । ଏହା କିପରି ହୋଇଥାଏ, ଶ୍ରୀକୃଷ୍ଣ ପରବର୍ତ୍ତୀ କେତେଗୋଟି ଶ୍ଳୋକରେ ତାହା ବର୍ଣ୍ଣନା କରିଛନ୍ତି ।