Bhagavad Gita: Chapter 18, Verse 69

ନ ଚ ତସ୍ମାନ୍‌ମନୁଷ୍ୟେଷୁ କଶ୍ଚିନ୍‌ମେ ପ୍ରିୟକୃତ୍ତମଃ ।
ଭବିତା ନ ଚ ମେ ତସ୍ମାଦନ୍ୟଃ ପ୍ରିୟତରୋ ଭୁବି ।।୬୯।।

ନ-ନୁହେଁ; ଚ-ଏବଂ; ତସ୍ମାତ୍‌-ସେମାନଙ୍କ ଠାରୁ; ମନୁଷ୍ୟେଷୁ- ମନୁଷ୍ୟମାନଙ୍କ ମଧ୍ୟରେ; କଶ୍ଚିତ୍‌-କେହି; ମେ-ମୋର; ପ୍ରିୟ-କୃତ୍ତମଃ-ଅଧିକ ପ୍ରିୟ; ଭବିତା-ହେବେ; ନ -ନାହିଁ; ଚ- ଏବଂ; ମେ-ମୋର; ତସ୍ମାତ୍‌-ତାଙ୍କ ଠାରୁ; ଅନ୍ୟଃ-ଅନ୍ୟ; ପ୍ରିୟତରଃ-ପ୍ରିୟତର; ଭୁବି- ଏହି ପୃଥିବୀରେ ।

Translation

BG 18.69: ମୋର ପ୍ରେମଯୁକ୍ତ ସେବା ସେମାନଙ୍କ ଠାରୁ ଅଧିକ ଅନ୍ୟ କୌଣସି ମନୁଷ୍ୟ କରନ୍ତି ନାହିଁ; କିମ୍ବା ପୃଥିବୀରେ ସେମାନଙ୍କ ଠାରୁ ଅଧିକ ପ୍ରିୟ ମୋର କେହି ବି ହେବେ ନାହିଁ ।

Commentary

ଆମେ ଅନ୍ୟମାନଙ୍କୁ ଦେଉଥିବା ସମସ୍ତ ପ୍ରକାର ଉପହାର ମଧ୍ୟରୁ, ଦିବ୍ୟ ଜ୍ଞାନର ଉପହାର ସର୍ବଶ୍ରେଷ୍ଠ ଅଟେ, କାରଣ ଏହାଠାରେ ଗ୍ରାହକକୁ ଚିରଦିନ ପାଇର୍ ପରିବର୍ତ୍ତିତ କରିଦେବାର କ୍ଷମତା ରହିଥାଏ । ରାଜା ଜନକ ତାଙ୍କ ଗୁରୁଙ୍କୁ ପଚାରିଥିଲେ, “ଆପଣ ମୋତେ ପ୍ରଦାନ କରିଥିବା ଦିବ୍ୟ ଜ୍ଞାନ ଅମୂଲ୍ୟ ଅଟେ, ମୁଁ ଆପଣଙ୍କ ନିକଟରେ ଚିରଋଣୀ । ଏହାର ପ୍ରତିଦାନରେ ମୁଁ ଆପଣଙ୍କୁ କ’ଣ ଦେଇପାରିବି ?” ଗୁରୁ ଅଷ୍ଟାବକ୍ର କହିଲେ, “ଏପରି କିଛି ବି ନାହିଁ ଯାହା ଦେଇ ଆପଣ ଋଣ ମୁକ୍ତ ହୋଇ ପାରିବେ । ମୁଁ ଯେଉଁ ଜ୍ଞାନ ଆପଣଙ୍କୁ ଦେଇଛି ତାହା ଦିବ୍ୟ, କିନ୍ତୁ ଆପଣଙ୍କର ସବୁକିଛି ମାୟିକ ଅଟେ । ସାଂସାରିକ ବସ୍ତୁ କେବେ ହେଲେ ଦିବ୍ୟଜ୍ଞାନର ମୂଲ୍ୟ ହୋଇପାରିବ ନାହିଁ, କିନ୍ତୁ ଆପଣ ଗୋଟିଏ କାର୍ଯ୍ୟ କରିପାରିବେ । କୌଣସି ଜ୍ଞାନ ପିପାସୁ ବ୍ୟକ୍ତିଙ୍କୁ ଆପଣ ଏହି ଜ୍ଞାନ ପ୍ରଦାନ କରି ପାରିବେ ।” ଶ୍ରୀକୃଷ୍ଣ ଏଠାରେ କହୁଛନ୍ତି ଯେ ଭଗବଦ ୍‌ଗୀତାର ଜ୍ଞାନ ପ୍ରଚାର କରିବାକୁ ସେ ଭଗବାନଙ୍କର ସର୍ବୋଚ୍ଚ ପ୍ରେମମୟ ସେବା ଭାବରେ ବିବେଚିତ କରନ୍ତି । କିନ୍ତୁ ଯେଉଁମାନେ ଭଗବଦ୍ ଗୀତା ଉପରେ ପ୍ରବଚନ ଦିଅନ୍ତି, ସେମାନେ ଗୋଟିଏ ବଡ଼ କାର୍ଯ୍ୟ କରୁଛନ୍ତି ଭାବିବା ଉଚିତ ନୁହେଁ । ଜଣେ ଶିକ୍ଷକ ନିଜକୁ ଭଗବାନଙ୍କ ହାତର ଏକ ଖେଳଣା ମନେ କରି, ସମସ୍ତ ପ୍ରଶଂସା ଭଗବାନଙ୍କର କୃପା ବୋଲି ଭାବିବା ଉଚିତ ।