Bhagavad Gita: Chapter 18, Verse 73

ଅର୍ଜୁନ ଉବାଚ
ନଷ୍ଟୋ ମୋହଃ ସ୍ମୃତିର୍ଲବ୍‌ଧା ତ୍ୱତ୍‌ପ୍ରସାଦାନ୍‌ମୟାଚ୍ୟୁତ ।
ସ୍ଥିତୋଽସ୍ମି ଗତସନ୍ଦେହଃ କରିଷ୍ୟେ ବଚନଂ ତବ ।।୭୩।।

ଅର୍ଜୁନ ଉବାଚ-ଅର୍ଜୁନ କହିଲେ; ନଷ୍ଟଃ-ନଷ୍ଟ ହେଲା; ମୋହଃ-ମୋହ; ସ୍ମୃତିଃ- ସ୍ମୃତି; ଲବ୍ଧା -ପୁନଃ ପ୍ରାପ୍ତ ହେଲା; ତ୍ୱତ୍ ପ୍ରସାଦାତ୍‌-ଆପଣଙ୍କ କୃପାରୁ; ମୟା-ମୋର; ଅଚ୍ୟୁତ- ହେ ଶ୍ରୀକୃଷ୍ଣ; ସ୍ଥିତଃ-ଅବସ୍ଥିତ; ଅସ୍ମି-ଅଟେ; ଗତ-ସନ୍ଦେହଃ -ସମସ୍ତ ସନ୍ଦେହ ଦୂର ହେଲା; କରିଷ୍ୟେ-ମୁଁ କରିବି; ବଚନଂ-ଆଦେଶ; ତବ-ଆପଣଙ୍କର ।

Translation

BG 18.73: ଅର୍ଜୁନ କହିଲେ: ହେ ଅଚ୍ୟୁତ ! ଆପଣଙ୍କ କୃପାରୁ ମୋର ଭ୍ରମ ଦୂର ହୋଇଗଲା ଏବଂ ମୋର ଜ୍ଞାନୋଦୟ ହେଲା । ମୁଁ ଏବେ ଦ୍ୱନ୍ଦ୍ୱ ମୁକ୍ତ ହୋଇ ଆପଣଙ୍କ ନିର୍ଦ୍ଦେଶ ଅନୁସାରେ କର୍ମ କରିବାକୁ ପ୍ରସ୍ତୁତ ।

Commentary

ପ୍ରାରମ୍ଭରେ ଅର୍ଜୁନ ଏକ ବିଭ୍ରାନ୍ତିକର ପରିସ୍ଥିତିର ସମ୍ମୁଖୀନ ହୋଇଥିଲେ ଏବଂ ସେହି ପରିସ୍ଥିତିରେ ତାଙ୍କର କର୍ତ୍ତବ୍ୟ ବିଷୟରେ ସନ୍ଦିହାନ ହୋଇ ଯାଇଥିଲେ । ଦୁଃଖରେ ଅଭିଭୂତ ହୋଇ, ଅସ୍ତ୍ର ତ୍ୟାଗ ପୂର୍ବକ ରଥ ଉପରେ ବସି ପଡ଼ି ସେ ସ୍ୱୀକାର କରିଥିଲେ ଯେ ତାଙ୍କର ଶୋକାଭିଭୂତ ମନ ଓ ଇନ୍ଦ୍ରିୟଙ୍କର ଉପଚାର ପାଇଁ ସେ କୌଣସି ଉପାୟ ଖୋଜି ପାଉନାହାନ୍ତି । କିନ୍ତୁ ବର୍ତ୍ତମାନ ସେ ନିଜକୁ ସମ୍ପୂର୍ଣ୍ଣ ଭାବରେ ପରିବର୍ତ୍ତିତ ଅନୁଭବ କରୁଛନ୍ତି ଏବଂ ସେ ଘୋଷଣା କରୁଛନ୍ତି ଯେ ସେ ବର୍ତ୍ତମାନ ଜ୍ଞାନରେ ସ୍ଥିତ ଏବଂ ମୋହମୁକ୍ତ ଅଟନ୍ତି । ସେ ଭଗବାନଙ୍କ ଇଚ୍ଛାରେ ନିଜକୁ ସମର୍ପିତ କରି ଦେଇଛନ୍ତି ଏବଂ ଶ୍ରୀକୃଷ୍ଣ ଯାହା ନିର୍ଦ୍ଦେଶ ଦେବେ ତାହା ପାଳନ କରିବାକୁ ପ୍ରସ୍ତୁତ ଅଛନ୍ତି । ତାଙ୍କ ଉପରେ ଭଗବଦ୍ ଗୀତା ସନ୍ଦେଶର ଏହା ପ୍ରଭାବ ଥିଲା । ତା’ସହିତ ସେ କହୁଛନ୍ତି, ତ୍ୱତ୍ ପ୍ରସାଦାନ୍ ମୟାଚ୍ୟୁତ, ଅର୍ଥାତ୍ “ହେ ଶ୍ରୀକୃଷ୍ଣ! ଆପଣଙ୍କର ବାଣୀ ନୁହେଁ, ବରଂ ଆପଣଙ୍କର କୃପା ହିଁ ମୋର ଅଜ୍ଞାନ ଦୂର କରିଛି ।”

ଭୌତିକ ଜ୍ଞାନ କୃପା ଆବଶ୍ୟକ କରେ ନାହିଁ । ଆମେ ଶିକ୍ଷା ଅନୁଷ୍ଠାନ କିମ୍ବା ଶିକ୍ଷକଙ୍କୁ ଅର୍ଥ ଦେଇ ପ୍ରତିବଦଳରେ ଜ୍ଞାନ ପାଇଥାଉ, କିନ୍ତୁ ଆଧ୍ୟାତ୍ମିକ  ଜ୍ଞାନ କ୍ରୟ କିମ୍ବା ବିକ୍ରୟ କରାଯାଇ ପାରିବ ନାହିଁ । ଏହା କୃପାବଶତଃ ପ୍ରଦାନ କରାଯାଏ ଏବଂ ଶ୍ରଦ୍ଧା ଓ ଦୀନତା ଦ୍ୱାରା ଗ୍ରହଣ କରାଯାଏ । ଆମେ ଯଦି ଅହଂକାରଯୁକ୍ତ ହୋଇ ଭଗବଦ୍‌ଗୀତା ଅଧ୍ୟୟନ କରିବାକୁ ଯିବା, “ମୁଁ ବହୁତ ବୁଦ୍ଧିମାନ । ଏହି ଉପଦେଶର ମୂଲ୍ୟ କ’ଣ ତାହା ମୁଁ ନିର୍ଦ୍ଧାରଣ କରିବି”, ତେବେ ଆମେ କଦାପି ଏହାକୁ ବୁଝିବାକୁ ସମର୍ଥ ହେବାନାହିଁ । ଆମ ବୁଦ୍ଧି ଏହି ଶାସ୍ତ୍ରର କୌଣସି ଏକ ଭୁଲ୍‌କୁ ଖୋଜି ତାହାକୁ ଦୃଢ଼ତାର ସହ ଧରିବ ଏବଂ ସେହି ବାହାନାରେ ସଂପୂର୍ଣ୍ଣ ଶାସ୍ତ୍ରକୁ ଭୁଲ ଆଖ୍ୟା ଦେଇ ପ୍ରତ୍ୟାଖ୍ୟାନ କରିବ । ବିଗତ ପାଞ୍ଚହଜାର  ବର୍ଷରେ ଭଗବଦ୍ ଗୀତା ଉପରେ ଅନେକ ଭାଷ୍ୟ ରଚିତ ହୋଇଛି, ଏବଂ ଏହି ଦିବ୍ୟଜ୍ଞାନର ଅସଂଖ୍ୟ ପାଠକ ଅଛନ୍ତି, କିନ୍ତୁ କେତେଜଣଙ୍କର ଅର୍ଜୁନଙ୍କ ପରି ଜ୍ଞାନୋଦୟ ହୋଇଛି ? ଆମେ ଯଦି ବାସ୍ତବରେ ଜ୍ଞାନ ପ୍ରାପ୍ତ କରିବାକୁ ଇଚ୍ଛା କରୁଥାଏ, ତେବେ କେବଳ ଏହାକୁ ପଢ଼ିବା ଦ୍ୱାରା ନୁହେଁ, ବିଶ୍ୱାସ ଏବଂ ପ୍ରେମଯୁକ୍ତ ଶରଣାଗତି ମନୋଭାବ ଦ୍ୱାରା ତାଙ୍କର କୃପା ଭିକ୍ଷା କରିବା ଆବଶ୍ୟକ । ତାପରେ ତାଙ୍କ କୃପାରୁ ଭଗବଦ୍ ଗୀତାର ତାତ୍ପର୍ଯ୍ୟ ଆମେ ବୁଝିପାରିବା ।