Bhagavad Gita: Chapter 18, Verse 75

ବ୍ୟାସପ୍ରସାଦାଚ୍ଛ୍ରୁତବାନେତଦ୍‌ଗୁହ୍ୟମହଂ ପରମ୍ ।
ଯୋଗଂ ଯୋଗେଶ୍ୱରାତ୍ କୃଷ୍ଣାତ୍ ସାକ୍ଷାତ୍‌କଥୟତଃ ସ୍ୱୟମ୍ ।।୭୫।।

ବ୍ୟାସ ପ୍ରସାଦାତ୍‌- ବ୍ୟାସଦେବଙ୍କ କୃପାରୁ; ଶ୍ରୁତବାନ୍‌-ଶୁଣିଲି; ଏତତ୍‌-ଏହା; ଗୁହ୍ୟ-ଗୁଢ଼ ତଥ୍ୟ; ଅହଂ-ମୁଁ; ପରମ୍‌-ଶ୍ରେଷ୍ଠ; ଯୋଗଂ-ଯୋଗ; ଯୋଗେଶ୍ୱରାତ୍‌-ଯୋଗେଶ୍ୱରଙ୍କ ଠାରୁ; କୃଷ୍ଣାତ୍‌-କୃଷ୍ଣଙ୍କଠାରୁ; ସାକ୍ଷାତ୍‌-ପ୍ରତ୍ୟକ୍ଷଭାବେ; କଥୟତଃ-କହୁଥିବା; ସ୍ୱୟମ୍‌-ସ୍ୱୟଂ ।

Translation

BG 18.75: ମହର୍ଷି ବେଦବ୍ୟାସଙ୍କ କୃପାରୁ ଯୋଗର ଏହି ସର୍ବୋଚ୍ଚ ଏବଂ ଗୁଢ଼ ଜ୍ଞାନ, ମୁଁ ଯୋଗେଶ୍ୱର ସ୍ୱୟଂ ଶ୍ରୀକୃଷ୍ଣଙ୍କ ଠାରୁ ଶୁଣିବାକୁ ପାଇଲି ।

Commentary

ଶ୍ରୀକୃଷ୍ଣ ଦ୍ୱୈପାୟନ ବ୍ୟାସଦେବ, ଯିଏ ମହର୍ଷି ବେଦବ୍ୟାସ ନାମରେ ବିଖ୍ୟାତ, ସଞ୍ଜୟଙ୍କର ଆଧ୍ୟାତ୍ମିକ ଗୁରୁ ଥିଲେ । ଗୁରୁଙ୍କ କୃପାରୁ ସଞ୍ଜୟଙ୍କୁ ହସ୍ତିନାପୁର ରାଜପ୍ରାସାଦରେ ରହି, କୁରୁକ୍ଷେତ୍ରର ଯୁଦ୍ଧଭୂମିରେ ଘଟୁଥିବା ଘଟଣାବଳୀକୁ ଦେଖିପାରିବାର ଅଲୌକିକ ଶକ୍ତି ପ୍ରାପ୍ତ ହୋଇଥିଲା । ସଞ୍ଜୟ ଏଠାରେ ସ୍ୱୀକାର କରୁଛନ୍ତି ଯେ ତାଙ୍କ ଗୁରୁଙ୍କ କୃପାରୁ ହିଁ ସେ ଏହି ସର୍ବୋଚ୍ଚ ଯୋଗ ବିଜ୍ଞାନ ସ୍ୱୟଂ ଯୋଗେଶ୍ୱର ଶ୍ରୀକୃଷ୍ଣଙ୍କ ଠାରୁ ଶୁଣିବାର ସୁଯୋଗ ପାଇଲେ ।

ବ୍ରହ୍ମସୂତ୍ର, ପୁରାଣ, ମହାଭାରତ ଇତ୍ୟାଦିର ରଚୟିତା ବେଦବ୍ୟାସ ଭଗବାନଙ୍କର ଅବତାର ଥିଲେ ଏବଂ ସେ ନିଜେ ଅଲୌକିକ ଶକ୍ତିର ଅଧିକାରୀ ଥିଲେ । ତେଣୁ ସେ କେବଳ ଶ୍ରୀକୃଷ୍ଣ ଓ ଅର୍ଜୁନଙ୍କ ବାର୍ତ୍ତାଳାପ ଶୁଣି ନ ଥିଲେ, ସଞ୍ଜୟ ଓ ଧୃତରାଷ୍ଟ୍ରଙ୍କର ମଧ୍ୟରେ ହୋଇଥିବା କଥୋପକଥନ ମଧ୍ୟ ଶୁଣି ପାରିଥିଲେ । ସେଥିପାଇଁ ସେ ଉଭୟ ବାର୍ତ୍ତାଳାପକୁ ଭଗବଦ୍ ଗୀତା ସଙ୍କଳନର ଅନ୍ତର୍ଭୁକ୍ତ କରିଥିଲେ ।