Bhagavad Gita: Chapter 18, Verse 77

ତଚ୍ଚ ସଂସ୍ମୃତ୍ୟ ସଂସ୍ମୃତ୍ୟ ରୂପମତ୍ୟଦ୍ଭୁତଂ ହରେଃ ।
ବିସ୍ମୟୋ ମେ ମହାନ୍‌ରାଜନ୍‌ହୃଷ୍ୟାମି ଚ ପୁନଃ ପୁନଃ ।।୭୭।।

ତତ୍‌-ତାହା; ଚ-ଏବଂ; ସଂସ୍ମୃତ୍ୟ ସଂସ୍ମୃତ୍ୟ -ବାରମ୍ବାର ସ୍ମରଣ କରି; ରୂପଂ-ରୂପ; ଅତି-ମହାନ୍‌; ଅଦ୍ଭୁତଂ-ଆଶ୍ଚର୍ଯ୍ୟପ୍ରଦ; ହରେଃ-ଭଗବାନ ଶ୍ରୀକୃଷ୍ଣଙ୍କର; ବିସ୍ମୟଃ-ବିସ୍ମୟ; ମେ-ମୋର; ମହାନ୍‌-ମହାନ୍‌; ରାଜନ୍‌-ହେ ରାଜା; ହୃଷ୍ୟାମି-ଆନନ୍ଦିତ ହେଉଅଛି; ପୁନଃ ପୁନଃ- ବାରମ୍ବାର ।

Translation

BG 18.77: ଭଗବାନ ଶ୍ରୀକୃଷ୍ଣଙ୍କର ସେହି ବିସ୍ମୟକର ଏବଂ ଅଲୌକିକ ବିଶ୍ୱରୂପକୁ ସ୍ମରଣ କରି, ମୋର ଆଶ୍ଚର୍ଯ୍ୟର ସୀମା ରହୁନାହିଁ ତଥା ମୁଁ ବାରମ୍ବାର ଆନନ୍ଦରେ ଶିହରିତ ହୋଇ ଉଠୁଛି ।

Commentary

ଅର୍ଜୁନ ଭଗବାନଙ୍କର ବିଶ୍ୱରୂପ ଦର୍ଶନ କରିବାର ସୌଭାଗ୍ୟ ପ୍ରାପ୍ତ କରିଥିଲେ, ଯାହା ସର୍ବଶ୍ରେଷ୍ଠ ଯୋଗୀଗଣ ମଧ୍ୟ କ୍ୱଚିତ୍ ଦର୍ଶନ କରିଥାନ୍ତି । ଶ୍ରୀକୃଷ୍ଣ ତାଙ୍କୁ କହିଥିଲେ ଯେ ତାଙ୍କ ସମ୍ମୁଖରେ ସେ ନିଜର ବିଶ୍ୱରୂପ ପ୍ରକଟ କରିବେ, କାରଣ ଅର୍ଜୁନ ତାଙ୍କର ଭକ୍ତ, ସଖା ଏବଂ ଅତ୍ୟନ୍ତ ପ୍ରିୟ ଅଟନ୍ତି । ସଞ୍ଜୟ ମଧ୍ୟ ଏହି ବିଶ୍ୱରୂପ ଦର୍ଶନ କରି ପାରିଥିଲେ, କାରଣ ଜଣେ ପ୍ରବକ୍ତା ଭାବରେ ସେ ତାଙ୍କ ଦିବ୍ୟଲୀଳାରେ ଭାଗ ନେବାର ସୌଭାଗ୍ୟ ପ୍ରାପ୍ତ କରିଥିଲେ । ବେଳେବେଳେ ଏପରି ସମୟ ଆସେ, ଯେତେବେଳେ ଅପ୍ରତ୍ୟାଶିତ କୃପା ମିଳିଥାଏ । ଆମେ ଏହାର ସଦୁପଯୋଗ କଲେ, ଆମ ସାଧନାରେ ଦ୍ରୁତ ପ୍ରଗତି କରିପାରିବା । ସଞ୍ଜୟ ଯାହା ଦର୍ଶନ କଲେ, ତାହା ବାରମ୍ବାର ସ୍ମରଣ କରୁଛନ୍ତି ଏବଂ ଭକ୍ତିର ପ୍ରବାହରେ ନିଜକୁ ଭସାଇ ଦେଇଛନ୍ତି ।