Bhagavad Gita: Chapter 2, Verse 1

ସଂଜୟ ଉବାଚ
ତଂ ତଥା କୃପୟାବିଷ୍ଟମଶ୍ରୁପୂର୍ଣ୍ଣାକୁଳେକ୍ଷଣମ୍ ।
ବିଷୀଦନ୍ତମିଦଂ ବାକ୍ୟମୁବାଚ ମଧୁସୂଦନଃ ।।୧।।

ସଞ୍ଜୟ ଉବାଚ- ସଞ୍ଜୟ କହିଲେ; ତଂ-ଅର୍ଜୁନଙ୍କୁ; ତଥା-ସେହିପରି; କୃପୟା-କୃପାକରି; ଆବିଷ୍ଟଂ-ଅଭିଭୂତ; ଅଶ୍ରୁପୂର୍ଣ୍ଣ-ଅଶ୍ରୁପୂର୍ଣ୍ଣ; ଆକୁଳ-ବ୍ୟଥିତ; ଈକ୍ଷଣମ୍‌-ଚକ୍ଷୁ; ବିଷୀଦନ୍ତଂ-ବିଷାଦଗ୍ରସ୍ତ; ଇଦଂ-ଏହି; ବାକ୍ୟଂ- କଥା; ଉବାଚ- କହିଲେ; ମଧୁସୂଦନଃ-ମଧୁଦୈତ୍ୟର ହତ୍ୟାକାରୀ

Translation

BG 2.1: ସଞ୍ଜୟ କହିଲେ, ଅର୍ଜୁନଙ୍କର ଏହିପରି ଦୟାରେ ଅଭିଭୂତ ବିଷାଦଗ୍ରସ୍ତ ମନ ଏବଂ ଲୋତକ ପୂର୍ଣ୍ଣ ଚକ୍ଷୁକୁ ଦେଖି ଶ୍ରୀକୃଷ୍ଣ ଏହି ସବୁ କଥା କହିଲେ ।

Commentary

ଅର୍ଜୁନଙ୍କ ମନୋଭାବକୁ ବର୍ଣ୍ଣନା କରିବାକୁ ଯାଇ, ସଞ୍ଜୟ କୃପା ଅର୍ଥାତ୍ କରୁଣା ବା ଅନୁକମ୍ପା ଶବ୍ଦ ପ୍ରୟୋଗ କରିଛନ୍ତି । ଏହି ଅନୁକମ୍ପା ଦୁଇ ପ୍ରକାର ଅଟେ । ପ୍ରଥମଟି ଦିବ୍ୟ ଅନୁକମ୍ପା, ଯାହା ଈଶ୍ୱର ଏବଂ ସନ୍ଥମାନେ ଭଗବାନଙ୍କ ଠାରୁ ବିମୁଖ ହୋଇ କଷ୍ଟ ଭୋଗ କରୁଥିବା ମାୟିକ ଜଗତର ଜୀବମାନଙ୍କ ପ୍ରତି ଅନୁଭବ କରିଥାଆନ୍ତି । ଅନ୍ୟଟି ଭୌତିକ ଅନୁକମ୍ପା, ଯାହା ଆମ୍ଭମାନଙ୍କ ପରି ମାୟିକ ଜୀବ ଅନ୍ୟର କଷ୍ଟ ଦେଖି ଅନୁଭବ କରିଥାଏ । ଭୌତିକ ଅନୁକମ୍ପା ଏକ ମହତ୍ ଭାବନା ଅଟେ, କିନ୍ତୁ ତାହା ଉଚିତ୍ ଦିଗରେ ନିର୍ଦ୍ଦେଶିତ ହୋଇ ନ ଥାଏ । ଏହା ଏପରି ଅଟେ ଯେପରି ଗୋଟିଏ କାର୍‌ରେ ବସି କୌଣସି ସ୍ଥାନକୁ ଯିବା ସମୟରେ ଆମେ କ୍ଷୁଧାତୁର କାର୍ ଚାଳକ ପ୍ରତି ଦୃଷ୍ଟି ନ ଦେଇ କାର୍‌ର ଭଲ ମନ୍ଦ ପ୍ରତି ଚିନ୍ତିତ ରହିଥାଉ । ଅର୍ଜୁନ ଏହି ଦ୍ୱିତୀୟ ପ୍ରକାରର ମନୋଭାବ ପୋଷଣ କରୁଛନ୍ତି । ସେ ଯୁଦ୍ଧ ପାଇଁ ଏକତ୍ରିତ ହୋଇଥିବା ତାଙ୍କ ଶତ୍ରୁମାନଙ୍କ ପ୍ରତି ଏହି ଭୌତିକ ଅନୁକମ୍ପାରେ ଗ୍ରସିତ ହୋଇପଡ଼ିଛନ୍ତି । କିନ୍ତୁ ଅର୍ଜୁନ ଯେପରି ଦୁଃଖ ଏବଂ ନିରାଶାରେ ଅଭିଭୂତ ହୋଇ ପଡ଼ିଛନ୍ତି, ବାସ୍ତବରେ ଅନୁକମ୍ପାର ପ୍ରାର୍ଥୀ ସେ ହିଁ ଅଟନ୍ତି । ତେଣୁ ତାଙ୍କର ଅନ୍ୟ ପ୍ରତି ସଦୟ ହେବାର ଭାବନା ଅର୍ଥହୀନ ଅଟେ ।

ଏହି ଶ୍ଳୋକରେ ଶ୍ରୀକୃଷ୍ଣଙ୍କୁ ‘ମଧୁସୂଦନ’ ନାମରେ ସମ୍ବୋଧନ କରାଯାଇଛି । ସେ ମଧୁ ନାମକ ରାକ୍ଷସକୁ ବଧ କରି ମଧୁସୂଦନ ନାମ ପ୍ରାପ୍ତ କରିଥିଲେ, ଅର୍ଥାତ୍ ମଧୁ ଦୈତ୍ୟର ନିଧନକାରୀ । ଏଠାରେ ସେ ଦ୍ୱନ୍ଦ୍ୱ ରୂପୀ ଦାନବ, ଯାହା ଅର୍ଜୁନଙ୍କ ମନରେ ଉତ୍ପନ୍ନ ହୋଇ ତାଙ୍କ କର୍ତ୍ତବ୍ୟ ପାଳନରେ ବାଧା ସୃଷ୍ଟି କରୁଅଛି, ତାହାକୁ ନାଶ କରିବାକୁ ଯାଉଛନ୍ତି ।