Bhagavad Gita: Chapter 2, Verse 27

ଜାତସ୍ୟ ହି ଧ୍ରୁବୋ ମୃତ୍ୟୁର୍ଧ୍ରୁବଂ ଜନ୍ମ ମୃତସ୍ୟ ଚ ।
ତସ୍ମାଦପରିହାର୍ଯ୍ୟେଽର୍ଥେ ନ ତ୍ୱଂ ଶୋଚିତୁମର୍ହସି ।।୨୭।।

ଜାତସ୍ୟ-ଯିଏ ଜନ୍ମ ହୋଇଛି; ହି-ପାଇଁ; ଧ୍ରୁବଃ-ନିଶ୍ଚିତ; ମୃତ୍ୟୁଃ-ମୃତ୍ୟୁ; ଧ୍ରୁବଂ-ନିଶ୍ଚିତ; ଜନ୍ମ-ଜନ୍ମ; ମୃତସ୍ୟ-ମୃତର; ଚ-ଏବଂ; ତସ୍ମାତ୍‌-ତେଣୁ; ଅପରିହାର୍ଯ୍ୟେ ଅର୍ଥେ - ଯାହା ଅନିବାର୍ଯ୍ୟ; ନ-ନୁହେଁ; ତ୍ୱଂ-ତୁମେ; ଶୋଚିତୁମ୍‌-ଶୋକ କରିବା; ଅର୍ହସି-ଉଚିତ୍ ।

Translation

BG 2.27: ଯିଏ ଜନ୍ମ ହୋଇଛି ତାର ମୃତ୍ୟୁ ନିଶ୍ଚିତ । ଯାହାର ମୃତ୍ୟୁ ହୋଇଛି ତାର ପୁର୍ନଜନ୍ମ ନିଶ୍ଚିତ । ତେଣୁ ତୁମେ ଏହି ଅନିବାର୍ଯ୍ୟ ଘଟଣା ପାଇଁ ଶୋକ କରିବା ଉଚିତ ନୁହେଁ ।

Commentary

ଇଂରାଜୀରେ ଗୋଟିଏ ଲୋକପ୍ରିୟ ଢଗ ଅଛି, “ମୃତ୍ୟୁ ପରି ସୁନିଶ୍ଚିତ” । ବେଞ୍ଜାମିନ୍ ଫ୍ରାଙ୍କଲିନ କହିଥିଲେ: “କେବଳ ମୃତ୍ୟୁ ଏବଂ କର (ଞବଙ୍ଘ) ଜୀବନରେ ସୁନିଶ୍ଚିତ ଅଟେ” । ଜୀବନରେ ସବୁଠାରୁ ବଡ ସତ୍ୟ ଏହା ଯେ ଆମେ ସମସ୍ତେ ଦିନେ ମୃତ୍ୟୁ ମୁଖରେ ପଡ଼ିବା । ମନସ୍ତତ୍ତ୍ୱ ବିତ୍‌ମାନେ ମୃତ୍ୟୁର ଭୟକୁ ଜୀବନର ସବୁଠାରୁ ବଡ଼ ଭୟ ରୂପେ ବିବେଚନା କରନ୍ତି । ପତଞ୍ଜଳୀ ଯୋଗ ଦର୍ଶନରେ ମଧ୍ୟ ଅଭିନିବେଶ ବା ଯେ କୌଣସି ମୂଲ୍ୟରେ ବଞ୍ôଚରହିବାର ପ୍ରଚେଷ୍ଟାକୁ ମାୟିକ ବୁଦ୍ଧିର ଏକ ଗୁଣ ଭାବରେ ବର୍ଣ୍ଣନା କରାଯାଇଛି । ଯାହାର ଜନ୍ମ ହୁଏ, ତା’ର ମୃତ୍ୟୁ ସୁନିଶ୍ଚିତ । ତେଣୁ ଯେତେବେଳେ କୌଣସି ଘଟଣା ନିଶ୍ଚିତ, ତା ପାଇଁ ଅନୁଶୋଚନା କାହିଁକି? ମହାଭାରତରେ ଏହିପରି ଏକ ଘଟଣା ବର୍ଣ୍ଣନା କରାଯାଇଛି । ବନବାସ ସମୟରେ, ଦିନେ ଜଙ୍ଗଲରେ ବୁଲୁଥିବା ସମୟରେ ପାଣ୍ଡବମାନେ ତୃଷାଗ୍ରସ୍ତ ହୋଇ ଏକ କୂଅ ନିକଟରେ ପହଞ୍ôଚଲେ । ଯୁଧିଷ୍ଠିର ଭୀମଙ୍କୁ ସେମାନଙ୍କ ପାଇଁ ପାଣି ଆଣିବାକୁ କହିଲେ । ଭୀମ ଯେତେବେଳେ କୂଅ ପାଖକୁ ଗଲେ, କୂଅ ଭିତରୁ ଜଣେ ଯକ୍ଷ କହିଲେ, “ପ୍ରଥମେ ମୋର ପ୍ରଶ୍ନର ଉତ୍ତର ଦେଲେ ହିଁ ମୁଁ ତୁମକୁ ପାଣି ନେବାକୁ ଅନୁମତି ଦେବି” । ଭୀମ ତାଙ୍କ କଥାକୁ କର୍ଣ୍ଣପାତ ନ କରି ପାଣି କାଢିବାକୁ ଉଦ୍ୟତ ହୁଅନ୍ତେ ଯକ୍ଷ ତାଙ୍କୁ କୁଅ ମଧ୍ୟକୁ ଟାଣି ନେଲେ । କିଛି ସମୟ ପରେ ଭୀମ ନ ଫେରିବାର ଦେଖି, ଯୁଧିଷ୍ଠିର ବ୍ୟସ୍ତ ହୋଇ ଅର୍ଜୁନଙ୍କୁ କ’ଣ ହୋଇଛି ଦେଖିବା ପାଇଁ ଏବଂ ପାଣି ଆଣିବା ପାଇଁ ପଠାଇଲେ । ଅର୍ଜୁନ ଯେତେବେଳେ କୁଅ ନିକଟରେ ପହଞ୍ôଚଲେ, ତାଙ୍କୁ ମଧ୍ୟ ଯକ୍ଷ କହିଲେ, “ ମୁଁ ତୁମ ଭାଇଙ୍କୁ ବନ୍ଦୀ କରିସାରିଛି । ମୋର ସମସ୍ତ ପ୍ରଶ୍ନର ସଠିକ ଉତ୍ତର ଦେବା ପୂର୍ବରୁ ପାଣି ନେବା ପାଇଁ ଚେଷ୍ଟା କର ନାହିଁ । ଅର୍ଜୁନ ମଧ୍ୟ ତାଙ୍କ କଥା ଶୁଣିଲେ ନାହିଁ, ଏବଂ ଯକ୍ଷ ତାଙ୍କୁ ମଧ୍ୟ କୁଅ ମଧ୍ୟକୁ ଟାଣିନେଲେ । ତାପରେ ନକୁଳ ଓ ସହଦେବ ସେଠାକୁ ଗଲେ ଏବଂ ସେମାନଙ୍କର ମଧ୍ୟ ସେହି ଦଶା ହେଲା । ଶେଷରେ ଯୁଧିଷ୍ଠିର ନିଜେ କୁଅ ନିକଟକୁ ଆସିଲେ । ଏଥର ମଧ୍ୟ ଯକ୍ଷ କହିଲେ, ତୁମେ ଯଦି କୁଅରୁ ପାଣି ପିଇବାକୁ ଚାହୁଁଛ ତାହେଲେ ମୋ ପ୍ରଶ୍ନର ଉତ୍ତର ଦିଅ, ନଚେତ୍ ତୁମ ଚାରି ଭାଇଙ୍କ ପରି ତୁମକୁ ମଧ୍ୟ ମୁଁ କୁଅ ଭିତରକୁ ଟାଣିନେବି । ଯୁଧିଷ୍ଠିର ତାଙ୍କ ପ୍ରଶ୍ନର ଉତ୍ତର ଦେବାକୁ ରାଜି ହେଲେ । ବାସ୍ତବରେ ମୃତ୍ୟୁର ଦେବତା ଯମରାଜ ହିଁ ଛଦ୍ମ ବେଶରେ ଯକ୍ଷ ରୂପରେ ଥିଲେ । ସେ ଷାଠିଏଟି ପ୍ରଶ୍ନ କରିଥିଲେ, ଯାହାର ଉତ୍ତର ଯୁଧିଷ୍ଠିର ସଠିକ ଭାବେ ଦେଇଥିଲେ । ତନ୍ମଧ୍ୟରୁ ଗୋଟିଏ ପ୍ରଶ୍ନ ଥିଲା: କିଂ ଆଶ୍ଚର୍ଯ୍ୟମ୍‌? ସଂସାରରେ ସବୁଠାରୁ ବଡ ଆଶ୍ଚର୍ଯ୍ୟ କ’ଣ? ଯୁଧିଷ୍ଠିର ଉତ୍ତର ଦେଲେ:

ଅହନ୍ୟହନି ଭୂତାନି ଗଚ୍ଛନ୍ତୀହ ଯମାଳୟମ୍
ଶେଷାଃ ସ୍ଥିରତ୍ୱମ୍ ଇଚ୍ଛନ୍ତି କିମାଆଶ୍ଚର୍ଯ୍ୟମତଃ ପରମ୍ (ମହାଭାରତ)

“ପ୍ରତି ମୁହୂର୍ତ୍ତରେ ଲୋକେ ମରୁଛନ୍ତି । ଜୀବିତ ରହିଥିବା ଲୋକେ ଏହିସବୁ ଘଟଣା ଦେଖୁଛନ୍ତି, କିନ୍ତୁ ତଥାପି ସେମାନେ ଚିନ୍ତା କରୁନାହାନ୍ତି ଯେ ଦିନେ ସେମାନେ ମଧ୍ୟ ମୃତ୍ୟୁ ମୁଖରେ ପଡ଼ିବେ । ଏହାଠାରୁ ବଳି ଆଶ୍ଚର୍ଯ୍ୟ ଆଉ କ’ଣ ହୋଇପାରେ? ଶ୍ରୀକୃଷ୍ଣ ଏହି ଶ୍ଲୋକରେ ବୁଝାଉଛନ୍ତି ଯେ ଜୀବନର ଅନ୍ତ ଅନିବାର୍ଯ୍ୟ ଅଟେ, ତେଣୁ ଜ୍ଞାନୀ ବ୍ୟକ୍ତି ଏପରି ଏକ ନିଶ୍ଚିତ ଘଟଣା ପାଇଁ ଅନୁଶୋଚନା କରିବା ଉଚିତ ନୁହେଁ ।