ଅବ୍ୟକ୍ତାଦୀନି ଭୂତାନି ବ୍ୟକ୍ତମଧ୍ୟାନି ଭାରତ ।
ଅବ୍ୟକ୍ତନିଧନାନ୍ୟେବ ତତ୍ର କା ପରିଦେବନା ।।୨୮।।
ଅବ୍ୟକ୍ତାଦୀନି-ଜନ୍ମ ପୂର୍ବରୁ ଅପ୍ରକଟ; ଭୂତାନି-ସୃଷ୍ଟ ଜୀବ; ବ୍ୟକ୍ତ-ପ୍ରକଟିତ; ମଧ୍ୟାନି-ମଧ୍ୟ ଭାଗରେ; ଭାରତ- ହେ ଭରତ ବଂଶଜ; ଅବ୍ୟକ୍ତ-ଅପ୍ରକାଶ୍ୟ; ନିଧନାନି- ମୃତ୍ୟୁରେ; ଏବ-ବାସ୍ତବରେ; ତତ୍ର-ତହିଁରେ; କା-କି; ପରିଦେବନା-ଦୁଃଖ ।
Translation
BG 2.28: ହେ ଭାରତ ଶ୍ରେଷ୍ଠ! ଜନ୍ମ ପୂର୍ବରୁ ସମସ୍ତ ପ୍ରାଣୀ ଅପ୍ରକଟିତ ଥା’ନ୍ତି, ଜୀବନ କାଳରେ ପ୍ରକଟିତ ହୁଅନ୍ତି ଏବଂ ପୁନର୍ବାର ମୃତ୍ୟୁରେ ଅପ୍ରକଟ ହୋଇଯାନ୍ତି । ତେଣୁ ଶୋକ କାହଁକି କରୁଛ?
Commentary
ଶ୍ରୀକୃଷ୍ଣ ଆତ୍ମା ସମ୍ବନ୍ଧୀୟ ପଶ୍ଚାଚାପର କାରଣ ଶ୍ଲୋକ ୨.୨୦ରେ ଏବଂ ଶରୀର ସମ୍ବନ୍ଧୀୟ ପଶ୍ଚାତାପର କାରଣକୁ ଶ୍ଲୋ ୨.୨୭ରେ ଖଣ୍ଡନ କରିଛନ୍ତି । ବର୍ତ୍ତମାନ ଉଭୟକୁ ସେ ଏହି ଶ୍ଲୋକରେ ସମାହିତ କରିଛନ୍ତି । ଦେବର୍ଷି ନାରଦ ଯୁଧିଷ୍ଠିରଙ୍କୁ ଏହି ଅନୁରୂପ ଉପଦେଶ ଶ୍ରୀମଦ୍ ଭାଗବତମ୍ରେ ଦେଇଛନ୍ତି :
ଯନ୍ ମନ୍ୟସେ ଧ୍ରୁବଂ ଲୋକଂ ଅଧ୍ରୁବଂ ବା ନ ଚୋଭୟମ୍
ସର୍ବଥା ନ ହି ଶୋଚ୍ୟାସ୍ତେ ସ୍ନେହାଦ୍ ଅନ୍ୟତ୍ର ମୋହଜାତ୍ (୧.୧୩.୪୪)
ବ୍ୟକ୍ତିକୁ ତୁମେ ନିତ୍ୟ ଆତ୍ମା ରୂପେ କିମ୍ବା କ୍ଷଣସ୍ଥାୟୀ ଶରୀର ରୂପେ ବିଚାର କରିପାର ଅଥବା ଆତ୍ମା ଓ ଶରୀରର ଏକ ଅଚିନ୍ତ୍ୟ ମିଶ୍ରଣ ରୂପେ ପରିକଳ୍ପନା କରିପାର, କୌଣସି ସ୍ଥିତିରେ ତୁମେ ତାହା ସମ୍ବନ୍ଧରେ ଶୋଚନା କରିବା ଉଚିତ ନୁହେଁ ।
ମାୟିକ କ୍ଷେତ୍ରରେ, ପ୍ରତ୍ୟେକ ଆତ୍ମା ତିନି ପ୍ରକାରର ଶରୀର ଦ୍ୱାରା ଆବଦ୍ଧ ଥାଏ- ସ୍ଥୁଳ ଶରୀର, ସୁକ୍ଷ୍ମ ଶରୀର, କାରଣ ଶରୀର ।
ସ୍ଥ ୂଳ ଶରୀର: ପ୍ରକୃତିର ପାଞ୍ଚ ପ୍ରକାର ସ୍ଥୁଳ ଉପାଦାନରେ ଗଠିତ: ପୃଥିବୀ, ଜଳ, ତେଜ, ବାୟୁ ଏବଂ ଆକାଶ ।
ସୂକ୍ଷ୍ମ ଶରୀର: ଅଠରଟି ଉପାଦାନରେ ଗଠିତ: ପଞ୍ଚ ପ୍ରାଣ ବାୟୁ, ପାଞ୍ଚ କର୍ମେନ୍ଦ୍ରିୟ, ପାଞ୍ଚ ଜ୍ଞାନେନ୍ଦ୍ରିୟ, ମନ, ବୁଦ୍ଧି ଏବଂ ଅହଂକାର ।
କାରଣ ଶରୀର : ଅନନ୍ତ ଜନ୍ମର ସଂଚିତ କର୍ମକୁ ନେଇ କାରଣ ଶରୀର ଗଠିତ ।
ମୃତ୍ୟୁରେ ଆତ୍ମା ସ୍ଥୁଳ ଶରୀର ତ୍ୟାଗ କରି ସୂକ୍ଷ୍ମ ଶରୀର ଓ କାରଣ ଶରୀର ସହିତ ଗମନ କରିଥାଏ । ଭଗବାନ ଆତ୍ମାର ସୂକ୍ଷ୍ମ ଶରୀର ଓ କାରଣ ଶରୀର ଅନୁସାରେ ତାକୁ ଏକ ସ୍ଥୁଳ ଶରୀର ପ୍ରଦାନ କରିଥାନ୍ତି ଏବଂ ସେହି ଉଦ୍ଦ୍ୟେଶରେ ଏକ ଉପଯୁକ୍ତ ମାତୃ ଗର୍ଭକୁ ପଠାଇ ଦିଅନ୍ତି । ଆତ୍ମା ଗୋଟିଏ ସ୍ଥୁଳ ଶରୀର ତ୍ୟାଗ କରି ଅନ୍ୟ ଏକ ନୂତନ ସ୍ଥୁଳ ଶରୀର ପ୍ରାପ୍ତ କରିବା ମଧ୍ୟରେ ଏକ ସଂକ୍ରମଣକାଳୀନ ଅବଧି ରହିଥାଏ, ଯାହା କେତେ ସେକେଣ୍ଡ ଠାରୁ ଆରମ୍ଭ କରି କେତେ ବର୍ଷ ପର୍ଯ୍ୟନ୍ତ ହୋଇପାରେ । ତେଣୁ ଜନ୍ମ ପୂର୍ବରୁ ଆତ୍ମା ସୁକ୍ଷ୍ମ ଶରୀର ଓ କାରଣ ଶରୀର ସହିତ ଅବ୍ୟକ୍ତ ଭାବରେ ରହିଥାଏ । ମୃତ୍ୟୁ ପରେ ମଧ୍ୟ ଏହା ଅବ୍ୟକ୍ତ ସ୍ଥିତିରେ ରହେ । ମଝିରେ କେବଳ ଏହା ପ୍ରକଟ ହୋଇଥାଏ । ତେଣୁ ମୃତ୍ୟୁ ପାଇଁ ଶୋକ ପ୍ରକାଶ କରିବାର କୌଣସି ଯଥାର୍ଥତା ନାହିଁ ।