Bhagavad Gita: Chapter 2, Verse 33

ଅଥ ଚେତ୍ତ୍ୱମିମଂ ଧର୍ମ୍ୟଂ ସଂଗ୍ର୍ରାମଂ ନ କରିଷ୍ୟସି ।
ତତଃ ସ୍ୱଧର୍ମଂ କୀର୍ତିଂ ଚ ହିତ୍ୱା ପାପମବାପ୍‌ସ୍ୟସି ।।୩୩।।

ଅଥ-ତେଣୁ; ଚେତ୍‌-ଯଦି; ତ୍ୱଂ-ତୁମେ; ଇମଂ-ଏହି; ଧର୍ମ୍ୟଂ-ଧର୍ମନୀତିି ଦୃଷ୍ଟିରୁ କର୍ତ୍ତବ୍ୟ; ସଂଗ୍ରାମଂ-ଯୁଦ୍ଧ; ନ-ନାହିଁ; କରିଷ୍ୟସି-କରିବ; ତତଃ-ତାହାହେଲେ; ସ୍ୱଧର୍ମଂ-ତୁମର ଧର୍ମକର୍ମ; କୀର୍ତିଂ-କୀର୍ତ୍ତି ବା ଯଶ; ହିତ୍ୱା-ହରାଇ; ପାପଂ-ପାପକର୍ମର ଫଳ; ଅବାପ୍‌ସ୍ୟସି-ପ୍ରାପ୍ତ ହେବ ।

Translation

BG 2.33: ଯଦି ତୁମେ ଏହି ଧର୍ମ ଯୁଦ୍ଧ କରିବାକୁ ଇଚ୍ଛା ନ କର, ତେବେ ତୁମେ ନିଜର ସାମାଜିକ କର୍ତ୍ତବ୍ୟ ତ୍ୟାଗ କରି ସୁନାମ ହରାଇବ ଏବଂ ଫଳସ୍ୱରୂପ ପାପ ହିଁ ଅର୍ଜନ କରିବ ।

Commentary

ଯଦି ଜଣେ ଯୋଦ୍ଧା ଯୁଦ୍ଧକ୍ଷେତ୍ରରେ ଅହିଂସା ଆଚରଣ କରନ୍ତି, ତାହାକୁ ତାଙ୍କର କର୍ତ୍ତବ୍ୟ ପ୍ରତି ଉପେକ୍ଷା ଭାବରେ ଗ୍ରହଣ କରାଯିବ ଏବଂ ତାହା ପାପ କର୍ମ ରୂପେ ବିବେଚିତ ହେବ । ସୁତରାଂ, ଶ୍ରୀକୃଷ୍ଣ କହୁଛନ୍ତି ଯଦି ଅର୍ଜୁନ ଏହାକୁ ଅନୁଚିତ ଏବଂ ଅସୁବିଧାଜନକ ବିବେଚନା କରି ତ୍ୟାାଗ କରିବେ, ତେବେ ସେ ପାପ ଅର୍ଜନ କରିବେ । ପରାଶର ସ୍ମୃତି ଅନୁଯାୟୀ:

କ୍ଷତ୍ରିୟୋଃ ହି ପ୍ରଜା ରକ୍ଷନ୍‌ଶସ୍ତ୍ରପାଣିଃ ପ୍ରଦଣ୍ଡବାନ୍‌
ନିର୍ଜିତ୍ୟ ପରସୈନ୍ୟାଦି କ୍ଷିତିଂ ଧର୍ମେଣ ପାଳୟେତ୍ । (୧.୬୧)

“ଜଣେ କ୍ଷତ୍ରିୟର ବୃତ୍ତିଗତ କର୍ତ୍ତବ୍ୟ ହେଲା ଦେଶର ପ୍ରଜାମାନଙ୍କୁ ଶୋଷଣରୁ ରକ୍ଷା କରିବା । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ତାଙ୍କୁ ଉପଯୁକ୍ତ ସ୍ଥଳରେ ହିଂସାର ଉପଯୋଗ କରିବାକୁ ପଡିଥାଏ । ସେ ଶତ୍ରୁ ରାଜାଙ୍କ ସୈନ୍ୟମାନଙ୍କୁ ପରାସ୍ତ କରି ଧର୍ମନୀତିର ଅନୁସରଣ ପୂର୍ବକ ଦେଶର ଶାସନ କରିବା ଆବଶ୍ୟକ ।”

Watch Swamiji Explain This Verse