Bhagavad Gita: Chapter 2, Verse 47

କର୍ମଣ୍ୟେବାଧିକାରସ୍ତେ ମା ଫଳେଷୁ କଦାଚନ ।
ମା କର୍ମଫଳହେତୁର୍ଭୂର୍ମା ତେ ସଙ୍ଗୋଽସ୍ତ୍ୱକର୍ମଣି ।।୪୭।।

କର୍ମଣି-ବିହିତ କର୍ମରେ; ଏବ-କେବଳ; ଅଧିକାରଃ-ଅଧିକାର; ତେ-ତୁମର; ମା-ନୁହେଁ; ଫଳେଷୁ-ଫଳରେ; କଦାଚନ-କେବେହେଲେ; ମା-ନୁହେଁ; କର୍ମଫଳ-କର୍ମଫଳରେ; ହେତୁଃ-କାରଣ; ଭୂଃ-ହୁଅ; ମା-ନୁହଁ; ତେ-ତୁମର; ସଙ୍ଗ-ଆସକ୍ତି ବା ସଙ୍ଗ; ଅସ୍ତୁ- ହେଉ; ଅକର୍ମଣି-ନୈଷ୍କର୍ମରେ ।

Translation

BG 2.47: ବେଦବିହିତ କର୍ମ କରିବାରେ ତୁମର ଅଧିକାର ଅଛି, କିନ୍ତୁ କର୍ମର ଫଳରେ ତୁମର ଅଧିକାର ନାହିଁ । ନିଜକୁ କେବେ ବି ତୁମର କର୍ମ ଫଳର କାରଣ ଭାବେ ବିବେଚନା କରନାହିଁ, ବା କର୍ତ୍ତବ୍ୟହୀନତା ପ୍ରତି ଆକୃଷ୍ଟ ହୁଅନାହିଁ ।

Commentary

ଭଗବଦ୍ ଗୀତାର ଏହି ଶ୍ଲୋକ ଅତ୍ୟନ୍ତ ଲୋକପ୍ରିୟ ଅଟେ, ଏପରିକି ଭାରତର ଅନେକ ସ୍କୁଲର ଛାତ୍ରମାନେ ମଧ୍ୟ ଏହି ଶ୍ଲୋକ ଜାଣିଛନ୍ତି । ଏହା କର୍ମ କରିବାର ଅତ୍ୟନ୍ତ ଗଭୀର ଅନୁଚିନ୍ତା ବ୍ୟକ୍ତ କରେ ଏବଂ ଅଧିକାଂଶତଃ ଯେଉଁଠାରେ ବି କର୍ମଯୋଗ ବିଷୟରେ ଆଲୋଚନା ହୋଇଥାଏ ଏହାକୁ ଉଦ୍ଧୃତ କରାଯାଇଥାଏ । ଏହି ଶ୍ଲୋକ କର୍ମର ବିଜ୍ଞାନ ସମ୍ବନ୍ଧରେ ଚାରିଗୋଟି ନିର୍ଦ୍ଦେଶ ଦେଇଥାଏ: ୧) ତୁମର କର୍ତ୍ତବ୍ୟ କର, କିନ୍ତୁ ଏହାର ଫଳ ପ୍ରତି ଚିନ୍ତିତ ହୁଅନାହିଁ । ୨) କର୍ମର ଫଳ ତୁମର ଉପଭୋଗ ପାଇଁ ଉଦ୍ଦିଷ୍ଟ ନୁହେଁ । ୩) କର୍ମ କରିବା ସମୟରେ କର୍ମର କର୍ତ୍ତା ଭାବରେ ଗର୍ବ ତ୍ୟାଗ କର । ୪) ଅକର୍ମଣ୍ୟ ଭାବ ପୋଷଣ କରନାହିଁ ।

ତୁମର କର୍ତ୍ତବ୍ୟ କର କିନ୍ତୁ ଏହାର ଫଳରେ ନିଜକୁ ସଂଶ୍ଳିଷ୍ଟ କରନାହିଁ । କର୍ମ କରିବାରେ ଆମର ଅଧିକାର ଅଛି, କିନ୍ତୁ କର୍ମର ଫଳ କେବଳ ଆମ ଉଦ୍ୟମ ଉପରେ ନିର୍ଭର କରେ ନାହିଁ । ଫଳାଫଳକୁ ଅନେକଗୁଡ଼ିଏ ଉପାଦାନର ସମାହାର ନିର୍ଦ୍ଧାରିତ କରିଥାଏ- ଆମର ଉଦ୍ୟମ, ଭାଗ୍ୟ (ପୁର୍ବଜନ୍ମର କର୍ମ), ଭଗବାନଙ୍କର ଇଚ୍ଛା, ଅନ୍ୟମାନଙ୍କର ଉଦ୍ୟମ, ସଂଶ୍ଳିଷ୍ଟଥିବା ସମସ୍ତ ବ୍ୟକ୍ତିଙ୍କ ସମ୍ମିଳିତ କର୍ମ, ସ୍ଥାନ ଓ ପରିସ୍ଥିତି (ଭାଗ୍ୟ ବଶତଃ) ଇତ୍ୟାଦି । ତେଣୁ ଆମେ ଯଦି ଫଳ ପ୍ରତି ଉତ୍‌କଣ୍ଠିତ ରହିବା, ଯେତେବେଳେ ବି ଫଳାଫଳ ଆମର ଆଶା ଅନୁରୂପ ହେବନାହିଁ ଆମେ ହତୋତ୍ସାହିତ ହୋଇପଡ଼ିବା । ତେଣୁ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଉପଦେଶ ଦେଉଛନ୍ତି ଯେ କର୍ମ ଫଳ ପ୍ରତି ଚିନ୍ତିତ ନ ହୋଇ କେବଳ କର୍ମରେ ନିଜର ଧ୍ୟାନକୁ କେନ୍ଦ୍ରିତ କର । ବାସ୍ତବରେ ଯେତେବେଳେ ଆମେ ଫଳଠାରୁ ନିଜର ଧ୍ୟାନ ହଟାଇ ନିଜର ଉଦ୍ୟମରେ ସମ୍ପୂର୍ଣ୍ଣ ଧ୍ୟାନ କେନ୍ଦ୍ରିତ କରିବାରେ ସକ୍ଷମ ହେଉ, ଫଳ ତା’ଠାରୁ ଅଧିକ ଉତ୍ତମ ହୋଇଥାଏ ।

ଏହାର ଏକ ବିନୋଦପୂର୍ଣ୍ଣ ସଂକ୍ଷିପ୍ତ ନାମ ଘଇଞଙ କ୍ଟକ୍ସ ଦ୍ଭକ୍ଟଗ୍ଧ ବଗ୍ଧଗ୍ଧବମଷରୟ ଗ୍ଧକ୍ଟ କ୍ଟଙ୍କଗ୍ଧମକ୍ଟଜ୍ଞର ଫଳ ସହିତ ଜଡ଼ିତ ନ ହେବା ଅଟେ । ଏହାର ପ୍ରୟୋଗ ଗଲ୍‌ଫ ଖେଳ ପରି ଏକ ସାମାନ୍ୟ ଦୈନନ୍ଦିନ କାର୍ଯ୍ୟରେ ଦେଖିବା । ଲୋକମାନେ ଯେତେବେଳେ ଗଲ୍‌ଫ ଖେଳନ୍ତି ସେମାନେ ପ୍ରାୟତଃ ନିଜର ଧ୍ୟାନ ଫଳରେ କେନ୍ଦ୍ରିତ କରିଥାନ୍ତି- ତାଙ୍କର ଅଙ୍କ କମ୍ ଅଛି ବା ଅଧିକ ଅଛି ଇତ୍ୟାଦି । ଯଦି ସେମାନେ କେବଳ ତାଙ୍କର କ୍ଷମତା ଅନୁସାରେ ସଟ୍ ମାରିବା ଉପରେ ଧ୍ୟାନ ଦିଅନ୍ତେ, ତାହେଲେ ଏହା ସେମାନେ ଖେଳିଥିବା ସମସ୍ତ ଖେଳଠାରୁ ଅଧିକ ଉପଭୋଗ୍ୟ ହୋଇଥାନ୍ତା । ସଟ୍ ମାରିବାରେ ପୂର୍ଣ୍ଣ ଧ୍ୟାନ ଦେବା ଯୋଗୁଁ ତାଙ୍କର ଖେଳଟି ଉଚ୍ଚକୋଟୀର ହୋଇଥାନ୍ତା ।

କର୍ମର ଫଳ ତୁମର ଉପଭୋଗ ପାଇଁ ଉଦ୍ଦିଷ୍ଟ ନୁହେଁ । କର୍ମ କରିବା ମନୁଷ୍ୟର ଏକ ସହଜାତ ସ୍ୱଭାବ ଅଟେ । ସଂସାରରେ ଜନ୍ମ ଗ୍ରହଣ କରି ଆମର ବିଭିନ୍ନ ପ୍ରକାରର କର୍ମ ରହିଛି ଯାହା କି ପାରିବାରିକ ସ୍ଥିତି, ସାମାଜିକ ସ୍ଥିତି, ବୃତ୍ତି ଇତ୍ୟାଦି ଦ୍ୱାରା ନିର୍ଦ୍ଧାରିତ ହୋଇଥାଏ । କର୍ତ୍ତବ୍ୟ କରିବା ସମୟରେ ଆମେ ମନେ ରଖିବା ଉଚିତ ଯେ, ଆମେ ଫଳର ଉପଭୋକ୍ତା ନୁହେଁ - ଫଳ ଭଗବାନଙ୍କ ସୁଖ ପାଇଁ ଉଦ୍ଦିଷ୍ଟ । ପ୍ରତ୍ୟେକ ଜୀବ ଭଗବାନଙ୍କର ଏକ କ୍ଷୁଦ୍ର ଅଂଶ ଅଟନ୍ତି (ଶ୍ଳୋକ୧୫.୭), ତେଣୁ ଆମର ସମସ୍ତ କର୍ମ ଦ୍ୱାରା ତାଙ୍କର ସେବା କରିବା ଆମର ସ୍ୱାଭାବିକ ଗୁଣ ଅଟେ ।

ଦାସ ଭୂତମିଦଂ ତସ୍ୟ ଜଗତ୍‌ସ୍ଥାବର ଜଙ୍ଗମମ୍‌
ଶ୍ରୀମନ୍ନାରାୟଣ ସ୍ୱାମୀ ଜଗତାନ୍‌ପ୍ରଭୁରୀଶ୍ୱରଃ । (ପଦ୍ମପୁରାଣ)

“ଭଗବାନ ସମସ୍ତ ସୃଷ୍ଟିର ନିୟନ୍ତା ଅଟନ୍ତି । ସମସ୍ତ ଚର-ଅଚର ଜୀବ ତାଙ୍କର ଦାସ ଅଟନ୍ତି ।” ବସ୍ତୁବାଦୀ ଚିନ୍ତାଧାରା ନିମ୍ନୋକ୍ତ ବିଚାର ଦ୍ୱାରା ନିରୂପିତ ହୋଇଥାଏ - “ମୋର ଯାହା ଅଛି ମୁଁ ତାର ମାଲିକ । ଏସବୁ ମୋର ଉପଭୋଗ ପାଇଁ ଉଦ୍ଦିଷ୍ଟ । ଏସବୁକୁ ବୃଦ୍ଧି କରିବା ଓ ଅଧିକ ଉପଭୋଗ କରିବାର ମୋର ଅଧିକାର ଅଛି ।” ଆଧ୍ୟାତ୍ମିକ ଚେତନା ଏହାର ବିପରୀତ ଅଟେ ଯାହା ଏହି ଚିନ୍ତାଧାରା ଦ୍ୱାରା ନିରୂପିତ ହୁଏ, “ସମଗ୍ର ସଂସାରର ମାଲିକ ଏବଂ ଭୋକ୍ତା ଭଗବାନ ଅଟନ୍ତି । ମୁଁ କେବଳ ତାଙ୍କର ଜଣେ ନିଷ୍କାମ ସେବକ ଅଟେ । ମୋ ପାଖରେ ଯାହାବି ଅଛି ସେ ସବୁକୁ ମୁଁ ଭଗବାନଙ୍କ ସେବାରେ ନିୟୋଜିତ କରିବା ଉଚିତ ।” ତଦନୁଯାୟୀ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ନିର୍ଦ୍ଦେଶ ଦେଉଛନ୍ତି ଯେ, ସେ ନିଜକୁ ତାଙ୍କର କର୍ମଫଳର ଭୋକ୍ତା ରୂପେ ଚିନ୍ତା କରନ୍ତୁ ନାହିଁ ।

କର୍ମ କରିବା ସମୟରେ ମଧ୍ୟ କର୍ତ୍ତା ଭାବରେ ଗର୍ବ ତ୍ୟାଗ କର । ଶ୍ରୀକୃଷ୍ଣ ଏହା ଇଚ୍ଛା କରୁଛନ୍ତି ଯେ ଅର୍ଜୁନ କତ୍ତୃତ୍ୱାଭିମାନ ବା କର୍ତ୍ତା ହେବାର ଗର୍ବ ତ୍ୟାଗ କରନ୍ତୁ । ସେ ଅର୍ଜୁନଙ୍କୁ ନିର୍ଦ୍ଦେଶ ଦେଉଛନ୍ତି ଯେ, ସେ ତାଙ୍କ କର୍ମ ମାଧ୍ୟମରେ କୌଣସି ପୂର୍ବନିର୍ଦ୍ଧାରିତ ଅଭିପ୍ରାୟର ପଶ୍ଚାତ୍‌ଧାବନ କରନ୍ତୁ ନାହିଁ କିମ୍ବା କର୍ମଫଳର କାରଣ ଭାବେ ନିଜକୁ ବିବେଚିତ କରନ୍ତୁ ନାହିଁ । ତଥାପି କର୍ମ ଯେତେବେଳେ ଆମ ଦ୍ୱାରା କରାଯାଉଛି, ସେହି କର୍ମଗୁଡ଼ିକର କର୍ତ୍ତା ଭାବରେ ଆମେ ନିଜକୁ କାହିଁକି ବିବେଚିତ କରିବୁ ନାହିଁ? ଏହାର କାରଣ ହେଲା ଆମର ଇନ୍ଦ୍ରୟ, ମନ ଓ ବୁଦ୍ଧି ଜଡ଼ ଅଟନ୍ତି; ଭଗବାନ ତାଙ୍କ ଶକ୍ତି ଦ୍ୱାରା ସେମାନଙ୍କୁ ଶକ୍ତିଯୁକ୍ତ କରି ଆମର ତତ୍ୱାବଧାନରେ ଦିଅନ୍ତି । ଫଳସ୍ୱରୂପ, ତାଙ୍କ ପ୍ରଦତ୍ତ ଶକ୍ତି ଦ୍ୱାରା ହିଁ ଆମେ କୌଣସି କର୍ମ କରିବାରେ ସକ୍ଷମ ହେଉ । ଉଦାହରଣ ସ୍ୱରୂପ, ରୋଷେଇଶାଳରେ ଥିବା ଚିମୁଟାଟିଏ ନିଜେ ନିଷ୍କ୍ରିୟ ଅଟେ, କିନ୍ତୁ କୌଣସି ବ୍ୟକ୍ତିର ହାତ ଦ୍ୱାରା ଶକ୍ତି ପ୍ରାପ୍ତ ହୋଇ ଜଳ୍ୱନ୍ତ କୋଇଲାକୁ ଉଠାଇବା ପରି କଷ୍ଟ ସାଧ୍ୟ କାର୍ଯ୍ୟ କରିବାରେ ମଧ୍ୟ ସକ୍ଷମ ହୋଇଥାଏ । ଆମେ ଯଦି ଚିମୁଟାକୁ କର୍ମର କର୍ତ୍ତା ବୋଲି କହିବା, ତାହା ଠିକ୍ ହେବ ନାହିଁ । ଯଦି ହାତ ତାକୁ ଶକ୍ତି ପ୍ରଦାନ କରି ନ ଥାନ୍ତା, ସେ ତାହା କରିବାକୁ ସକ୍ଷମ ହୋଇଥାନ୍ତା କି? ତାହା ରୋଷେଇଶାଳରେ ନିଷ୍କ୍ରିୟ ଭାବେ ପଡ଼ି ରହିଥାନ୍ତା । ସେହିପରି, ଭଗବାନ ଯଦି ଆମର ଶରୀର-ମନ-ଆତ୍ମାକୁ ତାଙ୍କର ଶକ୍ତି ପ୍ରଦାନ କରି ନ ଥା’ନ୍ତେ ତେବେ ଆମେ କିଛି କରିପାରନ୍ତେ ନାହିଁ । ତେଣୁ ଆମର ସମସ୍ତ କର୍ମ ପାଇଁ ଶକ୍ତିର ଉତ୍ସ ଭଗବାନ ହିଁ ଅଟନ୍ତି, ଏହିପରି ମନେକରି ଆମେ କର୍ତ୍ତାପଣର ଅହଂକାର ତ୍ୟାଗ କରିବା ଉଚିତ ।

ଏହି ସମସ୍ତ ବିଚାର ନିମ୍ନୋକ୍ତ ଲୋକପ୍ରିୟ ସଂସ୍କୃତ ଶ୍ଳୋକରେ ସୁନ୍ଦର ଭାବରେ ଚିତ୍ରଣ କରାଯାଇଛି:

ଯତ୍‌କୃତଂ ଯତ୍‌କରିଷ୍ୟାମି ତତ୍‌ସର୍ବଂ ନ ମୟା କୃତମ୍‌
ତ୍ୱୟା କୃତଂ ତୁ ଫଳଭୁକ୍ ତ୍ୱମେବ ମଧୁସୂଦନ ।

“ମୁଁ ଯାହାବି ହାସଲ କରିଛି ଓ କରିବାକୁ ଚାହୁଁଛି, ମୁଁ ସେସବୁର କର୍ତ୍ତା ନୁହେଁ । ହେ ମଧୂସୁଦନ ତୁମେ ହିଁ ପ୍ରକୃତ କର୍ତ୍ତା ଅଟ ଏବଂ ସମସ୍ତ ଫଳର ଉପଭୋକ୍ତା ତୁମେ ହିଁ ଅଟ ।”

ନିଷ୍କ୍ରିୟତା ଭାବ ପୋଷଣ କର ନାହିଁ । ଯଦିଓ କର୍ମ କରିବା ସମସ୍ତ ପ୍ରାଣୀଙ୍କର ସ୍ୱଭାବ ଅଟେ, ତଥାପି ଅନେକ ସମୟରେ ଏପରି ପରିସ୍ଥିିତି ଉପୁଜିଥାଏ ଯେତେବେଳେ କର୍ମ ବୋଝସଦୃଶ ଓ ବିଭ୍ରାନ୍ତିକର ମନେ ହୁଏ । ସେପରି କ୍ଷେତ୍ରରେ, ଶ୍ରୀକୃଷ୍ଣ ଅଜୁର୍ନଙ୍କୁ ଯାହା ଉପଦେଶ ଦେଇଛନ୍ତି, କର୍ମ ଠାରୁ ଦୂରେଇ ନ ଯାଇ କର୍ମର ବିଜ୍ଞାନ ବୁଝି ତାହାକୁ ପାଳନ କରିବା ଉଚିତ । କିନ୍ତୁ କର୍ମକୁ କଷ୍ଟସାଧ୍ୟ ଏବଂ ବୋଝ ମନେକରି ନିଷ୍କ୍ରିୟ ହୋଇଯିବା ଆଦୌ ଉଚିତ୍ ନୁହେଁ । ନିଷ୍କ୍ରିୟତା କେବେ ବି ସମାଧାନର ପନ୍ଥା ନୁହେଁ, ସେଥିପାଇଁ ଶ୍ରୀକୃଷ୍ଣ ଏହାର ନିନ୍ଦା କରିଛନ୍ତି ।

Watch Swamiji Explain This Verse