Bhagavad Gita: Chapter 2, Verse 49

ଦୂରେଣ ହ୍ୟବରଂ କର୍ମ ବୁଦ୍ଧିଯୋଗାଦ୍ଧନଞ୍ଜୟ ।
ବୁଦ୍ଧୌ ଶରଣମନ୍ୱିଚ୍ଛ କୃପଣାଃ ଫଳହେତବଃ ।।୪୯।।

ଦୂରେଣ-ତ୍ୟାଗ କରିବା; ହି-ନିଶ୍ଚିତଭାବେ; ଅବରଂ-ନିକୃଷ୍ଟ; କର୍ମ-ସକାମ କର୍ମ; ବୁଦ୍ଧିଯୋଗାତ୍‌- ଦିବ୍ୟ ଜ୍ଞାନରେ ସ୍ଥିତ ବୁଦ୍ଧି; ଧନଞ୍ଜୟ- ହେ ଧନଞ୍ଜୟ !; ବୁଦ୍ଧୌ-ଦିବ୍ୟ ଜ୍ଞାନ ଏବଂ ଅନ୍ତର୍ଦୃଷ୍ଟି; ଶରଣଂ-ଶରଣାଗତି; ଅନ୍ୱିଚ୍ଛ-ଇଚ୍ଛାକରି; କୃପଣଃ-କୃପଣମାନେ; ଫଳ ହେତବଃ-ଯେଉଁମାନେ କର୍ମର ଫଳ ଇଚ୍ଛା କରନ୍ତି ।

Translation

BG 2.49: ହେ ଅର୍ଜୁନ! ଦିବ୍ୟ ଜ୍ଞାନ ଓ ଅନ୍ତର୍ଦୃଷ୍ଟିର ଆଶ୍ରୟ ଗ୍ରହଣ କର ଏବଂ ସକାମ କର୍ମର ତ୍ୟାଗ କର, ଯାହା ଦିବ୍ୟଜ୍ଞାନରେ ସ୍ଥିତ ବୁଦ୍ଧିର ଉପଯୋଗ କରି କରାଯାଉଥିବା କର୍ମ ଠାରୁ ନିଶ୍ଚିତ ଭାବରେ ନିକୃଷ୍ଟ ଅଟେ । ଯେଉଁମାନେ କର୍ମରେ ଫଳ ଭୋଗର ଆଶା କରନ୍ତି ସେମାନେ ଲୋଭୀ ଅଟନ୍ତି ।

Commentary

କର୍ମର ଦୁଇଟି ଦିଗ ରହିଛି । ୧) ଆମେ କରୁଥିବା ବାହ୍ୟ କ୍ରିୟା । ୨) କର୍ମ ପ୍ରତି ଆମର ଆନ୍ତରିକ ମନୋଭାବ । ଉଦାହରଣ ସ୍ୱରୂପ, ମନେ କରନ୍ତୁ, ପବିତ୍ର ଧାମ ବୃନ୍ଦାବନରେ ଗୋଟିଏ ମନ୍ଦିର ତିଆରି ହେଉଛି । ଶ୍ରମିକମାନେ ଗୋଟିଏ ପବିତ୍ର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି, କିନ୍ତୁ ସେମାନଙ୍କର ମନୋଭାବ ସାଂସାରିକ ଅଟେ । ସେମାନେ ପାଉଥିବା ପାରିଶ୍ରମିକ ସହିତ ସେମାନଙ୍କର ସମ୍ବନ୍ଧ । ଯଦି ଅନ୍ୟ କେହିଜଣେ ତାଙ୍କୁ ଅଧିକ ପାରିଶ୍ରମିକ ଦିଅନ୍ତି, ତେବେ ସେମାନେ ତାଙ୍କର କାର୍ଯ୍ୟ ବଳଦାଇବାରେ କୁଣ୍ଠିତ ହେବେ ନାହିଁ । ବୃନ୍ଦାବନରେ ଜଣେ ସାଧୁ ବାସ କରୁଥିଲେ । ଗୋଟିଏ ମନୋରମ ମନ୍ଦିର ନିର୍ମାଣ ହେଉଥିବା ଦେଖି ଭଗବାନଙ୍କ ସେବା ଉଦ୍ଦେଶ୍ୟରେ କର ସେବା (ସ୍ୱେଚ୍ଛାକୃତ ସେବା) କରିବାକୁ ଲାଗିଲେ । ବାହ୍ୟ ଦୃଷ୍ଟିରୁ ଉଭୟ ସାଧୁ ଓ ଶ୍ରମିକମାନଙ୍କର କାର୍ଯ୍ୟ ଏକାପରି ଅଟେ, କିନ୍ତୁ ଆନ୍ତରିକ ମନୋଭାବରେ ବିରାଟ ବ୍ୟବଧାନ ରହିଅଛି ।

ଏଠାରେ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କର୍ମ ପ୍ରତି ଉଚ୍ଚ ମନୋଭାବ ପୋଷଣ କରିବାକୁ ଉପଦେଶ ଦେଉଛନ୍ତି । ସେ କହୁଛନ୍ତି ଯେ ଯେଉଁମାନେ ନିଜ ସୁଖର ଆଶା ରଖି କର୍ମ କରନ୍ତି ସେମାନେ କୃପଣ ଅଟନ୍ତି । ଯେଉଁମାନେ ଫଳ ପ୍ରତି ନିରାସକ୍ତ ହୋଇ ତାଙ୍କ କର୍ମକୁ ଉଚ୍ଚ ଲକ୍ଷ୍ୟରେ ଅର୍ପଣ କରନ୍ତି ସେମାନେ ଶ୍ରେଷ୍ଠ ଅଟନ୍ତି । ଯେଉଁମାନେ କର୍ମଫଳକୁ ଭଗବାନଙ୍କୁ ଅର୍ପଣ କରନ୍ତି, ସେମାନେ ପ୍ରକୃତରେ ଜ୍ଞାନୀ ଅଟନ୍ତି ।

ଏଠାରେ କୃପଣ ଶବ୍ଦ ବ୍ୟବହାର ହୋଇଛି । ଶ୍ରୀମଦ୍ ଭାଗବତରେ କୃପଣର ବର୍ଣ୍ଣନା ଏହିପରି କରାଯାଇଛି ।

ନ ବେଦ କୃପଣଃ ଶ୍ରେୟ ଆତ୍ମନୋ ଗୁଣ-ବସ୍ତୁ-ଦୃକ୍‌
ତସ୍ୟ ତାନ୍ ଇଚ୍ଛତୋ ଯଚ୍ଛେଦ୍ ଯଦି ସୋଽପି ତଥା-ବିଧଃ । (୬.୯.୪୯)

“କୃପଣ ସେମାନେ ଅଟନ୍ତି ଯେଉଁମାନେ ଏପରି ଚିନ୍ତା କରନ୍ତି ଯେ ଭୌତିକ ଶକ୍ତିରୁ ଜାତ ଇନ୍ଦ୍ରିୟ ଭୋଗ ବସ୍ତୁ ଗୁଡ଼ିକ ହିଁ ଅନ୍ତିମ ସତ୍ୟ ଅଟେ ।” ଶ୍ରୀମଦ୍ ଭାଗବତମ୍ ପୁଣି କହେ କୃପଣୋ ଯୋଽଜିତେନ୍ଦ୍ରିୟଃ (୧୧.୧୯.୪୪) । “କୃପଣର ଇନ୍ଦ୍ରିୟମାନଙ୍କ ଉପରେ ନିୟନ୍ତ୍ରଣ ନ ଥାଏ ।”

ଜଣେ ବ୍ୟକ୍ତି ଯେତେବେଳେ ଚେତନାର ଉଚ୍ଚ ସ୍ତରରେ ସ୍ଥିତ ହୋଇଯାଆନ୍ତି, ସେ ସ୍ୱାଭାବିକ ଭାବରେ କର୍ମଫଳ ଉପଭୋଗ କରିବାର ପ୍ରବୃତ୍ତି ତ୍ୟାଗ କରି ସେବା ଅଭିମୁଖୀ ହୋଇଥାଆନ୍ତି । ବିଲ୍ ଗେଟସ୍ ମାଇକ୍ରୋସଫ୍ଟ କରପୋରେସନ୍‌ରୁ ତାଙ୍କର ପଦବୀ ତ୍ୟାଗ କରି ସମାଜ ସେବାରେ ନିଜକୁ ନିୟୋଜିତ କରିଛନ୍ତି । ସେହିପରି ବିଲ୍ କ୍ଲିଣ୍ଟନ୍ ଆମେରିକାର ରାଷ୍ଟ୍ରପତି ପଦର କ୍ଷମତା ଓ ମର୍ଯ୍ୟାଦା ଉପଭୋଗ କରିସାରିବା ପରେ, ମାନବ ସେବାର ମହନୀୟତା ବିଷୟରେ ପ୍ରଚାର କରୁଛନ୍ତି ଏବଂ “ଦେବା - ଆମେ ସମସ୍ତେ କିପରି ଦୁନିଆକୁ ବଦଳାଇ ପାରିବା” ଶୀର୍ଷକ ଏକ ପୁସ୍ତକ ମଧ୍ୟ ରଚନା କରିଛନ୍ତି । ସେମାନଙ୍କର ସେବା କାର୍ଯ୍ୟରେ ଯୋଗଦାନ ପ୍ରଶଂସନୀୟ କିନ୍ତୁ ଆଭିମୁଖ୍ୟ ତ୍ରୁଟିପୂର୍ଣ୍ଣ ଅଟେ । ଆମେ ଯେତେବେଳେ ଭଗବାନଙ୍କ ଉଦ୍ଦେଶ୍ୟରେ ସେବା କରି ସମସ୍ତ ଫଳ ତାଙ୍କୁ ଅର୍ପଣ କରିବା ଶିଖିଯାଉ, ସେତେବେଳେ ତାହା ପୂର୍ଣ୍ଣ ହୋଇଯାଏ ।