Bhagavad Gita: Chapter 2, Verse 52

ଯଦା ତେ ମୋହକଲିଳଂ ବୁଦ୍ଧିର୍ବ୍ୟତିତରିଷ୍ୟତି ।
ତଦା ଗନ୍ତାସି ନିର୍ବେଦଂ ଶ୍ରୋତବ୍ୟସ୍ୟ ଶ୍ରୁତସ୍ୟ ଚ ।।୫୨।।

ଯଦା-ଯେତେବେଳେ; ତେ-ତୁମର; ମୋହ-ମାୟାମୋହ; କଲିଳଂ-ପଙ୍କକୁ; ବୁଦ୍ଧିଃ-ବୁଦ୍ଧି; ବ୍ୟତି ତରିଷ୍ୟତି- ଅତିକ୍ରମ କରାଯିବ; ତଦା-ସେତେବେଳେ; ଗନ୍ତାସି-ତୁମେ ହୋଇଯିବ; ନିର୍ବେଦଂ -ନିର୍ବେଦ ବା ଉଦାସୀନ; ଶ୍ରୋତବ୍ୟସ୍ୟ-ଯାହା ଶୁଣିବାକୁ ହେବ; ଶ୍ରୁତସ୍ୟ-ଯାହା ଶୁଣିଛ; ଚ-ଏବଂ ।

Translation

BG 2.52: ଯେତେବେଳେ ତୁମର ବୁଦ୍ଧି ମୋହରୂପୀ କର୍ଦ୍ଦମକୁ ଅତିକ୍ରମ କରିଯିବ, ତୁମେ ଯାହା ସବୁ ଶୁଣିଛ ବା ଶୁଣିବାକୁ ଅଛି (ଇହଲୋକ ଓ ପରଲୋକର ସୁଖ ବିଷୟରେ) ସେ ସମସ୍ତ ପ୍ରତି ଉଦାସୀନ ହୋଇଯିବ ।

Commentary

ଶ୍ରୀକୃଷ୍ଣ ପୂର୍ବରୁ କହିଛନ୍ତି ଯେ, ଯେଉଁମାନେ ସାଂସାରିକ ସୁଖ ପ୍ରତି ଆସକ୍ତ, ସେମାନେ ବେଦର ଆଳଙ୍କରିକ ବାଣୀ ପ୍ରତି ଆକୃଷ୍ଟ ହୋଇଥାନ୍ତି, ଯାହାକି ସଂସାରିକ ବୈଭବ ତଥା ସ୍ୱର୍ଗପ୍ରାପ୍ତି ଉଦ୍ଦେଶ୍ୟରେ ଆଡ଼ମ୍ବରପୂର୍ଣ୍ଣ ବିଧିବିଧାନ ବିଷୟ ବର୍ଣ୍ଣନା କରିଥାଏ (ଶ୍ଳୋ ; ୨-୪୨, ୨-୪୩) । କିନ୍ତୁ ଯେଉଁ ବ୍ୟକ୍ତିର ବୁଦ୍ଧି ଆଧ୍ୟାତ୍ମିକ ଜ୍ଞାନରେ ଉଦ୍‌ଭାସିତ, ସେ ଇନ୍ଦ୍ରିୟ ସୁଖ ଦାୟକ ଭୌତିକ ବସ୍ତୁ ପ୍ରତି ଲାଳାୟିତ ହୁଏ ନାହିଁ, କାରଣ ସେ ଜାଣେ ଯେ ଏସବୁ ଦୁଃଖ ଉତ୍ପନ୍ନ କାରକ ଅଟନ୍ତି । ଏପରି ବ୍ୟକ୍ତିର ବୈଦିକ ବିଧିବିଧାନ ପ୍ରତି ରୁଚି ଲୋପ ପାଇଥାଏ । ମୁଣ୍ଡକ ଉପନିଷଦ କହେ :

            ପରୀକ୍ଷ୍ୟ ଲୋକାନ୍‌କର୍ମଚିତାନ୍‌ବ୍ରାହ୍ମଣୋ ନିର୍ବେଦମାୟାନ୍ନାସ୍ତ୍ୟକୃତଃ କୃତେନ (୧.୨.୧୨)

“ବହ୍ମନିଷ୍ଠ ମହାପୁରୁଷମାନେ ବୈଦିକ ବିଧିବିଧାନର ଊର୍ଦ୍ଧ୍ୱରେ ରହନ୍ତି । ସେମାନେ ଜାଣନ୍ତି ଯେ ଏହି ଜନ୍ମ ତଥା ସ୍ୱର୍ଗଲୋକର ଫଳ ପ୍ରଦାୟିନୀ କର୍ମ ସବୁ କ୍ଷଣସ୍ଥାୟୀ ଏବଂ ଦୁଃଖ ମିଶ୍ରିତ ଅଟନ୍ତି ।”

Watch Swamiji Explain This Verse