ଶ୍ରୀଭଗବାନୁବାଚ
ପ୍ରଜହାତି ଯଦା କାମାନ୍ସର୍ବାନ୍ପାର୍ଥ ମନୋଗତାନ୍ ।
ଆତ୍ମନ୍ୟେବାତ୍ମନା ତୁଷ୍ଟଃ ସ୍ଥିତପ୍ରଜ୍ଞସ୍ତଦୋଚ୍ୟତେ ।।୫୫।।
ଶ୍ରୀ ଭଗବାନ ଉବାଚ- ପରମ ପୁରୁଷ ଭଗବାନ କହିଲେ; ପ୍ରଜହାତି-ତ୍ୟାଗ କରେ; ଯଦା-ଯେତେବେଳେ; କାମାନ୍-ଇନ୍ଦ୍ରିୟ ସୁଖଭୋଗ କାମନା; ସର୍ବାନ୍-ସମସ୍ତ ପ୍ରକାର; ପାର୍ଥ- ହେ ପୃଥାପୁତ୍ର; ମନଃ-ଗତାନ୍- ମନର; ଆତ୍ମନି-ଆତ୍ମାରେ; ଏବ-କେବଳ; ଆତ୍ମନା-ବିଶୁଦ୍ଧ ମନରେ; ତୁଷ୍ଟଃ-ସନ୍ତୁଷ୍ଟ; ସ୍ଥିତପ୍ରଜ୍ଞଃ-ସ୍ଥିର ବୁଦ୍ଧି; ତଦା-ସେହି ସମୟରେ; ଉଚ୍ୟତେ-କୁହାଯାଏ ।
Translation
BG 2.55: ପରମ ପୁରୁଷ ଶ୍ରୀ ଭଗବାନ କହିଲେ, ହେ ପାର୍ଥ! ଯେତେବେଳେ ବ୍ୟକ୍ତି ସମସ୍ତ ସ୍ୱାର୍ଥଯୁକ୍ତ କାମନା ଏବଂ ମନକୁ ଅଶାନ୍ତ କରୁôଥବା ଇନ୍ଦ୍ରିୟ ଲାଳସା ତ୍ୟାଗ କରି ଆତ୍ମାର ଅନୁଭୂତିରେ ସନ୍ତୁଷ୍ଟ ରହେ, ସେପରି ବ୍ୟକ୍ତିଙ୍କୁ ସ୍ଥିତପ୍ରଜ୍ଞ କୁହାଯାଏ ।
Commentary
ଏଠାରେ ଶ୍ରୀକୃଷ୍ଣ ଅର୍ଜୁନଙ୍କର ପ୍ରଶ୍ନଗୁଡ଼ିକର ଉତ୍ତର ଦେବା ଆରମ୍ଭ କରିଛନ୍ତି ଏବଂ ତାହାକୁ ଅଧ୍ୟାୟର ଶେଷ ପର୍ଯ୍ୟନ୍ତ ଜାରି ରଖିଛନ୍ତି । ସମସ୍ତ ଅଂଶୀ ତାର ଅଂଶ ପ୍ରତି ସ୍ୱଭାବତଃ ଆକର୍ଷିତ ହୁଅନ୍ତି, ଯେମିତି ଗୋଟିଏ ପଥର ଖଣ୍ଡ ମାଧ୍ୟାକର୍ଷଣ ଶକ୍ତି ଦ୍ୱାରା ପୃଥିବୀ ଆଡ଼କୁ ଆକର୍ଷିତ ହୁଏ । ପ୍ରତ୍ୟେକ ଜୀବ ଭଗବାନଙ୍କର ଏକ ଅଂଶ, ଯିଏକି ଅନନ୍ତ ଆନନ୍ଦ ଅଟନ୍ତି । ତେଣୁ ଜୀବ ଅନନ୍ତ ଆନନ୍ଦ ସିନ୍ଧୁର ଏକ ଅଂଶ ଅଟେ ଏବଂ ଏହା ଆନନ୍ଦ ପାଇଁ ଏକ ସହଜାତ ଆକର୍ଷଣ ଅନୁଭବ କରେ । ଭଗବାନଙ୍କ ଠାରୁ ଜୀବ ଆତ୍ମାର ଯେଉଁ ଆନନ୍ଦ ଆସ୍ୱାଦନ କରିବା ପାଇଁ ଲାଳାୟିତ ରହିଥାଏ, ତାହାକୁ “ଦିବ୍ୟ ପ୍ରେମ” କୁହାଯାଏ । କିନ୍ତୁ ଅଜ୍ଞାନତା ବଶତଃ ନିଜକୁ ଶରୀର ମନେକରି ଜୀବ ଯେଉଁ ଶାରୀରିକ ସୁଖ ସଂସାରରେ ଖୋଜି ବୁଲୁଥାଏ, ତାହାକୁ ‘କାମନା’ କୁହାଯାଏ ।
ଶାସ୍ତ୍ରମାନଙ୍କରେ ସଂସାରକୁ ମୃଗତୃଷ୍ଣା ଭାବରେ ବର୍ଣ୍ଣନା କରାଯାଇଅଛି । ସୂର୍ଯ୍ୟ ରଶ୍ମି ଉତ୍ତପ୍ତ ମରୁଭୂମିର ବାଲୁକାରେ ପ୍ରତିଫଳିତ ହୋଇ ମୃଗ ପାଇଁ ଜଳର ଭ୍ରମ ସୃଷ୍ଟି କରିଥାଏ । ସେ ଭାବେ ଆଗରେ ପାଣି ଅଛି ଏବଂ ତୃଷ୍ଣା ମେଣ୍ଟାଇବା ପାଇଁ ସେ ତା’ ପଛରେ ଧାଇଁବାରେ ଲାଗେ । ସେ ଯେତେ ଆଗକୁ ଯାଏ ମରିଚିକା ସେତେ ଦୂରକୁ ଘୁଞ୍ଚିଯାଏ । ତାହାର ସ୍ୱଳ୍ପ ବୁଦ୍ଧି ଏହା ଜାଣିପାରେ ନାହିଁ ଯେ ସେ ଏକ ଭ୍ରମ ପଛରେ ଧାଇଁଛି । ସେହି ହତଭାଗ୍ୟ ମୃଗ କାଳ୍ପନିକ ଜଳର ପଛରେ ଦୌଡ଼ି ଦୌଡ଼ି କ୍ଳାନ୍ତ ହୋଇ ମରୁଭୂମିର ବାଲୁକାରେ ମୃତ୍ୟୁବରଣ କରେ । ସେହିପରି ମାୟିକ ଶକ୍ତି ‘ମାୟା’ ମଧ୍ୟ ଆନନ୍ଦର ଭ୍ରମ ଉତ୍ପନ୍ନ କରାଏ ଏବଂ ଇନ୍ଦ୍ରିୟମାନଙ୍କର ତୃପ୍ତି ଆଶାରେ ଆମେ ସେହି କାଳ୍ପନିକ ସୁଖ ପଛରେ ଧାଇଁବାରେ ଲାଗୁ । କିନ୍ତୁ ଆମର ଶତ ଚେଷ୍ଟା ସତ୍ତ୍ୱେ ସୁଖ ଆମଠାରୁ ଦୂରକୁ ଅପସରି ଯାଏ । ଗରୁଡ଼ ପୁରାଣରେ ଉଲ୍ଲେଖ ଅଛି:
ଚକ୍ରଧରୋଽପି ସୁରତ୍ୱଂ ସୁରତ୍ୱଲାଭେ ସକଳସୁରପତିତ୍ୱମ୍
ଭବିତୁଂ ସୁରପତିରୁର୍ଦ୍ଧ୍ୱଗତିତ୍ୱଂ ତଥାପି ନନିବର୍ତତେ ତୃଷ୍ଣା । (୨.୧୨.୧୪)
“ଜଣେ ରାଜା ସମ୍ପୂର୍ଣ୍ଣ ପୃଥିବୀର ସମ୍ରାଟ ହେବାକୁ ଚାହାଁନ୍ତି; ସମ୍ରାଟ ସ୍ୱର୍ଗର ଦେବତା ହେବାକୁ ଚାହାଁନ୍ତି; ଦେବତା ସ୍ୱର୍ଗ ସମ୍ରାଟ ଇନ୍ଦ୍ରପଦ ଆଶା କରନ୍ତି ଏବଂ ଇନ୍ଦ୍ର ଦ୍ୱିତୀୟ ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କର ପଦ ଚାହାଁନ୍ତି । ତଥାପି ମାୟିକ ସୁଖର ତୃଷ୍ଣା କେବେ ବି ସନ୍ତୁଷ୍ଟ ହୁଏ ନାହିଁ ।
କିନ୍ତୁ ଯେତେବେଳେ ଜଣେ ସାଂସାରିକ ପ୍ରଲୋଭନରୁ ମନକୁ ହଟାଇବାର କଳା ଶିଖିଯାଏ ଏବଂ ଇନ୍ଦ୍ରିୟମାନଙ୍କର କାମନା ତ୍ୟାଗ କରେ ସେହି ବ୍ୟକ୍ତି ଆତ୍ମାର ସୁଖାନୁଭୂତି ଅନୁଭବ କରି ଅନୁଭବାତୀତ ସ୍ତରରେ ସ୍ଥିତ ହୋଇଯାଏ । କଠୋପନିଷଦ ତ ଏପରି କହିଥାଏ ଯେ ଯେଉଁ ବ୍ୟକ୍ତି କାମନା ତ୍ୟାଗ କରେ ସେ ଭଗବାନଙ୍କ ସଦୃଶ ହୋଇଯାଏ :
ଯଦା ସର୍ବେ ପ୍ରମୁଚ୍ୟନ୍ତେ କାମାୟେଽସ୍ୟ ହୃଦି ଶ୍ରିତଃ
ଅଥ ମର୍ତ୍ୟୋଽମୃତୋ ଭବତ୍ୟତ୍ର ବହ୍ମ ସମଶ୍ନୁତେ । (୨.୩.୧୪)
“ହୃଦୟରୁ ସମସ୍ତ ସ୍ୱାର୍ଥଯୁକ୍ତ କାମନା ତ୍ୟାଗ କରି ମାୟାବଦ୍ଧ ଜୀବାତ୍ମା ଜନ୍ମ ମୃତ୍ୟୁର ଚକ୍ରରୁ ମୁକ୍ତ ହୋଇଯାଏ ଏବଂ ଗୁଣରେ ଭଗବାନଙ୍କ ପରି ହୋଇଯାଏ । ଶ୍ରୀକୃଷ୍ଣ ଏହି ଶ୍ଳୋକରେ କହୁଛନ୍ତି ଯେ ଜଣେ ସ୍ଥିତପ୍ରଜ୍ଞ ବ୍ୟକ୍ତି ସେ ଅଟନ୍ତି ଯିଏ ନିଜର ସମସ୍ତ ସ୍ୱାର୍ଥଯୁକ୍ତ କାମନା ଏବଂ ଇନ୍ଦ୍ରିୟ ଲାଳସା ତ୍ୟାଗ କରି ଆତ୍ମାରେ ସନ୍ତୁଷ୍ଟ ରହିଥାଆନ୍ତି ।