Bhagavad Gita: Chapter 3, Verse 12

ଇଷ୍ଟାନ୍ ଭୋଗାନ୍ ହି ବୋ ଦେବା, ଦାସ୍ୟନ୍ତେ ଯଜ୍ଞ ଭାବିତାଃ ।
ତୈର୍ଦତ୍ତାନପ୍ରଦାୟୈଭ୍ୟୋ ଯୋ ଭୁଙ୍‌ତେ ସ୍ତେନ ଏବ ସଃ ।।୧୨।।

ଇଷ୍ଟାନ୍‌- ଅଭିଳଷିତ; ଭେଗାନ୍ - ଭୋଗସମୂହକୁ; ହି- ନିଶ୍ଚିତଭାବେ; ବଃ - ତୁମ୍ଭମାନଙ୍କୁ ଦେବାଃ - ଦେବତାମାନେ; ଦାସ୍ୟନ୍ତେ - ଦିଅନ୍ତି; ଯଜ୍ଞଭାବିତାଃ- ଯଜ୍ଞନୁଷ୍ଠାନଦ୍ୱାରା ସନ୍ତୁଷ୍ଟ ହୋଇ; ତୈଃ- ସେମାନଙ୍କଦ୍ୱାରା; ଦତ୍ତାନ୍‌- ଦିଆଯାଇଥିବ ପଦାର୍ଥ; ଅପ୍ରଦାୟ- ନ ଦେଇ; ଏଭ୍ୟଃ- ଦେବତାମାନଙ୍କୁ; ଯଃ- ଯେ; ଭୁଙକ୍ତେ-ଭପଭୋଗ କରେ; ସ୍ତେନ- ଚୋର; ଏବ - ନିଶ୍ଚିତଭାବେ; ସଃ-ସେ ।

Translation

BG 3.12: ଯଜ୍ଞ ଆଦିି କରିବା ଦ୍ୱାରା ଦେବତା ମାନେ ଖୁସି ହୋଇ, ତୁମ ଜୀବନର ସମସ୍ତ ଆବଶ୍ୟକତା ପୂରଣ କରନ୍ତି କିନ୍ତୁ ଏହି ଅବଦାନକୁ, ଦେବତାମାନଙ୍କୁ ଅର୍ପଣ ନ କରି ଯେଉଁ ମାନେ ନିଜେ ହିଁ ଉପଭୋଗ କରନ୍ତି, ସେମାନେ ଚୋର ଅଟନ୍ତି ।

Commentary

ବିଶ୍ୱର ବିଭିନ୍ନ ପ୍ରକ୍ରିୟାର ପ୍ରଶାସକ ଭାବେ, ଦେବତାଗଣ ଆମ୍ଭମାନଙ୍କୁ ବର୍ଷା, ପବନ, ଶସ୍ୟ, ବୃକ୍ଷଲତା, ଖଣିଜ ଦ୍ରବ୍ୟ, ଉର୍ବର ମୃତ୍ତିକା ଇତ୍ୟାଦି ଯୋଗାଇ ଥାଆନ୍ତି । ତାଙ୍କଠାରୁ  ଗ୍ରହଣ କରୁଥିବା ସମସ୍ତ ବସ୍ତୁ ପାଇଁ ଆମ୍ଭେମାନେ ତାଙ୍କ ନିକଟରେ ଋଣି ଅଟୁ । ଦେବତାମାନେ ସେମାନଙ୍କର କର୍ତ୍ତବ୍ୟ କରନ୍ତି ଏବଂ ସେମାନେ ଆମଠାରୁ ଏହା ଆଶା କରନ୍ତି ଯେ ଆମ୍ଭେମାନେ ମଧ୍ୟ ଉଚିତ୍ ଭାବନା ରଖି ସବୁ କାମ କରୁ ।  ଯେହେତୁ  ଦେବତାଗଣ ପରମପୁରୁଷ ଭଗବାନଙ୍କର ସେବକ ଅଟନ୍ତି, ଜଣେ ଜୀବ ଯେତେବେଳେ ଭଗବାନଙ୍କ ଉଦ୍ଦେଶ୍ୟରେ ଯଜ୍ଞର ଅନୁଷ୍ଠାନ କରନ୍ତି, ସେମାନେ ଖୁସି ହୋଇ ତା’ର ସହାୟତା କରିବା ନିମନ୍ତେ ଅନୁକୁଳ ପରିସ୍ଥିତି ସୃଷ୍ଟି କରିଥାଆନ୍ତି । ସୁତରାଂ, ଏପରି କୁହାଯାଏ ଯେ ଭଗବାନଙ୍କର ସେବା କରିବା ପାଇଁ ଆମେ ଯେତେବେଳେ ଦୃଢ ସଂକଳ୍ପ କରୁ, ସମ୍ପୂର୍ଣ୍ଣ ସୃଷ୍ଟି ଆମର ସହାୟତା କରିବାରେ ଲାଗିଯାଏ ।

ଯେତେବେଳେ ପ୍ରକୃତିର ଦାନକୁ ଆମେ ଭଗବାନଙ୍କ ସେବାର ଏକ ମାଧ୍ୟମ ଭାବେ ଗ୍ରହଣ ନ କରି,  ନିଜର ଉପଭୋଗ ସାମଗ୍ରୀ ଭାବରେ ବ୍ୟବହାର କରିଥାଉ, ଶ୍ରୀକୃଷ୍ଣ ତାହାକୁ  “ଚୋର ମନୋବୃତ୍ତି” ଭାବେ ଅଭିହିତ କରନ୍ତି । ଅନେକ ସମୟରେ ଲୋକେ ଏପରି ପ୍ରଶ୍ନ କରନ୍ତି “ମୁଁ ଏକ ଶୁଦ୍ଧ ଜୀବନ ଯାପନ କରୁଅଛି; ମୁଁ କାହାର କ୍ଷତି କରେ ନାହିଁ ବା ମୁଁ କିଛି ଚୋରି କରେ ନାହିଁ , କିନ୍ତୁ ମୁଁ ଭଗବାନଙ୍କୁ ବିଶ୍ୱାସ କରେ ନାହିାଁ  ମୁଁ କିଛି ଭୁଲ କରୁଛି କି ?  ଏହି ପ୍ରଶ୍ନର ଉତ୍ତର  ଉପରୋକ୍ତ ଶ୍ଲୋକରେ ଦିଆ ଯାଇଛି । ଏପରି ବ୍ୟକ୍ତିଗଣ ଲୋକଙ୍କ ଦୃଷ୍ଟିରେ କିଛି ଭୁଲ କରୁନାହାନ୍ତି, କିନ୍ତୁ ଭଗବାନ ନଜରରେ ଭୁଲ କରୁଛନ୍ତି । ମନେ କରନ୍ତୁ, ଆମେ ଜଣେ ଅପରିଚିତ ବ୍ୟକ୍ତିଙ୍କର ଘରକୁ ପ୍ରବେଶ କଲେ, ତାଙ୍କ ସୋଫାରେ ବସିଲେ, ଫ୍ରିଜ୍‌ରୁ ଖାଦ୍ୟ କାଢି ଖାଇଲେ ଏବଂ ତାଙ୍କ ବିଶ୍ରାମ କକ୍ଷକୁ ବ୍ୟବହାର କଲେ । ” ଆମେ କହିପାରୁ, ଆମେ କିଛି ଭୁଲ କରିନାହୁଁ,  କିନ୍ତୁ ଆଇନ ଦୃଷ୍ଟିରେ ଆମେ ଚୋର ସାବ୍ୟସ୍ତ ହେବା, କାରଣ ଘରଟି ଆମର ନୁହେଁ । ସେହିପରି ଆମେ ରହୁଥିବା ପୃଥିବୀଟି ଭଗବାନଙ୍କ ଦ୍ୱାରା ସୃଷ୍ଟ ଏବଂ ସେଥିରେ ଥିବା ସବୁକିଛି ତାଙ୍କର ଅଟେ । ତାଙ୍କର ପ୍ରଭୂତ୍ୱକୁ ଅବମାନନା କରି, ଆମେ ଯଦି ନିଜ ସୁଖ ପାଇଁ  ସେ ସବୁର  ଉପଭୋଗ କରିବା, ତେବେ ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ଆମେ ଚୋରି କରୁଅଛୁ ବୋଲି କୁହାଯିବ ।

ଭାରତ ଇତିହାସର ସୁପ୍ରସିଦ୍ଧ ରାଜା ଚନ୍ଦ୍ରଗୁପ୍ତ, ତାଙ୍କର ଗୁରୁ  ଚାଣକ୍ୟ ପଣ୍ଡିତଙ୍କୁ ପଚାରିଥିଲେ । “ବୈଦିକ ଶାସ୍ତ୍ର ଅନୁସାରେ ରାଜାର  ପ୍ରଜାମାନଙ୍କ ସହିତ ସର୍ମ୍ପକ କ’ଣ ?” ଚାଣକ୍ୟ ପଣ୍ଡିତ ଉତ୍ତର ଦେଲେ । “ରାଜା ପ୍ରଜାମାନଙ୍କର ସେବକ ବ୍ୟତିତ ଅନ୍ୟ କିଛି ନୁହେଁ ।” ତାଙ୍କର ଇଶ୍ୱରଦତ୍ତ କର୍ତ୍ତବ୍ୟ ହେଉଛି, ପ୍ରଜାମାନଙ୍କୁ ଈଶ୍ୱର-ପ୍ରାପ୍ତି ମାର୍ଗରେ ଅଗ୍ରସର ହେବା ନିମନ୍ତେ ସହାୟତା କରିବା । ଜଣେ ରାଜା ହୁଅନ୍ତୁ, ବ୍ୟବସାୟୀ, କୃଷକ ବା ଶ୍ରମିକ ହୁଅନ୍ତୁ, ଭଗବାନଙ୍କ ସୃଷ୍ଟିର ଜଣେ ସଦସ୍ୟ ଭାବରେ,  ତାଙ୍କର ସମସ୍ତ କାର୍ଯ୍ୟ ଭଗବାନଙ୍କ ସେବା ଉଦ୍ଦେଶ୍ୟରେ କରାଯିବା ଉଚିତ୍ ।