Bhagavad Gita: Chapter 3, Verse 16

ଏବଂ ପ୍ରବର୍ତିତଂ ଚକ୍ରଂ ନାନୁବର୍ତୟତୀହ ଯଃ ।
ଅଘାୟୁରିନ୍ଦ୍ରିୟାରାମୋ ମୋଘଂ ପାର୍ଥ ସ ଜୀବତି ।।୧୬।।

ଏବ - ଏହିପରି ଭାବରେ ; ପ୍ରବର୍ତ୍ତିତଂ - ଗତି କରି; ଚକ୍ରଂ - ଚକ୍ର ; ନ ଅନୁବର୍ତୟତି - ଅନୁସରଣ ନ କରେ; ଇହ - ଏହି ଜୀବନରେ; ଯଃ- ଯିଏ; ଅଘାୟୁଃ- ପାପପୂର୍ଣ୍ଣ ଜୀବନ; ଇନ୍ଦ୍ରିୟ ଆରାମଃ- ଇନ୍ଦ୍ରିୟ ସୁୁଖାର୍ଥେ ; ମୋଘଂ- ବୃଥା ; ପାର୍ଥ- ହେ ପୃଥାପୁତ୍ର(ଅର୍ଜୁନ); ସଃ- ସେମାନେ ; ଜୀବତି- ଜୀବନ ଧାରଣ କରନ୍ତି ।

Translation

BG 3.16: ହେ ପାର୍ଥ, ଯେଉଁ ମାନେ ବେଦ ପ୍ରଣୀତ ଯଜ୍ଞ ଚକ୍ରରେ ନିଜର ଦାୟୀତ୍ୱ ବହନ କରନ୍ତି ନାହିଁ, ସେମାନେ ପାପ ଅର୍ଜନ କରନ୍ତି । ସେମାନେ ନିଜର ଇନ୍ଦ୍ରିୟ ସୁଖ ପାଇଁ ଜୀବନ ଧାରଣ କରିଥାନ୍ତି ଏବଂ ବାସ୍ତବରେ ସେମାନଙ୍କର ଜୀବନ ନିରର୍ଥକ ଅଟେ ।

Commentary

ଚକ୍ରର ଅର୍ଥ ଘଟଣାବଳୀର ଏକ ନିର୍ଦ୍ଦିଷ୍ଟ କ୍ରମନ୍ୱୟ । ଶସ୍ୟରୁ ବୃଷ୍ଟିର ଚକ୍ର ସମ୍ବନ୍ଧରେ ଶ୍ଲୋକ ୩.୧୪ରେ ବର୍ଣ୍ଣନା କରାଯାଇଛି । ଏହି ସାର୍ବଭୌମିକ କର୍ମଚକ୍ରର ପ୍ରତ୍ୟେକ ସଦସ୍ୟ ନିଜ ନିଜର କର୍ତ୍ତବ୍ୟ ପାଳନ କରି ଏହାର ଘୂର୍ଣ୍ଣନରେ ସହଯୋଗ କରିଥାଆନ୍ତି । ଯେହେତୁ ଆମେ ଏହି  ଫଳଚକ୍ରର ଉପଭୋକ୍ତା ଅଟୁ, ତେଣୁ ଏହି ଶୃଙ୍ଖଳାରେ ଆମର ଧାର୍ଯ୍ୟ କର୍ତ୍ତବ୍ୟ ଆମେ ପାଳନ କରିବା ଉଚିତ୍ ।

ଏହି ଚକ୍ରରେ କେବଳ ଆମେ ମନୁଷ୍ୟ ମାନଙ୍କୁ ନିଜର ସ୍ୱାଧୀନ ଇଛା ଅନୁସାରେ କାର୍ଯ୍ୟ କରିବାର କ୍ଷମତା ଅର୍ପଣ ହୋଇଛି । ଯଦ୍ୱାରା ଏହି ଚକ୍ରକୁ ଶୃଙ୍ଖଳିତ ଭାବରେ ଗତି କରିବାରେ ସହଯୋଗ କରିପାରିବା ଅବା ବ୍ରହ୍ମାଣ୍ଡର ଏହି କ୍ରିୟାରେ ବିଘ୍ନ ସୃଷ୍ଟି କରିପାରିବା । ଯେତେବେଳେ ମାନବ ସମାଜର ସଂଖ୍ୟାଧିକ ବ୍ୟକ୍ତି ଏହି ନିୟମରେ ସହବସ୍ଥାନ କରନ୍ତି ସେତେବେଳେ  ଭୌତିକ ଉନ୍ନତି ହେବା ସହିତ  ଆଧ୍ୟାତ୍ମିକ  ପ୍ରଗତି  ଉଦ୍ରେକ ହୋଇଥାଏ । ମାନବ ଇତିହାସରେ ଏପରି ସମୟ ସାମାଜିକ ଓ ସାଂସ୍କୃତିକ କ୍ଷେତ୍ରରେ ସୁବର୍ଣ୍ଣ ଯୁଗ ହୋଇଥାଏ । ବିପରୀତ ରୂପେ ଯେତେବେଳେ ଅଧିକାଂଶ ବ୍ୟକ୍ତି ବିଶ୍ୱଚକ୍ରର ଏହି ନିୟମକୁ ଅମାନ୍ୟ କରି ନିଜର ଦାୟୀତ୍ୱ ପାଳନ କରନ୍ତି ନାହିଁ, ସେତେବେଳେ ପ୍ରକୃତି ଦଣ୍ଡ  ଦେବା ଆରମ୍ଭ  କରିଥାଏ ଏବଂ ଶାନ୍ତି ଓ  ପ୍ରଗତି  ବାଧାପ୍ରାପ୍ତ ହୋଇଥାଏ । 

ଭଗବାନଙ୍କ ଦ୍ୱାରା ଏହି ପ୍ରାକୃତିକ ଚକ୍ର, ବିଭିନ୍ନ ସ୍ତରର ଚେତନା ଯୁୁକ୍ତ ପ୍ରାଣୀ ମାନଙ୍କୁ ଶୃଙ୍ଖଳିତ କରିବା, ଶିକ୍ଷା ଦେବା ତଥା ଉନ୍ନତି କରିବା ପାଇଁ, ସୃଷ୍ଟି ହୋଇଛି । ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ବୁଝାଇଛନ୍ତି ଯେ, ଯେଉଁ ମାନେ ତାଙ୍କର ନିର୍ଦ୍ଧିାରିତ ଯଜ୍ଞ କରନ୍ତି ନାହିଁ, ସେମାନେ ତାଙ୍କ ଇନ୍ଦ୍ରିୟ ମାନଙ୍କର ଦାସ ହୋଇ ଏକ ପାପମୟ ଜୀବନଯାପନ କରନ୍ତି ।