Bhagavad Gita: Chapter 3, Verse 18

ନୈବ ତସ୍ୟ କୃତେନାର୍ଥୋ ନାକୃତେନେହ କଶ୍ଚନ
ନ ଚାସ୍ୟ ସର୍ବଭୂତେଷୁ କଶ୍ମିଦର୍ଥବ୍ୟପାଶ୍ରୟଃ ।। ୧୮।।

ନ- କଦାପି ନୁହେଁ; ଏବ- ନିଶ୍ଟିତ ଭାବେ; ତସ୍ୟ- ତା’ର; କୃତେନ - କର୍ତ୍ତବ୍ୟ କରିବା ଦ୍ୱାରା; ଅର୍ଥଃ- ଉଦ୍ଦେଶ୍ୟ; ନ- ନୁହେଁ; ଅକୃତେନ- କର୍ତ୍ତବ୍ୟ ନ କରିବା; ଇହ - ଇହଜଗତରେ; କଶ୍ଚିତ- କୌଣସି; ଅର୍ଥ- ଉଦ୍ଦେଶ୍ୟ; ବ୍ୟପାଶ୍ରୟଃ - ଆଶ୍ରୟ ନେବା ।

Translation

BG 3.18: ଏହିପରି ଆତ୍ମଜ୍ଞାନ ଲାଭ କରିଥିବା ଜୀବମାନଙ୍କର କର୍ତ୍ତବ୍ୟ ପାଳନ କରିବା ଅଥବା କର୍ତ୍ତବ୍ୟ ତ୍ୟାଗ କରିବାରେ କୌଣସି ଲାଭ ବା କ୍ଷତି ହୁଏ ନାହିଁ । ସେମାନେ ନିଜର ଲକ୍ଷ୍ୟ ପ୍ରାପ୍ତି ନିମନ୍ତେ ଅନ୍ୟ କୌଣସି ଜୀବ ଉପରେ ନିର୍ଭର କରନ୍ତି ନାହିଁ ।

Commentary

ଆତ୍ମଜ୍ଞାନୀମାନେ ଆତ୍ମାର ଅତୀନ୍ଦ୍ରିୟ ସ୍ତରରେ ସ୍ଥିତ ରହିଥାଆନ୍ତି । ସେମାନଙ୍କର ସମସ୍ତ କାର୍ଯ୍ୟ ଭଗବାନଙ୍କ ସେବା ଉଦ୍ଦେଶ୍ୟରେ ହୋଇଥିବା ଦୃଷ୍ଟିରୁ ଲୋକୋତ୍ତର ଅଟେ । ସେଥିପାଇଁ ସାଂସାରିକ ବ୍ୟକ୍ତିମାନଙ୍କ ପାଇଁ ବର୍ଣ୍ଣାଶ୍ରମ ଧର୍ମ ଅନୁଯାୟୀ ଯେଉଁ କର୍ମର ବିଧାନ ରହିଥାଏ, ତାହା ସେମାନଙ୍କ କ୍ଷେତ୍ରରେ ପ୍ରଯୁଜ୍ୟ ନୁହେଁ ।

ଏଠାରେ କର୍ମ ଓ ଭକ୍ତି ମଧ୍ୟରେ ରହିଥିବା ପାର୍ଥକ୍ୟ ସମ୍ବନ୍ଧରେ ବିଚାର କରାଯିବା ଆବଶ୍ୟକ । ପୂର୍ବରୁ ଶ୍ରୀକୃଷ୍ଣ କର୍ମ ବିଷୟରେ ଏହା କହିଥିଲେ ଯେ ସେଗୁଡିକ ଭଗବାନଙ୍କୁ ଅର୍ପଣ କରି କରାଯିବା ଉଚିତ୍ । ମନକୁ ଶୁୁଦ୍ଧ କରିବା ପାଇଁ ଏହା ଆବଶ୍ୟକ ଅଟେ । ଏହା ମନକୁ ସାଂସାରିକ ଆବିଳତାର ଉର୍ଦ୍ଧ୍ୱକୁ  ଉଠିବାରେ ସାହାଯ୍ୟ କରିଥାଏ  କିନ୍ତୁ ଆତ୍ମଜ୍ଞାନୀମାନେ ଭଗବାନଙ୍କ ସହିତ ତଲ୍ଲୀନତା ହାସଲ କରି ନିଜ ଅନ୍ତଃକରଣକୁ ଶୁଦ୍ଧ କରି ନେଇଥାଆନ୍ତି । ସେମାନଙ୍କ ପରି ଅତୀନ୍ଦ୍ରିୟ ପୁରୁଷମାନେ ନିଜକୁ ପ୍ରତ୍ୟକ୍ଷ ରୂପରେ ଭଗବାନଙ୍କର ଭକ୍ତି ଏବଂ ଧ୍ୟାନ,ଅର୍ଚ୍ଚନା, କୀର୍ତ୍ତନ, ଗୁରୁସେବା ଆଦି ବିଶୁଦ୍ଧ ଆଧ୍ୟାତ୍ମିକ କର୍ମରେ ନିୟୋଜିତ କରିଥାଆନ୍ତି । ସାଂସାରିକ କର୍ତ୍ତବ୍ୟ, କର୍ମ ତ୍ୟାଗ କରିବା ସେମାନଙ୍କ ପାଇଁ ପାପ ନୁହେଁ । ଇଚ୍ଛାକଲେ ସେମାନେ କର୍ମ କରିପାରନ୍ତି, କିନ୍ତୁ ସେଥିପାଇଁ ସେମାନେ ବାଧ୍ୟ ନୁହଁନ୍ତି ।

ଇତିହାସରେ ଦୁଇ ପ୍ରକାର ମହାପୁରୁଷ ଅଛନ୍ତି ।  (୧) ପ୍ରହ୍ଲାଦ, ଧ୍ରୁବ, ଅମ୍ବରୀଶ, ପୃଥୁ ଓ ବିଭୀଷଣଙ୍କ ପରି ମହାପୁରୁଷ ଯେଉଁମାନେ ଭଗବତ୍ ପ୍ରାପ୍ତି କରିସାରିଲା ପରେ ମଧ୍ୟ ନିଜର ସଂସାରିକ କାର୍ଯ୍ୟ ନିର୍ବାହ କରୁଥିଲେ । ସେମାନେ କର୍ମ ଯୋଗୀ ଥିଲେ - ବାହ୍ୟତଃ ଶରୀର ଦ୍ୱାରା ସେମାନେ ସାଂସାରିକ କର୍ମ କରୁଥିଲେ କିନ୍ତୁ ସେମାନଙ୍କର ମନ ସଦାସର୍ବଦା ଭଗବାନଙ୍କଠାରେ ଲୀନ  ରହୁଥିଲା । (୨) ଶଙ୍କରାଚାର୍ଯ୍ୟ, ମାଧ୍ୱାଚାର୍ଯ୍ୟ, ରାମାନୁଜାଚାର୍ଯ୍ୟ ଏବଂ ଚୈତନ୍ୟ ମହାପ୍ରଭୂଙ୍କ ପରି ମହାପୁରୁଷ ଯେଉଁମାନେ ସାଂସାରିକ କର୍ତ୍ତବ୍ୟ ତ୍ୟାଗ କରି ସନ୍ୟାସ ଜୀବନ ଯାପନ କରୁଥିଲେ । ଏମାନେ କର୍ମସନ୍ୟାସୀ ଥିଲେ ଏବଂ ଉଭୟ ବହିରଙ୍ଗ ଓ ଅନ୍ତରଙ୍ଗ ସ୍ତରରେ, ଅର୍ଥାତ୍ ଶରୀର ଓ ମନ ଦ୍ୱାରା କେବଳ ଭଗବାନଙ୍କର ଭକ୍ତି କରୁଥିଲେ । ଏହି ଶ୍ଲୋକରେ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହୁଛନ୍ତି ଯେ, ଭଗବତ୍ ପ୍ରାପ୍ତି ପରେ ଏହି ଦୁଇଟି ବିକଳ୍ପ ରହିଛି । ଆସନ୍ତୁ ଦେଖିବା, ପରବର୍ତ୍ତୀ ଶ୍ଳୋକରେ ସେ ଅର୍ଜୁନଙ୍କ ନିମନ୍ତେ ତନ୍ମଧ୍ୟରୁ କେଉଁଟିକୁ ସୁପାରିଶ କରୁଛନ୍ତି ।

Watch Swamiji Explain This Verse