Bhagavad Gita: Chapter 3, Verse 30

ମୟି ସର୍ବାଣି କର୍ମାଣି ସଂନ୍ୟସ୍ୟାଧ୍ୟାତ୍ମଚେତସା ।
ନିରାଶୀର୍ନିର୍ମମୋ ଭୂତ୍ୱା ଯୁଧ୍ୟସ୍ୱ ବିଗତଜ୍ୱରଃ ।।୩୦।।

ମୟି - ମୋ ଠାରେ; ସର୍ବାଣି - ସମସ୍ତ ପ୍ରକାର; କର୍ମାଣି - କର୍ମ; ସନ୍ୟସ୍ୟ - ପୂର୍ଣ୍ଣରୂପେ ସମର୍ପଣ କରି; ଅଧ୍ୟାତ୍ମ ଚେତସା - ଭଗବତ୍ ଚେତନାରେ; ନିରାଶୀଃ-କୌଣସି ଫଳ କାମନା ନ ରଖି; ନିର୍ମମଃ - ମମତ୍ୱହୀନତା; ଭୂତ୍ୱା - ହୋଇ; ଯୁଧ୍ୟସ୍ୱ- ଯୁଦ୍ଧ କର; ବିଗତ ଜ୍ୱରଃ- ଶୋକରହିତ ।

Translation

BG 3.30: ସମସ୍ତ କର୍ମକୁ ମୋତେ ଅର୍ପଣ କରି, ପରମାତ୍ମା ରୂପରେ ନିରନ୍ତର ମୋର ଧ୍ୟାନ କର । ସମସ୍ତ ପ୍ରକାରର କାମନା ଓ ମମତାରୁ ମୁକ୍ତ ରହି ଶୋକରହିତ ଭାବରେ ଯୁଦ୍ଧ କର ।

Commentary

ଶ୍ରୀକୃଷ୍ଣ, ତାଙ୍କର ନିଜସ୍ୱ ଶୈଳୀରେ, ଗୋଟିଏ ବିଷୟରେ  ବିସ୍ତୃତ ବର୍ଣ୍ଣନା କରି ପରିଶେଷରେ ତାର ସାରାଂଶ ଉପସ୍ଥାପନ କରୁଛନ୍ତି । “ଅଧ୍ୟାତ୍ମ ଚେତସା” ଅର୍ଥାତ୍ ଭଗବତ୍ ଚେତନାଯୁକ୍ତ, “ସନ୍ୟସ୍ୟ” ଅର୍ଥାତ୍ ଭଗବାନଙ୍କ ପ୍ରତି ଉଦ୍ଦିଷ୍ଟ ହୋଇ ନ ଥିବା ସମସ୍ତ କର୍ମକୁ ତ୍ୟାଗ କରିବା, “ନିରାଶୀଃ” ଅର୍ଥାତ୍ କର୍ମଫଳରେ ଅନାସକ୍ତ ।  ଭଗବତ୍ ଚେତନାରେ, ଭଗବାନଙ୍କୁ ଅର୍ପଣ କରି କର୍ମ କରିବା ପାଇଁ, କର୍ତ୍ତୃତ୍ୱାଭିମାନ ତ୍ୟାଗ କରିବା, ସ୍ୱସୁଖ ବାସନା ଓ ଲାଳସା ତ୍ୟାଗ କରିବା ଏବଂ ଶୋକ ରହିତ ହେବା ପରମାବଶ୍ୟକ ଅଟେ ।

ପୃର୍ବବର୍ତ୍ତି ଶ୍ଲୋକ ଗୁଡିକରେ ଦିଆ ଯାଇଥିବା ନିର୍ଦ୍ଦେଶ ଗୁଡିକର ସାଂରାଶ ଏହା ଯେ ମନୁଷ୍ୟ ନିଷ୍ଠାପୂର୍ବକ ଏହାର ବିଚାର କରିବା ଆବଶ୍ୟକ, “ମୋର ଆତ୍ମା, ପରମାତ୍ମା ଶ୍ରୀକୃଷ୍ଣଙ୍କର ଏକ ଅତି କ୍ଷୁଦ୍ର ଅଂଶ ଅଟେ । ସେ ସବୁକିଛିର ଭୋକ୍ତା ଏବଂ ସମସ୍ତଙ୍କର ଇଷ୍ଟ ଅଟନ୍ତି । ମୋର ସମସ୍ତ କର୍ମ  ତାଙ୍କର ସେବା ପାଇଁ  ଉଦ୍ଦିଷ୍ଟ, ଅତଏବ ମୁଁ ନିଜର ସମସ୍ତ କର୍ମ ଏକ ଯଜ୍ଞ ଭାବରେ ତାଙ୍କୁ ଅର୍ପଣ କରିବି । ସେ ମୋତେ ଶକ୍ତି ପ୍ରଦାନ କରୁଛନ୍ତି, ଯଦ୍ୱାରା ମୁଁ ସମସ୍ତ କର୍ମ ଯଜ୍ଞ ଭାବରେ କରିପାରୁଛି । ତେଣୁ ମୁଁ ଯେଉଁ କର୍ମ କରୁଛି ସେଥିପାଇଁ ମୁଁ ନିଜେ ଶ୍ରେୟ ନେବା ଉଚିତ୍ ନୁହେଁ ।”