Bhagavad Gita: Chapter 3, Verse 33

ସଦୃଶଂ ଚେଷ୍ଟତେ ସ୍ୱସ୍ୟାଃ ପ୍ରକୃତେର୍ଜ୍ଞାନବାନପି
ପ୍ରକୃତିଂ ଯାନ୍ତି ଭୂତାନି ନିଗ୍ରହଃ କିଂ କରିଷ୍ୟତି ।। ୩୩ ।।

ସଦୃଶଂ - ଏହିପରି ଭାବରେ; ଚେଷ୍ଟତେ - ଚେଷ୍ଟାକରେ; ସ୍ୱସ୍ୟାଃ - ନିଜ ସ୍ୱଭାବ ବା ପ୍ରକୃତି ଅନୁଯାୟୀ; ପ୍ରକୃତେଃ - ପ୍ରାକୃତିକ ଗୁଣ; ଜ୍ଞାନବାନ - ଜ୍ଞାନୀ; ଅପି - ଯଦିଓ; ପ୍ରକୃତି - ପ୍ରକୃତି; ଯାନ୍ତି- ଅନୁସରଣ କରିବା; ଭୂତାନି - ସମସ୍ତ ଜୀବ; ନିଗ୍ରହଃ - ଦମନ; କିଂ - କ’ଣ; କରିଷ୍ୟତି - କରିପାରେ ।

Translation

BG 3.33: ସମସ୍ତ ପ୍ରାଣୀ ନିଜର ସ୍ୱାଭାବିକ ପ୍ରକୃତି ଅନୁସାରେ ପରିଚାଳିତ ହୁଅନ୍ତି, ତେଣୁ ଜ୍ଞାନୀମାନେ ମଧ୍ୟ ସେମାନଙ୍କର ସ୍ୱଭାବ ଅନୁଯାୟୀ କାର୍ଯ୍ୟ କରିଥାଆନ୍ତି । ସେ କ୍ଷେତ୍ରରେ ଜଣେ ଇନ୍ଦ୍ରିୟ-ନିଗ୍ରହ ଦ୍ୱାରା କ’ଣ କରିପାରିବ?

Commentary

ଶ୍ରୀକୃଷ୍ଣ ପୁନଶ୍ଚ ପୁର୍ବ ପ୍ରସଙ୍ଗକୁ ଫେରିଆସି କହୁଛନ୍ତି ଯେ ଅକର୍ମଣ୍ୟତା ଠାରୁ କର୍ମ ଶ୍ରେଷ୍ଠ ଅଟେ । ନିଜ ସ୍ୱଭାବରେ ପ୍ରେରିତ ହୋଇ, ମନୁଷ୍ୟ ନିଜର ଗୁଣ ଅନୁସାରେ କର୍ମ କରିବାକୁ ଆଗ୍ରହୀ ହୋଇଥାଏ । ଏପରିକି ତତ୍ତ୍ୱଜ୍ଞାନୀମାନେ ମଧ୍ୟ ନିଜ ସହିତ ସେମାନଙ୍କର ଅନନ୍ତ ପୂର୍ବ ଜନ୍ମର ସଂସ୍କାର (ସ୍ୱଭାବ ଓ ଧାରଣା), ବର୍ତ୍ତମାନ ଜନ୍ନର ପ୍ରାରବ୍ଧ କର୍ମ, ଏବଂ ମନ ବୁଦ୍ଧିର ପ୍ରବୃତ୍ତିକୁ ବହନ କରିଥାନ୍ତି । ଅଭ୍ୟାସ ଓ ସ୍ୱଭାବର ପ୍ରତିରୋଧ କରିବାରେ ସେମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ  ପଡିଥାଏ । ବୈଦିକ ଶାସ୍ତ୍ରମାନେ ଯଦି ସେମାନଙ୍କୁ ସମସ୍ତ କର୍ମ ତ୍ୟାଗ କରି କେବଳ ଅଧ୍ୟାତ୍ମିକ ମାର୍ଗରେ ଯିବା ପାଇଁ ନିର୍ଦ୍ଦେଶ  ଦିଅନ୍ତି, ତେବେ ତାହା ଏକ ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି କରିବ । ଏହି ଅସ୍ୱାଭାବିକ ନିଗ୍ରହର ଫଳ ପ୍ରତିକୂଳ ହେବ । ଆଧ୍ୟାତ୍ମିକ ପ୍ରଗତି ନିମନ୍ତେ ସଠିକ ଏବଂ ସହଜ ମାର୍ଗ ହେଉଛି ଅଭ୍ୟାସ ଓ ସ୍ୱଭାବର ପ୍ରବଳ ଶକ୍ତିକୁ ଉପଯୋଗ କରି, ଧୀରେ ଧୀରେ ଭଗବତ୍ ମାର୍ଗରେ ଅଗ୍ରସର ହେବା । ଆମେ ଯେଉଁ ସ୍ଥିତିରେ ରହିଛୁ, ସେହି ଠାରୁ ହିଁ ଆମର ଆଧ୍ୟାତ୍ମିକ ଯାତ୍ରା ଆରମ୍ଭ  ହେବା ଉଚିତ୍ ଏବଂ ସେଥିପାଇଁ ସର୍ବପ୍ରଥମେ ଆମକୁ ନିଜର ବର୍ତ୍ତମାନ ସ୍ଥିତିକୁ ସ୍ୱୀକାର କରି ସେଥିରେ ସୁଧାର ଆଣିବାକୁ ପଡିବ ।

ଆମ୍ଭମାନେ ଲକ୍ଷ୍ୟ କଲେ ଦେଖିପାରିବା କିପରି ଇତର ପ୍ରାଣୀମାନେ ମଧ୍ୟ ନିଜର ସ୍ୱତନ୍ତ୍ର ସ୍ୱଭାବ ଅନୁସାରେ ଆଚରଣ କରିଥାନ୍ତି ।  ପିମ୍ପୁଡିମାନେ ଏପରି  ସାମାଜିକ ପ୍ରାଣୀ  ଅଟନ୍ତି ଯେ ସେମାନେ ନିଜେ ତ୍ୟାଗ କରି ସେମାନଙ୍କର ଗୋଷ୍ଠି ପାଇଁ ଖାଦ୍ୟ ବହନ କରି ଆଣନ୍ତି; ଏପରି ଗୁଣ ମାନବସମାଜରେ ମଧ୍ୟ ଦେଖିବାକୁ ମିଳି ନ ଥାଏ । ଗୋଟିଏ ଗାଈର ତା ବାଛୁରି ପ୍ରତି ଏତେ ଆସକ୍ତି ଯେ ବାଛୁରୀଟି ତାର ଆଖି ଅଢୁଆଳକୁ ଚାଲିଯିବା ମାତ୍ରେ ସେ ବିଚଳିତ ହୋଇଉଠେ । କୁକୁରର ବିଶ୍ୱସନୀୟତା ଏତେ ପ୍ରଗାଢ ଯେ ତାହା କୌଣସି ଉତ୍ତମ ମନୁଷ୍ୟଠାରେ ମଧ୍ୟ ଦେଖିବାକୁ ମିଳି ନ ଥାଏ ।  ସେହିପରି ଆମେ ସବୁ ମନୁଷ୍ୟ ମଧ୍ୟ ନିଜର ସ୍ୱଭାବ ଅନୁସାରେ କର୍ମ କରିବାକୁ ପ୍ରେରିତ ହୋଇଥାଏ । ଯେହେତୁ ଅର୍ଜୁନ ସ୍ୱଭାବତଃ ଜଣେ ଯୋଦ୍ଧା ଥିଲେ, ।  ଶ୍ରୀକୃଷ୍ଣ ତାଙ୍କୁ କହୁଛନ୍ତି -  “ତୁମର କ୍ଷତ୍ରିୟ ସ୍ୱଭାବ ତୁମକୁ ଯୁଦ୍ଧ କରିବାକୁ ବାଧ୍ୟ କରିବ”(ଭଗବତ୍ ଗୀତା ୧୮.୫୯) । “ତୁମର ସହଜାତ ପ୍ରବୃତ୍ତି ଅନୁଯାୟୀ ତୁମେ ତାହା କରିବାକୁ ବାଧ୍ୟ ହେବ”(ଭଗବତ୍ ଗୀତା ୧୮.୬୦) । ସେହି ସ୍ୱଭାବକୁ ପରିଶୁଦ୍ଧ କରିବା ପାଇଁ ଆମକୁ ସଂସାରିକ ସୁଖ ଭୋଗ ପରିବର୍ତ୍ତେ ଭଗବତ୍ ପ୍ରାପ୍ତିକୁ ନିଜର ଲକ୍ଷ୍ୟ ଭାବରେ ଗ୍ରହଣ କରିବାକୁ ପଡିବ ଏବଂ ରାଗ-ଦ୍ୱେଷ ରହିତ ହୋଇ ନିଜର କର୍ତ୍ତବ୍ୟ କର୍ମକୁ ଭଗବାନଙ୍କର ସେବା ଭାବରେ କରିବାକୁ ପଡିବ ।

Watch Swamiji Explain This Verse