Bhagavad Gita: Chapter 3, Verse 37

ଶ୍ରୀଭଗବାନୁବାଚ
କାମ ଏଷ କ୍ରୋଧ ଏଷ ରଜୋଗୁଣସମୁଦ୍ଭବଃ ।
ମହାଶନୋ ମହାପାପ୍‌ମା ବିଦ୍ଧ୍ୟେନମିହ ବୈରିଣମ୍ ।।୩୭ ।।

ଶ୍ରୀ ଭଗବାନୁବାଚ - ପରମ ପୁରୁଷ ଭଗବାନ କହିଲେ; କାମଃ - କାମନା; ଏଷଃ - ସବୁ; କ୍ରୋଧଃ - କ୍ରୋଧ; ଏଷଃ - ସବୁ; ରଜୋଗୁଣ-ରଜଗୁଣ; ସମୁଦ୍ଭବଃ- ଜାତ; ମହାଶନଃ- ସର୍ବଗ୍ରାସୀ; ମହାପାପ୍ମା- ଅତ୍ୟନ୍ତ ପାପପୂର୍ଣ୍ଣ; ବିଦ୍ଧି -ଜାଣ; ଏନମ୍‌- ଏହାକୁ; ଇହ - ଏ ଭୌତିକ ଜଗତରେ; ବୈରିଣମ୍‌- ମହାନ୍ ଶତ୍ରୁ ।

Translation

BG 3.37: ଶ୍ରୀ ଭଗବାନ କହିଲେ: ଏହା କାମନା ହିଁ ଅଟେ, ଯାହାର ଉଦ୍ଭବ ରଜଗୁଣରୁ ହୋଇଥାଏ ଏବଂ ପରବର୍ତ୍ତୀ ସମୟରେ ଏହା କ୍ରୋଧର ରୂପ ନେଇଥାଏ । ଏହାକୁ ସଂସାରର ପାପମୟ ତଥା ସର୍ବଗ୍ରାସୀ ଶତ୍ରୁ ଭାବରେ ଜାଣ ।

Commentary

ବେଦରେ କାମ ଶବ୍ଦ କେବଳ ଯୌନ ଇଚ୍ଛାକୁ ବୁଝାଇ ନ ଥାଏ । ଆତ୍ମାର ଶାରୀରିକ ଅବଧାରଣାର ଆଧାରରେ ଭୌତିକ ଆନନ୍ଦ ପ୍ରାପ୍ତ କରିବାର ସମସ୍ତ ପ୍ରକାରର ଇଚ୍ଛା ଏହାର ଅନ୍ତର୍ଭୁକ୍ତ ଅଟେ । ତେଣୁ କାମନା ଅନେକ ରୂପରେ ପ୍ରକାଶିତ ହୋଇଥାଏ- ଅର୍ଥ କାମନା, ଭୋଗ୍ୟବସ୍ତୁର କାମନା, ପ୍ରତିଷ୍ଠାର ଲାଳସା, କ୍ଷମତାର ଲାଳସା, ଇତ୍ୟାଦି । ଭଗବତ୍ ପ୍ରେମ ପ୍ରାପ୍ତ କରିବାର ଅଭିଳାଷ, ଯାହାକି ସବୁ ଜୀବଙ୍କର ସହଜାତ ସ୍ୱଭାବ, ଏହି କାମନା ତାହାର ଏକ ବିକୃତ ରୂପ ଅଟେ । ଆତ୍ମା ଯେତେବେଳେ ଶରୀର ରୂପରେ ମାୟା ଶକ୍ତି ସହିତ ସମ୍ବନ୍ଧିତ ହୋଇଯାଏ, ଭଗବାନଙ୍କ ପ୍ରତି ଥିବା ତା’ର ଦିବ୍ୟ ପ୍ରେମ ରଜୋଗୁଣ ସଂସ୍ପର୍ଶରେ ଆସି କାମନାରେ ପରିଣତ ହୁଏ । ଯେହେତୁ ଦିବ୍ୟ  ପ୍ରେମ ଭଗବାନଙ୍କର ସର୍ବଶ୍ରେଷ୍ଠ ଶକ୍ତି ଅଟେ, ମାୟିକ ଜଗତରେ ଏହାର ବିକୃତ ରୂପ କାମନା ମଧ୍ୟ ସଂସାରର ସବୁଠାରୁ ପ୍ରଭାବଶାଳୀ ଶକ୍ତି ଅଟେ । ଶ୍ରୀକୃଷ୍ଣ ସଂସାରିକ ସୁଖ ଭୋଗର ଏହି କାମନାକୁ ପାପର କାରଣ ରୂପେ ଅଭିହିତ କରିଛନ୍ତି, ଯାହାକି ଆମ ଅନ୍ତରରେ ନିବାସ କରିଥିବା ସବୁଠାରୁ ହାନିକାରକ ଲାଳସା ଅଟେ । ମାୟିକ ରଜୋଗୁଣର ସଂସ୍ପର୍ଶରେ ଆସି ଭ୍ରମବଶତଃ ଆତ୍ମା ଏପରି ମନେ କରିଥାଏ ଯେ ସାଂସାରିକ ବସ୍ତୁ ତାକୁ ସୁଖ ପ୍ରଦାନ କରିପାରିବ ଏବଂ ସେଥିପାଇଁ ସେ ସେଗୁଡିକ ପ୍ରାପ୍ତ କରିବାର କାମନା କରିଥାଏ । ଯେତେବେଳେ କାମନା ପୁର୍ଣ୍ଣ ହୁଏ, ତାହା ଲୋଭ ଉଦ୍ରେକ କରାଏ ଏବଂ ଯେତେବେଳେ କାମନା ପୁର୍ଣ୍ଣ ହୁଏ ନାହିଁ, ସେତେବେଳେ କ୍ରୋଧ ଉତ୍ପନ୍ନ ହୁଏ । କାମ-କ୍ରୋଧ-ଲୋଭ - ଏହି ତିନି ଜଣଙ୍କର ପ୍ରଭାବରେ ବ୍ୟକ୍ତି ପାପ କରିଥାଏ । ଲୋଭ କାମନାର ଅତିଶୟତା ଅଟେ ଏବଂ କ୍ରୋଧ ଆଶାଭଙ୍ଗ କାମନାର ରୂପ ଅଟେ ।  ସେଥିପାଇଁ କାମନା-ବାସନାକୁ ଶ୍ରୀକୃଷ୍ଣ ସମସ୍ତ  ପାପର ମୂଳ କାରଣ ରୂପେ ଅଭିହିତ କରୁଛନ୍ତି ।