Bhagavad Gita: Chapter 3, Verse 7

ଯସ୍ତୁ ଇନ୍ଦ୍ରିୟାଣି ମନସା ନିୟମ୍ୟାରଭତେଽର୍ଜୁନ ।
କର୍ମେନ୍ଦ୍ରିୟୈଃ କର୍ମଯୋଗମସକ୍ତଃ ସ ବିଶିଷ୍ୟତେ ।।୭।।

ଯଃ-ଯେ; ତୁ - କିନ୍ତୁ; ଇନ୍ଦ୍ରିୟାଣି- ଇନ୍ଦ୍ରିୟ- ସମୂହ; ମନସା- ମନରେ; ନିୟମ୍ୟ- ସଂଯତ କରି; ଆରଭତେ- ଆରମ୍ଭକରେ; ଅର୍ଜୁନ- ହେ ଅର୍ଜୁନ; କର୍ମେନ୍ଦ୍ରିୟୈଃ- କର୍ମେନ୍ଦ୍ରୟମାନଙ୍କ ସାହାଯ୍ୟରେ; କର୍ମଯୋଗମ୍‌- କର୍ମଯୋଗ; ଅସକ୍ତଃ-ଅନାସକ୍ତ ଭାବରେ; ସଃ- ସେ; ବିଶିଷ୍ୟତେ- ଉତ୍କୃଷ୍ଠତର ଅଟେ ।

Translation

BG 3.7: ହେ ଅର୍ଜୁନ! ଯେଉଁ କର୍ମଯୋଗୀଗଣ ମନ ଦ୍ୱାରା ନିଜର ଜ୍ଞାନେନ୍ଦ୍ରିୟମାନଙ୍କୁ ନିୟନ୍ତ୍ରିତ କରି, କର୍ମେନ୍ଦ୍ରିୟ ଦ୍ୱାରା ଆସକ୍ତି ରହିତ କର୍ମ କରନ୍ତି, ସେମାନେ ନିଶ୍ଚିିତ ରୂପେ ଉଚ୍ଚଶ୍ରେଣୀର ଅଟନ୍ତି ।

Commentary

ଏହି ଶ୍ଲୋକରେ ବ୍ୟବହୃତ କର୍ମଯୋଗ ଶବ୍ଦରେ ମୁଖ୍ୟତଃ ଦୁଇଟି  ଚିନ୍ତାଧାରା ସମାହିତ ହୋଇଛି - କର୍ମ (ବୃତ୍ତିଗତ କର୍ତ୍ତବ୍ୟ) ଓ ଯୋଗ (ଭଗବାନଙ୍କ ସହ ଯୋଗ) ।  ତେଣୁ ସେହି ବ୍ୟକ୍ତି କର୍ମଯୋଗୀ ଅଟନ୍ତି, ଯିଏ ସାଂସାରିକ କାର୍ଯ୍ୟ ସମ୍ପାଦନ କରିବା ସହିତ ମନରେ ଭଗବାନଙ୍କର ଧ୍ୟାନ କରିଥାଆନ୍ତି । ଏପରି କର୍ମଯୋଗୀ ସଂସାରର ସମସ୍ତ କାର୍ଯ୍ୟ ନିର୍ବାହ କରୁଥିଲେ ସୁଦ୍ଧା କର୍ମ ବନ୍ଧନରେ ବାନ୍ଧି ହୁଅନ୍ତି ନାହିଁ । ଏହାର କାରଣ,  କର୍ମ ନୁହେଁ, କର୍ମଫଳ ପ୍ରତି ମନର ଆସକ୍ତି ହିଁ ବନ୍ଧନ କାରକ ଅଟେ ଏବଂ କର୍ମଯୋଗୀର କର୍ମଫଳ ପ୍ରତି  ଆସକ୍ତି ନ ଥାଏ । ଅନ୍ୟ ପକ୍ଷରେ, ଯେଉଁମାନେ କର୍ମ ତ୍ୟାଗ କରି ଆସକ୍ତି ତ୍ୟାଗ କରି ନ ଥାଆନ୍ତି, ସେହି କପଟୀ ତ୍ୟାଗୀମାନେ କର୍ମ ନିୟମରେ ବାନ୍ଧି ହୋଇଯାଆନ୍ତି ।

ସେଥିପାଇଁ ଶ୍ରୀକୃଷ୍ଣ ଏଠାରେ କହୁଛନ୍ତି ଯେ, ଯେଉଁ ବ୍ୟକ୍ତି  ପାରିବାରିକ ଜୀବନ ଯାପନ କରି କର୍ମଯୋଗ ପାଳନ କରନ୍ତି, ସେମାନେ ମନରେ ଇନ୍ଦ୍ରିୟ ଭୋଗ ପ୍ରତି ଲାଳାୟୀତ ଥିବା କପଟୀ ତ୍ୟାଗୀମାନଙ୍କ ଠାରୁ ଶ୍ରେଷ୍ଠ ଅଟନ୍ତି । ଜଗଦ୍‌ଗୁରୁ ଶ୍ରୀ କୃପାଳୁ ଜୀ  ମହାରାଜ ଏହି ଦୁଇଟି  ସ୍ଥିତିର ପ୍ରଭେଦ ଅତି ସୁନ୍ଦର ଭାବରେ ବର୍ଣ୍ଣନା କରିବାକୁ ଯାଇ କହୁଛନ୍ତି:

ମନ ହରିମେଁ ତନ ଜଗତ  ମେଁ, କର୍ମଯୋଗ ୟେହି ଜାନ ।
ତନ ହରି ମେଁ ମନ ଜଗତ ମେଁ, ୟହ ମହାନ ଅଜ୍ଞାନ ।ା (ଭକ୍ତି ଶତକ-ପଦ ୮୪)

“ଯେତେବେଳେ ଜଣେ ବ୍ୟକ୍ତି ଶରୀର ଦ୍ୱାରା ସଂସାରର ସବୁ କାର୍ଯ୍ୟ କରି ମନକୁ ଭଗବାନଙ୍କ ଠାରେ ନିମଗ୍ନ ରଖିଥାଆନ୍ତି, ତାହା କର୍ମଯୋଗ ଅଟେ । ଅନ୍ୟ ପକ୍ଷରେ, ଶରୀର ଦ୍ୱାରା ଧର୍ମର ଅନୁଷ୍ଠାନ କରି  ଯଦି ଜଣେ ମନକୁ ସଂସାରରେ ଆସକ୍ତ ରଖିଥାଆନ୍ତି, ତେବେ ତାହା ପ୍ରବଞ୍ଚନା ଅଟେ । ”