Bhagavad Gita: Chapter 4, Verse 10

ବୀତରାଗଭୟକ୍ରୋଧା ମନ୍ମୟା ମାମୁପାଶ୍ରିତାଃ ।
ବହବୋ ଜ୍ଞାନତପସା ପୂତା ମଦ୍‌ଭାବମାଗତାଃ ।।୧୦।।

ବୀତ-ମୁକ୍ତ; ରାଗ- ଅନୁରାଗ; ଭୟ-ଭୟ; କ୍ରୋଧ -କ୍ରୋଧ; ମତ୍ ମୟା- ସମ୍ପୂର୍ଣ୍ଣରୂପେ ମୋଠାରେ; ମାଂ - ମୋତେ; ଉପାଶ୍ରିତାଃ - ଆଶ୍ରୟ କରି; ବହବଃ - ଅନେକ; ଜ୍ଞାନ - ଜ୍ଞାନ; ତପସ୍ୟା-ତପସ୍ୟାଦ୍ୱାରା; ପୂତାଃ - ପବିତ୍ର ହୋଇ; ମତ ଭାବମ୍ - ମୋ ପ୍ରତି ଦିବ୍ୟ ପ୍ରେମ; ଆଗତାଃ - ପ୍ରାପ୍ତ ହୋଇଥିଲେ ।

Translation

BG 4.10: ଅତୀତରେ ଅନେକ ବ୍ୟକ୍ତି ଆସକ୍ତି, ଭୟ ଓ କ୍ରୋଧ ମୁକ୍ତ ହୋଇ ପୂର୍ଣ୍ଣତଃ ମୋ ପ୍ରତି ସମର୍ପିତ ହୋଇଛନ୍ତି ଏବଂ ଶରଣାଗତି ଦ୍ୱାରା ମୋର ଦିବ୍ୟ ଜ୍ଞାନ ପ୍ରାପ୍ତ କରି ଶୁଦ୍ଧ ହୋଇଛନ୍ତି ଏବଂ ସେମାନେ ମୋର ଦିବ୍ୟ ପ୍ରେମ ଲାଭ କରିଛନ୍ତି ।

Commentary

ପୂର୍ବବର୍ତ୍ତୀ ଶ୍ଲୋକରେ ଶ୍ରୀକୃଷ୍ଣ କହିଲେ ଯେ, ଯେଉଁମାନେ ତାଙ୍କର ଜନ୍ମ ଓ ଲୀଳାର ଦିବ୍ୟତା ହୃଦୟଙ୍ଗମ କରନ୍ତି, ସେମାନେ ତାଙ୍କୁ ପ୍ରାପ୍ତ କରନ୍ତି । ସେ ବର୍ତ୍ତମାନ ଏହାର ଦୃଢ଼ୀକରଣ କରୁଛନ୍ତି ଯେ, ଏହି ଉପାୟରେ ଅସଂଖ୍ୟ ବ୍ୟକ୍ତି ଭଗବତ୍ ପ୍ରାପ୍ତି କରିଛନ୍ତି । ଭକ୍ତିଦ୍ୱାରା ତାଙ୍କର ଅନ୍ତଃକରଣ ଶୁଦ୍ଧ କରି ସେମାନେ ଏହି ଲକ୍ଷ୍ୟ ପ୍ରାପ୍ତ କରିଛନ୍ତି । ଶ୍ରୀ ଅରବିନ୍ଦ ଅତି ସୁନ୍ଦର ଭାବରେ ଏହାକୁ ବର୍ଣ୍ଣନା କରିଛନ୍ତି: “ତୁମେ ଯଦି ହୃଦୟରେ ଚୈତନ୍ୟର ଉପସ୍ଥିତି ସ୍ଥାପିତ କରିବାକୁ ଇଚ୍ଛା କରୁଥାଅ, ତାହେଲେ ତୁମ ହୃଦୟ ମନ୍ଦିରକୁ ନିର୍ମଳ ରଖିବାକୁ ପଡ଼ିବ । ବାଇବେଲ ଉଲ୍ଲେଖ କରେ: “ନିର୍ମଳ ହୃଦୟ ବ୍ୟକ୍ତିମାନେ ଧନ୍ୟ ଅଟନ୍ତି, କାରଣ ସେମାନେ ଭଗବାନଙ୍କର ଦର୍ଶନ ଲାଭ କରିବେ ।” (ମାଥ୍ୟୁସ୍ ୫.୮)

ତେବେ ହୃଦୟ ନିର୍ମଳ କିପରି ହୁଏ? ଆସକ୍ତି, କ୍ରୋଧ ଓ ଭୟ ତ୍ୟାଗ କରି ଭଗବାନଙ୍କଠାରେ ମନ ଲଗାଇବା ଦ୍ୱାରା ଏହା ସମ୍ଭବ ହୋଇଥାଏ । ପ୍ରକୃତରେ, କାମନା ହିଁ ଉଭୟ ଭୟ ଓ କ୍ରୋଧର କାରଣ ଅଟେ । ଇପ୍‌ସିତ ବସ୍ତୁ ଆମ ହାତରୁ ଚାଲିଯିବାର ଆଶଙ୍କା ଭୟ ଉତ୍ପନ୍ନ କରେ । କାମ୍ୟ ବସ୍ତୁ ପ୍ରାପ୍ତିରେ ବାଧା ଉତ୍ପନ୍ନ ହେଲେ କ୍ରୋଧ ଜାତ ହୁଏ । ତେଣୁ କାମନା ଆମ ମନକୁ ଅଶୁଦ୍ଧ କରିବାର ମୂଳ କାରଣ ଅଟେ ।

ମାୟାର ଏହି ସଂସାରରେ ତିିନି ପ୍ରକାର ମାୟିକ ଗୁଣ ରହିଛି - ସତ୍ତ୍ୱ, ରଜ, ତମ (ସଦ୍‌ଗୁଣ, ଅବେଗ ଏବଂ ଅଜ୍ଞାନତା) ସଂସାରର ସମସ୍ତ ବସ୍ତୁ ବା ବ୍ୟକ୍ତି ଏହି ତିନି ଗୁଣର ପରିଧିର ଅନ୍ତର୍ଭୁକ୍ତ । ଯେତେବେଳେ ଆମେ କୌଣସି ମାୟାଧୀନ ବ୍ୟକ୍ତି ବା ବସ୍ତୁରେ ମନ ଲଗାଇଥାଏ, ଏହି ତିନି ଗୁଣ ଦ୍ୱାରା ପ୍ରଭାବିତ ହୋଇଥାଏ । ତା ପରିବର୍ତ୍ତେ ଯେତେବେଳେ ଏହି ତିନିଗୁଣର ଊର୍ଦ୍ଧ୍ୱରେ ସ୍ଥିତ ଭଗବାନଙ୍କଠାରେ ଆମର ମନ ଲଗାଏ, ଏହା ମନକୁ ପବିତ୍ର କରିଥାଏ । ତେଣୁ ଆମ ମନକୁ କ୍ରୋଧ, ଲୋଭ, ଇର୍ଷା, ଭ୍ରମ ଆଦି ଦୋଷ ମୁକ୍ତ କରିବାର ସର୍ବଶ୍ରେଷ୍ଠ ଉପାୟ ହେଲା ତାକୁ ସଂସାରରୁ ହଟାଇ ଈଶ୍ୱରଙ୍କଠାରେ ଲଗାଇବା । ତେଣୁ ରାମାୟଣ କହେ:

ପ୍ରେମ ଭଗତି ଜଳ ବିନୁ ରଘୁରାଈ, ଅଭିଅନ୍ତର ମଳ କବହୁଁ ଯାଈ ।

“ଭଗବାନଙ୍କର ଭକ୍ତି ବିନା ମନର ମଇଳା ଧୋଇ ହେବ ନାହିଁ ।” ଏପରିକି ଜ୍ଞାନଯୋଗର ସର୍ବଶ୍ରେଷ୍ଠ ପ୍ରଚାରକ ଶଙ୍କରାଚାର୍ଯ୍ୟ ମଧ୍ୟ କହନ୍ତି:

ଶୁଦ୍ଧୟତି ହି ନାନ୍ତରାତ୍ମା କୃଷ୍ଣପଦାମ୍ଭୋଜ ଭକ୍ତିମୃତେ (ପ୍ରବୋଧ ସୁଧାକର)

“ଶ୍ରୀକୃଷ୍ଣଙ୍କ ପାଦପଦ୍ମର ଭକ୍ତି ନ କଲେ ମନ ଶୁଦ୍ଧ ହେବ ନାହିଁ ।”

ପୂର୍ବ ଶ୍ଲୋକଟି ପାଠ କରି ମନରେ ଏହି ପ୍ରଶ୍ନ ଉଠିପାରେ ଯେ ତାଙ୍କଠାରେ ମନୋନିବେଶ କରିଥିବା ଜୀବ ଏବଂ ସଂସାର-ଆସକ୍ତ ଜୀବମାନଙ୍କୁ କୃପା ପ୍ରଦାନ କରିବାରେ ଶ୍ରୀକୃଷ୍ଣ କୌଣସି ପକ୍ଷପାତ କରନ୍ତି କି? ଭଗବାନ ଏହାର ସମାଧାନ ପରବର୍ତ୍ତୀ ଶ୍ଲୋକରେ କରିଛନ୍ତି ।

Watch Swamiji Explain This Verse