Bhagavad Gita: Chapter 4, Verse 11

ଯେ ଯଥା ମାଂ ପ୍ରପଦ୍ୟନ୍ତେ ତାଂସ୍ତଥୈବ ଭଜାମ୍ୟହମ୍ ।
ମମ ବର୍ତମାନୁବର୍ତନ୍ତେ ମନୁଷ୍ୟାଃ ପାର୍ଥ ସର୍ବଶଃ ।।୧୧।।

ଯେ- ଯିଏ; ଯଥା - ଯେପରି; ମାଂ- ମୋ ପ୍ରତି; ପ୍ରପଦ୍ୟନ୍ତେ - ଶରଣାଗତ ହୁଅନ୍ତି; ତାନ୍ - ସେମାନଙ୍କୁ; ତଥା - ସେହିପରି; ଏବ - ନିଶ୍ଚିତଭାବେ; ଭଜାମି - ପ୍ରତିଦାନ ଦିଏ; ଅହମ୍‌- ମୁଁ; ମମ- ମୋର; ବର୍ତ୍‌ମ -ପଥ; ଅନୁବର୍ତନ୍ତେ - ଅନୁସରଣ କରନ୍ତି; ମନୁଷ୍ୟାଃ - ମନୁଷ୍ୟମାନେ; ପାର୍ଥ - ହେ ପୃଥାପୁତ୍ର; ସର୍ବଶଃ - ସର୍ବପ୍ରକାରେ ।

Translation

BG 4.11: ମନୁଷ୍ୟମାନେ ଯେପରି ଭାବରେ ମୋର ଶରଣାଗତ ହୁଅନ୍ତି, ମୁଁ ସେମାନଙ୍କୁ ସେହି ଅନୁସାରେ ତାର ପ୍ରତିଦାନ ଦେଇଥାଏ । ହେ ପାର୍ଥ! ଜ୍ଞାତରେ ହେଉ କି ଅଜ୍ଞାତ ସାରରେ ହେଉ ସମସ୍ତେ ମୋର ମାର୍ଗ ଅନୁସରଣ କରନ୍ତି ।

Commentary

ଏଠାରେ ଶ୍ରୀକୃଷ୍ଣ କହୁଛନ୍ତି ଯେ ଜୀବ ଯେପରି ଭାବରେ ସମର୍ପଣ କରେ, ସେହି ଅନୁରୂପରେ ସେ ତାର ପ୍ରତିଦାନ ଦେଇଥାନ୍ତି । ଯେଉଁମାନେ ଭଗବାନଙ୍କର ଅସ୍ତିତ୍ୱକୁ ଅସ୍ୱୀକାର କରନ୍ତି, ସେ ତାଙ୍କୁ କର୍ମର ନ୍ୟାୟକର୍ତ୍ତା ଭାବରେ ମିଳନ୍ତି । ତାଙ୍କ ହୃଦୟରେ ବସି କର୍ମର ହିସାବ ରଖନ୍ତି ଓ ତା’ର ଫଳ ଦିଅନ୍ତି । କିନ୍ତୁ ଏହି ନାସ୍ତିକମାନେ ମଧ୍ୟ ତାଙ୍କର ସେବା ନ କରି ରହିପାରନ୍ତି ନାହିଁ; ସେମାନେ ଭଗବାନଙ୍କ ମାୟାଶକ୍ତିର ବିବିଧ ଅଭିବ୍ୟକ୍ତି, ଯଥା ସମ୍ପତ୍ତି, ବିଳାସ, ଜ୍ଞାତି କୁଟୁମ୍ବ, ସମ୍ମାନ ଇତ୍ୟାଦିର ସେବା କରିବାକୁ ବାଧ୍ୟ ହୁଅନ୍ତି । ମାୟା ସେମାନଙ୍କୁ କ୍ରୋଧ, କାମନା ଓ ଲୋଭର ଅଧୀନରେ ରଖିଥାଏ । ଅନ୍ୟ ପକ୍ଷରେ, ଯେଉଁମାନେ ସଂସାରର ଆକର୍ଷଣରୁ ମନକୁ ହଟାଇ, ଭଗବାନଙ୍କୁ ତାଙ୍କର ଲକ୍ଷ୍ୟ ଓ ଆଶ୍ରୟ ଭାବନ୍ତି, ମା ଶିଶୁର ଯତ୍ନ ନେଲାପରି ସେ ତା’ର ଯତ୍ନ ନିଅନ୍ତି ।

ଶ୍ରୀକୃଷ୍ଣ ଭଜାମି ଶବ୍ଦ ପ୍ରୟୋଗ କରିଛନ୍ତି ଯାହାର ଅର୍ଥ “ସେବା କରିବା”, ଭଗବାନ ଶରଣାଗତ ଜୀବମାନଙ୍କର ସେବା କରିଥା’ନ୍ତି । ସେ ତାଙ୍କର ଅନନ୍ତ ଜନ୍ମର ସଞ୍ôଚତ କର୍ମ ଧ୍ୱଂସ କରନ୍ତି, ମାୟାର ବନ୍ଧନରୁ ମୁକ୍ତ କରନ୍ତି, ସଂସାରର ଅନ୍ଧକାରକୁ ଦୂର କରିଦିଅନ୍ତି ଏବଂ ତାଙ୍କୁ ଦିବ୍ୟ ଆନନ୍ଦ, ଦିବ୍ୟ ଜ୍ଞାନ ଓ ଦିବ୍ୟ ପ୍ରେମ ପ୍ରଦାନ କରନ୍ତି । ଭକ୍ତ ଯେତେବେଳେ ଭଗବାନଙ୍କର ନିଷ୍କାମ ଭକ୍ତି କରିବାରେ ଲାଗନ୍ତି, ସେତେବେଳେ  ଭଗବାନ ସ୍ୱେଚ୍ଛାକୃତ ଭାବରେ ତାଙ୍କ ପ୍ରେମର ଦାସତ୍ୱ ସ୍ୱୀକାର କରି ନିଅନ୍ତି । ପ୍ରଭୁ ଶ୍ରୀରାମ ହନୁମାନଙ୍କ ଉଦ୍ଦେଶ୍ୟରେ କହିଥିଲେ:

ଏକୈକସ୍ୟୋପକାରସ୍ୟ ପ୍ରାଣାନ୍ ଦାସ୍ୟାସ୍ମି ତେ କପେ
ଶେଷସ୍ୟେହୋପକାରାଣାମ୍ ଭବାମ୍ ଋଣିନୋ ବୟମ୍ । (ବାଲ୍ମିକୀ ରାମାୟଣ)

“ହେ ହନୁମାନ! ତୁମେ ମୋ ପ୍ରତି କରିଥିବା ଗୋଟିଏ ସେବାର ଋଣରୁ ମୁକ୍ତ ହେବା ପାଇଁ ମୋତେ ମୋର ପ୍ରାଣ ଦେବାକୁ ପଡ଼ିବ । ଅନ୍ୟ ଯେଉଁ ସବୁ ସେବା କରିଛ ତା ପାଇଁ ମୁଁ ଚିରଦିନ ଋଣୀ ରହିବି । ଅତଏବ, ଯିଏ ବି ଭଗବାନଙ୍କର ଶରଣାଗତ ହୁଅନ୍ତି, ଭଗବାନ ସେମାନଙ୍କୁ ତା’ର ପ୍ରତିଦାନ ଦିଅନ୍ତି ।

ଯଦି ଭଗବାନ ତାଙ୍କର ଭକ୍ତମାନଙ୍କ ପ୍ରତି ଏତେ ସଦୟ, ତା’ହେଲେ ଲୋକେ ସ୍ୱର୍ଗର ଦେବତାମାନଙ୍କୁ ପୂଜା କରନ୍ତି କାହିଁକି? ପରବର୍ତ୍ତୀ ଶ୍ଲୋକରେ ଏହାର ବର୍ଣ୍ଣନା କରାଯାଇଛି ।

Watch Swamiji Explain This Verse