Bhagavad Gita: Chapter 4, Verse 14

ନ ମାଂ କର୍ମାଣି ଲିମ୍ପନ୍ତି ନ ମେ କର୍ମଫଳେ ସ୍ପୃହା ।
ଇତି ମାଂ ଯୋଽଭିଜାନାତି କର୍ମଭିର୍ନ ସ ବଧ୍ୟତେ ।।୧୪।।

ନ- ନାହିଁ; ମାଂ -ମୋତେ; କର୍ମାଣି - କର୍ମ; ଲିମ୍ପନ୍ତି -ଦୂଷିତ କରନ୍ତି; ନ -ନାହିଁ; ମେ -ମୋର; କର୍ମଫଳେ -କର୍ମଫଳରେ; ସ୍ପହା -ଆଗ୍ରହ; ଇତି -ଏହିପରି; ମାଂ- ମୋତେ; ଯଃ -ଯିଏ; ଅଭିଜାନାତି -ଜାଣନ୍ତି; କର୍ମଭିଃ -କର୍ମଫଳ; ନ -ନୁହେଁ; ସ -ସେ; ବଧ୍ୟତେ -ଆସକ୍ତ ହୁଅନ୍ତି ନାହିଁ ।

Translation

BG 4.14: କୌଣସି କର୍ମ ମୋତେ ପ୍ରଭାବିତ କରେ ନାହିଁ, କୌଣସି କର୍ମଫଳ ପ୍ରତି ମୋର ସ୍ପୃହା ନାହିଁ । ଯେଉଁମାନେ ମୋତେ ଏହି ରୂପରେ ଜାଣନ୍ତି, ସେମାନେ କର୍ମଫଳର ବନ୍ଧନରେ ବାନ୍ଧି ହୁଅନ୍ତି ନାହିଁ ।

Commentary

ଭଗବାନ ସର୍ବଥା ଶୁଦ୍ଧ ଅଟନ୍ତି । ସେ ଯାହାବି କରନ୍ତି ତାହା ଶୁଦ୍ଧ ଓ ପବିତ୍ର ହୋଇଯାଏ । ରାମାୟଣ କହେ:

ସମରଥ କହୁଁ ନହିଁ ଦୋଷୁ ଗୋସାଈଁ, ରବି ପାବକ ସୁରସରି କୀ ନାଈଁ ।

“ଶୁଦ୍ଧ ବ୍ୟକ୍ତିତ୍ୱ କୌଣସି ଅଶୁଦ୍ଧ ସ୍ଥିତି ବା ବସ୍ତୁର ସମ୍ପର୍କରେ ଆସିଲେ ମଧ୍ୟ ଅଶୁଦ୍ଧ ହୁଅନ୍ତି ନାହିଁ । ଯେପରିକି ସୂର୍ଯ୍ୟ, ଅଗ୍ନି ଓ ଗଙ୍ଗା । ପରିଶ୍ରାରେ ପୂର୍ଣ୍ଣ ଗୋଟିଏ ଗାତ ଉପରେ ସୂର୍ଯ୍ୟକିରଣ ପଡ଼ିଲେ ସୂର୍ଯ୍ୟ ଅଶୁଦ୍ଧ ହୁଅନ୍ତି ନାହିଁ । ସୂର୍ଯ୍ୟ ତାଙ୍କର ଶୁଦ୍ଧତା ରକ୍ଷା କରିବା ସହିତ ଆବର୍ଜନାପୂର୍ଣ୍ଣ ଖାଲକୁ ମଧ୍ୟ ଶୁଦ୍ଧ କରିଦିଅନ୍ତି । ସେହିପରି ଅଗ୍ନିରେ କୌଣସି ଅଶୁଦ୍ଧ ବସ୍ତୁ ଅର୍ପଣ କଲେ ମଧ୍ୟ ଅଗ୍ନି ନିଜର ଶୁଦ୍ଧତା ବଜାୟ ରଖେ । ଅଗ୍ନି ପବିତ୍ର ଏବଂ ଯାହାବି ଏଥିରେ ସମର୍ପିତ ହୁଏ ଶୁଦ୍ଧ ହୋଇଯାଏ । ଗଙ୍ଗାରେ ଅନେକ ନର୍ଦ୍ଦମାର ଜଳ ମିଶିଥାଏ, କିନ୍ତୁ ତାହା ଗଙ୍ଗାକୁ ନର୍ଦ୍ଦମାରେ ପରିଣତ କରେ ନାହିଁ । ଗଙ୍ଗା ନଦୀ ଅପବିତ୍ର ନର୍ଦ୍ଦମାକୁ ପବିତ୍ର ଗଙ୍ଗାରେ ପରିଣତ କରିଦିଏ । ସେହିପରି ଭଗବାନ ଯେଉଁସବୁ କର୍ମ କରନ୍ତି, ତଦ୍ୱାରା ସ୍ୱୟଂ ଅପବିତ୍ର ହୁଅନ୍ତି ନାହିଁ ।

ବ୍ୟକ୍ତି ଯେତେବେଳେ ଫଳ ଭୋଗର କାମନା ନେଇ କର୍ମ କରିଥାଏ, ସେହି କର୍ମ ତାକୁ କର୍ମ ବନ୍ଧନରେ ପକାଇଥାଏ । କିନ୍ତୁ ଭଗବାନଙ୍କ କର୍ମରେ ନିଜସ୍ୱ ସ୍ୱାର୍ଥ ନିହିତ ନ ଥାଏ, ତାଙ୍କର ପ୍ରତ୍ୟେକ କର୍ମ ଜୀବ ପ୍ରତି କୃପା ଉଦ୍ଦେଶ୍ୟରେ ହୋଇଥାଏ । ସେଥିପାଇଁ, ଯଦିଓ ସେ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ସଂସାରର ପରିଚାଳନା କରିଥାନ୍ତି ଏବଂ ବିଭିନ୍ନ କର୍ମରେ ଲିପ୍ତ ରହନ୍ତି, ତଥାପି ସେ କର୍ମଫଳ ଦ୍ୱାରା କଳଙ୍କିତ ହୁଅନ୍ତି ନାହିଁ । ଶ୍ରୀକୃଷ୍ଣ ଏଠାରେ କହୁଛନ୍ତି ଯେ କର୍ମର କର୍ମଫଳରୁ ସେ ଊର୍ଦ୍ଧ୍ୱରେ ସ୍ଥିତ ରହନ୍ତି ।

ବ୍ରହ୍ମନିଷ୍ଠ ମହାପୁରୁଷମାନେ ମଧ୍ୟ ମାୟାଶକ୍ତିର ଊର୍ଦ୍ଧ୍ୱରେ ରହନ୍ତି । ଯେହେତୁ ସେମାନଙ୍କର ପ୍ରତ୍ୟେକ କର୍ମ ଭଗବାନଙ୍କ ପ୍ରତି ପ୍ରେମ ଦ୍ୱାରା ସମ୍ପନ୍ନ ହୋଇଥାଏ, କର୍ମର କର୍ମଫଳ ଜନିତ ପ୍ରତିକ୍ରିୟାରେ ସେମାନେ ବାନ୍ଧି ହୁଅନ୍ତି ନାହିଁ । ଶ୍ରୀମଦ୍ ଭଗବତମ୍ କହେ:

ଯତ୍ ପାଦ ପଙ୍କଜ ପରାଗ ନିଷେବ ତୃପ୍ତା
ଯୋଗ ପ୍ରଭାବ ବିଧୁତାଖିଲ କର୍ମ ବନ୍ଧାଃ
ସ୍ୱୈରଂ ଚରନ୍ତି ମୁନୟୋଽପି ନ ନହ୍ୟମାନାସ୍
ତସ୍ୟେଚ୍ଛୟାତ୍ତତ୍ତବପୁଷଃ କୁତ ଏବ ବନ୍ଧଃ । (୧୦.୩୩.୩୪)

“ଯେଉଁ ଭକ୍ତମାନେ ଭଗବାନଙ୍କ ପାଦପଦ୍ମ ପରାଗର ସେବା କରି ତୃପ୍ତ ରହିଥାଆନ୍ତି, ସାଂସାରିକ କର୍ମ ସେମାନଙ୍କୁ କୌଣସି ପ୍ରକାରେ ଦୋଷଯୁକ୍ତ କରିପାରେ ନାହିଁ । ସେହିପରି ଯେଉଁମାନେ ଯୋଗ ଶକ୍ତି ଦ୍ୱାରା କର୍ମବନ୍ଧନରୁ ମୁକ୍ତ ହୋଇ ଯାଇଥାଆନ୍ତି, ସେହି ଜ୍ଞାନୀ ଯୋଗୀମାନଙ୍କୁ ମଧ୍ୟ କର୍ମ ଦୂଷିତ କରିପାରେ ନାହିଁ । ସେପରି କ୍ଷେତ୍ରରେ, ଭଗବାନ, ଯିଏ ସ୍ୱେଚ୍ଛାରେ ଦିବ୍ୟ ରୂପ ଧାରଣ କରନ୍ତି, ବନ୍ଧନଯୁକ୍ତ ହେବାର ପ୍ରଶ୍ନ ହିଁ ଉଠେନାହିଁ ।”