Bhagavad Gita: Chapter 4, Verse 26

ଶ୍ରୋତ୍ରାଦୀନୀନ୍ଦ୍ରିୟାଣ୍ୟନ୍ୟେ ସଂଯମାଗ୍ନିଷୁ ଜୁହ୍ୱତି ।
ଶବ୍ଦାଦୀନ୍‌ବିଷୟାନନ୍ୟ ଇନ୍ଦ୍ରିୟାଗ୍ନିଷୁ ଜୁହ୍ୱତି ।।୨୬।।

ଶ୍ରୋତ୍ର-ଆଦୀନି- ଶ୍ରବଣ କ୍ରିୟା ଆଦି; ଇନ୍ଦ୍ରିୟାଣି - ଇନ୍ଦ୍ରିୟମାନେ; ଅନ୍ୟେ -ଅନ୍ୟମାନେ; ସଂଯମ -ସଂଯମ; ଅଗ୍ନିଷୁ -ଯଜ୍ଞ ଅଗ୍ନିରେ; ଜୁହ୍ୱତି - ଅର୍ପଣ କରନ୍ତି; ଶବ୍ଦ-ଆଦୀନ୍ - ଶବ୍ଦତରଙ୍ଗ ଆଦି; ବିଷୟାନ୍ - ଇନ୍ଦ୍ରିୟ ବିଷୟ; ଅନ୍ୟ -ଅନ୍ୟମାନେ; ଇନ୍ଦ୍ରିୟ - ଇନ୍ଦ୍ରିୟମାନଙ୍କର; ଅଗ୍ନିଷୁ -ଅଗ୍ନିରେ; ଜୁହ୍ୱତି - ଅର୍ପଣ କରନ୍ତି ।

Translation

BG 4.26: କେହି କେହି ଶ୍ରବଣ ତଥା ଅନ୍ୟ ଇନ୍ଦ୍ରିୟମାନଙ୍କୁ ସଂଯମ ରୂପୀ ଯଜ୍ଞାଗ୍ନିରେ ଆହୁତି ଦିଅନ୍ତି । ଅନ୍ୟମାନେ ଶବ୍ଦାଦି ଇନ୍ଦ୍ରିୟ ଭୋଗ୍ୟ ବିଷୟ ସବୁକୁ ଇନ୍ଦ୍ରିୟର ଅଗ୍ନିରେ ଅର୍ପଣ କରନ୍ତି ।

Commentary

ଅଗ୍ନିରେ ଅର୍ପିତ ହେଉଥିବା ବସ୍ତୁକୁ ଅଗ୍ନି ତା’ ନିଜ ସ୍ୱରୂପରେ ରୂପାନ୍ତରିତ କରିଦିଏ । ବାହ୍ୟ ବୈଦିକ ଯଜ୍ଞ ଅନୁଷ୍ଠାନରେ ଆହୁତି ରୂପରେ ଅର୍ପିତ ଦ୍ରବ୍ୟ ସବୁକୁ ସେ ସ୍ଥୁଳ ରୂପରେ ଗ୍ରାସ କରିଥାଏ । ଅଭ୍ୟନ୍ତରୀଣ ରୂପରେ କରାଯାଉଥିବା ଦିବ୍ୟ ସାଧନାରେ, ଅଗ୍ନି ସାଙ୍କେତିକ ଅଟେ । ଆତ୍ମ ସଂଯମର ଅଗ୍ନି ଇନ୍ଦ୍ରିୟମାନଙ୍କର କାମନାକୁ ଦହନ କରିଦିଏ ।

ଏଠାରେ ଶ୍ରୀକୃଷ୍ଣ ଆଧ୍ୟାତ୍ମିକ ଉନ୍ନତି ପାଇଁ, ଦୁଇଟି ପରସ୍ପର ବିରୋଧୀ ଦୃଷ୍ଟିକୋଣ ମଧ୍ୟରେ ପାର୍ଥକ୍ୟ ଦର୍ଶାଇଛନ୍ତି । ଗୋଟିଏ ଦୃଷ୍ଟିକୋଣ ହେଉଛି ଇନ୍ଦ୍ରିୟ ମାନଙ୍କର ବଶୀକରଣ, ଯାହାର ଅଭ୍ୟାସ ହଟଯୋଗରେ କରାଯାଇଥାଏ । ଏହିପରି ଯଜ୍ଞଦ୍ୱାରା, ଶରୀର ଧାରଣ କରିବା ପାଇଁ ଆବଶ୍ୟକୀୟ କର୍ମ ବ୍ୟତିତ, ଇନ୍ଦ୍ରିୟମାନଙ୍କର ସମସ୍ତ କର୍ମକୁ ନିଷ୍କ୍ରିୟ କରିଦିଆଯାଏ । ମନକୁ ସମ୍ପୂର୍ଣ୍ଣ ଭାବେ ଇନ୍ଦ୍ରିୟମାନଙ୍କଠାରୁ ହଟାଇ ମନୋବଳ ଦ୍ୱାରା ସେଗୁଡ଼ିକୁ ଅନ୍ତର୍ମୁଖୀ କରିଦିଆଯାଏ ।

ଏହାର ବିପରୀତ ହେଉଛି ଭକ୍ତିଯୋଗର ସାଧନା । ଏହି ଦ୍ୱିତୀୟ ପ୍ରକାର ଯଜ୍ଞରେ, ସୃଷ୍ଟିର ପ୍ରତି ପରମାଣୁରେ ବ୍ୟାପ୍ତ ସୃଷ୍ଟିକର୍ତ୍ତାଙ୍କ ମାହାତ୍ମ୍ୟ ଅବଲୋକନ କରିବାକୁ ଇନ୍ଦ୍ରିୟମାନଙ୍କର ଉପଯୋଗ କରାଯାଏ । ଇନ୍ଦ୍ରିୟମାନେ ଭୌତିକ ସୁଖ ଉପଭୋଗ କରିବାର ଏକ ଉପକରଣ ହୋଇ ରହନ୍ତି ନାହିଁ, ବରଂ ପରିଶୁଦ୍ଧ ହୋଇ ସେମାନେ ଭଗବାନଙ୍କୁ ସର୍ବତ୍ର ଉପଲବ୍ଧି କରିଥାନ୍ତି । ୭.୮ ଶ୍ଲୋକରେ ଶ୍ରୀକୃଷ୍ଣ କହିଛନ୍ତି: ରସୋଽହଂ ଅପ୍‌ସୁ କୌନ୍ତେୟ “ଅର୍ଜୁନ ମୋତେ ଜଳର ସ୍ୱାଦ ଭାବରେ ଜାଣ” । ଅତଏବ, ଭକ୍ତି ଯୋଗୀ ମାନେ, ତାଙ୍କର ପ୍ରତ୍ୟେକ ଇନ୍ଦ୍ରିୟ ଦ୍ୱାରା ଯାହାସବୁ ଦେଖନ୍ତି, ଶୁଣନ୍ତି, ଆସ୍ୱାଦନ କରନ୍ତି, ସ୍ପର୍ଶ କରନ୍ତି ବା ଆଘ୍ରାଣ କରନ୍ତି, ପ୍ରତ୍ୟେକ କ୍ଷେତ୍ରରେ ଭଗବାନଙ୍କୁ ଅନୁଭବ କରିବାର ପ୍ରୟାସ କରନ୍ତି । ଭକ୍ତିର ଏହି ଯଜ୍ଞ ହଟଯୋଗର ପଥ ଅପେକ୍ଷା ସହଜ ଅଟେ; ଏହାର ଅନୁସରଣ ଆନନ୍ଦଦାୟକ ହୋଇଥାଏ ତଥା ଏଥିରେ ପତନର ସମ୍ଭାବନା ବହୁତ କମ୍ ହୋଇଥାଏ । ଯଦି ଜଣେ ସାଇକେଲ ଚାଳକ ଆଗକୁ ନ ଯିବା ପାଇଁ ହଠାତ୍ ବ୍ରେକ୍ ମାରନ୍ତି, ତେବେ ସେ ଭାରସାମ୍ୟ ହରାଇ ତଳକୁ ପଡି ଯାଇପାରନ୍ତି । କିନ୍ତୁ ସେ ଯଦି ସାଇକେଲ୍‌ର ହ୍ୟାଣ୍ଡେଲକୁ ବାମ କିମ୍ବା ଡ଼ାହାଣକୁ ମୋଡ଼ିଦିଅନ୍ତି, ତା’ହେଲେ ଆଗକୁ ଯିବା ବନ୍ଦ ହେବା ସହିତ ସେ ନିଜର ଭାରସାମ୍ୟ ରକ୍ଷା କରି ପାରିଥାଆନ୍ତି ।

Watch Swamiji Explain This Verse