Bhagavad Gita: Chapter 4, Verse 27

ସର୍ବାଣୀନ୍ଦ୍ରିୟକର୍ମାଣି ପ୍ରାଣକର୍ମାଣି ଚାପରେ ।
ଆତ୍ମସଂଯମଯୋଗାଗ୍ନୌ ଜୁହ୍ୱତି ଜ୍ଞାନଦୀପିତେ ।।୨୭।।

ସର୍ବାଣି- ସମସ୍ତ; ଇନ୍ଦ୍ରିୟ- ଇନ୍ଦ୍ରିୟ; କର୍ମାଣି -କର୍ମ; ପ୍ରାଣ-କର୍ମାଣି - ପ୍ରାଣବାୟୁର କର୍ମ; ଚ-ଏବଂ; ଅପରେ -ଅନ୍ୟମାନେ; ଆତ୍ମ-ସଂଯମ ଯୋଗାଗ୍ନୌ- ଆତ୍ମସଂଯମର ଅଗ୍ନିରେ; ଜୁହ୍ୱତି -ଅର୍ପଣ କରେ; ଜ୍ଞାନ-ଦୀପିତେ - ଜ୍ଞାନଦୀପ୍ତ ।

Translation

BG 4.27: କେତେକ ବ୍ୟକ୍ତି ଜ୍ଞାନଯୁକ୍ତ ହୋଇ, ତାଙ୍କର ଇନ୍ଦ୍ରିୟମାନଙ୍କର କର୍ମ ଏବଂ ପ୍ରାଣଶକ୍ତିକୁ ଆତ୍ମସଂଯମିତ ମନର ଅଗ୍ନିରେ ଅର୍ପଣ କରିଦିଅନ୍ତି ।

Commentary

କେତେକ ଯୋଗୀ ବିଶ୍ଲେଷଣାତ୍ମକ ବା ଜ୍ଞାନଯୋଗର ମାର୍ଗ ଅନୁସରଣ କରିଥାନ୍ତି ଏବଂ ସେମାନେ ତାଙ୍କର ଜ୍ଞାନଶକ୍ତିଦ୍ୱାରା ଇନ୍ଦ୍ରିୟମାନଙ୍କୁ ସଂସାରରୁ ହଟାଇଥାନ୍ତି । ହଟଯୋଗୀ ମାନେ ତାଙ୍କ ଇନ୍ଦ୍ରିୟମାନଙ୍କୁ ପ୍ରବଳ ଇଚ୍ଛାଶକ୍ତି ଦ୍ୱାରା ଦମନ କରୁଥିବା ବେଳେ ଜ୍ଞାନଯୋଗୀମାନେ ତାଙ୍କର ଜ୍ଞାନକୁ ଆଧାର କରି ବାରମ୍ବାର ଅଭ୍ୟାସ ଦ୍ୱାରା ସେହି ଲକ୍ଷ୍ୟ ପ୍ରାପ୍ତ କରିଥାନ୍ତି । ସେମାନେ ସଂସାରର ନଶ୍ୱରତାକୁ ଗଭୀର ଭାବେ ଅନୁଧ୍ୟାନ କରି, ନିଜକୁ ଶରୀର, ମନ, ବୁଦ୍ଧି ଓ ଅହଂକାର ଠାରୁ ପୃଥକ ଭାବେ ଚିହ୍ନନ୍ତି । ଇନ୍ଦ୍ରିୟମାନଙ୍କୁ ସଂସାରରୁ ହଟାଇ, ମନକୁ ଆତ୍ମାର ଧ୍ୟାନରେ ଲଗାନ୍ତି । ସେମାନେ, ଆତ୍ମା ଓ ପରମାତ୍ମାଙ୍କୁ ଏକ ଭାବେ ମାନି ଆତ୍ମଜ୍ଞାନ ନିମନ୍ତେ ତାଙ୍କର ଲକ୍ଷ୍ୟ ସ୍ଥିର କରନ୍ତି । ତାଙ୍କର ଧ୍ୟାନକୁ ଦୃଢ଼ କରିବା ପାଇଁ, ତତ୍ୱମସି “ମୁଁ ସେହି ଅଟେ” (ଛାନ୍ଦୋଗ୍ୟ ଉପନିଷଦ ୬.୮.୭) ଏବଂ ଅହଂ ବ୍ରହ୍ମାସ୍ମି “ମୁଁ ବ୍ରହ୍ମ ଅଟେ” (ବୃହଦାରଣ୍ୟକ ଉପନିଷଦ ୧.୪.୧୦) ର ଜପ କରିଥାନ୍ତି ।

ଜ୍ଞାନଯୋଗର ମାର୍ଗ ଅତ୍ୟନ୍ତ କଠିନ ଅଟେ, ଯାହା ଦୃଢ଼ ସଂକଳ୍ପ ଏବଂ ଶୃଙ୍ଖଳିତ ବୁଦ୍ଧି ଆବଶ୍ୟକ କରେ । ଶ୍ରୀମଦ୍ ଭାଗବତମ୍ (୧୧.୨୦.୭) କହେ: ନିର୍ବିଣ୍ଣାନାମ୍ ଜ୍ଞାନଯୋଗଃ” ଜ୍ଞାନଯୋଗରେ ସଫଳତା କେବଳ ସେହିମାନଙ୍କ ପାଇଁ ସମ୍ଭବ, ଯେଉଁମାନେ ବୈରାଗ୍ୟର ଉଚ୍ଚ ସୋପାନରେ ଅଧିଷ୍ଠିତ ହୋଇଥାଆନ୍ତି ।

Watch Swamiji Explain This Verse