Bhagavad Gita: Chapter 4, Verse 29-30

ଅପାନେ ଜୁହ୍ୱତି ପ୍ରାଣଂ ପ୍ରାଣେଽପାନଂ ତଥାପରେ ।
ପ୍ରାଣାପାନଗତୀ ରୁଦ୍ଧ୍ୱା ପ୍ରାଣାୟାମପରାୟଣାଃ ।।୨୯।।
ଅପରେ ନିୟତାହାରାଃ ପ୍ରାଣାନ୍‌ପ୍ରାଣେଷୁ ଜୁହ୍ୱତି ।
ସର୍ବେଽପ୍ୟେତେ ଯଜ୍ଞବିଦୋ ଯଜ୍ଞକ୍ଷପିତକଳ୍ମଷାଃ ।।୩୦।।

ଅପାନେ- ପ୍ରଶ୍ୱାସ; ଜୁହ୍ୱତି- ଅର୍ପଣ କରେ; ପ୍ରାଣଂ- ପ୍ରାଣବାୟୁ; ପ୍ରାଣେ- ନିଃଶ୍ୱାସରେ; ଅପାନଂ-ପ୍ରଶ୍ୱାସ; ତଥା-ମଧ୍ୟ; ଅପରେ-ଅନ୍ୟମାନେ; ପ୍ରାଣ -ନିଃଶ୍ୱାସର; ଅପାନ- ପ୍ରଶ୍ୱାସ; ଗତୀ-ଗତି; ରୁଦ୍ଧ୍ୱା- ରୁଦ୍ଧକରି; ପ୍ରାଣାୟାମ-ପ୍ରାଣାୟମ; ପରାୟଣାଃ- ପରାୟଣ; ଅପରେ- ଅନ୍ୟମାନେ; ନିୟତ-ସଂଯତ କରି; ଆହାରଃ- ଆହାର; ପ୍ରାଣାନ୍‌- ପ୍ରାଣବାୟୁ; ପ୍ରାଣେଷୁ- ପ୍ରାଣଶକ୍ତିରେ; ଜୁହ୍ୱତି-ଅର୍ପଣ କରେ; ସର୍ବେ- ସମସ୍ତେ; ଅପି - ଯଦିଓ; ଏତେ - ଏସବୁ; ଯଜ୍ଞବିଦଃ - ଯଜ୍ଞକ୍ରିୟା ସମ୍ବନ୍ଧରେ ଅଭିଜ୍ଞ; ଯଜ୍ଞ-କ୍ଷପିତ - ଯଜ୍ଞ ଅନୁଷ୍ଠାନ ଦ୍ୱାରା ଶୁଦ୍ଧ; କଳ୍ମଷାଃ - ପାପକର୍ମର ପ୍ରତିକ୍ରିୟା ।

Translation

BG 4.29-30: ଅନ୍ୟ କେତେଜଣ ଅଛନ୍ତି ଯେଉଁମାନେ ନିଶ୍ୱାସକୁ ପ୍ରଶ୍ୱାସରେ ଅର୍ପଣ କରନ୍ତି ଏବଂ ଅନ୍ୟ କେତେକ ପ୍ରଶ୍ୱାସକୁ ନିଶ୍ୱାସରେ ଅର୍ପଣ କରନ୍ତି । କେତେକ ଅତି କଠୋର ଭାବେ ପ୍ରାଣାୟାମ କରିଥାନ୍ତି ଏବଂ ନିଶ୍ୱାସ ଓ ପ୍ରଶ୍ୱାସକୁ ରୁଦ୍ଧ କରି, ପ୍ରାଣଶକ୍ତିକୁ ନିୟନ୍ତ୍ରଣ କରିବାରେ ସମ୍ପୂର୍ଣ୍ଣଭାବେ ତତ୍ପର ରହନ୍ତି । ଆଉ କେତେଜଣ ଅଛନ୍ତି ଯେଉଁମାନେ ତାଙ୍କର ଆହାରକୁ ହ୍ରାସ କରି ଶ୍ୱାସରୁ ପ୍ରାଣଶକ୍ତିକୁ ଯଜ୍ଞରୂପରେ ଅର୍ପଣ କରନ୍ତି । ଯଜ୍ଞ ସମ୍ବନ୍ଧରେ ଜାଣିଥିବା ବ୍ୟକ୍ତି ମାନେ ଏହିପରି କରିବା ଦ୍ୱାରା ତାଙ୍କର କଳୁଷିତ ଅନ୍ତଃକରଣକୁ ଶୁଦ୍ଧ କରିଥାନ୍ତି ।

Commentary

କେତେକ ବ୍ୟକ୍ତି ପ୍ରାଣାୟାମର ଅଭ୍ୟାସ କରିଥାନ୍ତି, ଯାହାକୁ ସାଧାରଣତଃ “ଶ୍ୱାସ ପ୍ରକ୍ରିୟାର ନିୟନ୍ତ୍ରଣ” କୁହାଯାଇଥାଏ । ଏଥିରେ ଅନ୍ତର୍ଭୁକ୍ତ ପ୍ରଣାଳୀ ସବୁହେଲା:

ପୂରକ-ଶ୍ୱାସ ଫୁସ୍‌ଫୁସ୍ ଭିତରକୁ ନେବା ।

ରେଚକ - ଶ୍ୱାସ ଫୁସ୍‌ଫୁସ୍‌ରୁ ବାହାରକୁୁ ଛାଡ଼ିବା ।

ଅନ୍ତର କୁମ୍ଭକ- ଶ୍ୱାସ ଗ୍ରହଣ କରି ତାହାକୁ ରୋକିବା । ଏହି ରୁଦ୍ଧ ଅବସ୍ଥାରେ ବର୍ହିମୁଖୀ ଶ୍ୱାସ ଅନ୍ତର୍ମୁଖୀ ଶ୍ୱାସରେ ରୁଦ୍ଧ ହୋଇଯାଏ ।

ବାହ୍ୟ କୁମ୍ଭକ- ଶ୍ୱାସ ତ୍ୟାଗ କରିବା ପରେ ଫୁସ୍‌ଫୁସ୍‌କୁ ଖାଲି ରଖିବା । ଏହି ରୁଦ୍ଧ ଅବସ୍ଥାରେ ଅନ୍ତର୍ମୁଖୀ ଶ୍ୱାସ ବର୍ହିମୁଖୀ ଶ୍ୱାସରେ ରୁଦ୍ଧ ହୋଇଥାଏ ।

ଉଭୟ ପ୍ରକାର କୁମ୍ଭକ ଉଚ୍ଚଶ୍ରେଣୀର ପ୍ରକ୍ରିୟା ଅଟେ, କିନ୍ତୁ ଏସବୁ ଦକ୍ଷ ପ୍ରଶିକ୍ଷକଙ୍କ ତତ୍ତ୍ୱାବଧାନରେ କରାଯିବା ଉଚିତ, ଅନ୍ୟଥା ଏହା କ୍ଷତି କରିପାରେ । ଯେଉଁ ଯୋଗୀମାନେ ପ୍ରାଣାୟାମ କରିବା ପାଇଁ ଆଗ୍ରହୀ, ସେମାନେ ତାଙ୍କର ଶ୍ୱାସ ନିୟନ୍ତ୍ରଣ ଦ୍ୱାରା ଇନ୍ଦ୍ରିୟମାନଙ୍କୁ ନିୟନ୍ତ୍ରିତ କରିବା ସହ ମନକୁ କେନ୍ଦ୍ରିତ କରନ୍ତି ଏବଂ ବଶୀଭୂତ ମନକୁ ଯଜ୍ଞରୂପରେ ଭଗବାନଙ୍କୁ ଅର୍ପଣ କରନ୍ତି ।

ପ୍ରାଣର ଅଭିପ୍ରାୟ କେବଳ ଶ୍ୱାସକ୍ରିୟା ନୁହେଁ; ଏହା ଏକ ସୂକ୍ଷ୍ମ ଜୀବନଶକ୍ତି ଯାହା ଶ୍ୱାସ ରୂପରେ ବିଭିନ୍ନ ସଜୀବ ଓ ନିର୍ଜୀବ ବସ୍ତୁରେ ବ୍ୟାପ୍ତ ହୋଇଥାଏ । ବେଦ ଶରୀର ମଧ୍ୟରେ ପାଞ୍ଚ ପ୍ରକାର ପ୍ରାଣର ବର୍ଣ୍ଣନା କରିଛି- ପ୍ରାଣ, ଅପାନ, ବ୍ୟାନ, ସମାନ, ଉଦାନ - ଯାହା ବିଭିନ୍ନ ଶାରୀରିକ କ୍ରିୟାର ନିୟନ୍ତ୍ରଣରେ ସାହାଯ୍ୟ କରେ । ଏହା ମଧ୍ୟରୁ ସମାନ ପାଚନ ପ୍ରକ୍ରିୟା ସମ୍ପନ୍ନ୍ କରାଇଥାଏ । କେତେକ ବ୍ୟକ୍ତି ଉପବାସ କରିବାକୁ ଆଗ୍ରହୀ ଥାନ୍ତି । ଖାଦ୍ୟ ବ୍ୟକ୍ତିର ସ୍ୱଭାବ ଏବଂ ବ୍ୟବହାରକୁ ପ୍ରଭାବିତ କରିଥାଏ, ଏହି ବିଶ୍ୱାସରେ ସେମାନେ ଆହାରକୁ ନିୟନ୍ତ୍ରିତ କରିଥାନ୍ତି । ପୁରାତନ କାଳରୁ ଏହି ବିଧି ଭାରତରେ ଏକ ଆଧ୍ୟାତ୍ମିକ କୌଶଳ ଭାବରେ ଆଚରଣ କରାଯାଉଛି ଏବଂ ଏଠାରେ ଏହାକୁ ଯଜ୍ଞ ରୂପରେ ଅଭିହିତ କରାଯାଉଛି । ଯେତେବେଳେ ଖାଦ୍ୟ ହ୍ରାସ କରାଯାଏ, ଇନ୍ଦ୍ରିୟଗୁଡ଼ିକ ଦୁର୍ବଳ ହୋଇଯାନ୍ତି ଏବଂ ପାଚନ କରାଉଥିବା ସମାନ ବାୟୁ ଶକ୍ତିହୀନ ହୋଇପଡ଼େ । କେତେକ ବ୍ୟକ୍ତି ଏହି ପ୍ରକାରରେ ଯଜ୍ଞ କରିଥାନ୍ତି ।

ମନୁଷ୍ୟମାନେ ଏହିପରି ବିଭିନ୍ନ ପ୍ରକାର ସଂଯମର ଆଚରଣ ନିଜର ଶୁଦ୍ଧିକରଣ ଉଦ୍ଦେଶ୍ୟରେ କରିଥାନ୍ତି । ଇନ୍ଦ୍ରିୟମାନଙ୍କର କାମନା, ଅନ୍ତଃକରଣ ଅଶୁଦ୍ଧ ହେବାର କାରଣ ଅଟେ । ଏହିସବୁ ସଂଯମର ଉଦ୍ଦେଶ୍ୟ ହେଲା, ସାଂସାରିକ ବସ୍ତୁରେ ସୁଖ ଖୋଜୁଥିବା ଇନ୍ଦ୍ରିୟ ଓ ମନର ସହଜାତ ପ୍ରବୃତ୍ତିକୁ ହ୍ରାସ କରିବା । ଯେତେବେଳେ ଏହିପରି ସଂଯମ ଭଗବାନଙ୍କର ଯଜ୍ଞ ରୂପରେ କରାଯାଏ, ଏହା ହୃଦୟକୁ ଶୁଦ୍ଧ କରିଥାଏ (ଆଗରୁ ଯେପରି କୁହାଯାଇଛି, ‘ହୃଦୟ’ ଶବ୍ଦଟି ମନ ଓ ବୁଦ୍ଧିର ଆଭ୍ୟନ୍ତରୀଣ ଯନ୍ତ୍ର ଭାବରେ ବ୍ୟବହୃତ ହୋଇଥାଏ ।)