Bhagavad Gita: Chapter 4, Verse 41

ଯୋଗସଂନ୍ୟସ୍ତକର୍ମାଣଂ ଜ୍ଞାନସଂଛିନ୍ନସଂଶୟମ୍ ।
ଆତ୍ମବନ୍ତଂ ନ କର୍ମାଣି ନିବଧ୍ନନ୍ତି ଧନଞ୍ଜୟ ।। ୪୧ ।।

ଯୋଗ-ସଂନ୍ୟସ୍ତ-କର୍ମାଣଂ - ଯେଉଁମାନେ କର୍ମକାଣ୍ଡକୁ ତ୍ୟାଗ କରି ଶରୀର, ମନ, ଆତ୍ମାକୁ ଭଗବାନଙ୍କ ପ୍ରତି ଉତ୍ସର୍ଗୀକୃତ କରିଥାଆନ୍ତି; ଜ୍ଞାନ - ଜ୍ଞାନ ଦ୍ୱାରା; ସଂଛିନ୍ନ - ଛିନ୍ନ ହୋଇଥିବା; ସଂଶୟଂ - ସଂଶୟ; ଆତ୍ମବନ୍ତଂ- ଆତ୍ମଜ୍ଞାନରେ ସ୍ଥିତ; ନ- ନାହିଁ; କର୍ମାଣି - କର୍ମ; ନିବଧ୍ନନ୍ତି- ବାନ୍ଧେ; ଧନଞ୍ଜୟ - ହେ ଧନଞ୍ଜୟ ।

Translation

BG 4.41: ହେ ଅର୍ଜୁନ! ଯେଉଁମାନେ ଯୋଗର ଅଗ୍ନିରେ କର୍ମକୁ ତ୍ୟାଗ କରିଛନ୍ତି, ଯାହାର ଶଙ୍କା ଜ୍ଞାନ ଦ୍ୱାରା ଦୂରୀଭୂତ ହୋଇଛି ଏବଂ ଯେଉଁମାନେ ଆତ୍ମଜ୍ଞାନରେ ସ୍ଥିତ, କର୍ମ ସେମାନଙ୍କୁ ବନ୍ଧନରେ ପକାଏ ନାହିଁ ।

Commentary

ବିଧିବିଧାନ ଯୁକ୍ତ ତଥା ସାମାଜିକ କର୍ତ୍ତବ୍ୟ ଭାବରେ କରାଯାଉଥିବା କାର୍ଯ୍ୟକୁ କର୍ମ କୁହାଯାଏ । ସନ୍ନ୍ୟାସ ଅର୍ଥ ତ୍ୟାଗ ଏବଂ ଯୋଗର ଅର୍ଥ “ଭଗବାନଙ୍କ ସହିତ ମିଳନ ।” ଏଠାରେ ଶ୍ରୀକୃଷ୍ଣ ଯୋଗସଂନ୍ୟସ୍ତ କର୍ମାଣଂ ଶବ୍ଦ ପ୍ରୟୋଗ କରିଛନ୍ତି । ଯେଉଁମାନେ ବିଧିବିଧାନଯୁକ୍ତ ସମସ୍ତ କର୍ମକୁ ତ୍ୟାଗ କରି ଶରୀର, ମନ ଓ ଆତ୍ମାକୁ ଭଗବାନଙ୍କ ପ୍ରତି ସମର୍ପିତ କରିଥାଆନ୍ତି, ଏହା ସେ ସେମାନଙ୍କ ଉଦ୍ଦେଶ୍ୟରେ କହିଛନ୍ତି । ଏହିପରି ବ୍ୟକ୍ତିମାନେ ତାଙ୍କର ସମସ୍ତ କର୍ମ ଭଗବାନଙ୍କର ସେବା ରୂପରେ କରିଥାନ୍ତି । ଶ୍ରୀକୃଷ୍ଣ କହୁଛନ୍ତି, ସେମାନଙ୍କର ଭକ୍ତିଯୁକ୍ତ କର୍ମ ତାଙ୍କୁ ବନ୍ଧନରେ ପକାଏ ନାହିଁ ।

ଯେଉଁ କର୍ମ ନିଜ ସ୍ୱାର୍ଥ ପାଇଁ କରାଯାଇଥାଏ, ତାହାହିଁ କର୍ମ ବନ୍ଧନ କରାଏ । ଯେତେବେଳେ କୌଣସି କାର୍ଯ୍ୟ ଭଗବାନଙ୍କ ସୁଖ ପାଇଁ କରାଯାଏ, ତାହା କର୍ମ ପ୍ରତିକ୍ରିୟା ମୁକ୍ତ ହୋଇଥାଏ । ସେଗୁଡ଼ିକ, କୌଣସି ସଂଖ୍ୟାକୁ ୦ (ଶୂନ୍ୟ) ଦ୍ୱାରା ଗୁଣିତ କରିବା ପରି ଅଟେ । ଆମେ ଯଦି ୦କୁ ୧୦ରେ ଗୁଣନ କରିବା, ଫଳ ୦ ହେବ; ଯଦି ଆମେ ୦କୁ ୧୦୦୦ ସହିତ ଗୁଣନ କରିବା, ଫଳ ୦ ହିଁ ହେବ; ଏବଂ ଆମେ ଯଦି ୦କୁ ଏକ ନିୟୁତ ସହିତ ଗୁଣନ କରିବା, ତଥାପି ଫଳ ୦ ହେବ । ସେହିପରି ଜ୍ଞାନଯୁକ୍ତ ଆତ୍ମା ସଂସାରରେ କରୁଥିବା କର୍ମଦ୍ୱାରା ବାନ୍ଧିହୁଏ ନାହିଁ । କାରଣ ସେଗୁଡ଼ିକ ଯୋଗର ଅଗ୍ନିରେ ଭଗବାନଙ୍କୁ ଅର୍ପିତ ହୋଇଥାଏ, ଅର୍ଥାତ୍ ସେଗୁଡ଼ିକ ଭଗବାନଙ୍କ ସୁଖ ପାଇଁ କରାଯାଇଥାଏ । ଅତଏବ, ମହାପୁରୁଷମାନେ ସମସ୍ତ ପ୍ରକାରର କର୍ମ କରୁଥିଲେ ମଧ୍ୟ, କର୍ମ ବନ୍ଧନ ଦ୍ୱାରା ଆବଦ୍ଧ ହୁଅନ୍ତି ନାହିଁ ।

Watch Swamiji Explain This Verse