Bhagavad Gita: Chapter 4, Verse 42

ତସ୍ମାଦଜ୍ଞାନସମ୍ଭୂତଂ ହୃତ୍‌ସ୍ଥଂ ଜ୍ଞାନାସିନାତ୍ମନଃ ।
ଛିତ୍ତ୍ୱେ÷ନଂ ସଂଶୟଂ ଯୋଗମାତିଷ୍ଠୋତ୍ତିଷ୍ଠ ଭାରତ ।। ୪୨।।

ତସ୍ମାତ୍‌-ତେଣୁ; ଅଜ୍ଞାନ-ସମ୍ଭୂତଂ -ଅଜ୍ଞାନ-ଜାତ; ହୃତ୍‌ସ୍ଥଂ - ହୃଦୟରେ ଅବସ୍ଥିତ; ଜ୍ଞାନ -ଜ୍ଞାନ; ଅସିନା -ଶସ୍ତ୍ର ଦ୍ୱାରା; ଆତ୍ମନଃ - ଆତ୍ମାର, ଛିତ୍ୱା - ଛିନ୍ନକରି; ଏନଂ -ଏହାକୁ; ସଂଶୟଂ -ସଂଶୟ; ଯୋଗୀ -ଯୋଗରେ; ଆତିଷ୍ଠ - ଆଶ୍ରୟ ଗ୍ରହଣ କର; ଉତ୍ତିଷ୍ଠ -ଉଠ; ଭାରତ - ହେ ଭରତବଂଶଜ ।

Translation

BG 4.42: ତେଣୁ, ତୁମ ହୃଦୟରେ ଉପୁଜିଥିବା ଅବିଶ୍ୱାସକୁ ଜ୍ଞାନର ତରବାରୀରେ ଛିନ୍ନ କର । ହେ ଭାରତ ଶ୍ରେଷ୍ଠ! ନିଜକୁ କର୍ମ ଯୋଗରେ ସ୍ଥିତ କର । ଉଠ, ଠିଆ ହୁଅ ଏବଂ କର୍ମ କର ।

Commentary

ଏଠାରେ ବ୍ୟବହୃତ ହୋଇଥିବା ହୃଦୟ ଶବ୍ଦଟି ଛାତି ଭିତରେ ଶରୀରରେ ରକ୍ତ ସଞ୍ଚାଳନ କରୁଥିବା ଭୌତିକ ଅଙ୍ଗକୁ ବୁଝାଏ ନାହିଁ । ବେଦ କହେ, ଭୌତିକ ମସ୍ତିଷ୍କ ଆମ ମୁଣ୍ଡ ଭିତରେ ରହେ କିନ୍ତୁ ସୂକ୍ଷ୍ମ ମନ ହୃଦୟ ଅଞ୍ଚଳରେ ରହିଥାଏ । ସେଥିପାଇଁ ଭଲପାଇବା ବା ଘୃଣା କରିବାରେ ବ୍ୟକ୍ତି ହୃଦୟରେ ବ୍ୟଥା ଅନୁଭବ କରେ । ଏହି ଦୃଷ୍ଟିରୁ, ଅନୁକମ୍ପା, ଭଲ ପାଇବା, ସହାନୁଭୂତି ଏବଂ ସମସ୍ତ ସୁ-ଆବେଗର ଉତ୍ସ ହୃଦୟ ଅଟେ । ତେଣୁ ଶ୍ରୀକୃଷ୍ଣ ଯେତେବେଳେ ହୃଦୟରେ ଉତ୍ପନ୍ନ ହେଉଥିବା ଶଙ୍କା କଥା କହୁଛନ୍ତି, ତା’ର ଅର୍ଥ ମନରେ ଉଠୁଥିବା ଶଙ୍କା । ଏହା ଅତି ସୂକ୍ଷ୍ମ ଯନ୍ତ୍ର ଯାହା ହୃଦୟ ଅଞ୍ଚଳରେ ରହିଥାଏ ।

ଅର୍ଜୁନଙ୍କର ଆଧ୍ୟାତ୍ମିକ ଗୁରୁ ଭୂମିକାରେ ରହି ଭଗବାନ ତାଙ୍କ ଶିଷ୍ୟଙ୍କୁ କର୍ମଯୋଗ ଦ୍ୱାରା କିପରି ଗଭୀର ଜ୍ଞାନ ପ୍ରାପ୍ତ କରିବେ, ସେହି ଶିକ୍ଷା ପ୍ରଦାନ କରିଛନ୍ତି । ସେ ବର୍ତ୍ତମାନ ଅର୍ଜୁନଙ୍କୁ ଉପଦେଶ ଦେଉଛନ୍ତି ଯେ ଜ୍ଞାନ ଓ ବିଶ୍ୱାସର ଉପଯୋଗ କରି ତାଙ୍କ ମନର ଶଙ୍କାକୁ ଦୂର କରନ୍ତୁ । ସେ କର୍ମ କରିବାକୁ ଆହ୍ୱାନ ଦେଉଛନ୍ତି ଏବଂ ଅର୍ଜୁନଙ୍କୁ ଜାଗ୍ରତ ହୋଇ କର୍ମଯୋଗୀ ଭାବରେ ତାଙ୍କର କର୍ମ କରିବାକୁ କହୁଛନ୍ତି । କର୍ମରୁ ବିରତ ହେବା ଏବଂ କର୍ମ କରିବା, ଏପରି ଦ୍ୱିବିଧ ନିର୍ଦ୍ଦେଶ ଅର୍ଜୁନଙ୍କ ମନରେ ତଥାପି ଦ୍ୱନ୍ଦ୍ୱ ସୃଷ୍ଟି କରୁଛି, ଯାହା ସେ ପରବର୍ତ୍ତୀ ଅଧ୍ୟାୟର ପ୍ରାରମ୍ଭରେ ବ୍ୟକ୍ତ କରିଛନ୍ତି ।

Watch Swamiji Explain This Verse