Bhagavad Gita: Chapter 4, Verse 7

ଯଦା ଯଦା ହି ଧର୍ମସ୍ୟ ଗ୍ଲାନିର୍ଭବତି ଭାରତ ।
ଅଭ୍ୟୁତ୍‌ଥାନମଧର୍ମସ୍ୟ ତଦାତ୍ମାନଂ ସୃଜାମ୍ୟହମ୍ ।।୭।।

ଯଦା -ଯେତେବେଳେ; ଯଦା -ଯେଉଁଠାରେ; ହି -ବାସ୍ତବରେ; ଧର୍ମସ୍ୟ - ଧର୍ମର; ଗ୍ଲାନିଃ -ହ୍ରାସ; ଭବତି -ହୁଏ; ଭାରତ-ହେ ଭରତ ବଂଶଜ; ଅଭ୍ୟୁତ୍‌ଥାନଂ -ଅଭ୍ୟୁଥାନ; ଅଧର୍ମସ୍ୟ - ଅଧର୍ମର; ତଦା-ସେତେବେଳେ; ଆତ୍ମାନଂ- ନିଜେ; ସୃଜାମି - ପ୍ରକାଶିତ ହୁଏ; ଅହଂ -ମୁଁ ।

Translation

BG 4.7: ହେ ଅର୍ଜୁନ! ଯେତେବେଳେ ବି ଧର୍ମର ଅବକ୍ଷୟ ହୁଏ ଏବଂ ଅଧର୍ମର ବୃଦ୍ଧି ଘଟେ, ସେତେବେଳେ ମୁଁ ସଂସାରରେ ଅବତରିତ ହୁଏ ।

Commentary

ଧର୍ମ, ଆମ ପ୍ରତି ପ୍ରଯୁଜ୍ୟ କର୍ମ, ଯାହା ଆଧ୍ୟାତ୍ମିକ ଉନ୍ନତି ଦିଗରେ ଅଗ୍ରସର ହେବା ପାଇଁ ଅନୁକୂଳ ଅଟେ । ଏହାର ବିପରୀତ ଅଧର୍ମ ଅଟେ । ଯେତେବେଳେ ଅଧର୍ମର ବୃଦ୍ଧି ଘଟେ, ସଂସାରର ସୃଷ୍ଟିକର୍ତ୍ତା ଏଥିରେ ହସ୍ତକ୍ଷେପ କରି ଅବତରିତ ହୁଅନ୍ତି ଓ ଧର୍ମକୁ ପୁନର୍ସ୍ଥାପିତ କରନ୍ତି । ଏହିପରି ଅବତରଣକୁ ଅବତାର କୁହାଯାଏ । “ଅବତାର” ଶବ୍ଦଟି ସଂସ୍କୃତରୁ ଇଂରାଜୀରେ ଗ୍ରହଣ କରାଯାଇଛି ଏବଂ ତାହା ସାଧାରଣତଃ ଗଣ ମାଧ୍ୟମରେ ଲୋକଙ୍କର ପ୍ରତିଛବି ଅର୍ଥରେ ବ୍ୟବହୃତ ହେଉଅଛି । ଏହି ପୁସ୍ତକରେ ଆମେ ଏହାକୁ ମୂଳ ସଂସ୍କୃତ ଅର୍ଥ ଭଗବାନଙ୍କର ଦିବ୍ୟ ଅବତରଣ ଭାବରେ ବ୍ୟବହାର କରିବା । ଶ୍ରୀମଦ୍ ଭାଗବତମ୍‌ରେ ଭଗବାନଙ୍କର ଚବିଶଗୋଟି ଅବତାରର ବର୍ଣ୍ଣନା କରାଯାଇଛି । କିନ୍ତୁ ବେଦ ଶାସ୍ତ୍ର କହେ ଭଗବାନଙ୍କର ଅବତାର ଅସଂଖ୍ୟ ଅଟେ:

ଜନ୍ମ-କର୍ମାଭିଧାନାନି ସନ୍ତିଽମେଙ୍ଗ ସହସ୍ରଶଃ
ନ ଶକ୍ୟନ୍ତେଽନୁସଂଖ୍ୟାତୁମ୍ ଅନନ୍ତତ୍ୱାନ୍ ମୟାପି ହି (ଭାଗବତମ୍ ୧୦.୫୧.୩୬)

“ଅନଦି କାଳରୁ ଭଗବାନଙ୍କର ଅନନ୍ତ ଅବତାରର ଗଣନା କେହି ମଧ୍ୟ କରିପାରିବେ ନାହିଁ ।” ଏହି ଅବତାର ଗୁଡ଼ିକୁ ଚାରି ଶ୍ରେଣୀରେ ବିଭକ୍ତ କରାଯାଇଛି ଯେପରିକି:

୧.         ଆବେଶାବତାର- ଏହି ଅବତାରରେ ସେ ନିଜର ବିଶେଷ ଶକ୍ତି, କୌଣସି ବ୍ୟକ୍ତିଗତ ଆତ୍ମା ଦ୍ୱାରା ପ୍ରକଟିତ କରିଥାନ୍ତି । ମହର୍ଷି ନାରଦ ଏହାର ଉଦାହରଣ ଅଟନ୍ତି, ସେହିପରି ଭଗବାନ ବୁଦ୍ଧ ମଧ୍ୟ ଆବେଶ ଅବତାରର ଉଦାହରଣ ଅଟନ୍ତି ।

୨.         ପ୍ରାଭବାବତାର - ଏହି ରୂପରେ ଭଗବାନ ସ୍ୱୟଂ ସାକାର ରୂପରେ ଆସନ୍ତି ଏବଂ ତାଙ୍କର କିଛି ଶକ୍ତି ପ୍ରଦର୍ଶନ କରିଥାନ୍ତି । ପ୍ରାଭବାବତାର ଦୁଇ ଶ୍ରେଣୀର ଅଟେ:

            କ.  ଭଗବାନ ନିଜକୁ ଅଳ୍ପ ସମୟ ପର୍ଯ୍ୟନ୍ତ ପ୍ରକଟିତ କରନ୍ତି ଓ ନିଜ କାର୍ଯ୍ୟ ସାରି ପ୍ରତ୍ୟାବର୍ତ୍ତନ କରିଥାନ୍ତି । ହଂସାବତାର ଏହିପରି ଏକ ଉଦାହରଣ, ଯେଉଁଠାରେ ଭଗବାନ କୁମାରମାନଙ୍କ ସମ୍ମୁଖରେ ପ୍ରକଟିତ ହୋଇ ତାଙ୍କ ପ୍ରଶ୍ନର ଉତ୍ତର ଦେଇ ଫେରିଯାଇଥିଲେ ।

            ଖ.  ଏହି ଅବତାରରେ ସେ ବହୁବର୍ଷ ଧରି ସଂସାରରେ ରହନ୍ତି । ବେଦବ୍ୟାସ, ଯିଏ ଅଷ୍ଟାଦଶ ପୁରାଣ ଓ ମହାଭାରତର ରଚୟିତା  ଏବଂ ବେଦକୁ ଚାରି ଭାଗରେ ବିଭାଜନ କରିଥିଲେ, ସେ ଏହାର ଉଦାହରଣ ଅଟନ୍ତି ।

୩.         ବୈଭବାବତାର - ଯେତେବେଳେ ଭଗବାନ ଦିବ୍ୟ ରୂପରେ ଅବତାର ନେଇ ତାଙ୍କର ଅଧିକ ଐଶ୍ୱରୀୟ ଶକ୍ତି ପ୍ରଦର୍ଶନ କରିଥାଆନ୍ତି । ମତ୍ସାବତାର, କୂର୍ମ ଅବତାର, ବରାହଅବତାର ଆଦି ବୈଭବାବତାରର ଉଦାହରଣ ଅଟେ ।

୪.         ପରବାସ୍ଥାବତାର - ଏହି ଅବତାରରେ ଭଗବାନ ଦିବ୍ୟ ସ୍ୱରୂପରେ ତାଙ୍କର ସମସ୍ତ ଦିବ୍ୟଶକ୍ତି ପ୍ରଦର୍ଶିତ କରିଥାନ୍ତି । ଶ୍ରୀକୃଷ୍ଣ, ଶ୍ରୀରାମ ଏବଂ ନୃସିଂହ ଅବତାର ସବୁ ପରାଭବସ୍ଥାବତାରର ଉଦାହରଣ ଅଟନ୍ତି ।

ଏହି ବିଭକ୍ତିକରଣ ଏହା ସୂଚିତ କରେ ନାହିଁ ଯେ ଗୋଟିଏ ଅବତାର ଅନ୍ୟଠାରୁ ଶ୍ରେଷ୍ଠ ଅଟେ । ବେଦବ୍ୟାସ, ଯିଏ ସ୍ୱୟଂ ଭଗବାନଙ୍କର ଜଣେ ଅବତାର ଅଟନ୍ତି, ସ୍ପଷ୍ଟ ଭାବେ ଲେଖିଛନ୍ତି: ସର୍ବେ ପୂର୍ଣ୍ଣାଃ ଶାଶ୍ୱତାଶ୍ଚ ଦେହାସ୍ତସ୍ୟ ପରମାତ୍ମନଃ (ପଦ୍ମପୁରାଣ), “ଭଗବାନଙ୍କର ସବୁ ଅବତାର ସମସ୍ତ ଦିବ୍ୟଶକ୍ତିଯୁକ୍ତ ଓ ସେମାନେ ସମସ୍ତେ ପରିପୂର୍ଣ୍ଣ ତଥା ନିର୍ଦ୍ଦୋଷ ଅଟନ୍ତି ।” ତେଣୁ ଅମେ ଅବତାର ସବୁକୁ ଅନ୍ୟଠାରୁ ଛୋଟ ବା ବଡ଼ ଭାବିବା ଉଚିତ ନୁହେଁ । ଯାହା ହେଲେ ମଧ୍ୟ ଭଗବାନ, ତାଙ୍କର ପ୍ରତି ଅବତାରରେ ସେତିିକି ଶକ୍ତି ପ୍ରଦର୍ଶିତ କରିଥାନ୍ତି ଯେତିକି ସେହି ଅବତାରର ଉଦ୍ଦେଶ୍ୟ ପୂରଣ କରିବାକୁ ଆବଶ୍ୟକ ଥାଏ । ଅନ୍ୟ ଶକ୍ତି ସବୁ ସେହି ଅବତାରରେ ସୁପ୍ତ ଅବସ୍ଥାରେ ଥାନ୍ତି । ସେଥିପାଇଁ ଉପରୋକ୍ତ ବିଭକ୍ତିକରଣ କରାଯାଇଛି ।