Bhagavad Gita: Chapter 4, Verse 8

ପରିତ୍ରାଣାୟ ସାଧୂନାଂ ବିନାଶାୟ ଚ ଦୁଷ୍କୃତାମ୍ ।
ଧର୍ମସଂସ୍ଥାପନାର୍ଥାୟ ସମ୍ଭବାମି ଯୁଗେ ଯୁଗେ ।।୮।।

ପରିତ୍ରାଣାୟ -ରକ୍ଷା କରିବାକୁ; ସାଧୁନାଂ - ସାଧୁମାନଙ୍କୁ; ବିନାଶାୟ - ବିନାଶ କରିବାକୁ; ଚ -ଏବଂ; ଦୁଷ୍କୃତାମ୍ - ଦୁଷ୍ଟମାନଙ୍କର; ଧର୍ମ -ଚିରନ୍ତନ ଧର୍ମ; ସଂସ୍ଥାପନ ଅର୍ଥାୟ -ପୁନଃସ୍ଥାପିତ କରିବାକୁ; ସମ୍ଭବାମି -ମୁଁ ଆବିର୍ଭୂତ ହୁଏ; ଯୁଗେ ଯୁଗେ - ଯୁଗେ ଯୁଗେ ।

Translation

BG 4.8: ସନ୍ଥମାନଙ୍କର ରକ୍ଷା କରିବା ପାଇଁ, ଦୁଷ୍ଟମାନଙ୍କର ବିନାଶ କରିବା ପାଇଁ ଏବଂ ଧର୍ମର ମାର୍ଗର ପୁନଃ ପ୍ରତିଷ୍ଠା ପାଇଁ, ମୁଁ ଯୁଗେ ଯୁଗେ ଧରାପୃଷ୍ଠରେ ଅବତରିତ ହୋଇଥାଏ ।

Commentary

ପୂର୍ବ ଶ୍ଲୋକରେ, ଭଗବାନ ସଂସାରରେ ଅବତାର ଗ୍ରହଣ କରନ୍ତି କହିବା ପରେ, ସେ ବର୍ତ୍ତମାନ ତା’ର ତିନୋଟି କାରଣ ଦର୍ଶାଉଛନ୍ତି: ୧. ଦୁଷ୍ଟ ମାନଙ୍କୁ ବିନାଶ କରିବାକୁ, ୨. ସନ୍ଥମାନଙ୍କୁ ରକ୍ଷା କରିବାକୁ, ୩. ଧର୍ମର ସ୍ଥାପନା ନିମନ୍ତେ । କିନ୍ତୁ ଏହାକୁ ଗଭୀରଭାବେ ଅନୁଧ୍ୟାନ କଲେ, ଏହି କାରଣମାନଙ୍କ ମଧ୍ୟରୁ କୌଣସି ଗୋଟିଏ ବି କାରଣ ସନ୍ତୋଷଜନକ ମନେ ହୁଏ ନାହିଁ:

ସନ୍ଥମାନଙ୍କୁ ରକ୍ଷା କରିବା- ଭଗବାନ ସମସ୍ତ ଭକ୍ତ ମାନଙ୍କ ହୃଦୟରେ ବାସ କରନ୍ତି ଏବଂ ଭିତରୁ ସେମାନଙ୍କର ରକ୍ଷା କରନ୍ତି । ସେଥିପାଇଁ ଅବତାର ନେବାର କୌଣସି ଆବଶ୍ୟକତା ନାହିଁ ।

ଦୁଷ୍ଟମାନଙ୍କୁ ବିନାଶ କରିବା - ଭଗବାନ ସର୍ବଶକ୍ତିମାନ ଅଟନ୍ତି ଏବଂ କେବଳ ଇଚ୍ଛା ମାତ୍ରକେ ସେ ଦୁଷ୍ଟମାନଙ୍କୁ ମାରି ଦେଇପାରିବେ । ସେତିକି କରିବା ପାଇଁ ସେ ଅବତାର ଗ୍ରହଣ କରିବେ କାହିଁକି?

ଧର୍ମ ସଂସ୍ଥାପନ କରିବା - ବେଦରେ ଧର୍ମର ବର୍ଣ୍ଣନା ଅନାଦିକାଳୀନ ଅଟେ । ଭଗବାନ କୌଣସି ମହାତ୍ମାଙ୍କ ମାଧ୍ୟମରେ ଏହାର ପୁନର୍ସ୍ଥାପନ କରିପାରିବେ । ଏହି କାର୍ଯ୍ୟ ସମ୍ପାଦନ କରିବା ପାଇଁ, ସେ ନିଜେ ସାକାର ରୂପରେ ଅବତରିତ ହେବାର ଆବଶ୍ୟକତା ନାହିଁ ।

ତାହେଲେ ଏହି ଶ୍ଲୋକରେ ଦିଆଯାଇଥିବା କାରଣ ଗୁଡ଼ିକୁ ଆମେ କେଉଁ ଦୃଷ୍ଟିରୁ ଗ୍ରହଣ କରିବା? ଚାଲନ୍ତୁ, ଆମେ ଶ୍ରୀକୃଷ୍ଣଙ୍କର ଏହି ଉକ୍ତିକୁ ଟିକିଏ ଗଭୀର ଭାବରେ ଅନୁଧ୍ୟାନ କରି ଏହାର ମର୍ମକୁ ବୁଝିବାକୁ ଚେଷ୍ଟା କରିବା ।

ଜୀବର ସବୁଠାରୁ ବଡ଼ ଧର୍ମ ହେଉଛି, ଭଗବାନଙ୍କ ଭକ୍ତି । ଭଗବାନ ଅବତାର ଗ୍ରହଣ କରି ଏହାକୁ ସୁଦୃଢ଼ କରନ୍ତି । ଯେତେବେଳେ ଭଗବାନ ଆବିର୍ଭାବ ହୁଅନ୍ତି, ସେ ତାଙ୍କର ଦିବ୍ୟ ରୂପ, ନାମ, ଗୁଣ, ଲୀଳା, ଧାମ ଏବଂ ପରିକରମାନଙ୍କୁ ପ୍ରକଟ କରିଥାନ୍ତି । ଏହା ଜୀବକୁ ଭକ୍ତି କରିବା ପାଇଁ ଏକ ସହଜ ଆଧାର ପ୍ରଦାନ କରେ, ଯେହେତୁ ମନ ଭକ୍ତି କରିବା ପାଇଁ ଏକ ସାକାର ରୂପ ଆବଶ୍ୟକ କରେ । ଭଗବାନଙ୍କ ନିରାକାର ରୂପର ଉପାସନା କରିବା ଅତ୍ୟନ୍ତ କଷ୍ଟପ୍ରଦ ହୋଇଥାଏ; ଅନ୍ୟ ପକ୍ଷରେ, ସାକାର ରୂପର ଭକ୍ତି ଜନସାଧାରଣଙ୍କ ପାଇଁ  ସହଜ ବୋଧଗମ୍ୟ ଏବଂ ମନ ଲଗାଇବା ପାଇଁ ସହଜ ଓ ମଧୁର ହୋଇଥାଏ ।

ପରିଣାମ ସ୍ୱରୂପ, ପ୍ରାୟ ୫୦୦୦ବର୍ଷ ପୂର୍ବେ ହୋଇଥିବା ଶ୍ରୀକୃଷ୍ଣଙ୍କ ଅବତାର ପର ଠାରୁ, କୋଟି କୋଟି ପ୍ରାଣୀ ତାଙ୍କର ଦିବ୍ୟ ଲୀଳାକୁ ସେମାନଙ୍କ ଭକ୍ତିର ଆଧାର କରି ସହଜରେ ସେମାନଙ୍କର ମନକୁ ଶୁଦ୍ଧ କରିପାରିଛନ୍ତି । ସେହିପରି ରାମାୟଣ ମଧ୍ୟ ଅନେକ ଶତାବ୍ଦୀ ଧରି ଜୀବକୁ ଭକ୍ତିର ଏକ ଜନପ୍ରିୟ ମାଧ୍ୟମ ଦେଇ ଆସିଛି । ଜାତୀୟ ଦୂରଦର୍ଶନରେ ପ୍ରଥମେ ଯେତେବେଳେ ରବିବାର ସକାଳ ସମୟରେ ରାମାୟଣ ଧାରାବାହିକ ପ୍ରସାରିତ ହେଲା, ସେତେବେଳେ ଭାରତର ସମସ୍ତ ରାସ୍ତାଘାଟ ଶୁନ୍‌ଶାନ୍ ହୋଇଯାଉଥିଲା । ପ୍ରଭୁ ରାମଙ୍କର ଲୀଳା ଏତେ ମଧୁର ଥିଲା ଯେ, ଏହାକୁ ଦେଖିବା ପାଇଁ ଲୋକମାନେ ତାଙ୍କର ଟେଲିଭିଜନ୍ ପାଖରେ ଭିଡ ଜମାଉ ଥିଲେ । ଏହା ସୂଚିତ କରିଥାଏ କିପରି ଭାବରେ ପ୍ରଭୁ ରାମଙ୍କର ଅବତାର ଇତିହାସରେ କୋଟି କୋଟି ପ୍ରାଣୀଙ୍କୁ ଭକ୍ତିର ଆଧାର ଦେଇଥିଲା ।

ରାମ ଏକ ତାପସ ତିୟ ତାରୀ, ନାମ କୋଟି ଖଳ କୁମତି ସୁଧାରୀ ।

“ରାମ ତାଙ୍କ ଅବତାର ସମୟରେ କେବଳ ଅହଲ୍ୟାଙ୍କୁ ଉଦ୍ଧାର କରିଥିଲେ (ଋଷି ଗୌତମଙ୍କ ସ୍ତ୍ରୀ, ଯାହାକୁ ଭଗବାନ ରାମ ପ୍ରସ୍ତର ଦେହରୁ ଉଦ୍ଧାର କରିଥିଲେ) । କିନ୍ତୁ ତା’ ପରଠାରୁ ପ୍ରଭୁଙ୍କର ଦିବ୍ୟ ନାମ ‘ରାମ’ ଜପକରି, କୋଟି କୋଟି ପତିତ ଆତ୍ମା ନିଜର ଉଦ୍ଧାର କରିଛନ୍ତି ।” ତେଣୁ ଏହି ଶ୍ଲୋକର ଗଭୀର ଅର୍ଥ ଅଟେ:

ଧର୍ମ ସଂସ୍ଥାପନ କରିବା- ଭକ୍ତି ଦ୍ୱାରା ଅନ୍ତଃକରଣକୁ ଶୁଦ୍ଧ କରିବା ପାଇଁ ଜୀବକୁ ନିଜର ନାମ, ରୂପ, ଲୀଳା, ଗୁଣ, ଧାମ ଓ ପରିକର ଆଦି ପ୍ରଦାନ କରି ଭକ୍ତି ଧର୍ମ ସ୍ଥାପନ କରିବା ଉଦ୍ଦେଶ୍ୟରେ ଭଗବାନ ଅବତାର ଗ୍ରହଣ କରନ୍ତି ।

ଦୁଷ୍ଟମାନଙ୍କୁ ବିନାଶ କରିବା- ଭଗବାନଙ୍କ ଲୀଳାରେ ସହଯୋଗ କରିବା ପାଇଁ, କେତେକ ମୁକ୍ତ ଆତ୍ମା ଭଗବାନଙ୍କ ସହିତ ଅବତରିତ ହୋଇ ଦୁଷ୍ଟ ହେବାର ଛଳନା କରନ୍ତି । ଉଦାହରଣ ସ୍ୱରୂପ, ରାବଣ ଓ କୁମ୍ଭକର୍ଣ୍ଣ ବାସ୍ତବରେ ଜୟ ଓ ବିଜୟ ଥିଲେ, ଯେଉଁମାନେ ଭଗବାନଙ୍କ ଦିବ୍ୟଲୋକରୁ ଅବତରିତ ହୋଇଥିଲେ । ସେମାନେ ରାକ୍ଷସ ହେବାର ଅଭିନୟ ସହ ରାମଙ୍କର ବିରୋଧ କରି ତାଙ୍କ ସହିତ ଯୁଦ୍ଧ କରିଥିଲେ । ଅନ୍ୟ କୌଣସି ବ୍ୟକ୍ତିଙ୍କ ଦ୍ୱାରା ସେମାନେ ନିହତ ହୋଇ ନ ଥାନ୍ତେ, କାରଣ ସେମାନ ଦିବ୍ୟ ପୁରୁଷ ଥିଲେ । ତେଣୁ ଭଗବାନ ତାଙ୍କ ଲୀଳାର ଅଂଶ ଭାବରେ ଏହି ରାକ୍ଷସମାନଙ୍କୁ ବଧ କରିଥିଲେ । ତାଙ୍କୁ ବଧ କରିସାରି ସେମାନଙ୍କୁ ତାଙ୍କର ଦିବ୍ୟଧାମକୁ ପ୍ରେରିତ କରିଥିଲେ, ଯେଉଁଠାରୁ ସେମାନେ ଆସିଥିଲେ ।

ସନ୍ଥମାନଙ୍କୁ ରକ୍ଷା କରିବା- ଅନେକ ଜୀବାତ୍ମା ସାଧନା ଦ୍ୱାରା ନିଜକୁ ଯଥେଷ୍ଟ ଉଚ୍ଚସ୍ତରକୁ ନେଇଯାଇ ଭଗବାନଙ୍କର ପ୍ରତ୍ୟକ୍ଷ ଦର୍ଶନ ଲାଭ କରିବାର ଯୋଗ୍ୟତା ହାସଲ କରିଥାଆନ୍ତି । ଯେତେବେଳେ ଶ୍ରୀକୃଷ୍ଣ ସଂସାରରେ ଅବତାର ନେଇଥିଲେ, ଏହିପରି ଅଧିକାରୀ ଜୀବମାନେ ତାଙ୍କର ଦିବ୍ୟ ଲୀଳାରେ ଅଂଶଗ୍ରହଣ କରିବାକୁ ପ୍ରଥମେ ସୁଯୋଗ ପାଇଥିଲେ । ଉଦାହରଣ ସ୍ୱରୂପ, କେତେକ ଗୋପୀ (ବୃନ୍ଦାବନର ଗୋପାଳୁଣୀମାନେ, ଯେଉଁଠାରେ ଶ୍ରୀକୃଷ୍ଣ ନିଜର ଦିବ୍ୟ ଲୀଳା ପ୍ରକଟ କରିଥିଲେ) ଜୀବନ ମୁକ୍ତ ଆତ୍ମା ଥିଲେ, ଯେଉଁମାନେ ଦିବ୍ୟଧାମରୁ ଶ୍ରୀକୃଷ୍ଣଙ୍କ ଲୀଳାରେ ସହଯୋଗ କରିବାକୁ ଅବତରିତ ହୋଇଥିଲେ । ଅନ୍ୟ ଗୋପୀମାନେ ମାୟାବଦ୍ଧ ଜୀବ ଥିଲେ, ଯେଉଁମାନେ ପ୍ରଥମ ଥର ପାଇଁ ଭଗବାନଙ୍କ ଦର୍ଶନ ଓ ସେବା କରିବାର ସୁଯୋଗ ପାଇଥିଲେ ଏବଂ ତାଙ୍କ ଲୀଳାରେ ଅଂଶଗ୍ରହଣ କରିଥିଲେ । ତେଣୁ ଯେତେବେଳେ ଶ୍ରୀକୃଷ୍ଣ ଅବତାର ନେଇଥିଲେ, କେତେକ ଅଧିକାରୀ ଜୀବ ପ୍ରତ୍ୟକ୍ଷ ରୂପରେ ତାଙ୍କ ଲୀଳାରେ ଯୋଗ ଦେଇ ତାଙ୍କ ଭକ୍ତିକୁ ପରିପୂର୍ଣ୍ଣ କରିବାର ସୁଯୋଗ ପ୍ରାପ୍ତ କରିଥିଲେ ।

ଏହା ହିଁ ଏହି ଶ୍ଲୋକର ଗୁଢ଼ ଅର୍ଥ ଅଟେ । ତଥାପି ଏହି ଶ୍ଲୋକର ଶାବ୍ଦିକ ଓ ରୂପକୀୟ ଅର୍ଥକୁ କୌଣସି ବ୍ୟକ୍ତି ଗ୍ରହଣ କରିବାକୁ ଚାହିଁଲେ ଏଥିରେ କିଛି ଭୁଲ ନାହିଁ ।