Bhagavad Gita: Chapter 5, Verse 10

ବ୍ରହ୍ମଣ୍ୟାଧାୟ କର୍ମାଣି ସଙ୍ଗଂ ତ୍ୟକ୍ତ୍ୱା କରୋତି ଯଃ ।
ଲିପ୍ୟତେ ନ ସ ପାପେନ ପଦ୍ମପତ୍ରମିବାମ୍ଭସା ।।୧୦।।

ବ୍ରହ୍ମଣି - ଭଗବାନ; ଆଧାୟ - ଅର୍ପଣ କରି; କର୍ମାଣି - ସମସ୍ତ କର୍ମ; ସଙ୍ଗଂ -ଆସକ୍ତି; ତ୍ୟକ୍ତ୍ୱା- ତ୍ୟାଗକରି; କରୋତି-କରେ; ଯଃ-ଯିଏ; ଲିପ୍ୟତେ - ଲିପ୍ତ ହୁଏ; ନ -ନାହିଁ; ସ -ସେ; ପାପେନ- ପାପରେ; ପଦ୍ମପତ୍ରଂ -ପଦ୍ମପତ୍ର; ଇବ-ପରି; ଅମ୍ଭସା - ଜଳରେ ।

Translation

BG 5.10: ଯେଉଁମାନେ ଆସକ୍ତି ରହିତ ହୋଇ ନିଜର ସମସ୍ତ କର୍ମ ଭଗବାନଙ୍କୁ ଅର୍ପଣ କରିଥାଆନ୍ତି, ପଦ୍ମପତ୍ର ଜଳ ଦ୍ୱାରା ଅସ୍ପୃଶ୍ୟ ରହିବା ପରି, ପାପ ସେମାନଙ୍କୁ ସ୍ପର୍ଶ କରିପାରେ ନାହିଁ ।

Commentary

ଉଭୟ ହିନ୍ଦୁ ଏବଂ ବୌଦ୍ଧ ଶାସ୍ତ୍ର ମାନଙ୍କରେ ପଦ୍ମଫୁଲର ଅନେକ ଉପମା ଦିଆଯାଇଛି । ଭଗବାନଙ୍କ ଦିବ୍ୟ ଶରୀରର ବିଭିନ୍ନ ଅଙ୍ଗର ବର୍ଣ୍ଣନା କଲାବେଳେ ଏହି ଶବ୍ଦଟିକୁ ସମ୍ମାନସୂଚକ ଉପାଧି ଭାବରେ ପ୍ରୟୋଗ କରାଯାଇଥାଏ । ଚରଣ-କମଳ ଅର୍ଥ ‘ପଦ୍ମପରି ପାଦ’, କମଳେକ୍ଷଣ ଅର୍ଥ ‘ପଦ୍ମପରି ଚକ୍ଷୁ’, କର-କମଳ ଅର୍ଥ ‘ପଦ୍ମପରି ହସ୍ତ’ ଇତ୍ୟାଦି ।

ପଦ୍ମଫୁଲର ଅନ୍ୟ ଏକ ନାମ ହେଉଛି ପଙ୍କଜ, ଯାହାର ଅର୍ଥ ‘ପଙ୍କରୁ ଜାତ’ । ପଦ୍ମଫୁଲ ସରୋବରର ନିମ୍ନ ଦେଶରେ ଥିବା ପଙ୍କରୁ ଜନ୍ମ ହୁଏ, ତଥାପି ଏହା ଜଳ ଉପରକୁ ଆସି ସୂର୍ଯ୍ୟଙ୍କ ଅଭିମୁଖରେ ପ୍ରସ୍ଫୁଟିତ ହୋଇଥାଏ । ଆବର୍ଜନାରେ ଜାତ ହୋଇ ମଧ୍ୟ ଯିଏ ନିଜ ଶୁଦ୍ଧତାର ସୌନ୍ଦର୍ଯ୍ୟ ରକ୍ଷା କରିପାରନ୍ତି, ସେମାନଙ୍କ ପାଇଁ ସଂସ୍କୃତ ସାହିତ୍ୟରେ ଅନେକ ସମୟରେ ପଦ୍ମଫୁଲର ଉଦାହରଣ ଦିଆଯାଇଥାଏ ।

ପୁନଶ୍ଚ, ପଦ୍ମ ଲତାର ବଡ ବଡ଼ ପତ୍ର ଜଳର ଉପର ଭାଗରେ ଭାସମାନ ଅବସ୍ଥାରେ ରହିଥାଆନ୍ତି । ଭାରତର ଗାଁ-ଗହଳିରେ ପଦ୍ମପତ୍ର ଭୋଜନ ପାତ୍ର ଭାବରେ ବ୍ୟବହୃତ ହୋଇଥାଏ କାରଣ ଏହା ଜଳ ନିରୋଧକ ଅଟେ ଏବଂ ତରଳ ପଦାର୍ଥକୁ ଏହା ଶୋଷିନିଏ ନାହିଁ । ପଦ୍ମପତ୍ରର ବିଶେଷତ୍ୱ ଏହା ଯେ ଯଦିଓ ଏହାର ଜନ୍ମ, ବୃଦ୍ଧି ଏବଂ ପୋଷଣ ଜଳରେ ହୋଇଥାଏ, ତଥାପି ଏହା ଜଳ ଦ୍ୱାରା ଭିଜି ନ ଥାଏ ।  ପଦ୍ମପତ୍ର ଉପରେ ଜଳ ଢ଼ାଳିଲେ, ଏହାର ଉପର ଭାଗରେ ଥିବା ସୂକ୍ଷ୍ମ ଲୋମ ସାହାଯ୍ୟରେ ପାଣି ବାହାରକୁ ଚାଲିଯାଏ ।

ପଦ୍ମପତ୍ରର ସୁନ୍ଦର ଉପମା ଦେଇ ଶ୍ରୀକୃଷ୍ଣ କହୁଛନ୍ତି ଯେପରି ଏହା ସରୋବର ଉପରେ ଭାସୁଥିଲେ ମଧ୍ୟ ଜଳରେ ଭିଜି ନ ଥାଏ, ସେହିପରି କର୍ମଯୋଗୀମାନେ ସମସ୍ତ ପ୍ରକାର କର୍ମ କରୁଥିଲେ ମଧ୍ୟ, ପାପରେ ଲିପ୍ତ ହୁଅନ୍ତି ନାହିଁ କାରଣ ସେହି ସବୁ କର୍ମ ସେମାନେ ଦିବ୍ୟ ଚେତନା ଯୁକ୍ତ ହୋଇ କରିଥାନ୍ତି ।

Watch Swamiji Explain This Verse