Bhagavad Gita: Chapter 5, Verse 13

ସର୍ବକର୍ମାଣି ମନସା ସଂନ୍ୟସ୍ୟାସ୍ତେ ସୁଖଂ ବଶୀ ।
ନବଦ୍ୱାରେ ପୁରେ ଦେହୀ ନୈବ କୁର୍ବନ୍ନ କାରୟନ୍ ।।୧୩।।

ସର୍ବ-ସମସ୍ତ; କର୍ମାଣି-କର୍ମ; ମନସା- ମନରେ; ସଂନ୍ୟସ୍ୟ-ତ୍ୟାଗକରି; ଆସ୍ତେ-ରହେ; ସୁଖଂ-ସୁଖରେ; ବଶୀ-ଆତ୍ମସଂଯତ; ନବଦ୍ୱାରେ- ନ’ଟି ଦ୍ୱାରଥିବା ସ୍ଥାନରେ; ପୁରେ-ନଗରରେ; ଦେହୀ-ଦେହୀ (ଆତ୍ମା); ନ- ନୁହେଁ; ଏବ-ନିଶ୍ଚିତ ଭାବେ; କୁର୍ବନ୍‌-ଯାହାକିଛି କରେ; ନ- ନାହିଁ; କାରୟନ୍‌- କରିବାର କାରଣ ହେବା ।

Translation

BG 5.13: ଶରୀରଧାରୀ ଜୀବ, ଯେଉଁମାନେ ଆତ୍ମସଂଯତ ଏବଂ ଆସକ୍ତି ରହିତ ଅଟନ୍ତି, ସେମାନେ ସେହି ନବଦ୍ୱାର ବିଶିଷ୍ଟ ନଗରରେ ଖୁସିରେ ବାସ କରନ୍ତି । ସେମାନେ ନିଜକୁ କର୍ତ୍ତା ଭାବେ କିମ୍ବା କାହାର କାରଣ ଭାବେ ଚିନ୍ତା କରନ୍ତି ନାହିଁ ।

Commentary

ଶ୍ରୀକୃଷ୍ଣ ଏଠାରେ ଶରୀରକୁ ଗୋଟିଏ ନବ ଦ୍ୱାର ବିଶିଷ୍ଟ ନଗର ସହିତ ତୁଳନା କରିଛନ୍ତି । ଆତ୍ମା ଏହି ନଗରର ରାଜା ସ୍ୱରୂପ ଅଟେ, ଯାହାର ପ୍ରଶାସନ ଅହଂକାର, ବୁଦ୍ଧି, ମନ, ଇନ୍ଦ୍ରିୟ ଓ ପ୍ରାଣ ଆଦି ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ହୁଏ । ଶରୀର ଉପରେ ତା’ର ଶାସନ ମୃତ୍ୟୁ ପର୍ଯ୍ୟନ୍ତ ଜାରି ରହିଥାଏ । କିନ୍ତୁ ସେହି ଶାସନ କାଳରେ ମଧ୍ୟ, ସିଦ୍ଧ ଯୋଗୀମାନେ ନିଜକୁ ଶରୀର ମନେ କରନ୍ତି ନାହିଁ କିମ୍ବା ନିଜକୁ ସେ ଶରୀରର ସ୍ୱାମୀ ମନେ କରନ୍ତି ନାହିଁ; ବରଂ ସେମାନେ ସେହିି ଶରୀରକୁ ଏବଂ ତା’ ଦ୍ୱାରା କରାଯାଉଥିବା କର୍ମକୁ ଭଗବାନଙ୍କର ମନେକରି ଥାଆନ୍ତି । ମନରୁ ସମସ୍ତ କର୍ମକୁ ତ୍ୟାଗ କରି, ଏହି ପ୍ରବୁଦ୍ଧ ଆତ୍ମାମାନେ ସୁଖରେ ଶରୀର ମଧ୍ୟରେ ବାସ କରିଥାଆନ୍ତି । ଏହାକୁ ସାକ୍ଷୀ ଭାବ ମଧ୍ୟ କୁହାଯାଇ ଥାଏ, ଯେଉଁ ଭାବରେ ବ୍ୟକ୍ତି ନିଜ ଚତୁଃପାଶ୍ୱର୍ରେ ଘଟୁଥିବା ସମସ୍ତ ଘଟଣାର ନୀରବ ଦ୍ରଷ୍ଟା ହୋଇଯାଏ ।

ଶ୍ୱେତାଶ୍ୱତର ଉପନିଷଦରେ ମଧ୍ୟ ଏହିପରି ଏକ ଶ୍ଳୋକ ରହିଛି:

ନବଦ୍ୱାରେ ପୁରେ ଦେହୀ ହଂସୋ ଲେଲାୟତେ ବହିଃ ।
ବଶୀ ସର୍ବସ୍ୟ ଲୋକସ୍ୟ ସ୍ଥାବରସ୍ୟ ଚରସ୍ୟ ଚ । ।  (୩.୧୮)

“ଶରୀରରେ ନଅଟି ଦ୍ୱାର ରହିଛି- ଦୁଇ ଆଖି, ଗୋଟିଏ ମୁହଁ, ଦୁଇ ନାସିକା, ଦୁଇ କାନ, ମଳଦ୍ୱାର ଓ ଯୌନାଙ୍ଗ । ଭୌତିକ ଚେତନାଯୁକ୍ତ ହୋଇ ଶରୀର ମଧ୍ୟରେ ବାସ କରୁଥିବା ଆତ୍ମା ନିଜକୁ ଏହି ନବଦ୍ୱାର ବିଶିଷ୍ଟ ନଗର ଭାବିନିଏ । ଏହି ଶରୀର ମଧ୍ୟରେ ପରମାତ୍ମା ମଧ୍ୟ ନିବାସ କରନ୍ତି, ଯିଏ ସଂସାରର ସମସ୍ତ ପ୍ରାଣୀଙ୍କର ନିୟନ୍ତ୍ରକ ଅଟନ୍ତି । ଆତ୍ମା ଯେତେବେଳେ ପରମାତ୍ମାଙ୍କ ସହିତ ସମ୍ବନ୍ଧିତ ହୋଇଯାଏ, ସେ ଶରୀରରେ ଥାଇ ମଧ୍ୟ ତାଙ୍କ ପରି ମୁକ୍ତ ହୋଇଯାଏ ।”

ଏହି ଶ୍ଲୋକରେ, ଶ୍ରୀକୃଷ୍ଣ ଘୋଷଣା କଲେ ଯେ ଶରୀରଧାରୀ ଜୀବ କୌଣସି କାର୍ଯ୍ୟର କର୍ତ୍ତା ବା କାରଣ ନୁହେଁ । ଏଠାରେ ପ୍ରଶ୍ନ ଉଠେ, ତାହା ହେଲେ ଭଗବାନ କ’ଣ ସଂସାରର ସମସ୍ତ କାର୍ଯ୍ୟର ପ୍ରକୃତ କାରଣ ଅଟନ୍ତି? ପରବର୍ତ୍ତୀ ଶ୍ଲୋକରେ ଏହାର ଉତ୍ତର ଦିଆଯାଇଛି ।

Watch Swamiji Explain This Verse