Bhagavad Gita: Chapter 5, Verse 24

ଯୋଽନ୍ତଃସୁଖୋଽନ୍ତରାରାମସ୍ତଥାନ୍ତର୍ଜ୍ୟୋତିରେବ ଯଃ ।
ସ ଯୋଗୀ ବ୍ରହ୍ମନିର୍ବାଣଂ ବ୍ରହ୍ମଭୂତୋଽଧିଗଚ୍ଛତି ।।୨୪।।

ଯଃ -ଯିଏ; ଅନ୍ତଃ ସୁଖଃ- ଅନ୍ତରରେ ସୁଖୀ; ଅନ୍ତଃ-ଆରାମଃ - ଆତ୍ମାରାମ; ତଥା-ପୁନଶ୍ଚ; ଅନ୍ତଃ-ଜ୍ୟୋତିଃ - ଅନ୍ତରରେ ଉଦ୍‌ଭାସିତ; ଏବ-ନିଶ୍ଚିତଭାବେ; ଯଃ -ଯିଏ; ସଃ -ସେ; ଯୋଗୀ-ଯୋଗୀ; ବ୍ରହ୍ମ-ନିର୍ବାଣଂ -ମାୟିକ ଜଗତରୁ ମୁକ୍ତି; ବ୍ରହ୍ମ-ଭୂତଃ - ବ୍ରହ୍ମ ଦୃଷ୍ଟି; ଅଧିଗଚ୍ଛତି - ପ୍ରାପ୍ତହୁଏ ।

Translation

BG 5.24: ଯେଉଁମାନେ ଅନ୍ତରରେ ଭଗବାନଙ୍କର ଆନନ୍ଦକୁ ଅନୁଭବ କରି ସୁଖୀ ରହନ୍ତି ଏବଂ ଯେଉଁମାନେ ନିଜ ଅନ୍ତରର ଜ୍ୟୋତିରେ ଉଦ୍‌ଭାସିତ, ସେହିପରି ଯୋଗୀମାନେ ଭଗବାନଙ୍କୁ ପ୍ରାପ୍ତ କରି ମାୟିକ ସଂସାରରୁ ମୁକ୍ତ ହୋଇଥାନ୍ତି ।

Commentary

‘ଅନ୍ତରର ଜ୍ୟୋତି’ କହିଲେ ସେହି ଦିବ୍ୟଜ୍ଞାନକୁ ବୁଝାଇଥାଏ ଯାହା ଭଗବାନଙ୍କର କୃପାରୁ ଉପଲବ୍‌ଧି ରୂପରେ ଅନ୍ତରରେ ପ୍ରକାଶିତ ହୁଏ,   ଯେତେବେଳେ ଆମେ ତାଙ୍କର ପୂର୍ଣ୍ଣ ଶରଣାଗତ ହୋଇଥାଏ । ଯୋଗ ଦର୍ଶନ କହେ:

ଋତୁମ୍ଭରା ତତ୍ର ପ୍ରଜ୍ଞା (୧-୪୮)

ସମାଧିସ୍ଥ ଅବସ୍ଥାରେ, ବ୍ୟକ୍ତିର ବୁଦ୍ଧି ସତ୍ୟର ଅନୁଭୂତିରେ ପ୍ଲାବିତ ହୋଇଯାଏ ।

କାମ ଓ କ୍ରୋଧର ଆବେଗକୁ ନିୟନ୍ତ୍ରଣ କରିବାର ଆବଶ୍ୟକତା ସମ୍ପର୍କରେ ଅର୍ଜୁନଙ୍କୁ ବୁଝାଇ ସାରିବା ପରେ, ଶ୍ରୀକୃଷ୍ଣ ଏହାର ଅଭ୍ୟାସ କରିବାର ଗୁପ୍ତ ରହସ୍ୟ ଉନ୍ମୋଚନ କରୁଛନ୍ତି । ଯୋଽନ୍ତଃ ସୁଖୋ ଶବ୍ଦର ଅର୍ଥ, “ଯିଏ ଅନ୍ତରରେ ସୁଖୀ” । ଗୋଟିଏ ପ୍ରକାର ସୁଖ ଆମେ ବାହ୍ୟ ବସ୍ତୁଠାରୁ ଅନୁଭବ କରିଥାଏ । ଅନ୍ୟ ଏକ ପ୍ରକାରର ଆନନ୍ଦ ରହିଛି, ଯାହା ଆମେ ଭଗବାନଙ୍କ ସହିତ ମନକୁ ଯୁକ୍ତ କରି ଅନ୍ତରରେ ଅନୁଭବ କରିଥାଏ । ଅନ୍ତରରେ ସୁଖ ଅନୁଭବ ନ କଲେ ଆମେ ବାହ୍ୟ ପ୍ରଲୋଭନକୁ ସବୁଦିନ ପାଇଁ ରୋକି ପାରିବା ନାହିଁ । କିନ୍ତୁ ହୃଦୟରେ ଯେତେବେଳେ ଭଗବାନଙ୍କର ଆନନ୍ଦ ପ୍ରବାହିତ ହେବାରେ ଲାଗେ, ସେତେବେଳେ କ୍ଷଣସ୍ଥାୟୀ ବାହ୍ୟ ଆନନ୍ଦ ନଗଣ୍ୟ ବୋଧ ହୁଏ ଏବଂ ତାହାକୁ ସହଜରେ ପରିତ୍ୟାଗ କରିହୁଏ ।

ସନ୍ଥ ଯମୁନାଚାର୍ଯ୍ୟ କହିଛନ୍ତି:

 ଯଦାବଧି ମମ ଚେତଃ କୃଷ୍ଣ-ପଦାରବିନ୍ଦେ
ନବ-ନବ-ରସ-ଧାମନୁଦ୍ୟତ ରନ୍ତୁମ୍ ଆସୀତ୍‌
ତଦାବଧି ବତ ନାରୀ-ସଙ୍ଗମେ ସ୍ମର୍ଯ୍ୟମାନେ
ଭବତି ମୁଖ-ବିକାରଃ ସୁଷ୍ଟୁ ନିସ୍ଥିବନମ୍ ଚ ।

“ଯେଉଁଦିନଠାରୁ ମୁଁ ଶ୍ରୀକୃଷ୍ଣଙ୍କର କମଳ-ରୂପୀ ଚରଣର ଧ୍ୟାନ କରିବାକୁ ଆରମ୍ଭ କଲିଣି, ମୁଁ କ୍ରମ-ବର୍ଦ୍ଧମାନ ସୁଖ ଅନୁଭବ କରୁଅଛି । ଯଦି ଅକସ୍ମାତ୍ ଯୌନ ସମ୍ଭୋଗର ଭାବନା ଯଦି ମୋ ମନକୁ ଆସିଯାଉଛି, ମୁଁ ସେହି ଭାବନାକୁ ଥୁକି ଦେଇ ବିତୃଷ୍ଣାରେ ମୁହଁ ମୋଡ଼ି ଦେଉଛି ।”