Bhagavad Gita: Chapter 5, Verse 5

ଯତ୍ ସାଂଖ୍ୟୈଃ ପ୍ରାପ୍ୟତେ ସ୍ଥାନଂ ତଦ୍ୟୋଗୈରପି ଗମ୍ୟତେ ।
ଏକଂ ସାଂଖ୍ୟଂ ଚ ଯୋଗଂ ଚ ଯଃ ପଶ୍ୟତି ସ ପଶ୍ୟତି ।।୫।।

ଯତ୍‌-ଯାହା; ସାଂଖୈଃ- କର୍ମ ସନ୍ୟାସ ଦ୍ୱାରା; ପ୍ରାପ୍ୟତେ - ପ୍ରାପ୍ତହୁଏ, ସ୍ଥାନଂ -ସ୍ଥାନ; ତତ୍‌-ତାହା; ଯୌଗୈଃ - କର୍ମ ଯୋଗରେ; ଅପି- ମଧ୍ୟ; ଗମ୍ୟତେ - ପ୍ରାପ୍ତ ହୁଏ; ଏକଂ- ଏକ; ସାଂଖ୍ୟ- କର୍ମ ସନ୍ୟାସ; ଚ-ଏବଂ; ଯୋଗଂ- କର୍ମଯୋଗ; ଚ-ଏବଂ; ଯଃ-ଯେ; ପଶ୍ୟତି -ଦେଖେ; ସଃ- ସେ; ପଶ୍ୟତି -ପ୍ରକୃତରେ ଦେଖେ ।

Translation

BG 5.5: କର୍ମ ସନ୍ନ୍ୟାସ ଦ୍ୱାରା ଯେଉଁ ଉଚ୍ଚ ସୋପାନ ପ୍ରାପ୍ତ ହୋଇଥାଏ, ଭକ୍ତିଯୁକ୍ତ କର୍ମ ଆଚରଣ ଦ୍ୱାରା ମଧ୍ୟ ତାହା ପ୍ରାପ୍ତ ହୋଇଥାଏ । ତେଣୁ ଯେଉଁ ବ୍ୟକ୍ତି କର୍ମ ସନ୍ୟାସ ଓ କର୍ମ ଯୋଗକୁ ସମାନ ରୂପରେ ଦେଖିଥାଏ, ସେ ତତ୍ତ୍ୱକୁ ତା’ର ବାସ୍ତବ ସ୍ୱରୂପରେ ଦେଖିଥାଏ ।

Commentary

ଅଧ୍ୟାତ୍ମିକ ସାଧନାରେ, ବାହ୍ୟ କ୍ରିୟା ଅପେକ୍ଷା, ମନୋଭାବକୁ ହିଁ ଅଧିକ ପ୍ରାଧାନ୍ୟ ଦିଆଯାଇଥାଏ । ଜଣେ ପବିତ୍ର ବୃନ୍ଦାବନ ଧାମରେ ରହି ମଧ୍ୟ ଯଦି କଲିକତାରେ ରସଗୋଲା ଖାଇବା କଥା ଚିନ୍ତା କରୁଥାନ୍ତି, ତେବେ ଧରାଯିବ ଯେ ସେ କଲିକତାରେ ରହିଛନ୍ତି । ଅନ୍ୟ ପକ୍ଷରେ ଯଦି ଜଣେ କଲିକତାର ହୋହଲ୍ଲା ମଧ୍ୟରେ ରହି ବୃନ୍ଦାବନର ଈଶ୍ୱରଙ୍କଠାରେ ମନ ଲଗାଇ ରଖନ୍ତି, ତା’ହେଲେ ସେ ବୃନ୍ଦାବନ ବାସର ଫଳ ପାଆନ୍ତି । ସମସ୍ତ ବେଦ ଶାସ୍ତ୍ର କହେ ଯେ, ଆମ ଚେତନାର ସ୍ତର ଆମ ମନର ସ୍ଥିତି ଅନୁସାରେ ନିର୍ଦ୍ଧାରିତ ହୋଇଥାଏ ।

ମନ ଏବ ମନୁଷ୍ୟାଣାଂ କାରଣଂ ବନ୍ଧ ମୋକ୍ଷୟୋଃ (ପଞ୍ଚଦଶୀ)

“ମନ ହିଁ ବନ୍ଧନର କାରଣ ଏବଂ ମନ ହିଁ ମୋକ୍ଷର କାରଣ ଅଟେ ।” ଜଗଦ୍‌ଗୁରୁ ଶ୍ରୀ କୃପାଳୁଜୀ ମହାରାଜ ଠିକ୍ ସେହି କଥା କହନ୍ତି:

ବନ୍ଧନ ଔର ମୋକ୍ଷ କା, କାରଣ ମନ ହିଁ ବଖାନ ।
ୟାତେ କୌନିଉ ଭକ୍ତି କରୁ, କରୁ ମନ ତେ ହରିଧ୍ୟାନ । । (ଭକ୍ତିଶତକ, ଦୋହା.୧୯)

“ବନ୍ଧନ ଓ ମୋକ୍ଷ ମନର ସ୍ଥିତି ଉପରେ ନିର୍ଭର କରିଥାଏ । ତେଣୁ ଯେପରି ଭାବରେ ଭକ୍ତି କଲେ ମଧ୍ୟ, ମନରେ ଭଗବାନଙ୍କର ଧ୍ୟାନ କରିବା ପରମ ଆବଶ୍ୟକ ଅଟେ ।”

ଯେଉଁମାନଙ୍କର ଦୃଷ୍ଟିକୋଣ ଆଧ୍ୟାତ୍ମିକ ନୁହେଁ, ସେମାନେ ବାହ୍ୟତଃ କର୍ମ ସନ୍ୟାସୀ ଏବଂ କର୍ମଯୋଗୀଙ୍କ ମଧ୍ୟରେ ଯେଉଁ ପାର୍ଥକ୍ୟ ଦେଖିଥାନ୍ତି, ତାହାକୁ ଆଧାର କରି କର୍ମସନ୍ୟାସୀଙ୍କୁ ଶ୍ରେଷ୍ଠ ବିବେଚିତ କରିଥାନ୍ତି, କାରଣ ସେମାନେ ତ୍ୟାଗ ପ୍ରଦର୍ଶନ କରିଥାଆନ୍ତି । କିନ୍ତୁ ଯେଉଁମାନେ ଜ୍ଞାନୀ, ସେମାନେ ଦେଖନ୍ତି ଯେ ଉଭୟ କର୍ମଯୋଗୀ ଓ କର୍ମ ସନ୍ନ୍ୟାସୀ ସେମାନଙ୍କର ମନକୁ ଭଗବାନଙ୍କଠାରେ ଲଗାଇ ରଖିଥାଆନ୍ତି, ତେଣୁ ଅନ୍ତରଙ୍ଗ ଚେତନାରେ ସେମାନେ ପରସ୍ପର ସମାନ ଅଟନ୍ତି ।

Swami Mukundananda

5. କର୍ମସନ୍ନ୍ୟାସ ଯୋଗ

Subscribe by email

Thanks for subscribing to “Bhagavad Gita - Verse of the Day”!