Bhagavad Gita: Chapter 6, Verse 26

ଯତୋ ଯତୋ ନିଶ୍ଚରତି ମନଶ୍ଚଞ୍ଚଳମସ୍ଥିରମ୍ ।
ତତସ୍ତତୋ ନିୟମ୍ୟୈତଦାତ୍ମନ୍ୟେବ ବଶଂ ନୟେତ୍ ।।୨୬।।

ଯତୋ ଯତୋ - ଯେତେବେଳେ, ଯେଉଁଠାରେ; ନିଶ୍ଚଳତି - ବିଚଳିତ ହୁଏ; ମନଃ -ମନ; ଚଞ୍ଚଳଂ - ଚଞ୍ଚଳ; ଅସ୍ଥିରଂ - ଅସ୍ଥିର; ତତଃ ତତଃ -ବାରମ୍ବାର; ନିୟମ୍ୟ - ନିୟନ୍ତ୍ରିତ କରି; ଏତତ୍ - ଏହାକୁ; ଆତ୍ମନି - ପରମାତ୍ମାଙ୍କ ଠାରେ; ଏବ - ନିଶ୍ଚିତଭାବେ; ବଶଂ - ଅଧୀନ; ନୟେତ୍ - ଆଣିବା ଉଚିତ୍ ।

Translation

BG 6.26: ଯେତେବେଳେ ଓ ଯେଉଁ ପରିସ୍ଥିତିରେ ମନ ଅଶାନ୍ତ, ଅସ୍ଥିର ଏବଂ ବିଭ୍ରାନ୍ତ ହୁଏ, ତାହାକୁ ବାରମ୍ବାର ଫେରାଇ ଆଣି ଭଗବାନଙ୍କଠାରେ କେନ୍ଦ୍ରିତ କରିବା ଆବଶ୍ୟକ ।

Commentary

ଧ୍ୟାନରେ ସଫଳତା ଗୋଟିଏ ଦିନରେ ମିଳି ନ ଥାଏ । ସଫଳତାର ପଥ ଦୀର୍ଘ ଏବଂ କଠିନ ଅଟେ । ଧ୍ୟାନରେ, ଆମେ ଯେତେବେଳେ ମନକୁ ଭଗବାନଙ୍କ ଠାରେ କେନ୍ଦ୍ରିତ କରିବାକୁ ଚେଷ୍ଟା କରେ, ଆମେ ଅନୁଭବ କରିଥାଏ ଯେ ଅଧିକାଂଶତଃ ମନ ସାଂସାରିକ ସଂକଳ୍ପ-ବିକଳ୍ପ ଅଭିମୁଖରେ ଧାଇଁବାରେ ଲାଗେ । ଏଣୁ ଧ୍ୟାନ ପ୍ରକ୍ରିୟା ଅନ୍ତର୍ଗତ ତିନୋଟି ସୋପାନକୁ ବୁଝିବା ନିତାନ୍ତ ଆବଶ୍ୟକ ଅଟେ:

୧. ବୁଦ୍ଧିର ବିଚାର ଶକ୍ତି ଦ୍ୱାରା, ଆମେ ନିର୍ଣ୍ଣୟ କରେ ଯେ ସଂସାର ଆମର ଲକ୍ଷ୍ୟ ନୁହେଁ । ସୁତରାଂ, ଆମେ ବଳପୂର୍ବକ ମନକୁ ସଂସାରରୁ  ହଟାଇଥାଏ । ଏଥିପାଇଁ ଉଦ୍ୟମ ଆବଶ୍ୟକ ।

୨. ପୁଣି ବିଚାର ଶକ୍ତି ଦ୍ୱାରା ଆମେ ହୃଦୟଙ୍ଗମ କରିଥାଏ ଯେ କେବଳ ଭଗବାନ ହିଁ ଆମର ଅଟନ୍ତି ଏବଂ ଭଗବତ୍ ପ୍ରାପ୍ତି ଆମର ଲକ୍ଷ୍ୟ ଅଟେ । ସୁତରାଂ, ଆମେ ମନକୁ ଭଗବାନଙ୍କଠାରେ କେନ୍ଦ୍ରିତ କରିଥାଏ । ଏଥିରେ ମଧ୍ୟ ଉଦ୍ୟମ ଆବଶ୍ୟକ ।

୩. ମନ ଭଗବାନଙ୍କଠାରୁ ହଟିଯାଇ ସଂସାର ଅଭିମୁଖରେ ଧାବିତ ହୁଏ । ଏଥିପାଇଁ କୌଣସି ଉଦ୍ୟମର ଆବଶ୍ୟକତା ନ ଥାଏ, ଏହା ସ୍ୱତଃ ହୋଇଥାଏ ।

ଯେତେବେଳେ ତୃତୀୟ ସୋପାନଟି ସ୍ୱତଃ ଆସିଯାଏ, ସାଧକ ପ୍ରାୟତଃ ନିରୁତ୍ସାହିତ ହୋଇ ଭାବନ୍ତି, “ମୁଁ ଭଗବାନଙ୍କର ଧ୍ୟାନ କରିବାକୁ ଏତେ ଚେଷ୍ଟା କଲି, କିନ୍ତୁ ମନ ସଂସାରକୁ ଫେରିଗଲା?” ଶ୍ରୀକୃଷ୍ଣ ଆମକୁ ନିରାଶ ନ ହେବାକୁ କହୁଛନ୍ତି । ସେ କହୁଛନ୍ତି ଯେ ଆମର ମନ ଚଞ୍ଚଳ ଅଟେ ଏବଂ ତାହାକୁ ନିୟନ୍ତ୍ରଣ କରିବାର ଆମର ଶତ ଚେଷ୍ଟା ସତ୍ତ୍ୱେ, ଯାହା ପ୍ରତି ସେ ଆସକ୍ତ, ସେ ତାହା ପାଖକୁ ଚାଲିଯିବ ।  ତଥାପି ସେ ଯେତେବେଳେ ଇତସ୍ତତଃ ହୁଏ, ଆମେ ପୁନର୍ବାର ପ୍ରଥମ ଓ ଦ୍ୱିତୀୟ ସୋପାନର ପୁନରାବୃତ୍ତି କରିବା ଉଚିତ - ମନକୁ ସଂସାରରୁ ହଟାଇ ପୁଣି ଭଗବାନଙ୍କଠାରେ ଲଗାଇବା । ତାପରେ ବି ଯଦି ମନ ଭଗବାନଙ୍କ ଠାରୁ ହଟିଯାଏ, ଆମେ ନିରାଶ ନ ହୋଇ ପୁଣିଥରେ ପ୍ରଥମ ଓ ଦ୍ୱିତୀୟ ପଦକ୍ଷେପ ନେବା ଉଚିତ ।

ବାରମ୍ବାର ଆମେ ଏହାର ପୁନରାବୃତ୍ତି କରିବା ଆବଶ୍ୟକ । ତା’ପରେ ଧୀରେ ଧୀରେ ଭଗବାନଙ୍କ ପ୍ରତି ମନର ଆସକ୍ତି ଏବଂ ସଂସାର ପ୍ରତି ମନର ବୈରାଗ୍ୟ ବୃଦ୍ଧି ପାଇବାରେ ଲାଗିବ । ତଦ୍ୱାରା, ଧ୍ୟାନ କରିବା ଆମ ପାଇଁ ସହଜରୁ ସହଜତର ହୋଇଯିବ । କିନ୍ତୁ ପ୍ରାରମ୍ଭରେ, ମନକୁ ଶୃଙ୍ଖଳିତ କରିବା ପାଇଁ ସଂଗ୍ରାମ କରିବାକୁ ପ୍ରସ୍ତୁତ ରହିବାକୁ ପଡ଼ିବ ।