Bhagavad Gita: Chapter 6, Verse 28

ଯୁଞ୍ଜନ୍ନେବଂ ସଦାତ୍ମାନଂ ଯୋଗୀ ବିଗତକଳ୍ମଷଃ ।
ସୁଖେନ ବ୍ରହ୍ମସଂସ୍ପର୍ଶମତ୍ୟନ୍ତଂ ସୁଖମଶ୍ନୁତେ ।।୨୮।।

ଯୁଞ୍ଜନ୍ - ଆତ୍ମା ପରମାତ୍ମାଙ୍କ ସହ ସଂଯୁକ୍ତ ହୋଇ; ଏବଂ - ଏହିପରି; ସଦା-ସର୍ବଦା; ଆତ୍ମାନଂ - ଆତ୍ମା; ଯୋଗୀ -ଯୋଗୀ; ବିଗତ -ମୁକ୍ତ; କଳ୍ମଷଃ -ପାପ; ସୁଖେନ -ସହଜରେ; ବ୍ରହ୍ମ-ସଂସ୍ପର୍ଶମ୍ - ଭଗବାନଙ୍କ ସହ ସଂଯୁକ୍ତ ହୋଇ; ଅତ୍ୟନ୍ତମ୍ - ସର୍ବୋଚ୍ଚ; ସୁଖମ୍ -ସୁଖ; ଅଶ୍ନୁତେ - ପ୍ରାପ୍ତ କରେ ।

Translation

BG 6.28: ଆତ୍ମ-ସଂଯତ ଯୋଗୀ, ଈଶ୍ୱରଙ୍କ ସହିତ ନିଜକୁ ସଂଯୁକ୍ତ କରି, ଭୌତିକ ଦୋଷରୁ ମୁକ୍ତ ହୁଏ ଏବଂ ପରମାତ୍ମାଙ୍କ ସାନ୍ନିଧ୍ୟରେ ସର୍ବଦା ରହି ସର୍ବୋଚ୍ଚ କକ୍ଷର ଦିବ୍ୟ ଆନନ୍ଦ ପ୍ରାପ୍ତ କରେ ।

Commentary

ଆନନ୍ଦକୁ ଚାରି ଭାଗରେ ବିଭକ୍ତ କରାଯାଇପାରେ:

ସାତ୍ତ୍ୱିକଂ ସୁଖମାତ୍ମୋତ୍‌ଥଂ ବିଷୟୋତ୍‌ଥଂ ତୁ ରାଜସମ୍ ।
ତାମସଂ ମୋହ ଦୈନ୍ୟୋତ୍‌ଥଂ ନିର୍ଗୁଣଂ ମଦପାଶ୍ରୟାମ୍ । । (ଭାଗବତମ୍ ୧୧:୨୫.୨୯)

୧. ତାମସିକ ସୁଖ - ମାଦକ ଦ୍ରବ୍ୟ, ମଦ୍ୟ, ସିଗାରେଟ୍‌, ମାଂସ ଜାତୀୟ ଖାଦ୍ୟ, ହିଂସା, ନିଦ୍ରା ଇତ୍ୟାଦିରୁ ମିଳୁଥିବା ସୁଖ ।

୨. ରାଜସିକ ସୁଖ - ପଞ୍ଚେନ୍ଦ୍ରିୟ ଏବଂ ମନର ତୃପ୍ତିରୁ ଉତ୍ପନ୍ନ ହେଉଥିବା ସୁଖ ।

୩. ସାତ୍ତ୍ୱିକ ସୁଖ - ସତ୍‌କର୍ମ, ଯେପରିକି ଦୟା, ପରୋପକାର, ଜ୍ଞାନ ଅଧ୍ୟୟନ, ମନକୁ ଶାନ୍ତ ରଖିବା, ଇତ୍ୟାଦି ଦ୍ୱାରା ଅନୁଭୂତ ହୋଇଥାଏ । ଜ୍ଞାନୀମାନେ, ଆତ୍ମାର ଉପାଧିରେ ମନକୁ ସ୍ଥିର ରଖି ଆତ୍ମଜ୍ଞାନର ଯେଉଁ ସୁଖାନୁଭୂତି ପ୍ରାପ୍ତ କରିଥାଆନ୍ତି, ତାହା ଏହି ଶ୍ରେଣୀରେ ଅନ୍ତର୍ଭୁକ୍ତ ଅଟେ ।

୪. ନିର୍ଗୁଣ ସୁଖ । ଏହା ଭଗବାନଙ୍କ ଦିବ୍ୟ ଆନନ୍ଦ, ଯାହା ଅନନ୍ତ ମାତ୍ରାର ଅଟେ । ଶ୍ରୀକୃଷ୍ଣ ବର୍ଣ୍ଣନା କରୁଛନ୍ତି ଯେ, ଯେଉଁ ଯୋଗୀ ମାୟିକ ଦୋଷମୁକ୍ତ ହୋଇ ଭଗବାନଙ୍କ ସହିତ ସଂଲଗ୍ନ ରହନ୍ତି, ସେ ଏହି ଶ୍ରେଷ୍ଠତମ ବାସ୍ତବିକ ସୁଖ ଲାଭ କରନ୍ତି । ଏହାକୁ ସେ ଶ୍ଲୋକ ୫.୨୧ରେ ଅସୀମ ଆନନ୍ଦ ଏବଂ ଶ୍ଲୋକ ୬.୨୧ରେ ପରମ ଆନନ୍ଦ କହିଛନ୍ତି ।