Bhagavad Gita: Chapter 6, Verse 38

କଚ୍ଚିନ୍ନୋଭୟବିଭ୍ରଷ୍ଟଶ୍ଚିନ୍ନାଭ୍ରମିବ ନଶ୍ୟତି ।
ଅପ୍ରତିଷ୍ଠୋ ମହାବାହୋ ବିମୂଢ଼ୋ ବ୍ରହ୍ମଣଃ ପଥି ।।୩୮।।

କଚ୍ଚିତ୍ - କେହି; ନ - ନୁହେଁ, ଉଭୟ - ଉଭୟ; ବିଭ୍ରଷ୍ଟଃ- ଭ୍ରଷ୍ଟ; ଛିନ୍ନ -ବିଚ୍ଛିନ୍ନ; ଅଭ୍ରମ୍ - ମେଘ; ଇବ - ପରି; ନଶ୍ୟତି - ନଷ୍ଟହୁଏ; ଅପ୍ରତିଷ୍ଠଃ - କୌଣସି ପ୍ରକାର ଆଶ୍ରୟ ନ ଥାଇ; ମହାବାହୋ - ହେ ମହାବାହୁ ଶ୍ରୀକୃଷ୍ଣ; ବିମୂଢ଼ଃ -ବିଭ୍ରାନ୍ତ; ବ୍ରହ୍ମଣଃ -ଭଗବତ୍ ପ୍ରାପ୍ତିର; ପଥି- ପଥରେ ।

Translation

BG 6.38: ହେ ମହାବାହୁ ଶ୍ରୀକୃଷ୍ଣ! ଯେଉଁ ବ୍ୟକ୍ତି ଯୋଗ ମାର୍ଗରୁ ବିଚ୍ୟୁତ ହୋଇଯାଏ, ଏକ ଖଣ୍ଡିତ ମେଘ କୌଣସି ଲୋକରେ ସ୍ଥାନ ନ ପାଇ ଲୋପ ପାଇଗଲା ପରି, ଉଭୟ ଭୌତିକ ଓ ଆଧ୍ୟାତ୍ମିକ ସଫଳତାରୁ ବଞ୍ôଚତ ହୁଏ ନାହିଁ କି?

Commentary

ଜୀବର ସଫଳତା ପ୍ରାପ୍ତ କରିବାର ଅଭିଳାଷ ସହଜାତ ଅଟେ । ଏହି ଅଭିଳାଷର କାରଣ ଏହା ଯେ ସେ ଭଗବାନଙ୍କର ଅଂଶ ଅଟେ, ଯିଏ କି ପରିପୂର୍ଣ୍ଣ ଅଟନ୍ତି । ତେଣୁ ଜୀବ ମଧ୍ୟ ତା’ର ଉତ୍ସ ଭଗବାନଙ୍କ ପରି ପରିପୂର୍ଣ୍ଣ ଓ ସଫଳ ହେବାକୁ ଇଚ୍ଛା କରିଥାଏ । ସଫଳତା ଉଭୟ ମାୟିକ ଓ ଆଧ୍ୟାତ୍ମିକ ଜଗତରେ ଲାଭ କରାଯାଇପାରେ । ଯେଉଁ ବ୍ୟକ୍ତି ସଂସାରକୁ ସୁଖର ଉତ୍ସ ଭାବିଥାଏ, ସେ ଭୌତିକତାରେ ଅଗ୍ରସର ହେବାକୁ ଆଗ୍ରହୀ ହୋଇଥାଏ । ଯେଉଁ ବ୍ୟକ୍ତି ଆଧ୍ୟାତ୍ମିକ ସମ୍ପତ୍ତିକୁ ବାସ୍ତବ ସମ୍ପତ୍ତି ମନେ କରିଥାଆନ୍ତି, ସେମାନେ ଭୌତିକ ସମ୍ପଦ ତ୍ୟାଗ କରି, ଆଧ୍ୟାତ୍ମିକତା ଦିଗରେ ଉଦ୍ୟମ କରନ୍ତି । କିନ୍ତୁ ଏହି ଆଧ୍ୟାତ୍ମବାଦୀ ମାନେ ଯଦି ସେମାନଙ୍କର ଉଦ୍ୟମେରେ ବିଫଳ ହୁଅନ୍ତି, ତାହେଲେ ସେମାନେ ଉଭୟ ଆଧ୍ୟାତ୍ମିକ ଏବଂ ଭୌତିକ ଲାଭରୁ ବଞ୍ôଚତ ହୁଅନ୍ତି । ଏହିପରି ଚିନ୍ତାକରି ଅର୍ଜୁନ ପଚାରୁଛନ୍ତି, ସେମାନଙ୍କର ଅବସ୍ଥା ଖଣ୍ଡିତ ମେଘ ସଦୃଶ ହୋଇଥାଏ କି? ଯେଉଁ ମେଘ, ମେଘମାଳାରୁ ବିଚ୍ଛିନ୍ନ ହୋଇଯାଏ, ତାହାର କୌଣସି ମୂଲ୍ୟ ନ ଥାଏ । ଏହା ଯଥେଷ୍ଟ ଛାୟା ପ୍ରଦାନ କରିପାରେ ନାହିଁ କିମ୍ବା ନିଜର ଓଜନ ବଢ଼ାଇ ବୃଷ୍ଟି କରିପାରେ ନାହିଁ । ବାୟୁର ପ୍ରବାହରେ ଏହା ଅସ୍ତିତ୍ୱହୀନ ହୋଇଯାଏ । ଅର୍ଜୁନ ପଚାରୁଛନ୍ତି, ଅସଫଳ ଯେଗୀମାନଙ୍କର ଦଶା ସେହିପରି ହୋଇଥାଏ କି?