ସପ୍ତମ ଅଧ୍ୟାୟ: ଜ୍ଞାନ ବିଜ୍ଞାନ ଯୋଗ

ଜ୍ଞାନ ବିଜ୍ଞାନ ଯୋଗ

ଏହି ଅଧ୍ୟାୟରେ ଭଗବାନଙ୍କ ଶକ୍ତିର ଦୁଇଟି ଦିଗ, ଭୌତିକ ଏବଂ ଆଧ୍ୟାତ୍ମିକ, ସମ୍ପର୍କରେ ବର୍ଣ୍ଣନା କରାଯାଇଅଛି । ଶ୍ରୀକୃଷ୍ଣ ବର୍ଣ୍ଣନା କରୁଛନ୍ତି ଯେ, ଏହି ସବୁ ଶକ୍ତି ତାଙ୍କଠାରୁ ଉତ୍ପନ୍ନ ଲାଭ କରିଛନ୍ତି ଏବଂ ସୁତାରେ ମାଳି ଗୁନ୍ଥା ହେବା ପରି ତାଙ୍କଠାରେ ସନ୍ନିବିଷ୍ଟ ରହିଛନ୍ତି । ସେ ସମସ୍ତ ଶକ୍ତିର ଉତ୍ସ ଅଟନ୍ତି ଏବଂ ପୁନର୍ବାର ସବୁ କିଛି ତାଙ୍କ ଠାରେ ହିଁ ଲୀନ ହୋଇଯାଆନ୍ତି । ତାଙ୍କର ମାୟା ଶକ୍ତିକୁ ଅତିକ୍ରମ କରିବା ଅତ୍ୟନ୍ତ କଷ୍ଟସାଧ୍ୟ, କିନ୍ତୁ ଯେଉଁବ୍ୟକ୍ତି ତାଙ୍କର ଶରଣାଗତ ହୁଏ, ସେ ତାଙ୍କର କୃପା ପ୍ରାପ୍ତ କରି ମାୟାକୁ ସହଜରେ ଜୟ କରି ପାରିଥାଏ । ଶ୍ରୀକୃଷ୍ଣ ଚାରି ପ୍ରକାରର ବ୍ୟକ୍ତି, ଯେଉଁମାନେ ତାଙ୍କର ଶରଣାଗତ ହୁଅନ୍ତି ନାହିଁ ଏବଂ ଚାରି ପ୍ରକାରର ବ୍ୟକ୍ତି, ଯେଉଁମାନେ ତାଙ୍କର ଭକ୍ତିରେ ନିୟୋଜିତ  ରହନ୍ତି, ସେମାନଙ୍କ ବିଷୟରେ ବର୍ଣ୍ଣନା କରିଛନ୍ତି । ତାଙ୍କର ଭକ୍ତମାନଙ୍କ ମଧ୍ୟରୁ ଯିଏ ଜ୍ଞାନଯୁକ୍ତ ହୋଇ ମନ ବୁଦ୍ଧି ସମର୍ପଣ ପୂର୍ବକ ତାଙ୍କର ଭକ୍ତି କରନ୍ତି, ତାଙ୍କୁ ସେ ନିଜର ଅତ୍ୟନ୍ତ ପ୍ରିୟ ମନେ କରନ୍ତି । କେତେକ ବ୍ୟକ୍ତିଙ୍କର ବୁଦ୍ଧିକୁ ସାଂସାରିକ କାମନା ପ୍ରଭାବିତ କରେ, ସେମାନେ ସ୍ୱର୍ଗର ଦେବତାମାନଙ୍କର ଶରଣାଗତ ହୁଅନ୍ତି । କିନ୍ତୁ ସ୍ୱର୍ଗର ଦେବତାମାନେ ନଶ୍ୱର ସାଂସାରିକ ଫଳ ପ୍ରଦାନ କରିଥାଆନ୍ତି, ତାହା ମଧ୍ୟ ସେମାନେ ଭଗବାନଙ୍କଠାରୁ ପାଇଥିବା ଶକ୍ତି ଦ୍ୱାରା ହିଁ କରିଥାଆନ୍ତି । ସୁତରାଂ, ଭକ୍ତିର ସର୍ବଶ୍ରେଷ୍ଠ ବିଷୟ ସ୍ୱୟଂ ଭଗବାନ ହିଁ ଅଟନ୍ତି । ଶ୍ରୀକୃଷ୍ଣ, ଏହାର ପୁଷ୍ଟି କରିବାକୁ ଯାଇ କହୁଛନ୍ତି ଯେ ସର୍ବଜ୍ଞତା, ସର୍ବବିଦ୍ୟମାନତା, ସର୍ବଶକ୍ତିସମ୍ପନ୍ନ ଆଦି ଅନନ୍ତ ଶାଶ୍ୱତ ଦିବ୍ୟ ଗୁଣର ଅଧିକାରୀ ସେ ହିଁ ସର୍ବୋଚ୍ଚ ତତ୍ତ୍ୱ ଏବଂ ଅନ୍ତିମ ଲକ୍ଷ୍ୟ ଅଟନ୍ତି । କିନ୍ତୁ ତାଙ୍କର ବ୍ୟକ୍ତିତ୍ୱ ତାଙ୍କ ଦୈବୀ ଯୋଗମାୟା ଶକ୍ତିର ପରଦାରେ ଆଚ୍ଛାଦିତ ହୋଇ ଲୁକ୍‌କାୟିତ ରହିଥାଏ । ସେଥିପାଇଁ ତାଙ୍କ ଦିବ୍ୟ ସ୍ୱରୂପର ଅବିନଶ୍ୱର ଗୁଣକୁ ସମସ୍ତେ ଜାଣନ୍ତି ନାହିଁ । ଆମେ ଯଦି ତାଙ୍କର ଆଶ୍ରିତ ହୋଇଯିବା, ତେବେ ତାଙ୍କୁ ଜାଣିବା ପାଇଁ ସେ ଆମକୁ ଦିବ୍ୟଜ୍ଞାନ ପ୍ରଦାନ କରିବେ ଏବଂ ତାଙ୍କୁ ଜାଣି ଆମେ ମଧ୍ୟ ଆତ୍ମାର ଜ୍ଞାନ ଏବଂ କ୍ଷେତ୍ର ସମ୍ବନ୍ଧରେ ଜ୍ଞାନ ମଧ୍ୟ ପ୍ରାପ୍ତ କରିପାରିବା ।

ଭଗବାନ କହିଲେ, ହେ ଅର୍ଜୁନ! ବର୍ତ୍ତମାନ ଶୁଣ, କେବଳ ମୋଠାରେ ହିଁ ମନକୁ କେନ୍ଦ୍ରିତ କରି, ଭକ୍ତି ଯୋଗର ସାଧନା ଦ୍ୱାରା ମୋର ଶରଣାଗତ ହେଲେ, ଏହା ନିଃସନ୍ଦେହ ଯେ ତୁମେ ମୋତେ ସମ୍ପୂର୍ଣ୍ଣ ଭାବେ ଜାଣିପାରିବ ।

ବର୍ତ୍ତମାନ ମୁଁ ତୁମ ସମ୍ମୁଖରେ ଏହି ଜ୍ଞାନ ଓ ବିଜ୍ଞାନର ସମ୍ପୂର୍ଣ୍ଣ ରହସ୍ୟ ଉନ୍ମୋଚନ କରିବାକୁ ଯାଉଛି, ଯାହା ଜାଣିବା ପରେ ଏହି ସଂସାରରେ ଆଉ କିଛି ଜାଣିବା ପାଇଁ ବାକି ରହିବ ନାହିଁ ।

ହଜାର ହଜାର ବ୍ୟକ୍ତିଙ୍କ ମଧ୍ୟରୁ କେହି କେହି ସିଦ୍ଧି ପ୍ରାପ୍ତ କରିବା ଦିଗରେ ପ୍ରୟାସ କରନ୍ତି; ଏବଂ ଯେଉଁମାନେ ସିଦ୍ଧି ଲାଭ କରନ୍ତି, ସେମାନଙ୍କ ମଧ୍ୟରୁ କେହି କେହି ଯଥାର୍ଥରେ ମୋର ବାସ୍ତବ ସ୍ୱରୂପକୁ ଜାଣନ୍ତି ।

ପୃଥିବୀ, ଜଳ, ତେଜ, ବାୟୁ, ଆକାଶ, ମନ, ବୁଦ୍ଧି ଏବଂ ଅହଂକାର - ଏସବୁ ମୋ ମାୟା ଶକ୍ତିର ଆଠଟି ଉପାଦାନ ଅଟନ୍ତି ।

ହେ ବୀର ଅର୍ଜୁନ! ମୋର ଏହି ନିକୃଷ୍ଟ ଶକ୍ତିର ଊର୍ଦ୍ଧ୍ୱରେ ଏକ ଉତ୍କୃଷ୍ଟ ଶକ୍ତି ରହିଛି । ଏହା ହେଉଛି ଜୀବଶକ୍ତି (ଚୈତନ୍ୟ ଶକ୍ତି), ଯାହାର ପରିପ୍ରକାଶ ସଂସାରରେ ଜୀବନର ଆଧାର ଶରୀରଧାରୀ ଜୀବସମୁଦାୟ ଅଟନ୍ତି ।

ସମସ୍ତ ପ୍ରାଣୀ ମୋର ଏହି ଦୁଇ ଶକ୍ତି ଦ୍ୱାରା ପ୍ରକଟିତ ହୋଇଛନ୍ତି । ମୁଁ ସମଗ୍ର ସୃଷ୍ଟିର ଉତ୍ସ ଏବଂ ମୋଠାରେ ଏହାର ପୁନର୍ବାର ବିଲୟ ହୋଇଯିବ ।

ହେ ଅର୍ଜୁନ, ମୋଠାରୁ ଶ୍ରେଷ୍ଠତର କେହି ନୁହଁନ୍ତି । ସୂତାରେ ମଣି ଗୁନ୍ଥା ହେଲା ପରି, ସବୁକିଛି ମୋ ଠାରେ ସ୍ଥିତ ଅଟନ୍ତି ।

ହେ କୁନ୍ତି ପୁତ୍ର! ମୁଁ ଜଳର ସ୍ୱାଦ ଅଟେ; ସୂର୍ଯ୍ୟ ଏବଂ ଚନ୍ଦ୍ରଙ୍କର ପ୍ରକାଶ ଅଟେ । ମୁଁ ବେଦ ମନ୍ତ୍ରର ପବିତ୍ର ଅକ୍ଷର ଓଁ ଅଟେ; ମୁଁ ବ୍ରହ୍ମାଣ୍ଡୀୟ ନାଦ ଏବଂ ମନୁଷ୍ୟଙ୍କର ସାମର୍ଥ୍ୟ ଅଟେ ।

ମୁଁ ପୃଥିବୀର ବିଶୁଦ୍ଧ ସୁଗନ୍ଧ ଏବଂ ଅଗ୍ନିର ଉଜ୍ଜ୍ୱଳତା ଅଟେ । ମୁଁ ସମସ୍ତ ପ୍ରାଣୀଙ୍କର ଜୀବନ ଶକ୍ତି ଏବଂ ତପସ୍ୱୀଙ୍କର ସାଧନା ଅଟେ ।

ହେ ଅର୍ଜୁନ! ମୋତେ ସମସ୍ତ ପ୍ରାଣୀଙ୍କର ଅନାଦି ବୀଜ ରୂପରେ ଜାଣ । ମୁଁ ବୁଦ୍ଧିମାନ ବ୍ୟକ୍ତିଙ୍କର ବୁଦ୍ଧି ଅଟେ, ଏବଂ ଗୌରବଶାଳୀ ବ୍ୟକ୍ତିଙ୍କର ଗରିମା ଅଟେ ।

ହେ ଭାରତଶ୍ରେଷ୍ଠ! ବଳବାନ ବ୍ୟକ୍ତିଙ୍କର ମୁଁ କାମନା ଓ ଆସକ୍ତି ରହିତ ବଳ ଅଟେ । ମୁଁ ଧର୍ମ କିମ୍ବା ଶାସ୍ତ୍ର ନିର୍ଦ୍ଦେଶକୁ ଉଲ୍ଲଙ୍ଘନ କରୁ ନ ଥିବା ଯୌନ କ୍ରିୟା ଅଟେ ।

ସଂସାରରେ ଥିବା ତିନିଗୋଟି ଗୁଣ- ସତ୍ତ୍ୱ, ରଜ ଓ ତମ - ମୋ ଶକ୍ତିର ପ୍ରାକଟ୍ୟ ଅଟନ୍ତି । ସେମାନେ ମୋ ଭିତରେ ଅଛନ୍ତି, କିନ୍ତୁ ମୁଁ ତାଙ୍କଠାରୁ ଊର୍ଦ୍ଧ୍ୱରେ ରହିଥାଏ ।

ମାୟାର ତିନିଗୁଣ ଦ୍ୱାରା ଭ୍ରମିତ ହୋଇ, ସଂସାରର ମନୁଷ୍ୟମାନେ, ଚିରନ୍ତନ ଓ ଅବିନଶ୍ୱର ତତ୍ତ୍ୱ ଭାବେ ମୋତେ ଜାଣିପାରନ୍ତି ନାହିଁ ।

ପ୍ରକୃତିର ତ୍ରିଗୁଣାତ୍ମିକା ମୋର ଦିବ୍ୟଶକ୍ତି ମାୟାକୁ ଜୟ କରିବା ଅତ୍ୟନ୍ତ କଷ୍ଟସାଧ୍ୟ ଅଟେ । ଯେଉଁମାନେ ମୋର ଶରଣାଗତ ହୁଅନ୍ତି, ସେମାନେ ସହଜରେ ଏହାକୁ ଅତିକ୍ରମ କରି ନିଅନ୍ତି ।

ଚାରି ଶ୍ରେଣୀର ଲୋକ ମୋର ଶରଣାଗତ ହୁଅନ୍ତି ନାହିଁ - ଯେଉଁମାନେ ଅଜ୍ଞାନୀ, ଯେଉଁମାନେ ମୋତେ ଜାଣିବାର ସାମର୍ଥ୍ୟ ଥାଇ ସୁଦ୍ଧା ଆଳସ୍ୟ ପରାୟଣ ହୋଇ ନିଜର ନିମ୍ନ ପ୍ରକୃତି ଅନୁସାରେ ଆଚରଣ କରନ୍ତି, ଯାହାଙ୍କର ବୁଦ୍ଧି ଭ୍ରମିତ ହୋଇଥାଏ ଏବଂ ଯେଉଁମାନେ ଦାନବ ସ୍ୱଭାବର ହୋଇଥାନ୍ତି ।

ହେ ଭାରତ ଶ୍ରେଷ୍ଠ! ଚାରି ପ୍ରକାରର ଧର୍ମପରାୟଣ ବ୍ୟକ୍ତି ମୋର ଭକ୍ତି କରନ୍ତି - ଦୁଃଖୀ ବ୍ୟକ୍ତି, ଜ୍ଞାନ ପିପାସୁ, ଭୌତିକ ଲାଭର ଅଭିଳାଷୀ ଏବଂ ଜ୍ଞାନୀ ।

ଏମାନଙ୍କ ମଧ୍ୟରୁ ଯେଉଁ ବ୍ୟକ୍ତି ଜ୍ଞାନଯୁକ୍ତ ହୋଇ, ନିରନ୍ତର ଓ ଅନନ୍ୟ ଭାବରେ ମୋର ଭକ୍ତି କରନ୍ତି, ମୁଁ ତାଙ୍କୁ ସର୍ବଶ୍ରେଷ୍ଠ ବିଚାର କରିଥାଏ । ମୁଁ ତାଙ୍କର ଅତିପ୍ରିୟ ଏବଂ ସେମାନେ ମଧ୍ୟ ମୋର ଅତିପ୍ରିୟ ଅଟନ୍ତି ।

ବାସ୍ତବରେ ମୋର ଭକ୍ତି କରୁଥିବା ସମସ୍ତ ବ୍ୟକ୍ତି ମହାନ୍ ଅଟନ୍ତି । କିନ୍ତୁ, ଯେଉଁମାନେ ଜ୍ଞାନରେ ସ୍ଥିତ, ଏକାଗ୍ର ଚିତ୍ତ, ଯାହାର ବୁଦ୍ଧି ମୋ ପ୍ରତି ସମର୍ପିତ ଏବଂ ଯେଉଁମାନେ ମୋତେ ହିଁ ନିଜର ଚରମ ଲକ୍ଷ୍ୟ ଭାବେ ଗ୍ରହଣ କରିଥାଆନ୍ତି, ମୁଁ ସେମାନଙ୍କୁ ନିଜ ସଦୃଶ ମନେ କରେ ।

ବହୁଜନ୍ମ ଧରି ଆଧ୍ୟାତ୍ମିକ ସାଧନା କରିବା ପରେ ବ୍ୟକ୍ତି ଜ୍ଞାନ ପ୍ରାପ୍ତ କରି, ମୁଁ(ଶ୍ରୀକୃଷ୍ଣ) ହିଁ ସବୁକିଛି ଜାଣି, ମୋର ଶରଣାଗତ ହୋଇଥାଏ । ଏପରି ମହାନ ଆତ୍ମା ଅତ୍ୟନ୍ତ ବିରଳ ଅଟନ୍ତି ।

ଯେଉଁ ବ୍ୟକ୍ତିମାନଙ୍କର ଜ୍ଞାନ ଭୌତିକ କାମନାରେ ଗ୍ରସ୍ତ ହୋଇଥାଏ, ସେମାନେ ସ୍ୱର୍ଗର ଦେବତା ମାନଙ୍କର ଶରଣାଗତି କରିଥାନ୍ତି । ନିଜର ସ୍ୱଭାବ ଅନୁଯାୟୀ, ସେମାନେ ଉପଯୁକ୍ତ ବିଧିବିଧାନ ପାଳନ ପୂର୍ବକ ସ୍ୱର୍ଗର ଦେବୀ ଦେବତା ମାନଙ୍କର ଉପାସନା କରିଥାନ୍ତି ।

ଜଣେ ଭକ୍ତ, ବିଶ୍ୱାସର ସହିତ ଯେଉଁ ଦେବତାଙ୍କର ଭକ୍ତି କରିବାକୁ ଇଚ୍ଛା କରିଥାଆନ୍ତି, ମୁଁ ସେହି ଭକ୍ତଙ୍କର ବିଶ୍ୱାସ ସେହି ଦେବତାଙ୍କଠାରେ ସୁଦୃଢ଼ କରିଥାଏ ।

ଭକ୍ତ ବିଶ୍ୱାସ ଯୁକ୍ତ ହୋଇ ଜଣେ ଦେବତାଙ୍କର ପୂଜା କରେ ଏବଂ ତା’ର କାମ୍ୟ ବସ୍ତୁ ପ୍ରାପ୍ତ କରେ । କିନ୍ତୁ ବାସ୍ତବରେ ସେହି ଫଳାଫଳର ବ୍ୟବସ୍ଥା ମୁଁ ହିଁ କରିଥାଏ ।

କିନ୍ତୁ ଏହି ଅଳ୍ପଜ୍ଞ ମାନେ ଯେଉଁ ଫଳ ପ୍ରାପ୍ତ କରିଥାଆନ୍ତି, ତାହା ନଶ୍ୱର ଅଟେ । ସ୍ୱର୍ଗର ଦେବତାମାନଙ୍କୁ ପୂଜା କରୁଥିବା ବ୍ୟକ୍ତି, ସ୍ୱର୍ଗପ୍ରାପ୍ତି କରନ୍ତି, ଏବଂ ମୋର ଭକ୍ତମାନେ ମୋ ପାଖକୁ ଆସନ୍ତି ।

ସ୍ୱଳ୍ପବୁଦ୍ଧି ସମ୍ପନ୍ନ ବ୍ୟକ୍ତିମାନେ ଏପରି ଭାବିଥାନ୍ତି ଯେ ମୁଁ, ପରଂବ୍ରହ୍ମ ଶ୍ରୀକୃଷ୍ଣ, ପୂର୍ବରୁ ନିରାକାର ଥିଲି, ଏବଂ ବର୍ତ୍ତମାନ ଏହି ସାକାର ସ୍ୱରୂପ ଧାରଣ କରିଛି । ମୋ ସାକାର ସ୍ୱରୂପର “ଅବିନଶ୍ୱର ଓ ଅତ୍ୟୁତ୍ତମ” ଗୁଣ ବିଷୟରେ ସେମାନେ ଜାଣନ୍ତି ନାହିଁ ।

ମୋର ଦିବ୍ୟ ସ୍ୱରୂପ ଯୋଗମାୟା ଶକ୍ତି ଦ୍ୱାରା ଆବୃତ ହୋଇଥିବା କାରଣରୁ ସମସ୍ତଙ୍କୁ ଦୃଶ୍ୟମାନ ହୁଏ ନାହିଁ । ତେଣୁ ଅଜ୍ଞାନୀ ବ୍ୟକ୍ତିମାନେ ଜାଣନ୍ତି ନାହିଁ ଯେ ମୁଁ ଅଜନ୍ମା ଏବଂ ଅପରିବର୍ତ୍ତନୀୟ ଅଟେ ।

ହେ ଅର୍ଜୁନ! ମୁଁ ଅତୀତ, ବର୍ତ୍ତମାନ ଓ ଭବିଷ୍ୟତକୁ ଜାଣେ ଏବଂ ମୁଁ ସମସ୍ତ ପ୍ରାଣୀଙ୍କୁ ମଧ୍ୟ ଜାଣେ; କିନ୍ତୁ କେହି ମୋତେ ଜାଣନ୍ତି ନାହିଁ ।

ହେ ଭରତ ବଂଶଜ! ଭ୍ରମରୁ ଆସକ୍ତି ଓ ବିରକ୍ତିର ଦ୍ୱୈତଭାବ ଜାତ ହୁଏ । ହେ ଶତ୍ରୁଜୟୀ! ମାୟିକ ଜଗତର ସମସ୍ତ ପ୍ରାଣୀ ଜନ୍ମରୁ ଏମାନଙ୍କ ଦ୍ୱାରା ମୋହିତ ହୋଇଥାଆନ୍ତି ।

କିନ୍ତୁ ପୁଣ୍ୟ କର୍ମଦ୍ୱାରା ଯାହାର ପାପସବୁ ନଷ୍ଟ ହୋଇଯାଇ ଥାଏ, ସେମାନେ ଦ୍ୱୈତର ଭ୍ରମରୁ ମୁକ୍ତ ହୋଇ ଯାଆନ୍ତି । ସେପରି ବ୍ୟକ୍ତିମାନେ ଦୃଢ଼ ନିଷ୍ଠାର ସହିତ ମୋର ଉପାସନା କରନ୍ତି ।

ଯେଉଁମାନେ ବାର୍ଦ୍ଧକ୍ୟ ଏବଂ ମୃତ୍ୟୁର କଷ୍ଟରୁ ମୁକ୍ତି ପାଇବାର ଅଭିଳାଷ ରଖି ମୋର ଆଶ୍ରିତ ହୁଅନ୍ତି, ସେମାନେ ବ୍ରହ୍ମ, ଜୀବ, କର୍ମ ପ୍ରତିକ୍ରିୟାର ସମଗ୍ର କ୍ଷେତ୍ର ବିଷୟରେ ଅବଗତ ହୁଅନ୍ତି ।

ଯେଉଁମାନେ ମୋତେ ଅଧିଭୂତ (ଭୌତିକବସ୍ତୁ) ଅଧିଦୈବ (ସ୍ୱର୍ଗର ଦେବତାଗଣ) ଏବଂ ଅଧିଯଜ୍ଞ (ସମସ୍ତ ଯଜ୍ଞାଦିକ କର୍ମର ଅଧିଷ୍ଠାତା ଦେବ)ର ସଂଚାଳକ ଭାବରେ ଜାଣନ୍ତି, ସେହିପରି ଜ୍ଞାନଦୀପ୍ତ ଜୀବ ମୃତ୍ୟୁ ସମୟରେ ମଧ୍ୟ ମୋଠାରେ ପୂର୍ଣ୍ଣ ଚେତନା ଯୁକ୍ତ ରହିଥାନ୍ତି ।