Bhagavad Gita: Chapter 7, Verse 10

ବୀଜଂ ମାଂ ସର୍ବଭୂତାନାଂ ବିଦ୍ଧି ପାର୍ଥ ସନାତନମ୍ ।
ବୁଦ୍ଧିର୍ବୁଦ୍ଧିମତାମସ୍ମି ତେଜସ୍ତେଜସ୍ୱିନାମହମ୍ ।।୧୦।।

ବୀଜଂ -ବୀଜ; ମାଂ - ମୋତେ; ସର୍ବଭୂତାନାଂ - ସମସ୍ତଜୀବଙ୍କର; ବିଦ୍ଧି -ଜାଣ; ପାର୍ଥ - ହେ ପୃଥାପୁତ୍ର; ସନାତନମ୍ - ଶାଶ୍ୱତ; ବୁଦ୍ଧିଃ - ବୁଦ୍ଧି; ବୁଦ୍ଧି-ମତାଂ - ବୁଦ୍ଧିମାନ ବ୍ୟକ୍ତିଙ୍କର; ଅସ୍ମି - ମୁଁ ଅଟେ; ତେଜଃ - ତେଜ ବା ଶକ୍ତି; ତେଜସ୍ୱିନାମ୍ - ତେଜସ୍ୱୀ ବା ଶକ୍ତିଶାଳୀମାନଙ୍କର; ଅହମ୍ -ମୁଁ ।

Translation

BG 7.10: ହେ ଅର୍ଜୁନ! ମୋତେ ସମସ୍ତ ପ୍ରାଣୀଙ୍କର ଅନାଦି ବୀଜ ରୂପରେ ଜାଣ । ମୁଁ ବୁଦ୍ଧିମାନ ବ୍ୟକ୍ତିଙ୍କର ବୁଦ୍ଧି ଅଟେ, ଏବଂ ଗୌରବଶାଳୀ ବ୍ୟକ୍ତିଙ୍କର ଗରିମା ଅଟେ ।

Commentary

କାର୍ଯ୍ୟର କାରଣକୁ ତାହାର ବୀଜ କୁହାଯାଏ । ସୁତରାଂ, ସମୁଦ୍ରକୁ ମେଘର ବୀଜ ଏବଂ ମେଘକୁ ବୃଷ୍ଟିର ବୀଜ କୁହାଯାଇପାରେ । ଶ୍ରୀକୃଷ୍ଣ କହୁଛନ୍ତି ଯେ ସେ ସେହି ବୀଜ ଅଟନ୍ତି, ଯାହାଠାରୁ ସମସ୍ତ ପ୍ରାଣୀ ସୃଷ୍ଟି ହୋଇଥାଆନ୍ତି ।

ଯେହେତୁ ସମସ୍ତ ବସ୍ତୁ ଭଗବାନଙ୍କ ଶକ୍ତିର ପ୍ରକାଶ ଅଟନ୍ତି, ପ୍ରତିଭାଶାଳୀ ବ୍ୟକ୍ତିମାନଙ୍କ ଠାରେ ଯେଉଁସବୁ ଅଦ୍ଭୁତ ଗୁଣ ଦୃଷ୍ଟିଗୋଚର ହୋଇଥାଏ, ତାହା ଭଗବାନଙ୍କ ଶକ୍ତିର ପ୍ରାକଟ୍ୟ ଅଟେ । ବୁ୍‌ଦ୍ଧିମାନ ବ୍ୟକ୍ତିମାନଙ୍କର ଚିନ୍ତାଧାରାରେ ଅନେକ ପାରଦର୍ଶିତା ପରିଲକ୍ଷିତ ହୋଇଥାଏ । ଭଗବାନ କହୁଛନ୍ତି, ସେମାନଙ୍କର ଚିନ୍ତାଧାରାକୁ ଅଭୁତପୂର୍ବ ଏବଂ ବିଶ୍ଲେଷଣାତ୍ମକ କରିବାର ସୂକ୍ଷ୍ମ ଶକ୍ତି ସେ ଅଟନ୍ତି ।

ଯେତେବେଳେ ଜଣେ ବ୍ୟକ୍ତି ଅତିଶୟ ପ୍ରତିଭା ପ୍ରଦର୍ଶନ କରିଥାଆନ୍ତି, ଯାହା ସଂସାରକୁ ସକାରାତ୍ମକ ଦିଗରେ ପ୍ରଭାବିତ କରେ, ତାଙ୍କ ମଧ୍ୟରେ ଭଗବାନଙ୍କର ଶକ୍ତି କାର୍ଯ୍ୟ କରିଥାଏ । ଉଇଲିୟମ୍ ସେକ୍‌ସପିୟର ସାହିତ୍ୟ କ୍ଷେତ୍ରରେ ଏପରି ଚମତ୍କାର ପ୍ରତିଭା ପ୍ରଦର୍ଶନ କରିଥିଲେ, ଯାହା ଆଧୁନିକ ଇତିହାସରେ ଅତୁଳନୀୟ ଅଟେ । ସମ୍ଭବତଃ, ଭଗବାନ ତାଙ୍କର ବୁଦ୍ଧିକୁ ସମୁନ୍ନତ କରିଦେଲେ, ଯଦ୍ୱାରା ତାଙ୍କର କାର୍ଯ୍ୟ ଇଂରାଜୀ ପରି ପୃଥିବୀର ମୁଖ୍ୟ ଭାଷାର ସାହିତ୍ୟକୁ ସମୃଦ୍ଧ କରିପାରିଲା । ସ୍ୱାମୀ ବିବେକାନନ୍ଦ କହିଥିଲେ ଯେ ସମଗ୍ର ପୃଥିବୀକୁ ଗୋଟିଏ ଭାଷା ମାଧ୍ୟମରେ ଯୋଡି ରଖିବା ବ୍ରିଟିଶ୍ ସାମ୍ରାଜ୍ୟର କାର୍ଯ୍ୟଥିଲା । କମ୍ପ୍ୟୁଟର୍ ସଂଚାଳନ ପ୍ରଣାଳୀର ବିପଣନ କ୍ଷେତ୍ରରେ ବିଲ୍ ଗେଟ୍‌ସ ଏପରି ପାରଦର୍ଶିତା ପ୍ରଦର୍ଶନ କରିଥିଲେ ଯେ ମାଇକ୍ରୋସଫ୍ଟ ବଜାର ଅଂଶଧନର ନବେ ପ୍ରତିଶତ ଅଧିକାର କରିପାରିଥିଲା । ଯଦି ତାହା ହୋଇ ନ ଥାନ୍ତା, ତେବେ ପୃଥିବୀରେ କମ୍ପ୍ୟୁଟର୍‌ର ଏକାଧିକ ସଂଚାଳନ ପ୍ରଣାଳୀ ରହିଥାଆନ୍ତା, ଯାହା ଏକ ବଡ଼ ଧରଣର ବିଭ୍ରାଟ ସୃଷ୍ଟି କରନ୍ତା, ଯେପରି ଭିଡ଼ିଓ ସମ୍ପାଦନା କ୍ଷେତ୍ରରେ ଏକାଧିକ ଫର୍‌ମାଟ ଘଞଝଉ, ଚଇଖ, ଝଋଉଇଗ ଇତ୍ୟାଦି ରହିଥିବା କାରଣରୁ ହୋଇଥାଏ । ସମ୍ଭବତଃ, ଭଗବାନ ଚାହିଁଥିଲେ ଯେ ପୃଥିବୀରେ କମ୍ପ୍ୟୁଟର୍‌ର ଏକ ବଡ଼ ଅପରେଟିଙ୍ଗ ସିଷ୍ଟମ୍ ରହୁ, ଯଦ୍ୱାରା ଯୋଗାଯୋଗ ଠିକ୍ ଭାବରେ ହୋଇପାରିବ ଏବଂ ସେଥିପାଇଁ ସେ ବିଲ୍ ଗେଟ୍‌ସଙ୍କର ବୁଦ୍ଧିକୁ ସମୁନ୍ନତ କରିଥିଲେ ।

ଅବଶ୍ୟ ସନ୍ଥ ମହାପୁରୁଷ ମାନେ ସର୍ବଦା ସେମାନଙ୍କ କାର୍ଯ୍ୟର ସୌନ୍ଦର୍ଯ୍ୟ, ଉତ୍କର୍ଷତା ଏବଂ ଜ୍ଞାନକୁ ଭଗବାନଙ୍କର କୃପା ମନେକରି ଥାଆନ୍ତି । ସନ୍ଥ ତୁଳସୀଦାସ କହନ୍ତି:

ନ ମେିଁ କିୟା ନ କରି ସକଉଁ ସାହିବ କରତା ମୋର,
କରତ କରାବତ ଆପ ହେଁ÷, ତୁଳସୀ ତୁଳସୀ ଶୋର ।

“ନା ମୁଁ ରାମାୟଣ ଲେଖିଛି, ନା ଏହାକୁ ଲେଖିବାର ମୋର ସାମର୍ଥ୍ୟ ଅଛି । ଭଗବାନ ହିଁ ଏହାର କର୍ତ୍ତା ଅଟନ୍ତି । ସେ ନିଜେ କରିଛନ୍ତି ନଚେତ୍ ମୋ ଦ୍ୱାରା କରାଇଛନ୍ତି; କିନ୍ତୁ ସଂସାର ଭାବୁଛି ଏସବୁ ତୁଳସୀ ଦାସ କରିଛି ।” ଏଠାରେ ଶ୍ରୀକୃଷ୍ଣ ସ୍ପଷ୍ଟ ଭାବରେ କହୁଛନ୍ତି ଯେ ସେ ପ୍ରତିଭାବାନ୍ ବ୍ୟକ୍ତିଙ୍କର ପ୍ରତିଭା ଏବଂ ବୁଦ୍ଧିମାନ ମାନଙ୍କର ବୁଦ୍ଧି ଅଟନ୍ତି ।