Bhagavad Gita: Chapter 7, Verse 13

ତ୍ରିଭିର୍ଗୁଣମୟୈର୍ଭାବୈରେଭିଃ ସର୍ବମିଦଂ ଜଗତ୍ ।
ମୋହିତଂ ନାଭିଜାନାତି ମାମଭ୍ୟଃ ପରମବ୍ୟୟମ୍ ।।୧୩।।

ତ୍ରିଭିଃ -ତିନୋଟି; ଗୁଣ ମୟୈଃ - ମାୟିକ ଗୁଣ ଦ୍ୱାରା, ଭାବୈଃ -ଅବସ୍ଥା ଦ୍ୱାରା; ଏଭିଃ - ଏସବୁ; ସର୍ବଂ - ସମ୍ପୂର୍ଣ୍ଣ; ଇଦଂ -ଏହି; ଜଗତ୍ -ବ୍ରହ୍ମାଣ୍ଡ; ମୋହିତଂ - ମୋହିତ; ନ ଅଭିଜାନାତି - ଜାଣନ୍ତି ନାହିଁ; ମାଂ - ମୋତେ; ଏଭ୍ୟଃ - ଏମାନଙ୍କଠାରୁ; ପରଂ-ପରମ; ଅବ୍ୟୟମ୍ -ଅବ୍ୟୟ ।

Translation

BG 7.13: ମାୟାର ତିନିଗୁଣ ଦ୍ୱାରା ଭ୍ରମିତ ହୋଇ, ସଂସାରର ମନୁଷ୍ୟମାନେ, ଚିରନ୍ତନ ଓ ଅବିନଶ୍ୱର ତତ୍ତ୍ୱ ଭାବେ ମୋତେ ଜାଣିପାରନ୍ତି ନାହିଁ ।

Commentary

ପୂର୍ବ ଶ୍ଲୋକ ଗୁଡିକ ଶୁଣି, ଅର୍ଜୁନ ଭାବି ପାରନ୍ତି, “ହେ ପ୍ରଭୁ! ଯଦି ଆପଣଙ୍କର ଏପରି ସବୁ ବିଭୂତି ରହିଛି, ତେବେ ସଂସାରର କୋଟି କୋଟି ମନୁଷ୍ୟ କାହିଁକି ଜାଣି ପାରୁନାହାନ୍ତି ଯେ, ଆପଣ, ଶ୍ରୀକୃଷ୍ଣ ସର୍ବ ନିୟନ୍ତା ଓ ସୃଷ୍ଟିର କାରଣ ଅଟନ୍ତି? ଏହାର ଉତ୍ତର ଦେବାକୁ ଯାଇ ଶ୍ରୀକୃଷ୍ଣ କହୁଛନ୍ତି ଯେ, ମନୁଷ୍ୟ ସତ୍ତ୍ୱ, ରଜ ଓ ତମ ତିନୋଟି ମାୟିକ ଗୁଣଦ୍ୱାରା ଭ୍ରମିତ ହୋଇଥାଏ । ଏହି ତିନି ଗୁଣ ତା’ର ଚେତନାକୁ ଆବୃତ୍ତ କରିଦିଏ ଏବଂ ଫଳତଃ, ସେମାନେ ଶାରୀରିକ ସୁଖର କ୍ଷଣସ୍ଥାୟୀ ପ୍ରଲୋଭନରେ ମୋହିତ ହୋଇଯାଆନ୍ତି ।

“ମାୟା” ଶବ୍ଦର ଅନ୍ୟ ଏକ ଅର୍ଥ ମୂଳ ଶବ୍ଦ ମା (ନାହିଁ) ଏବଂ ୟା (ଯାହାକି) ରୁ ଆସିଅଛି । ଏଣୁ ମାୟାର ଅର୍ଥ “ଯାହା ପ୍ରତୀୟମାନ ହେଉଛି, ତାହା ନୁହେଁ” ଅଟେ । ଭଗବାନଙ୍କର ଏକ ଶକ୍ତି ହୋଇଥିବା ଦୃଷ୍ଟିରୁ, ମାୟା ମଧ୍ୟ ତାଙ୍କ ସେବାରେ ନିଯୁକ୍ତ ଥାଏ । ତା’ର ସେବା ହେଉଛି, ଭଗବତ୍ ପ୍ରାପ୍ତିର ଯୋଗ୍ୟତା ହାସଲ କରି ନ ଥିବା ଜୀବମାନଙ୍କ ଠାରୁ ଭଗବାନଙ୍କ ବାସ୍ତବିକ ସ୍ୱରୂପକୁ ଆବୃତ୍ତ ରଖିବା । ଏତଦ୍ ବ୍ୟତିତ, ମାୟା ଭଗବାନଙ୍କ ପ୍ରତି ବିମୁଖ ଜୀବମାନଙ୍କୁ, ତିନି ଗୁଣରୁ ଉତ୍ପନ୍ନ ହେଉଥିବା ଭୌତିକ କଷ୍ଟ ଦ୍ୱାରା ପୀଡ଼ିତ କରିଥାଏ । ଏହାଦ୍ୱାରା ସେ ଜୀବର ହୃଦ୍‌ବୋଧ କରାଇବାକୁ ଚେଷ୍ଟା କରିଥାଏ ଯେ, ଭଗବାନଙ୍କର ସନ୍ମୁଖ ନ ହେବା ପର୍ଯ୍ୟନ୍ତ ସେମାନେ କଦାପି ସୁଖୀ ହୋଇପାରିବେ ନାହିଁ ।