Bhagavad Gita: Chapter 7, Verse 15

ନ ମାଂ ଦୁଷ୍କୃତିନୋ ମୂଢ଼ାଃ ପ୍ରପଦ୍ୟନ୍ତେ ନରାଧମାଃ ।
ମାୟୟାପହୃତଜ୍ଞାନା ଆସୁରଂ ଭାବମାଶ୍ରିତାଃ ।।୧୫।।

ନ - ନୁହେଁ; ମାଂ -ମୋତେ; ଦୁଷ୍କୃତିନଃ -ପାପାତ୍ମାମାନେ; ମୂଢ଼ାଃ - ମୂର୍ଖମାନେ; ପ୍ରପଦ୍ୟନ୍ତେ - ଶରଣରେ ଆସନ୍ତି; ନରାଧମାଃ -ଆଳସ୍ୟ ପରାୟଣ; ମାୟୟା -ମାୟାଶକ୍ତି ଦ୍ୱାରା; ଅପହୃତ -ଅପହୃତ; ଜ୍ଞାନାଃ -ଜ୍ଞାନ; ଆସୁରଂ -ଅସୁର; ଭାବଂ-ଭାବ; ଆଶ୍ରିତାଃ - ଯୁକ୍ତ ।

Translation

BG 7.15: ଚାରି ଶ୍ରେଣୀର ଲୋକ ମୋର ଶରଣାଗତ ହୁଅନ୍ତି ନାହିଁ - ଯେଉଁମାନେ ଅଜ୍ଞାନୀ, ଯେଉଁମାନେ ମୋତେ ଜାଣିବାର ସାମର୍ଥ୍ୟ ଥାଇ ସୁଦ୍ଧା ଆଳସ୍ୟ ପରାୟଣ ହୋଇ ନିଜର ନିମ୍ନ ପ୍ରକୃତି ଅନୁସାରେ ଆଚରଣ କରନ୍ତି, ଯାହାଙ୍କର ବୁଦ୍ଧି ଭ୍ରମିତ ହୋଇଥାଏ ଏବଂ ଯେଉଁମାନେ ଦାନବ ସ୍ୱଭାବର ହୋଇଥାନ୍ତି ।

Commentary

ଭଗବାନଙ୍କର ଶରଣାଗତ ହେଉ ନ ଥିବା ଚାରି ପ୍ରକାର ଲୋକଙ୍କ ବିଷୟରେ, ଶ୍ରୀକୃଷ୍ଣ ସୂଚନା ଦେଉଛନ୍ତି ।

୧. ଅଜ୍ଞାନୀ - ଆଧ୍ୟାତ୍ମିକ ଜ୍ଞାନ-ରହିତ ବ୍ୟକ୍ତି ଅଜ୍ଞାନୀ ଅଟନ୍ତି । ଶାଶ୍ୱତ ଆତ୍ମା-ରୂପୀ ନିଜର ବାସ୍ତବ ପରିଚୟ, ଭଗବତ୍ ପ୍ରାପ୍ତି-ରୂପୀ ନିଜ ଜୀବନର ବାସ୍ତବ ଲକ୍ଷ୍ୟ, ଏବଂ ସେହି ଲକ୍ଷ୍ୟକୁ ପ୍ରାପ୍ତ କରିବା ପାଇଁ ପ୍ରେମମୟୀ ଭକ୍ତି ଦ୍ୱାରା ଭଗବାନଙ୍କର ଶରଣାଗତି - ଏସବୁର ଜ୍ଞାନ ସେମାନଙ୍କର ନ ଥାଏ । ଏହି ଅଜ୍ଞାନତା ସେମାନଙ୍କୁ ଭଗବାନଙ୍କର ଶରଣାଗତ ହେବାକୁ ବାଧା ଦେଇଥାଏ ।

୨. ଯେଉଁମାନେ ଆଳସ୍ୟ ପରାୟଣ ହୋଇ ନିମ୍ନତର ପ୍ରବୃତ୍ତିର ଅନୁସରଣ କରନ୍ତି - ଏହି ଶ୍ରେଣୀର ବ୍ୟକ୍ତିମାନଙ୍କର ସାଧାରଣ ଆଧ୍ୟାତ୍ମିକ ଜ୍ଞାନ ଥାଏ ଏବଂ ସେମାନଙ୍କର କର୍ତ୍ତବ୍ୟ ବିଷୟରେ ସେମାନେ ଅବଗତ ଥାଆନ୍ତି । କିନ୍ତୁ ସେମାନଙ୍କ ନିମ୍ନ ପ୍ରକୃତିର ଜଡତା ଯୋଗୁଁ, ସେମାନେ ଶରଣାଗତି ପାଇଁ କୌଣସି ଉଦ୍ୟମ କରନ୍ତି ନାହିଁ । ଧାର୍ମିକ ନୀତି ଅନୁସାରେ କର୍ମ କରିବାରେ ଆଳସ୍ୟ ପ୍ରଦର୍ଶନ କରିବା, ଆଧ୍ୟାତ୍ମିକ ପଥର ଏକ ବିରାଟ ପ୍ରତିବନ୍ଧକ ଅଟେ । ସଂସ୍କୃତରେ ଗୋଟିଏ ଉକ୍ତି ଅଛି:

ଆଳସ୍ୟ ହୀ ମନୁଷ୍ୟାଣାଂ ଶରୀରସ୍ଥୋ ମହାନ୍ ରିପୁଃ ।
ନାସ୍ତ୍ୟୁଦ୍ୟମସମୋ ବନ୍ଧୁଃ କୃତ୍ୱା ଯଂ ନାବସୀଦତି । ।

୍ୱ “ମନୁଷ୍ୟ ଶରୀରର ସବୁଠାରୁ ବଡ ଶତ୍ରୁ ଆଳସ୍ୟ ହିଁ ଅଟେ । ଉଦ୍ୟମ ମନୁଷ୍ୟର ସବୁଠାରୁ ବଡ଼ ମିତ୍ର ଅଟେ, ଯାହା କେବେବି ତା’ର ପତନ କରାଏ ନାହିଁ ।”

୩. ଯେଉଁମାନଙ୍କର ବୁଦ୍ଧି ଭ୍ରମିତ - ଏପରି ବ୍ୟକ୍ତିମାନେ ନିଜର ବୁଦ୍ଧିକୁ ନେଇ ବହୁତ ଗର୍ବିତ । ଏମାନେ ସନ୍ଥ ବା ଶାସ୍ତ୍ରମାନଙ୍କର ଉପଦେଶ ଶୁଣି ତାହାକୁ ସହଜରେ ବିଶ୍ୱାସ କରି ପାରନ୍ତି ନାହିଁ । ସବୁ ଆଧ୍ୟାତ୍ମିକ ସତ୍ୟ ଅତିଶୀଘ୍ର ପ୍ରମାଣିତ ହୁଏ ନାହିଁ । ପ୍ରଥମେ ଆମକୁ ତାହା  ଉପରେ ବିଶ୍ୱାସ କରି ସାଧନା ଆରମ୍ଭ କରିବାକୁ ପଡିବ, ତେବେ ଯାଇଁ ଅନୁଭୂତି ଦ୍ୱାରା ସେହି ଜ୍ଞାନ ବୋଧଗମ୍ୟ ହେବ । ଯେଉଁମାନେ ବର୍ତ୍ତମାନ ସମୟରେ ପ୍ରମାଣିତ ହୋଇପାରୁ ନ ଥିବା ବିଷୟରେ ବିଶ୍ୱାସ କରନ୍ତି ନାହିଁ, ସେମାନେ ଇନ୍ଦ୍ରିୟାନୁଭୂତିର ଊର୍ଦ୍ଧ୍ୱରେ ଥିବା ଈଶ୍ୱରଙ୍କର ଶରଣାଗତ ହୁଅନ୍ତି ନାହିଁ । ଶ୍ରୀକୃଷ୍ଣ ଏମାନଙ୍କୁ ତୃତୀୟ ଶ୍ରେଣୀର ଅନ୍ତର୍ଭୁକ୍ତ କରିଛନ୍ତି ।

୪. ଯେଉଁମାନେ ଦାନବ ପ୍ରକୃତି ଯୁକ୍ତ - ଏହି ବ୍ୟକ୍ତିମାନେ ଜାଣିଥାନ୍ତି ଯେ ଜଣେ ଭଗବାନ ଅଛନ୍ତି, କିନ୍ତୁ ସେମାନେ ସଂସାରରେ ଈଶ୍ୱରଙ୍କର ଉଦ୍ଦେଶ୍ୟକୁ ବ୍ୟର୍ଥ କରିବାକୁ ସମ୍ପୂର୍ଣ୍ଣ ବିପରୀତ ଦିଗରେ କାର୍ଯ୍ୟ କରିଥାନ୍ତି । ଈଶ୍ୱରଙ୍କର ଗୁଣ କୀର୍ତ୍ତନ କରୁଥିବା କିମ୍ବା ତାଙ୍କର ଭକ୍ତି କରୁଥିବା କୌଣସି ବ୍ୟକ୍ତିଙ୍କୁ ସେମାନେ ସହ୍ୟ କରିପାରନ୍ତି ନାହିଁ । ତେଣୁ ଜାଣିବା କଥା ଯେ ସେମାନେ ଭଗବାନଙ୍କର ଶରଣାଗତି କରନ୍ତି ନାହିଁ ।