କାମୈସ୍ତୈସ୍ତୈର୍ହୁତଜ୍ଞାନାଃ ପ୍ରପଦ୍ୟନ୍ତେଽନ୍ୟଦେବତାଃ ।
ତଂ ତଂ ନିୟମମାସ୍ଥାୟ ପ୍ରକୃତ୍ୟା ନିୟତାଃ ସ୍ୱୟା ।।୨୦।।
କାମୈଃ - କାମନା ଦ୍ୱାରା; ତୈଃ ତୈଃ- ବିବିଧ ପ୍ରକାରେ, ହୃତ ଜ୍ଞାନାଃ- ଯେଉଁମାନଙ୍କର ଜ୍ଞାନ ନଷ୍ଟ ହୋଇ ଯାଇଥାଏ; ପ୍ରପଦ୍ୟନ୍ତେ - ଶରଣ ନିଅନ୍ତି; ଅନ୍ୟ - ଅନ୍ୟ; ଦେବତାଃ - ଦେବତାମାନଙ୍କର; ତଂ ତଂ- ସେହି; ନିୟମଂ - ନିୟମ; ଆସ୍ଥାୟ - ଅନୁସରଣ କରି; ପ୍ରକୃତ୍ୟା - ପ୍ରକୃତି ଅନୁଯାୟୀ; ନିୟତାଃ - ନିୟନ୍ତ୍ରିତ; ସ୍ୱୟା -ନିଜର ।
Translation
BG 7.20: ଯେଉଁ ବ୍ୟକ୍ତିମାନଙ୍କର ଜ୍ଞାନ ଭୌତିକ କାମନାରେ ଗ୍ରସ୍ତ ହୋଇଥାଏ, ସେମାନେ ସ୍ୱର୍ଗର ଦେବତା ମାନଙ୍କର ଶରଣାଗତି କରିଥାନ୍ତି । ନିଜର ସ୍ୱଭାବ ଅନୁଯାୟୀ, ସେମାନେ ଉପଯୁକ୍ତ ବିଧିବିଧାନ ପାଳନ ପୂର୍ବକ ସ୍ୱର୍ଗର ଦେବୀ ଦେବତା ମାନଙ୍କର ଉପାସନା କରିଥାନ୍ତି ।
Commentary
ପରମ ପୁରୁଷ ଶ୍ରୀକୃଷ୍ଣ ସୃଷ୍ଟିର ସବୁକିଛିର ଆଧାର ଅଟନ୍ତି, ତେଣୁ କୌଣସି ଦେବତା ତାଙ୍କଠାରୁ ସ୍ୱତନ୍ତ୍ର ନୁହଁନ୍ତି । ଯେପରି ଗୋଟିଏ ଦେଶର ରାଷ୍ଟ୍ରପତି ଅନେକ କର୍ମଚାରୀଙ୍କ ଦ୍ୱାରା ଦେଶର ଶାସନ କରିଥାନ୍ତି, ସେହିପରି ଦେବତାଗଣ ଭଗବାନଙ୍କ ସରକାରର ଜଣେ ଜଣେ ଛୋଟ ଅଧିକାରୀ ଅଟନ୍ତି । ସେମାନେ ଆମ୍ଭମାନଙ୍କ ପରି ଜୀବ ହୋଇଥିଲେ ସୁଦ୍ଧା, ପୂର୍ବ ଜନ୍ମର ସୁକୃତ ଅନୁସାରେ ଉନ୍ନତି କରି, ସେମାନେ ଭୌତିକ ଜଗତର ପରିଚାଳନା ନିମନ୍ତେ ଉଚ୍ଚ ପଦବୀରେ ଅଧିଷ୍ଠିତ ହୋଇଥାଆନ୍ତି ।
ସେମାନେ କାହାକୁ ମାୟାର ବନ୍ଧନରୁ ମୁକ୍ତ କରି ପାରିବେ ନାହିଁ, କାରଣ ସେମାନେ ନିଜେ ମୁକ୍ତ ନୁହନ୍ତି । ତଥାପି ତାଙ୍କର କ୍ଷମତା ମଧ୍ୟରେ ସେମାନେ ମନୁଷ୍ୟକୁ ଭୌତିକ ବସ୍ତୁ ପ୍ରଦାନ କରିପାରିବେ । ଭୌତିକ କାମନା ଦ୍ୱାରା ବଶୀଭୂତ ହୋଇ, ବ୍ୟକ୍ତି ଦେବତାମାନଙ୍କର ପୂଜା କରିଥାଏ ଏବଂ ସେଥିପାଇଁ ଉଦ୍ଦିଷ୍ଟ କ୍ଲିଷ୍ଟ ପ୍ରଥା ସବୁ ପାଳନ କରିଥାଏ । ଶ୍ରୀକୃଷ୍ଣ କହୁଛନ୍ତି, ଯାହାର ଜ୍ଞାନ ଭୌତିକ କାମନା ଦ୍ୱାରା ଆବୃତ୍ତ ହୋଇ ଯାଇଥାଏ, ସେମାନେ ସ୍ୱର୍ଗର ଦେବତା ମାନଙ୍କୁ ପୂଜା କରନ୍ତି ।