Bhagavad Gita: Chapter 7, Verse 25

ନାହଂ ପ୍ରକାଶଃ ସର୍ବସ୍ୟ ଯୋଗମାୟାସମାବୃତଃ ।
ମୂଢ଼ୋଽୟଂ ନାଭିଜାନାତି ଲୋକୋ ମାମଜମବ୍ୟୟମ୍ ।।୨୫।।

ନ-ନୁହେଁ; ଅହଂ-ମୁଁ; ପ୍ରକାଶଃ - ପ୍ରକାଶିତ; ସର୍ବସ୍ୟ - ସମସ୍ତଙ୍କ ପାଖରେ; ଯୋଗମାୟା -ଭଗବାନଙ୍କର ସର୍ବୋଚ୍ଚ ଶକ୍ତି; ସମାବୃତଃ - ଆଚ୍ଛାଦିତ; ମୂଢ଼ଃ - ନିର୍ବୋଧ; ଅଜ୍ଞାନ; ଅୟଂ-ଏହା; ନ -ନୁହେଁ; ଅଭିଜାନାତି - ଜାଣନ୍ତି; ଲୋକଃ - ଏ ପ୍ରକାର ଅଳ୍ପବୁଦ୍ଧିସମ୍ପନ୍ନ ଲୋକେ; ମାଂ - ମୋତେ; ଅଜଂ -ଅଜନ୍ମା; ଅବ୍ୟୟମ୍ - ଅବ୍ୟୟ (ଅଚ୍ୟୁତ) ।

Translation

BG 7.25: ମୋର ଦିବ୍ୟ ସ୍ୱରୂପ ଯୋଗମାୟା ଶକ୍ତି ଦ୍ୱାରା ଆବୃତ ହୋଇଥିବା କାରଣରୁ ସମସ୍ତଙ୍କୁ ଦୃଶ୍ୟମାନ ହୁଏ ନାହିଁ । ତେଣୁ ଅଜ୍ଞାନୀ ବ୍ୟକ୍ତିମାନେ ଜାଣନ୍ତି ନାହିଁ ଯେ ମୁଁ ଅଜନ୍ମା ଏବଂ ଅପରିବର୍ତ୍ତନୀୟ ଅଟେ ।

Commentary

ଶ୍ଲୋକ ୭.୪ ଏବଂ ୭.୫ରେ ନିଜର ଦୁଇଟି ଶକ୍ତି ବିଷୟରେ କହିବା ପରେ, ଶ୍ରୀକୃଷ୍ଣ ବର୍ତ୍ତମାନ ତାଙ୍କର ତୃତୀୟ ଶକ୍ତି- ଯୋଗମାୟା ବିଷୟରେ ପ୍ରକାଶ କରୁଛନ୍ତି । ଏହା ତାଙ୍କର ପରା ଶକ୍ତି । ବିଷ୍ଣୁ ପୁରାଣ କହେ:

ବିଷ୍ଣୁ ଶକ୍ତିଃ ପରା ପ୍ରୋକ୍ତା, କ୍ଷେତ୍ରଜ୍ଞାଖ୍ୟା ତଥାଽପରା ।
ଅବିଦ୍ୟା କର୍ମ ସଂଜ୍ଞାନ୍ୟା ତୃତୀୟା ଶକ୍ତିରିଷ୍ୟତେ (୬.୭.୬୧)

“ପରମ ପୁରୁଷ ଶ୍ରୀବିଷ୍ଣୁଙ୍କର ତିନୋଟି ମୁଖ୍ୟ ଶକ୍ତି ରହିଛି- ଯୋଗମାୟା, ମାୟା ଏବଂ ଜୀବ ।”

ଜଗଦ୍‌ଗୁରୁ ଶ୍ରୀକୃପାଳୁଜୀ ମହାରାଜ କହନ୍ତି:

ଶକ୍ତିମାନ କୀ ଶକ୍ତିୟାଁ, ଅଗନିତ ଯଦପି ବଖାନ ।
ତିନି ମହଁ ‘ମାୟା’, ‘ଜୀବ’ ଅରୁ, ‘ପରା’ ତ୍ରିଶକ୍ତି ପ୍ରଧାନ । । (ଭକ୍ତିଶତକ, ଦୋହା ୩)

“ସର୍ବଶକ୍ତିମାନ ଶ୍ରୀକୃଷ୍ଣଙ୍କର ଅସଂଖ୍ୟ ଶକ୍ତି ରହିଛି । ତନ୍ମଧ୍ୟରୁ ମାୟା, ଜୀବ ଏବଂ ଯୋଗମାୟା ପ୍ରମୁଖ ଅଟନ୍ତି ।”

ଦିବ୍ୟଶକ୍ତି ଯୋଗମାୟା, ଭଗବାନଙ୍କର ସର୍ବଶ୍ରେଷ୍ଠ ଶକ୍ତି ଅଟେ । ଏହାର ପ୍ରଭାବରେ ସେ ତାଙ୍କର ଦିବ୍ୟଲୀଳା, ଦିବ୍ୟ ପ୍ରେମାନନ୍ଦ ଏବଂ ଦିବ୍ୟ ଲୋକର ପରିପ୍ରକାଶ କରନ୍ତି । ସେହି ଯୋଗମାୟା ଶକ୍ତି ଦ୍ୱାରା, ଭଗବାନ ପୃଥିବୀ ପୃଷ୍ଠରେ ଅବତରିତ ହୋଇ ତାଙ୍କର ଦିବ୍ୟଲୀଳା ପ୍ରକଟ କରିଥାଆନ୍ତି । ସେହି ଯୋଗମାୟା ଶକ୍ତି ଦ୍ୱାରା ସେ ଆମଠାରୁ ନିଜକୁ ଆବୃତ କରି ରଖିଥାଆନ୍ତି । ଭଗବାନ ଆମ ହୃଦୟରେ ବସିଥିଲେ ମଧ୍ୟ ଆମେ ତାହା ଅନୁଭବ କରିପାରେନାହିଁ । ଆମେ ତାଙ୍କର ଦିବ୍ୟ ଦର୍ଶନ ପ୍ରାପ୍ତ କରିବା ନିମନ୍ତେ ଯୋଗ୍ୟ ହେବା ପର୍ଯ୍ୟନ୍ତ, ଯୋଗମାୟା ତାଙ୍କର ଦିବ୍ୟତା ଆମଠାରୁ ଗୁପ୍ତ ରଖନ୍ତି । ସେଥିପାଇଁ ତାଙ୍କୁ ସାକାର ରୂପରେ ଦେଖିଲେ ମଧ୍ୟ, ଆମେ ତାଙ୍କୁ ଭଗବାନ ଭାବରେ ଚିହ୍ନିପାରିବା ନାହିଁ । ସେହି ଯୋଗମାୟା ଶକ୍ତି ଦ୍ୱାରା ସେ ଯେତେବେଳେ ଆମକୁ ତାଙ୍କ କୃପାରେ ଅନୁଗୃହୀତ କରିବେ, ସେତେବେଳେ ହିଁ ଦିବ୍ୟ ଦୃଷ୍ଟି ଦ୍ୱାରା ଆମେ ଭଗବାନଙ୍କୁ ଦେଖି ପାରିବା ଏବଂ ଚିହ୍ନିପାରିବା ।

ଚିଦାନନ୍ଦମୟ ଦେହ ତୁହ୍ମାରୀ, ବିଗତ ବିକାର ଜାନ ଅଧିକାରୀ (ରାମାୟଣ)

“ହେ ପ୍ରଭୁ, ଆପଣଙ୍କର ରୂପ ଦିବ୍ୟ-ଚିନ୍ମୟ ଅଟେ । କେବଳ ଯେଉଁମାନଙ୍କର ଅନ୍ତଃକରଣ ଶୁଦ୍ଧ ହୋଇ ଯାଇଥାଏ, ସେମାନେ ଆପଣଙ୍କ କୃପା ଦ୍ୱାରା ଆପଣଙ୍କୁ ଜାଣିପାରନ୍ତି ।”

ଯୋଗମାୟା ଶକ୍ତି ଉଭୟ ନିରାକାର ତଥା ସାକାର ଅଟେ । ରାଧା, ସୀତା, ଦୁର୍ଗା, କାଳୀ, ଲକ୍ଷ୍ମୀ ପାର୍ବତୀ ଇତ୍ୟାଦି ଯୋଗମାୟା ଶକ୍ତିର ସାକାର ସ୍ୱରୂପ ଅଟନ୍ତି, ଯେଉଁମାନଙ୍କୁ ବୈଦିକ ସଂସ୍କୃତିରେ ଜଗତ ଜନନୀ ରୂପରେ ସମ୍ମାନିତ କରାଯାଇଥାଏ । ସେମାନେ କୋମଳତା, ସହାନୁଭୂତି, କ୍ଷମା, ଦୟା ଏବଂ ଅକାରଣ କରୁଣା ଇତ୍ୟାଦି ମାତୃ ସୁଲଭ ଗୁଣ ପ୍ରକାଶିତ କରିଥାନ୍ତି । ଆମ ପାଇଁ ସର୍ବାଧିକ ମୂଲ୍ୟବାନ ଏହା ଯେ ସେମାନେ ଜୀବ ଉପରେ କୃପା ବୃଷ୍ଟି କରି ତାକୁ ଦିବ୍ୟ ଜ୍ଞାନ ପ୍ରଦାନ କରିଥାନ୍ତି, ଯଦ୍ୱାରା ଜୀବ ଭଗବାନଙ୍କୁ ଜାଣି ପାରିବ । ସେଥିପାଇଁ ବୃନ୍ଦାବନର ଭକ୍ତମାନେ ଗୀତ ଗାଇଥାନ୍ତି “ରାଧେ ରାଧେ, ଶ୍ୟାମ ସେ ମିଲା ଦେ”, ହେ ରାଧେ! କୃପା କରି ଆପଣ ମୋତେ ଶ୍ରୀକୃଷ୍ଣଙ୍କ ସହିତ ମିଳିତ ହେବାରେ ସାହାଯ୍ୟ କରନ୍ତୁ ।

ଯୋଗମାୟା ଉଭୟ କାର୍ଯ୍ୟ କରିଥାଏ - ଅନଧିକାରୀ ଜୀବଙ୍କ ଠାରୁ ଭଗବାନଙ୍କୁ ଘୋଡ଼ାଇ ରଖିଥାଏ ଏବଂ ଶରଣାଗତ ଜୀବଙ୍କୁ କୃପା ପ୍ରଦାନ କରିଥାଏ, ଯଦ୍ୱାରା ସେମାନେ ଭଗବାନଙ୍କୁ ଜାଣିପାରନ୍ତି । ଯେଉଁମାନେ ଭଗବାନଙ୍କ ଆଡ଼କୁ ପଛ କରି ରହିଥାଆନ୍ତି, ସେମାନେ ମାୟାର କବଳିତ ହେବା ସହିତ ଯୋଗମାୟାଙ୍କ କୃପାରୁ ବଞ୍ôଚତ ରହିଥାଆନ୍ତି । ଯେଉଁମାନେ ଭଗବାନଙ୍କର ସମ୍ମୁଖ ହୋଇଯାଆନ୍ତି, ସେମାନେ ଯୋଗମାୟାଙ୍କର ଆଶ୍ରୟରେ ରହି ମାୟାରୁ ମୁକ୍ତ ହୁଅନ୍ତି ।