Bhagavad Gita: Chapter 7, Verse 27

ଇଚ୍ଛାଦ୍ୱେଷସମୁତ୍‌ଥେନ ଦ୍ୱନ୍ଦ୍ୱମୋହେନଭାରତ ।
ସର୍ବଭୂତାନି ସଂମୋହଂ ସର୍ଗେ ଯାନ୍ତି ପରନ୍ତପ ।।୨୭।।

ଇଚ୍ଛା -କାମନା; ଦ୍ୱେଷ- ଘୃଣା; ସମୁତ୍‌ଥେନ - ଜାତ; ଦ୍ୱନ୍ଦ୍ୱ - ଦ୍ୱନ୍ଦ୍ୱ (ଦ୍ୱୈତ ଭାବ); ମୋହେନ -ଭ୍ରମବଶତଃ; ଭାରତ-ହେ ଭରତବଂଶଜ; ସର୍ବ-ସମସ୍ତ; ଭୂତାନି -ଜୀବଗଣ; ସଂମୋହଂ - ଅଜ୍ଞାନକୁ; ସର୍ଗେ -ଜନ୍ମରୁ; ଯାନ୍ତି - ଗତି କରନ୍ତି; ପରନ୍ତପ - ହେ ଶତ୍ରୁବିଜେତା ।

Translation

BG 7.27: ହେ ଭରତ ବଂଶଜ! ଭ୍ରମରୁ ଆସକ୍ତି ଓ ବିରକ୍ତିର ଦ୍ୱୈତଭାବ ଜାତ ହୁଏ । ହେ ଶତ୍ରୁଜୟୀ! ମାୟିକ ଜଗତର ସମସ୍ତ ପ୍ରାଣୀ ଜନ୍ମରୁ ଏମାନଙ୍କ ଦ୍ୱାରା ମୋହିତ ହୋଇଥାଆନ୍ତି ।

Commentary

ସଂସାର ଅନେକ ଦ୍ୱିବିଧତାରେ ପରିପୂର୍ଣ୍ଣ ଯଥା, ରାତି-ଦିନ, ଶୀତ-ଗ୍ରୀଷ୍ମ, ସୁଖ-ଦୁଃଖ, ଆନନ୍ଦ-କଷ୍ଟ ଇତ୍ୟାଦି । ସବୁଠାରୁ ବଡ଼ ଦ୍ୱୈତ ହେଉଛି ଜନ୍ମ ଓ ମୃତ୍ୟୁ - ଜନ୍ମ ହେବା ମାତ୍ରେ ମୃତ୍ୟୁ ସୁନିଶ୍ଚିତ; ମୃତ୍ୟୁ ପରେ ପୁଣି ପରବର୍ତ୍ତୀ ଜନ୍ମ ଆସିଥାଏ । ଜୀବନର ରଙ୍ଗଭୂମି ଜନ୍ମ-ମୃତ୍ୟୁର ଏହି ଦୁଇ ସୀମା ମଧ୍ୟରେ ଆବଦ୍ଧ । ଏହି ଦ୍ୱିବିଧତା ପ୍ରତ୍ୟେକ ବ୍ୟକ୍ତିଙ୍କ ଦୈନନ୍ଦିନ ଅନୁଭୂତିର ଏକ ଅବିଭାଜ୍ୟ ଅଂଶ ଅଟେ ।

ଭୌତିକ ଚେତନାରେ, ଆମେ କାହାକୁ ଆଦର କରିବା ବେଳେ ଅନ୍ୟ କାହାର ଅନାଦର କରିଥାଉ । ଏହି ଆସକ୍ତି ଏବଂ ବିରକ୍ତି, ଅନ୍ୟ ସବୁ ଦ୍ୱୈତ ପରି ଏକ ସ୍ୱାଭାବିକ ଦ୍ୱୈତ ନୁହେଁ, ବରଂ ଏହା ଆମ ଅଜ୍ଞାନତାରୁ ଜାତ ହୋଇଥାଏ । ଆମର ଅଜ୍ଞାନଯୁକ୍ତ ବୁଦ୍ଧି, ଏହା ମାନି ନେଇଥାଏ ଯେ ଭୌତିକ ସୁଖ ଆମର ସ୍ୱାର୍ଥ ପୂରଣ କରିବ । ଆମେ ଏଥିରେ ମଧ୍ୟ ସମ୍ମତ ହୋଇଥାଉ ଯେ କଷ୍ଟ ଆମ ପାଇଁ କ୍ଷତିକାରକ ଅଟେ । ଆମେ ଏହା ହୃଦୟଙ୍ଗମ କରିପାରେ ନାହିଁ ଯେ ସାଂସାରିକ ସୁଖଦାୟକ ସ୍ଥିତି ଆମ ଆତ୍ମା ଉପରେ ମାୟିକ ଭ୍ରମର ଆସ୍ତରଣକୁ ମୋଟା କରିଦିଏ । ଅନ୍ୟପକ୍ଷରେ, ପ୍ରତିକୂଳ ପରିସ୍ଥିତି ସେହି ଭ୍ରମକୁ ଦୂର କରି ମନର ଉତ୍‌ଥାନ କରିଥାଏ । ଭ୍ରମର ମୂଳ କାରଣ ହେଉଛି ଅଜ୍ଞାନ । ଆଧ୍ୟାତ୍ମିକ ବିଜ୍ଞତା ତାହା ହିଁ ଅଟେ, ଯେତେବେଳେ ବ୍ୟକ୍ତି ଆସକ୍ତି-ବିରକ୍ତି, ଆଦର-ଅନାଦର ଆଦି ଦ୍ୱନ୍ଦ୍ୱର ଉପରକୁ ଉଠି ତାହାକୁ ଭଗବାନଙ୍କ ସୃଷ୍ଟିର ଅବିଚ୍ଛେଦ୍ୟ ଅଂଗ ଭାବରେ ସ୍ୱୀକାର କରିନିଏ ।